ETV Bharat / state

ଅଫେରା ରାଇଜରେ ଓଡ଼ିଶା ରାଜନୀତିର ‘ମହାଦ୍ରୁମ’ ଦାମ ରାଉତ, ଜାଣନ୍ତୁ କେମିତି ଥିଲା ରାଜନୈତିକ ଯାତ୍ରା - Damodar Rout Political Carrier

author img

By ETV Bharat Odisha Team

Published : Mar 22, 2024, 11:43 AM IST

Updated : Mar 22, 2024, 1:07 PM IST

Damodar Rout's Political Carrier: ଓଡ଼ିଶା ରାଜନୀତିର ମହାଦ୍ରୁମ ଭାବରେ ପରିଚିତ ଭେଟେରାନ ରାଜନେତା ଦାମୋଦର ରାଉତଙ୍କ ପରଲୋକ ହୋଇଛି । ୭ ଥରର ବିଧାୟକ ଥିଲେ ଦାମ । ତାଙ୍କର ବିୟୋଗ ରାଜ୍ୟ ରାଜନୀତିରେ ଏକ ଅପୂରଣୀୟ କ୍ଷତି । ତେବେ କେମିତି ଥିଲା ଏହି ଅଭିଜ୍ଞ ରାଜନେତାଙ୍କ ରାଜନୈତିକ କ୍ୟାରିୟର, ପଢନ୍ତୁ ବିସ୍ତୃତରେ

ଓଡ଼ିଶା ରାଜନୀତିର ମହାଦ୍ରୁମ ଦାମ ରାଉତ, ଜାଣନ୍ତୁ କେମିତି ଥିଲା ତାଙ୍କର ରାଜନୈତିକ ଯାତ୍ରା
ଓଡ଼ିଶା ରାଜନୀତିର ମହାଦ୍ରୁମ ଦାମ ରାଉତ, ଜାଣନ୍ତୁ କେମିତି ଥିଲା ତାଙ୍କର ରାଜନୈତିକ କ୍ୟାରିୟର

ଭୁବନେଶ୍ୱର: ଓଡ଼ିଶା ରାଜନୀତିର ଜଣେ ଅଭିଜ୍ଞ ଓ ବିଚକ୍ଷଣ ନେତା ଭାବେ ଜଣାଶୁଣା ଦାମୋଦର ରାଉତ । ରାଜନୀତିର ମହାଦ୍ରୁମ ଭାବରେ ପରିଚିତ ଥିଲେ ସେ । ପ୍ରଥମେ ଜନତା ଦଳ ଓ ପରେ ବିଜେଡିରୁ ବିଧାୟକ ଭାବେ ନିର୍ବାଚିତ ହୋଇ ଏକାଧିକ ଥର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଖୁବ୍‌ ଘନିଷ୍ଠ ଥିଲେ ଦାମ । ନିଜ ସ୍ପଷ୍ଟବାଦିତା ଓ ରୋକଠୋକ୍ ବୟାନ ପାଇଁ ଚର୍ଚ୍ଚାରେ ରହୁଥିଲେ । ଆଜି ଓଡ଼ିଶା ଏଭଳି ଜଣେ ଦକ୍ଷ ନେତାଙ୍କ ହରାଇଛି । ଏହି ଭେଟେରାନ ରାଜନେତାଙ୍କ ଦେହାନ୍ତ ରାଜ୍ୟ ରାଜନୀତିରେ ଏକ ଅପୂରଣୀୟ କ୍ଷତି ।

ଅଫେରା ରାଇଜରେ ଓଡ଼ିଶା ରାଜନୀତିର ‘ମହାଦ୍ରୁମ’ ଦାମ ରାଉତ
ଅଫେରା ରାଇଜରେ ଓଡ଼ିଶା ରାଜନୀତିର ‘ମହାଦ୍ରୁମ’ ଦାମ ରାଉତ

ଦାମ ରାଉତଙ୍କ ରାଜନୈତିକ କ୍ୟାରିଅର:

