ETV Bharat / sports

ରଣଜୀ ଟ୍ରଫି: ରୋଚକ ମୋଡ଼ରେ ବାରବାଟୀ ଫାଇଟ, ଚିନ୍ତା ବଢ଼ାଇଲେ ପୁଡୁଚେରୀ କ୍ୟାପ୍ଟେନ୍‌

author img

By ETV Bharat Odisha Team

Published : Feb 3, 2024, 8:37 PM IST

Odisha vs Puducherry Day 2: ଓଡ଼ିଶା ଓ ପୁଡୁଚେରୀ ମଧ୍ୟରେ ଚାଲିଥିବା ରଣଜୀ ମ୍ୟାଚ୍‌ର ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ୪ ୱିକେଟ୍‌ ହରାଇ ୧୨୭ ରନ କରିଛି ପୁଡୁଚେରୀ । ଓଡ଼ିଶା ଠାରୁ ଏବେ ବି ୧୯୫ ରନ ପଛରେ ରହିଛି ଭ୍ରମଣକାରୀ ଦଳ । ଖେଳ ଆଉ ୨ ଦିନ ବାକି ଥିବାବେଳେ ୭୭ ରନ ସଂଗ୍ରହ କରି ଅପରାଜିତ ଥିବା ପୁଡୁଚେରୀ ଅଧିନାୟକ ଅରୁଣ କାର୍ତ୍ତିକ ଓଡ଼ିଶାର ଚିନ୍ତା ବଢ଼ାଇଛନ୍ତି । ଅଧିକ ପଢ଼ନ୍ତୁ

ରୋଚକ ମୋଡ଼ରେ ବାରବାଟୀ ଫାଇଟ
ରୋଚକ ମୋଡ଼ରେ ବାରବାଟୀ ଫାଇଟ

ରୋଚକ ମୋଡ଼ରେ ବାରବାଟୀ ଫାଇଟ

କଟକ: ବାରବାଟୀରେ ଚାଲିଥିବା ରଣଜୀ ମୁକାବିଲା ଏବେ ରୋମାଞ୍ଚକର ମୋଡ଼ରେ । ଓଡିଶା ଓ ପୁଡୁଚେରୀ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍‌ର ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ୪ ୱିକେଟ୍‌ ହରାଇ ୧୨୭ ରନ କରିଛି ଭ୍ରମଣକାରୀ ଦଳ ପୁଡୁଚେରୀ । ଫଳରେ ଓଡ଼ିଶାଠାରୁ ଏବେ ୧୯୫ ରନ ପଛରେ ରହିଛି ପୁଡୁଚେରୀ । ତଥାପି ୭୭ ରନ ସଂଗ୍ରହ କରି ଅପରାଜିତ ଥିବା ପୁଡୁଚେରୀ ଅଧିନାୟକ ଅରୁଣ କାର୍ତ୍ତିକ ଓଡ଼ିଶାର ଚିନ୍ତା ବଢ଼ାଇଛନ୍ତି । ଏପଟେ ୧୦୦ ପ୍ରଥମ ଶ୍ରେଣୀ ୱିକେଟ୍‌ କ୍ଲବରେ ସାମିଲ ହୋଇଛନ୍ତି ଓଡ଼ିଆ ସ୍ପିଡ୍‌ଷ୍ଟାର ରାଜେଶ ମହାନ୍ତି । ମାତ୍ର ୨୪ ମ୍ୟାଚ୍‌ରୁ ୧୦୦ ପ୍ରଥମ ଶ୍ରେଣୀ ୱିକେଟ୍‌ ହାସଲ କରିବାର ସଫଳତା ଅର୍ଜନ କରିଛନ୍ତି ରାଜେଶ ।

ଓଡ଼ିଶା ପ୍ରଥମ ପାଳି: ବାରବାଟୀ ଷ୍ଟାଡିୟମରେ ଉଭୟ ଓଡ଼ିଶା ଓ ପୁଡୁଚେରୀ ଚଳିତ ରଣଜୀ ସିଜିନର ୫ମ ମ୍ୟାଚ୍‌ ଖେଳୁଛନ୍ତି । ଏହି ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଓଡ଼ିଶା । ପ୍ରଥମ ଦିନରେ ୪ ୱିକେଟ୍‌ ହରାଇ ୨୩୦ ରନ କରିଥିଲା ଓଡ଼ିଶା ଦଳ । ଦ୍ବିତୀୟ ଦିନରେ ଓଡ଼ିଶା କ୍ରମଗାତ ୱିକେଟ୍‌ ହରାଇ ଚିନ୍ତାରେ ପଡ଼ିଥିଲା । ବୀପ୍ଳବ ସାମନ୍ତରାୟ ଓ ଗୋବିନ୍ଦ ପୋଦାର ବ୍ୟକ୍ତିଗତ ୮୨ ଓ ୮୦ ରନ କରି ଆଉଟ ହେବା ପରେ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଏହାପରେ ଆଶୀର୍ବାଦ ସ୍ବାଇଁଙ୍କ ୪୦ ରନର ପାଳି ଓଡିଶାକୁ ଏକ ମଜଭୁତ ସ୍ଥିତିରେ ପହଞ୍ଚାଇଥିଲା । ପ୍ରଥମ ଇନିଂସ୍‌ ଶେଷ ସୁଦ୍ଧା ୩୨୨ ରନ କରି ଅଲ୍‌ଆଉଟ୍‌ ହୋଇଥିଲା ଓଡିଶା ।

