ETV Bharat / state

ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡିର ନୂଆ ଷ୍ଟ୍ରାଟେଜି, 5ଟି ସଂସଦୀୟ କ୍ଷେତ୍ରରେ ସଂଯୋଜକ ନିଯୁକ୍ତ - BJD coordinator

author img

By ETV Bharat Odisha Team

Published : Apr 7, 2024, 10:53 AM IST

Updated : Apr 7, 2024, 11:33 AM IST

BJD parliamentary constituency coordinator: ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳ ପକ୍ଷରୁ 5ଟି ସଂସଦୀୟ କ୍ଷେତ୍ର ପାଇଁ ସଂଯୋଜକ ନିଯୁକ୍ତ କରାଯାଇଛି । ପ୍ରତାପ ଜେନାଙ୍କୁ କେନ୍ଦ୍ରାପଡା ଦାୟିତ୍ୱ ଦିଆଯାଇଥିବା ବେଳେ ବ୍ରହ୍ମପୁରରେ ଚନ୍ଦ୍ର ଶେଖର ସାହୁଙ୍କୁ ନିଯୁକ୍ତ କରାଯାଇଛି । ଅଧିକ ପଢନ୍ତୁ

BJD
BJD

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ବିଜେଡିର ନୂଆ ଷ୍ଟ୍ରାଟେଜି । 5 ସଂସଦୀୟ କ୍ଷେତ୍ର ପାଇଁ ନୂଆ ସଂଯୋଜକ ନିଯୁକ୍ତ କଲା ବିଜୁ ଜନତା ଦଳ । ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ଚନ୍ଦ୍ର ଶେଖର ସାହୁ, ଭଦ୍ରକରେ ଦେବାଶିଷ ସାମନ୍ତରାୟ, କେନ୍ଦ୍ରାପଡାରେ ପ୍ରତାପ ଜେନା, କଳାହାଣ୍ଡିରେ ସୁଜିତ କୁମାର ଓ ପୁରୀ ସଂସଦୀୟ କ୍ଷେତ୍ର ପାଇଁ ସୁବାଷ ଖୁଣ୍ଟିଆଙ୍କୁ ସଂଯୋଜକ ଦାୟିତ୍ୱ ପ୍ରଦାନ କରିଛି ଦଳ । ତେବେ ଏନେଇ ଦଳୀୟ ନିର୍ଦ୍ଦେଶାନାମା ଜାରି କରାଯାଇଛି ।

ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ କିଛି ଦିନ ତଳେ ଦଳର ଉପସଭାପତି ଓ ଦଳର ଇସ୍ତାହାର କମିଟିର ଅଧ୍ୟକ୍ଷ ଦାୟିତ୍ୱ ଦେଇଥିଲା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଜି ମଧ୍ୟ ତାଙ୍କୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି । ତେବେ ଗଞ୍ଜାମ ରାଜନୀତିରେ ଚନ୍ଦ୍ରଶେଖର ବେଶ ଟାଣୁଆ ନେତା ଭାବେ ଜଣାଶୁଣା । 2019 ଲୋକସଭା ନିର୍ବାଚନରେ ସେ ବିଜେଡିରୁ ପ୍ରତିଦ୍ୱନ୍ଦିତା କରି 94, 844 ଭୋଟରେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ବୀ ଭୃଗୁ ବକ୍ସିପାତ୍ରଙ୍କୁ ହରାଇଥିଲେ ।

ସେହିଭଳି ଭଦ୍ରକ ସଂସଦୀୟ କ୍ଷେତ୍ର ପାଇଁ ସଂଯୋଜକ ଦାୟିତ୍ୱ ମିଳିଥିବା ଦେବାଶିଷ ସାମନ୍ତରାୟ ରାଜ୍ୟ ରାଜନୀତିରେ ବେଶ ଗୁରୁତ୍ୱବହନ କରନ୍ତି । ବିଜେଡିରୁ ଲଢି ସେ 3 ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । 2000 ମସିହାରେ ସେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ଲଢି ବିଜୟ ହୋଇଥିଲେ । ଏହାପରେ 2009 ଓ 2024ରେ ବାରବାଟୀ- କଟକ ଆସନରୁ ଲଢି ବିଧାନସଭା ଯାଇଥିଲେ ।

ଏହାମଧ୍ୟ ପଢନ୍ତୁ..ବିଜେଡି ନାଁରେ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ ଆଣିଲା ସମ୍ବଲପୁର ବିଜେପି - ELection Code Of Conduct Violation

ଅନ୍ୟପଟେ କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରର ଦାୟିତ୍ୱ ପ୍ରତାପ ଜେନାଙ୍କୁ ଦିଆଯାଇଛି । କେନ୍ଦ୍ରାପଡାରେ ଲୋକସଭା ଆସନରେ ବିଜେପି ପକ୍ଷରୁ ବୈଜୟନ୍ତ ପଣ୍ଡା ସାଂସଦ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡି ପକ୍ଷରୁ ଅଂଶୁମାନ ମହାନ୍ତି ଲଢେଇ କରିବେ । ସେପଟେ କଂଗ୍ରେସ ଏ ପର୍ଯ୍ୟନ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହିଁ । ତେବେ ବିଜେଡିର ଗଡ କୁହାଯାଉଥିବା କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରର ସଂଯୋଜକ ଦାୟିତ୍ୱ ପ୍ରତାପ ଜେନାଙ୍କୁ ଦେଇଛି ଦଳ । ପ୍ରତାପ 5 ଥର ବିଧାୟକ ଭାବେ ବିଜୟ ହାସଲ କରିଛନ୍ତି । 2000, 2004, 2009, 2014 ଓ 2019ରେ ବିଜେଡି ଦଳରୁ ବିଧାୟକ ଭାବେ ଲଢି ବିଜୟୀ ହୋଇଥିଲେ । ବିଜେଡି ସରକାରରେ ସେ ବହୁ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି ।

କଳାହାଣ୍ଡି ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ସୁଜିତ କୁମାରଙ୍କୁ ସଂଯୋଜକ ଦାୟିତ୍ୱ ପ୍ରଦାନ କରିଥିବା ବେଳେ ପଶ୍ଚିମ ଓଡ଼ିଶାର ଜଣାଶୁଣା ନେତା ଅଟନ୍ତି । 2020ରୁ ସେ ରାଜ୍ୟସଭା ସାଂସଦ ଭାବେ ଓଡ଼ିଶାକୁ ପ୍ରତିନିଧିତ୍ୱ କରୁଛନ୍ତି । ପୁରୀ ସଂସଦୀୟ କ୍ଷେତ୍ର ପାଇଁ ବରିଷ୍ଠ ନେତା ସୁବାଷ ଖୁଣ୍ଟିଆଙ୍କୁ ସଂଯୋଜକ ଦାୟିତ୍ୱ ପ୍ରଦାନ କରିଛି ଦଳ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Apr 7, 2024, 11:33 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.