ETV Bharat / sports

ଭୂ-ସ୍ବର୍ଗରେ କ୍ରିକେଟ୍‌ର ଭଗବାନ, କାଶ୍ମୀରରେ ବ୍ୟାଟ କାରଖାନା ବୁଲିଲେ ସଚିନ

author img

By ETV Bharat Odisha Team

Published : Feb 17, 2024, 10:24 PM IST

କାଶ୍ମୀରରେ ବ୍ୟାଟ କାରଖାନା ବୁଲିଲେ ସଚିନ
କାଶ୍ମୀରରେ ବ୍ୟାଟ କାରଖାନା ବୁଲିଲେ ସଚିନ

Sachin Tendulkar Visits Kashmir: କାଶ୍ମୀର ଗସ୍ତରେ ମହାନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର । ଅବନ୍ତିପୁରାର ଚାରସୁରେ ସେ ଥିବା ବ୍ୟାଟ ତିଆରି କାରଖାନା ପରିଦର୍ଶନ କଲେ । ଅଧିକ ପଢ଼ନ୍ତୁ

ଶ୍ରୀନଗର (ଜମ୍ମୁ-କାଶ୍ମୀର): ମହାନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ଆଜି (ଶନିବାର) ଜମ୍ମୁ କାଶ୍ମୀର ଗସ୍ତ କରିଥିଲେ । ଏଠାରେ ଅବନ୍ତିପୁରାର ଚାରସୁରେ ସେ ଏକ ବ୍ୟାଟ ତିଆରି କାରଖାନା ପରିଦର୍ଶନ କରିଥିଲେ । ଏଠାରେ ସଚିନ ତିଆରି ହୋଇଥିବା ବ୍ୟାଟ ଗୁଡ଼ିକୁ ଦେଖିଥିଲେ ଏବଂ ବ୍ୟାଟ ତିଆରି କରୁଥିବା କାରିଗରଙ୍କ ସହ ମଧ୍ୟ ମିଶିଥିଲେ । ତେବେ ନିଜ ପତ୍ନୀ ଅଞ୍ଜଳି ତେନ୍ଦୁଲକର ଓ ଝିଅ ସାରା ତେନ୍ଦୁଲକରଙ୍କ ସହ ଜମ୍ମୁ କାଶ୍ମୀର ପହଞ୍ଚିଥିଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର । ସଚିନଙ୍କ ଏହି ସପରିବାର କାଶ୍ମୀର ଗସ୍ତର ଭିଡିଓ ସାମାଜିକ ଗଣମାଧ୍ୟମରେ ଖୁବ ଭାଇରାଲ ହେଉଛି ।

ତେବେ ଉତ୍କୃଷ୍ଟ କ୍ରିକେଟ ବ୍ୟାଟ ଉତ୍ପାଦନ ପାଇଁ କାଶ୍ମୀର ବେଶ ପ୍ରସିଦ୍ଧ । ଆଜି ମହାନ କ୍ରିକେଟରଙ୍କ ଗସ୍ତକୁ ଏଠାକାର ଲୋକେ ଏବଂ ବ୍ୟାଟ ତିଆରି କରୁଥିବା କାରିଗର ଖୋଲା ହୃଦୟରେ ସ୍ବାଗତ କରିଥିଲେ । ବ୍ୟାଟର ଉତ୍ପାଦନ ପ୍ରକ୍ରିୟା ଉପରେ ଜାଣିବାକୁ ସଚିନ ତେନ୍ଦୁଲକର ଆଗ୍ରହ ଦେଖାଇଥିଲେ ଏବଂ ବ୍ୟାଟ ତିଆରି କରୁଥିବା କାରିଗରମାନଙ୍କ ସହ ଆଲୋଚନା କରିଥିଲେ । ଏହା ସହିତ ସେ ବ୍ୟାଟ ତିଆରି କରୁଥିବା କାରିଗରମାନଙ୍କୁ ମଧ୍ୟ ବେଶ ପ୍ରଶଂସା କରିଥିଲେ । ଖେଳାଳିଙ୍କ ପାଇଁ ସଠିକ ବ୍ୟାଟର ଗୁରୁତ୍ବ ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଯେବେ ରାସ୍ତା ଉପରେ ତେନ୍ଦୁଲକରଙ୍କୁ ଭେଟିଲେ ସଚିନ !

ସଚିନ ଏହି ଗସ୍ତରେ ଦକ୍ଷିଣ କାଶ୍ମୀରସ୍ଥିତ ମାର୍ତଣ୍ଡ ମନ୍ଦିର ଯାଇ ନିଜ ପରିବାର ସହ ଆଶୀର୍ବାଦ ଲାଭ କରିଥିଲେ । ସେ ପାରା କ୍ରିକେଟର ଆମିର ହୁସେନ ଲୋନଙ୍କୁ ଭେଟିବାର ସମ୍ଭାବନା ରହିଛି । ହୁସେନ୍ ଜଣେ ଦକ୍ଷ ଆଥଲେଟ୍, ଯିଏ କ୍ରିକେଟ୍ ପ୍ରତି ତାଙ୍କର ଆଗ୍ରହକୁ ପ୍ରକାଶ କରିବା ପାଇଁ ଅନେକ ଚ୍ୟାଲେଞ୍ଜକୁ ଅତିକ୍ରମ କରିଛନ୍ତି । ଏକ ଦୁଃଖଦ ଦୁର୍ଘଟଣାରେ ସେ ହାତ ହରାଇଥିଲେ । ଏବେ ସେ ତାଙ୍କ ପାଦରେ ବୋଲିଂ କରୁଥିବାବେଳେ ବେକ ଏବଂ କାନ୍ଧ ମଧ୍ୟରେ ବ୍ୟାଟ୍‌ ରଖି ବେଶ ଦମଦାର ବ୍ୟାଟିଂ କରୁଛନ୍ତି । ହୁସେନ ସଚିନ୍‌ଙ୍କର ଜଣେ ବଡ଼ ପ୍ରଶଂସକ । ସଚିନ ହୁସେନଙ୍କ ପାଇଁ ଥରେ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ପୋଷ୍ଟ ମଧ୍ୟ କରିଥିଲେ । ତାଙ୍କ ସାହସକୁ ପ୍ରଶଂସା କରିବା ସହ ତାଙ୍କ ସହ ମିଶିବା ପାଇଁ ଆଗ୍ରହ ଦେଖାଇଥିଲେ ସଚିନ ।

ଏହା ମଧ୍ୟ ପଢ଼ନ୍ତୁ...ଏଇଠି ଅଛି ସଚିନ ରେଲୱେ ଷ୍ଟେସନ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.