୭ ଥରର ବିଧାୟକ ଥିଲେ ଦାମ ରାଉତ: ୧୯୭୭ରେ ପ୍ରଥମ ଥର ପାଇଁ ଜନତା ଦଳ ଟିକେଟରେ ଜଗତସିଂହପୁରର ବାଲିକୁଦା-ଏରସମା ବିଧାନସଭାରୁ ନିର୍ବାଚିତ ହୋଇଥିଲେ । ୧୯୮୦ରେ ଦ୍ବିତୀୟ ଥର ନିର୍ବାଚିତ ହୋଇଥିଲେ ଦାମ । ୧୯୭୭ରୁ ୧୯୮୫ ମସିହା ଯାଏ ଜନତା ଦଳ ବିଧାୟକ ରହିଥିଲେ । ଏହାପରେ ୧୯୯୫ ମସିହାରେ ସେ ପରାଜିତ ହୋଇଥିଲେ । ପରେ ୨୦୦୨ରୁ ୨୦୧୯ ମସିହା ପର୍ଯ୍ୟନ୍ତ ବିଜେଡି ଦଳରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୨ରୁ ୨୦୦୯ ବିଜେଡି ଟିକେଟରେ ଏରସମାରୁ ଏବଂ ୨୦୦୯ରୁ ୨୦୧୯ ପାରଦ୍ବୀପରୁ ବିଧାନସଭାକୁ ଯାଇଥିଲେ । ବିଜୁ ଓ ନବୀନ ସରକାରରେ ୭ରୁ ଅଧିକ ବିଭାଗର ମନ୍ତ୍ରୀପଦ ଦାୟିତ୍ବ ପାଇଥିଲେ ଦାମ ରାଉତ । ସେ ବିଜ୍ଞାନ ଓ ସୂଚନା ପ୍ରଯୁକ୍ତି ବିଦ୍ୟା, ସାମାଜିକ କଲ୍ୟାଣ, ପଞ୍ଚାୟତରାଜ ଓ ଅବକାରୀ, ମହିଳା ଓ ଶିଶୁ ବିକାଶ, ସୂଚନା ଓ ଲୋକସମ୍ପର୍କ, ସଂସ୍କୃତି, କୃଷି, ସମବାୟ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଉନ୍ନୟନ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଆଦି ବିଭାଗରେ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ।

ବିଜେଡିରୁ ବହିଷ୍କୃତ ହୋଇଥିଲେ ଦାମ: କିନ୍ତୁ ୨୦୧୮ ମସିହାରେ ବିବାଦୀୟ ମନ୍ତବ୍ୟ ପାଇଁ ଦାମଙ୍କୁ ବିଜୁ ଜନତା ଦଳରୁ ବହିଷ୍କୃତ କରିଥିଲେ ସଭାପତି ନବୀନ ପଟ୍ଟନାୟକ । ଓମଫେଡ୍ ଓ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଦାମ ସରକାରକୁ ଅଡୁଆରେ ପକାଇଥିଲେ । ବହିଷ୍କୃତ ହେବାର କିଛି ଦିନ ପରେ ସେ ବିଜେପିରେ ମିଶିଥିଲେ । ଏମିତିକି ୨୦୧୯ ବିଧାନସଭା ନିର୍ବାଚନରେ ବିଜେପି ତାଙ୍କୁ ଏରସମା-ବାଲିକୁଦା ଆସନରୁ ପ୍ରାର୍ଥୀ କରିଥିଲା । କିନ୍ତୁ ଗତଥର ନିର୍ବାଚନ ପରାଜିତ ହୋଇଯାଇଥିଲେ ଦାମ । ପରବର୍ତ୍ତୀ ସମୟରେ ସେ ବିଜେପି ଛାଡି ଦେଇଥିଲେ ।

ଜାନୁଆରୀରେ ହଟିଥିଲା ବହିଷ୍କାର ଆଦେଶ: ବିଜେପି ଛାଡିବା ପରେ ସକ୍ରିୟ ରାଜନୀତିରୁ କିଛି ଦିନ ଦୂରେଇ ରହିଥିଲେ ଦାମ ରାଉତ । ଏହାପରେ ସେ ଅସୁସ୍ଥ ହୋଇପଡିଥିଲେ । ସୁସ୍ଥ ହେବା ପରେ ପୁଅ ସହିତ ନିର୍ବାଚନ ମଣ୍ଡଳୀ ବୁଲାବୁଲି କରୁଥିଲେ । ହେଲେ ପରେ ପୁଣିଥରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ସେ ବହୁଦିନ ଧରି କିଡନୀ ଜନିତ ରୋଗରେ ଆକ୍ରାନ୍ତ ଥିଲେ । ଗତ ଜାନୁଆରୀରେ ବିଜେଡି ତାଙ୍କ ଉପରୁ ବହିଷ୍କାର ଆଦେଶ ହଟାଇଥିଲା । ଏବେ ତାଙ୍କ ପୁଅ ସମ୍ବିତ ରାଉତରାୟ ବିଜେଡି ବିଧାୟକ ଭାବେ ଓଡ଼ିଶା ରାଜନୀତିରେ ସକ୍ରିୟ ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ: ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ପରଲୋକ, ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ - Damodar Rout Passes Away

୧୯୪୨ ମସିହା ଜୁଲାଇ ୨ ତାରିଖରେ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ମାଳିପୁର ଗାଁରେ ଦାମୋଦର ରାଉତଙ୍କ ଜନ୍ମ । ତାଙ୍କ ବାପାଙ୍କ ନାମ ଥିଲା କପିଳ ଚରଣ ରାଉତ । ପତ୍ନୀଙ୍କ ନାମ ଥିଲା ସ୍ନେହା ରାଉତ ।

Last Updated :Mar 22, 2024, 1:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.