ETV Bharat / sports

ଜୟପୁର ୱାକ୍ସ ମ୍ୟୁଜିୟମରେ ସ୍ଥାପନ ହେବ ବିରାଟ କୋହଲିଙ୍କ ପ୍ରତିମୂର୍ତ୍ତି, ଉତ୍ସାହିତ ପ୍ରଶଂସକ - Virat Kohli Wax Statue

author img

By ETV Bharat Odisha Team

Published : Apr 13, 2024, 3:47 PM IST

Virat Kohli Wax Statue
Virat Kohli Wax Statue

Virat Kohli Wax Statue: ୧୮ ଏପ୍ରିଲ ବିଶ୍ବ ଐତିହ୍ୟ ଦିବସରେ ରାଜସ୍ଥାନର ଜୟପୁରସ୍ଥିତ ୱାକ୍ସ ମ୍ୟୁଜିୟମ (ମହମ ସଂଗ୍ରହାଳୟ)ରେ ବିରାଟ କୋହଲିଙ୍କ ମହମ ନିର୍ମିତ ପ୍ରତିମୂର୍ତ୍ତି ସ୍ଥାପନ ହେବ । ଶୁକ୍ରବାର ସାମ୍ନାକୁ ଆସିଛି ଏହି ମହମ ମୂର୍ତ୍ତିର ପ୍ରଥମ ଦୃଶ୍ୟ । ଅଧିକ ପଢ଼ନ୍ତୁ

Virat Kohli Wax Statue
Virat Kohli Wax Statue

ଜୟପୁର(ରାଜସ୍ତାନ): ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ ଲୋକପ୍ରିୟତା କାହାକୁ ବା ଅଜଣା । ଏବେ ବିଭିନ୍ନ ହାଇପ୍ରୋଫାଇଲ ଆଇସିସି ଟୁର୍ଣ୍ଣାମେଣ୍ଟ ପାଇଁ ପୋଷ୍ଟରରେ ବିଶ୍ବ କ୍ରିକେଟର ପରିଚୟ ଭାବେ ବିରାଟ କୋହଲିଙ୍କୁ ସ୍ଥାନିତ କରାଯାଉଛି । ଏଭଳି ସମୟରେ ବିଶ୍ବ ଐତିହ୍ୟ ଦିବସ ଉପଲକ୍ଷେ ରାଜସ୍ଥାନର ଜୟପୁରସ୍ଥିତ ୱାକ୍ସ ମ୍ୟୁଜିୟମ (ମହମ ସଂଗ୍ରହାଳୟ)ରେ ବିରାଟ କୋହଲିଙ୍କ ମହମ ନିର୍ମିତ ପ୍ରତିମୂର୍ତ୍ତି ସ୍ଥାପନ ହେବ । ଶୁକ୍ରବାର ଏହି ମହମ ମୂର୍ତ୍ତିର ପ୍ରଥମ ଦୃଶ୍ୟ ସାମ୍ନାକୁ ଆସିଛି ।

