ETV Bharat / state

ଜୟ କିଷାନ ଆନ୍ଦୋଳନର ବିକ୍ଷୋଭ ପ୍ରଦର୍ଶନ, ଘେରାଉ କଲେ ଜିଲ୍ଲାପାଳ ଅଫିସ

author img

By ETV Bharat Odisha Team

Published : Mar 15, 2024, 12:44 PM IST

Farmers Protest: ବରଗଡରେ ଚାଷୀ ଆନ୍ଦୋଳନ । ବିଜୁଳି ସମସ୍ୟା, ଧାନ ଦର ବୃଦ୍ଧି ଏବଂ କୃଷିଋଣ ଛାଡ ଦାବିରେ ବିକ୍ଷୋଭ ପ୍ରଦର୍ଶନ କଲା ଜୟ କିଷାନ ଆନ୍ଦୋଳନ । ଅଧିକ ପଢନ୍ତୁ

Bargarh Farmer Protest
Bargarh Farmer Protest

Bargarh Farmer Protest

ବରଗଡ: ବିଜୁଳି ସମସ୍ୟା, ଧାନ ଦର ବୃଦ୍ଧି ଏବଂ କୃଷିରୁଣ ଛାଡ ଦାବିରେ ବରଗଡରେ ଜୟ କିଷାନ ଆନ୍ଦୋଳନ ତରଫରୁ ବିକ୍ଷୋଭ ପ୍ରଦର୍ଶନ । ଗୋପାଳ ଗୋଶାଳା ଠାରୁ ହଜାର ହଜାର ଚାଷୀ ଏକ ବିରାଟ ରାଲି କରି ବରଗଡ଼ ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପର୍ଯ୍ୟନ୍ତ ପହଞ୍ଚିଥିଲେ l ସେଠାରେ ଜିଲ୍ଲାପାଳ ଅଫିସ ଘେରାଉ କରି ରାଜନେତା, ସରକାର, ପ୍ରଶାସନ ଏବଂ କମ୍ପାନୀମାନଙ୍କୁ ଚେତାବନୀ ଦେଇଥିଲେ ।

ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି,'' ବିଜୁଳି କ୍ଷେତ୍ରକୁ ସରକାର ଘରୋଇ କମ୍ପାନୀ ହାତରେ ହସ୍ତାନ୍ତର କରି ଦେବାପରେ ଟାଟା ପାୱାର କମ୍ପାନୀ କୃଷକ ମାନଙ୍କ ଉପରେ ବ୍ୟାପକ ଅତ୍ୟାଚାର କରିବାରେ ଲାଗିଛି । ଅତ୍ୟଧିକ ବିଜୁଳି ବିଲ ଆସୁଥିବାବେଳେ କୃଷକ ବିଜୁଳି ବିଲ ପୈଠ କରିନପାରିଲେ ବିଜୁଳି ସଂଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ କରିଦେଉଛି । ଦେଶର 7 ଗୋଟି ରାଜ୍ୟରେ ଘରୋଇ ବିଜୁଳି ବିଲ 200 ରୁ 300 ୟୁନିଟ ପର୍ଯ୍ୟନ୍ତ ଛାଡ କରୁଥିବାବେଳେ କିନ୍ତୁ ଓଡିଶାରେ ବିଦ୍ୟୁତ ଉତ୍ପାଦନ ହେଉଥିଲେ ସୁଦ୍ଧା ବିଜୁଳି ବିଲ ଅଧିକ ଦେବାକୁ ପଡୁଛି । 2017 ମସିହାରେ ରାଜ୍ୟ ସରକାର ନିଜେ ପ୍ରସ୍ତାବ ଦେଇଥିଲେ ଯେ, ଧାନ କ୍ବିଣ୍ଟାଲ ପିଛା ଦର 2930 ଟଙ୍କା ହେବା ଆବଶ୍ୟକ, ମାତ୍ର 2024 ମସିହା ହେଲାଣି ହେଲେ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ଏହି ଧାନର ଦରକୁ ନେଇ ଚୁପ ବସିଛନ୍ତି । ''

ଏହା ମଧ୍ୟ ପଢନ୍ତୁ-ବରଗଡ଼ରେ ଜୟ କିଶାନ ଆନ୍ଦୋଳନ ତରଫରୁ ଚାଷୀଙ୍କ ବିରାଟ ଟ୍ରାକ୍ଟର ରାଲି

ଚାଷୀଙ୍କ ଦାବି ଗୁଡ଼ିକ ହେଲା:

1- କୃଷି କ୍ଷେତ୍ରରେ ବ୍ୟବହୃତ ବିଜୁଳି ବିଲ ସଂପୂର୍ଣ୍ଣ ଛାଡ କରାଯାଉ ।
2- ପ୍ରତ୍ୟେକ ପରିବାରକୁ 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ଛାଡ କରାଯାଉ ।
3 - ବିଜୁଳି କ୍ଷେତ୍ରରେ ଘରୋଇକରଣ କରାନଯାଇ ସରକାର ନିଜେ ଆଗ ଭଳି ଦାୟିତ୍ଵ ବହନ କରନ୍ତୁ ।
4 - ଧାନର ସର୍ବନିମ୍ନ ସହାୟକ ଦର ଉପରେ ରାଜ୍ୟ ସରକାର 1000 ଟଙ୍କା ବୋନସ ପ୍ରଦାନ କରନ୍ତୁ ।
5 - ମଣ୍ଡି ମାନଙ୍କରେ ଦଲାଲ ଓ ମିଲର ମାନଙ୍କର ଦୌରାତ୍ମ୍ୟ ବନ୍ଦ କରାଯାଉ ।
6 - ଧାନ ବିକ୍ରି ବ୍ୟବସ୍ଥାକୁ ପୂର୍ବ ପରି ଧାନ ସଂଗ୍ରହ କମିଟି କ୍ଷମତା ପ୍ରଦାନ କରାଯାଉ ।
7 - ସ୍ବାମୀନାଥନ କମିସନକୁ ଆଇନଗତ ମାନ୍ୟତା ଦିଆଯାଉ ।
8- କୃଷି ଋଣ ସଂପୂର୍ଣ୍ଣ ଛାଡ କରାଯାଉ ।


ଏହି ସବୁ ଦାବି ନେଇ ଗୁରୁବାର କୃଷକ ମାନେ ବିଶାଳ ରାଲି ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବରଗଡ଼ ଜିଲ୍ଲାର 12 ଗୋଟି ବ୍ଲକରୁ 4 ହଜାରରୁ ଅଧିକ କୃଷକ ଏଥିରେ ସାମିଲ ହୋଇଥିଲେ । ଆଗାମୀ ସାଧାରଣ ନିର୍ବାଚନକୁ ଆଖିଆଗରେ ରଖି ସରକାର ସମସ୍ତେ କ୍ଷେତ୍ରରେ ସୁବିଧା ଯୋଗାଇ ଦେଇଥିବା ବେଳେ କୃଷି ଓ କୃଷକଙ୍କୁ ଅଣଦେଖା କରାଯାଉଛି । ଚାଷୀଙ୍କ ଦାବି ପୂରଣ ନହେଲେ ଆଗାମୀ ଦିନରେ ପରିସ୍ଥିତି ଭୟାବହ ହେବ ବୋଲି ଚେତାବନୀ ଦେଇଛି ଜୟ କିଷାନ ଆନ୍ଦୋଳନ ।


ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.