ETV Bharat / state

ବୃଦ୍ଧି ହେବ ମତ୍ସ୍ୟ ଉତ୍ପାଦନ, ମହାନଦୀ ଗର୍ଭରେ ଛଡାଗଲା 7 ଲକ୍ଷ 50 ହଜାର ମାଛ ଯାଆଁଳ

author img

By ETV Bharat Odisha Team

Published : Mar 3, 2024, 3:28 PM IST

Fish seeds: ମତ୍ସ୍ୟ ଉତ୍ପାଦନ ବୃଦ୍ଧି କରିବା ପାଇଁ ମହାନଦୀରେ ସୁବର୍ଣ୍ଣପୁର ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ 7 ଲକ୍ଷ 50 ହଜାର ଯାଆଁଳା ଛଡାଯାଇଛି । ଅଧିକ ପଢ଼ନ୍ତୁ

ମହାନଦୀରେ ମାଛ ଯାଆଁଳା
ମହାନଦୀରେ ମାଛ ଯାଆଁଳା

ମହାନଦୀରେ ମାଛ ଯାଆଁଳା

ସୁବର୍ଣ୍ଣପୁର: ଚୀରତ୍ସୋତା ମହାନଦୀରେ ସୁବର୍ଣ୍ଣପୁର ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ 7 ଲକ୍ଷ 50 ହଜାର ଯାଆଁଳ ଛଡାଯାଇଛି । ମହାନଦୀରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି କରିବା ପାଇଁ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ସହରର ତେନ୍ତୁଳି ଘାଟରେ 3 ଲକ୍ଷ 50 ହଜାର, ଉଲୁଣ୍ଡା ବ୍ଳକ ନିମ୍ନା ଘାଟରେ 2 ଲକ୍ଷ ଓ ବୀରମହାରାଜପୁର ବ୍ଳକ ବୁରୋଘାଟରେ 2 ଲକ୍ଷ ଯାଆଁଳ ଛଡାଯାଇଛି ।

ମତ୍ସ୍ୟ ବିଭାଗ ପକ୍ଷରୁ ସୁବର୍ଣ୍ଣପୁର ସହରର ତେନ୍ତୁଳି ଘାଟରେ ଏକ ସୁସଜ୍ଜିତ ଦେଶୀ ଡଙ୍ଗାରେ ମହାନଦୀ ଗର୍ଭରେ ଯାଆଁଳ ଛଡାଯାଇଛି । ରୋହି, ଭାକୁର, କାର୍ପିଲିସ, ମିରକାଲି, ଗ୍ରାସକାର୍ଫ ଓ କଂଲାଚି ଆଦି ବିଭିନ୍ନ ପ୍ରଜାତିର ମାଛ ଯାଆଁଳ ଛଡାଯାଇଛି । ଦିନକୁ ଦିନ ମହାନଦୀର ମାଛ ଉତ୍ପାଦନ ହ୍ରାସ ପାଉଥିବା ବେଳେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ମତ୍ସ୍ୟ ଉତ୍ପାଦନ ପାଇଁ ଯାଆଁଳ ଛଡା ଯାଇଛି । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ମହାନଦୀର 5ଟି ଘାଟରେ ଅଧିକ ଯାଆଁଳ ଛଡାଯାଇଛି ।

ସେପଟେ ଦିନକୁ ଦିନ ମହାନଦୀରେ ଜଳ ପ୍ରବାହ କମୁଛି । ଅସାମାଜିକ ଲୋକେ ଅପ୍ରାକୃତିକ ଉପାୟରେ ମାଛ ମାରୁଛନ୍ତି । ମହାନଦୀର ବିଭିନ୍ନ ଘାଟରୁ ବେଆଇନ ବାଲି ଓ ପଥର ଚାଲାଣ ହେଉଛି । ଅଧିକରୁ ଅଧିକ ମାଛ ମାରିବା ପାଇଁ ଦୁର୍ବୃତ୍ତ ମାନେ ବିଭିନ୍ନ ପ୍ରକାରର ରାସାୟନିକ ତେଲ ଓ ବ୍ଲାଷ୍ଟିଂ ଫୁଟାଉଛନ୍ତି । ମତ୍ସ୍ୟ ବିଭାଗ ମହାନଦୀ ଗର୍ଭରେ ଚାଲିଥିବା ବେଆଇନ କାର୍ଯ୍ୟ ରୋକିବା ଦିଗରେ ବିଫଳ ହୋଇଥିବା ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ...ମହାନଦୀରେ ବୃଦ୍ଧି ପାଇବ ଜାଆଁଳ, ସରକାରୀସ୍ତରରେ ଉଦ୍ୟମ ଆରମ୍ଭ

ତେବେ ଦିନ ଥିଲା ମହାନଦୀର ମଧୁର ଜଳ ମାଛ ଏତେ ପରିମାଣରେ ଉତ୍ପାଦନ ହେଉଥିଲା ଯେ, ଜିଲ୍ଲାର ଆବଶ୍ୟକତା ପୂରଣ ହେବା ସହ ପଡୋଶୀ ଜିଲ୍ଲାଗୁଡିକୁ ମଧ୍ୟ ମାଛ ରପ୍ତାନି ହେଉଥିଲା । ଏବେ କିନ୍ତୁ ସହରବାସୀଙ୍କ ପାଇଁ ମହାନଦୀର ମଧୂର ଜଳ ମାଛ ସ୍ବପ୍ନ ପାଲଟିଛି । ଲୋକେ ଆମଦାନୀ ମାଛ କିଣିବା ପାଇଁ ବାଧ୍ୟ ହେଉଛନ୍ତି । ସେପଟେ ଜଳ ପ୍ରବାହ ଅଞ୍ଚଳ ଜିଲ୍ଲାର କେଉଁଟିପାଲି ଓ ରାମେଶ୍ବର ତଥା ସୁବଳୟା ନିକଟରେ ଲୁହା ତାର ଜାଲି ଦେବା ପାଇଁ ଦାବି ହେଉଛି । ସେହିପରି ମହାନଦୀରେ ବେଆଇନ ଅସାମାଜିକ କାର୍ଯ୍ୟ ରୋକିବା ଦିଗରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ମତ୍ସ୍ୟ ବିଭାଗ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଦାବି ହୋଇଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.