ପର୍ଯ୍ୟଟକଙ୍କ ଦାବି ପରେ ହେଲା ନିର୍ଣ୍ଣୟ: ବିଶ୍ବ କ୍ରିକେଟରେ 'ରନ୍‌ ମେସିନ' ଓ 'ଚେଜ୍‌ ମଷ୍ଟର' ଭାବେ ପରିଚିତ କ୍ରିକେଟ୍‌ର କିଙ୍ଗ ବିରାଟ କୋହଲିଙ୍କ ମହମ ନିର୍ମିତ ପ୍ରତିମୂର୍ତ୍ତି ବିଶ୍ବ ଐତିହ୍ୟ ଦିବସ (ଏପ୍ରିଲ ୧୮)ରେ ରାଜସ୍ଥାନର ଜୟପୁରସ୍ଥିତ ନାହରଗଡ଼ ୱାକ୍ସ ମ୍ୟୁଜିୟମ (ମହମ ସଂଗ୍ରହାଳୟ)ରେ ସ୍ଥାପନ କରାଯିବ । ଏନେଇ ମ୍ୟୁଜିୟମର ସଂସ୍ଥାପକ ଓ ନିର୍ଦ୍ଦେଶକ ଅନୁପ ଶ୍ରୀବାସ୍ତବ କହିଛନ୍ତି, "ବିଗତ ୧ ବର୍ଷ ଧରି ପର୍ଯ୍ୟଟକମାନଙ୍କ ପକ୍ଷରୁ ବିରାଟ କୋହଲିଙ୍କ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ଦାବି ହେଉଛି । ବିଶେଷ କରି ଛୋଟ ପିଲା ଓ ଯୁବବର୍ଗ, ଯେଉଁମାନେ ବିରାଟ କୋହଲିଙ୍କୁ ଭଲ ପାଆନ୍ତି, ସେମାନଙ୍କ ଦାବି ଥିଲା ଯେ କିଙ୍ଗ୍‌ କୋହଲିଙ୍କ ମୂର୍ତ୍ତି ମ୍ୟୁଜିୟମରେ ନିହାତି ରହିବା ଆବଶ୍ୟକ । ଏବେ ବିରାଟ ବିଶ୍ବ କ୍ରିକେଟରେ ଉଚ୍ଚତମ ସ୍ଥାନରେ ପହଞ୍ଚିସାରିଛନ୍ତି । ତେଣୁ ଆମେ ବି ନିର୍ଣ୍ଣୟ ନେଲୁ ଯେ, ସଚିନ ତେନ୍ଦୁଲକର ଓ ମହେନ୍ଦ୍ର ସିଂ ଧୋନୀଙ୍କ ପରେ ବିରାଟ କୋହଲିଙ୍କ ମହମ ପ୍ରତିମୂର୍ତ୍ତିକୁ ମଧ୍ୟ ମ୍ୟୁଜିୟମରେ ସ୍ଥାନ ଦେବୁ ।

ଏମିତି ନିର୍ମାଣ ହୋଇଛି କିଙ୍ଗ କୋହଲିଙ୍କ ମହମ ମୂର୍ତ୍ତି: ବିରାଟ କୋହଲିଙ୍କ ମହମ ପ୍ରତିମୂର୍ତ୍ତିକୁ ମ୍ୟୁଜିୟମର ସଂସ୍ଥାପକ ଓ ନିର୍ଦ୍ଦେଶକ ଅନୁପ ଶ୍ରୀବାସ୍ତବଙ୍କ ତତ୍ତ୍ବାବଧାନରେ ଗଣେଶ ଓ ଲକ୍ଷ୍ମୀ କାରିଗର ଯୋଡ଼ି ପ୍ରାୟ ୨ ମାସ ପରିଶ୍ରମରେ ନିର୍ମାଣ କରିଛନ୍ତି । ମହମ ନିର୍ମିତ ବିରାଟଙ୍କ ଏହି ପ୍ରତିମୂର୍ତ୍ତିର ଓଜନ ପ୍ରାୟ ୩୫ କିଲୋଗ୍ରାମ ରହିଥିବାବେଳେ ଏହାର ଉଚ୍ଚତା ୫ ଫୁଟ ୯ ଇଞ୍ଚ ରହିଛି । ବିରାଟଙ୍କ ପ୍ରତିମୂର୍ତ୍ତିର ବେଶଭୂଷା ବଲିଉଡ୍‌ର ଡିଜାଇନର ବୋଧ ସିଂହ ପ୍ରସ୍ତୁତ କରିଛନ୍ତି । ମ୍ୟୁଜିୟମ ପ୍ରଶାସନ ଆଜି ଏହି ପ୍ରତିମୂର୍ତ୍ତିର ପ୍ରଥମ ଫଟୋ ଜାରି କରିଛି ।

ଏହା ମଧ୍ୟ ପଢ଼ନ୍ତୁ...IPLରେ 'ବିରାଟ' ରେକର୍ଡ, ପ୍ରଥମ ଭାରତୀୟ ଭାବେ ଫଟାଫଟ୍ କ୍ରିକେଟରେ 12 ହଜାର ରନ ପାର୍ - IPL 2024