ଏହା ମଧ୍ୟ ପଢ଼ନ୍ତୁ...ରାଜେଶଙ୍କ କମାଲ୍‌, ହାସଲ କଲେ ୧୦୦ତମ ପ୍ରଥମ ଶ୍ରେଣୀ ୱିକେଟ୍‌

ପୁଡୁଚେରୀ ପାଳି (Cont..): ଏହାପରେ ବ୍ୟାଟିଂ କରିବାକୁ ଆସି ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ନା କରିଥିଲା ଭ୍ରମଣକାରୀ ପୁଡୁଚେରୀ । ମାତ୍ର ୮ ରନରେ ୩ ୱିକେଟ ହରାଇ ସଙ୍କଟରେ ପଡିଥିଲା ଦଳ । ଓଡିଶା ପକ୍ଷରୁ ରାଜେଶ ମହାନ୍ତି ଓ ଦେବବ୍ରତ ପ୍ରଧାନଙ୍କ ସ୍ପେଲ୍‌ ଭ୍ରମଣକାରୀ ଦଳକୁ ଅଡ଼ୁଆରେ ପକାଇଥିଲା । ଏହାପରେ ଦଳକୁ କଠିନ ପରିସ୍ଥିତିରୁ ଉଦ୍ଧାର କରିଥିଲେ ପୁଡୁଚେରୀ ଅଧିନାୟକ ଅରୁଣ କାର୍ତ୍ତିକ । ସେ ଧୈର୍ଯ୍ୟର ସହ ବ୍ୟାଟିଂ କରି ବ୍ୟକ୍ତିଗତ ୭୭ ରନ ସଂଗ୍ରହ କରି ଅପରାଜିତ ରହିଛନ୍ତି । ଏହା ସହିତ ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ୪ ୱିକେଟ୍‌ ହରାଇ ୧୨୭ ରନ ସଂଗ୍ରହ କରିଛି ପୁଡୁଚେରୀ । ଭ୍ରମଣକାରୀ ଦଳ ହାତରେ ଆହୁରି ୬ ୱିକେଟ୍‌ ଥିବାବେଳେ ମ୍ୟାଚ୍‌ ଆଉ ଦୁଇ ଦିନ ରହିଛି । ଓଡିଶା ଏହି ମ୍ୟାଚ୍‌ରେ କମ୍‌ବ୍ୟାକ୍‌ କରି ବିଜୟ ମୁହାଁ ହେବ ବୋଲି ଆଶା ରଖିଛି ଓଡିଶା କ୍ରିକେଟ ସଂଘ ।

ଏହା ମଧ୍ୟ ପଢ଼ନ୍ତୁ...ବାରବାଟୀ ରଣଜୀ ଫାଇଟ: ଓଡିଶାକୁ ବିପର୍ଯ୍ୟୟରୁ ମୁକୁଳାଇଲେ ଗୋବିନ୍ଦ-ବୀପ୍ଳବ

୧୦୦ ପ୍ରଥମ ଶ୍ରେଣୀ ୱିକେଟ୍‌ କ୍ଲବରେ ରାଜେଶ: ବାରବାଟୀ ଷ୍ଟାଡିୟମରେ ଖେଳାଯାଉଥିବା ପୁଡୁଚେରୀ ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ ରେକର୍ଡ କରି ଶତକୀୟ ପ୍ରଥମ ଶ୍ରେଣୀ ୱିକେଟ୍‌ କ୍ଲବରେ ସାମିଲ ହୋଇଛନ୍ତି ଯୁବ ଓଡ଼ିଆ ପେସର ରାଜେଶ ମହାନ୍ତି । ମାତ୍ର ୨୪ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ଏହି ରେକର୍ଡର ଅଧିକାରୀ ହୋଇଛନ୍ତି ରାଜେଶ । ପୂର୍ବରୁ ଏହି ତାଲିକାରେ ୧୧ ଓଡ଼ିଆ ବୋଲର ରହିଥିଲାବେଳେ ଆଜି ରାଜେଶ ଏହି ତାଲିକାରେ ନିଜର ନାଁ ଲେଖିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.