ମ୍ୟୁଜିୟମରେ ରହିଛି ୪୪ ମହମ ମୂର୍ତ୍ତି: ମ୍ୟୁଜିୟମ ନିର୍ଦ୍ଦେଶକ ଅନୁପ ଶ୍ରୀବାସ୍ତବଙ୍କ କହିବା ଅନୁଯାୟୀ ପ୍ରତିମୂର୍ତ୍ତୀ ଚୟନ ବିଷୟରେ ଆମର ସର୍ବଦା ଏକ ସ୍ପଷ୍ଟ ନିଷ୍ପତ୍ତି ରହିଆସିଛି ଯେ ସେଲିବ୍ରିଟିଙ୍କ ଅପେକ୍ଷା ସେହି ମହାନ ବ୍ୟକ୍ତିତ୍ୱମାନଙ୍କ ପ୍ରତିମୂର୍ତ୍ତିକୁ ସଂଗ୍ରହାଳୟରେ ସ୍ଥାନ ଦିଆଯିବା ଉଚିତ, ଯେଉଁମାନେ ଆମର ଭବିଷ୍ୟତ ପିଢ଼ିକୁ ପ୍ରେରଣା ଦେଇପାରିବେ । ମ୍ୟୁଜିୟମରେ ଏବେ ପର୍ଯ୍ୟନ୍ତ ୪୪ ମହମ ମୂର୍ତ୍ତି ସ୍ଥାପନ ହୋଇସାରିଛି ।

ଜୟପୁର ୱାକ୍ସ ମ୍ୟୁଜିୟମ୍‌ର ବିଶେଷତ୍ବ: ଜୟପୁର ମହମ ସଂଗ୍ରହାଳୟ ହେଉଛି ପ୍ରଥମ ଏପରି ସଂଗ୍ରହାଳୟ ଯାହା ପ୍ରାୟ ୩୦୦ ବର୍ଷ ପୁରୁଣା ଦୁର୍ଗରେ ନିର୍ମିତ । ଆହୁରି ମଧ୍ୟ, ଏହା ଦୁନିଆର ଅନ୍ୟ ସଂଗ୍ରହାଳୟ ଠାରୁ ଭିନ୍ନ କାରଣ ଏଠାରେ ପ୍ରତ୍ୟେକ ମୂର୍ତ୍ତି ଏକ ସ୍ୱତନ୍ତ୍ର ନିର୍ମିତ ସେଟ୍‌ ସହିତ ସଂସ୍ଥାପିତ ହୋଇଛି । ଜୟପୁର ମହମ ସଂଗ୍ରହାଳୟର ଆଉ ଏକ ବିଶେଷତ୍ବ ହେଉଛି ଏଠାରେ ଜୟପୁର ରାଜପରିବାରର ମୂର୍ତ୍ତି ଗୁଡ଼ିକ ସୁନା କାମ ଖୋଦିତ ରାଜ ଦରବାରରେ ସ୍ଥାପିତ ହୋଇଛି । ଆହୁରି ମଧ୍ୟ, ୫୦ ଲକ୍ଷରୁ ଅଧିକ କାଚ ଖଣ୍ଡ ଏବଂ ଠିକିରି ଦ୍ବାରା ନିର୍ମିତ ଅନନ୍ୟ 'ଶିଷ୍‌ ମହଲ' ସଂଗ୍ରହାଳୟର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଖୁବଶୀଘ୍ର ଆଉ ଦୁଇଟି ଐତିହାସିକ ବ୍ୟକ୍ତିତ୍ବଙ୍କ ପ୍ରତିମୂର୍ତ୍ତି ରାଜ ଦରବାରରେ ସ୍ଥାପନ ହେବାକୁ ଯାଉଛି । ଜୟପୁର ମହମ ସଂଗ୍ରହାଳୟରେ ବିରାଟ କୋହଲିଙ୍କ ପ୍ରକୃତ ଆକାରର ପ୍ରତିମୂର୍ତ୍ତି ସ୍ଥାପନ କରାଯିବ । ବିରାଟଙ୍କ ଭାବମୂର୍ତ୍ତି ହେଉଛି କ୍ରିକେଟ ପଡ଼ିଆର ଜଣେ ଆକ୍ରାମକ କ୍ରିକେଟର, ତେଣୁ ପ୍ରତିମୂର୍ତ୍ତିର ପୋଜ୍‌ ପାଇଁ ମଧ୍ୟ ତାଙ୍କର ଆକ୍ରମଣାତ୍ମକ ଚିତ୍ରକୁ ଚୟନ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.