ETV Bharat / politics

ଶଙ୍ଖ ଫୁଙ୍କିଲେ ଚିରଞ୍ଜୀବ ବିଶ୍ବାଳ, କହିଲେ କିଛି ସ୍ବାର୍ଥ ନେଇ ବିଜେଡିକୁ ଆସିନି - Chiranjib Biswal joins BJD

author img

By ETV Bharat Odisha Team

Published : Mar 31, 2024, 1:17 PM IST

Updated : Mar 31, 2024, 4:48 PM IST

Chiranjib Biswal joins BJD: ବିଜେଡିରେ ଯୋଗଦେଲେ ଚିରଞ୍ଜୀବ ବିଶ୍ୱାଳ । ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଅଧିକ ପଢନ୍ତୁ

ବିଜେଡିରେ ମିଶିଲେ ଚିରଞ୍ଜୀବ ବିଶ୍ୱାଳ
ବିଜେଡିରେ ମିଶିଲେ ଚିରଞ୍ଜୀବ ବିଶ୍ୱାଳ

ଶଙ୍ଖ ଫୁଙ୍କିଲେ ଚିରଞ୍ଜୀବ ବିଶ୍ବାଳ

ଭୁବନେଶ୍ବର: ଶଙ୍ଖ ଫୁଙ୍କିଲେ ଚିରଞ୍ଜୀବ । ପୂର୍ବତନ କଂଗ୍ରେସ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ଆଜି (ରବିବାର) ବିଜେଡିରେ ମିଶିଛନ୍ତି । ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ସେ ନିଜର ଶତାଧିକ ସମର୍ଥକଙ୍କ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି । ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିଲେ ଚିରଞ୍ଜୀବ । ତାଙ୍କ ସହିତ ବିଜେପିରୁ ଇସ୍ତଫା ଦେଇଥିବା ନୀଳଗିରି ବିଧାୟକ ସୁକାନ୍ତ ନାୟକ ମଧ୍ୟ ସମର୍ଥକଙ୍କ ସହିତ ଆଜି ବିଜେଡିରେ ଯୋଗ ଦେଇଛନ୍ତି ।

ବିଜେଡିରେ ମିଶିବା ପରେ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି ଚିରଞ୍ଜୀବ ବିଶ୍ୱାଳ । ସେ କହିଛନ୍ତି ଯେ, ବିଜୁ ଜନତା ଦଳରେ ସାମିଲ ହେବାର ସୁଯୋଗ ଦେଇଥିବାରୁ ମୁଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞ । କିଛି ସ୍ବାର୍ଥ ନେଇ ବିଜେଡିକୁ ଆସିନି । ନବୀନ ପଟ୍ଟନାୟକଙ୍କ ନେତୃତ୍ବ ଏବଂ ଚାଷୀ, ମହିଳା ଓ ଗରୀବଙ୍କ ପାଇଁ ତାଙ୍କର ୨୫ ବର୍ଷର ଜନାଭିମୁଖୀ କାର୍ଯ୍ୟକ୍ରମରେ ଆକୃଷ୍ଟ ହୋଇ ଦଳକୁ ଆସିଛି । ଦଳ ମୋତେ ଯାହା ଦାୟିତ୍ବ ଦେବ, ତାହା କରିବାକୁ ପ୍ରସ୍ତୁତ । ଚଳିତ ନିର୍ବାଚନରେ ୧୨୦ରୁ ଅଧିକ ବିଧାୟକ ଏବଂ ୧୫ରୁ ଅଧିକ ସାଂସଦଙ୍କୁ ଜିତାଇବା ଲକ୍ଷ୍ୟକୁ ଆମେ ପୂରଣ କରିବାରେ ସହଯୋଗ କରିବୁ ।

ଏହା ମଧ୍ୟ ପଢନ୍ତୁ: ହାତ ଛାଡ଼ିଲେ ଚିରଞ୍ଜୀବ ବିଶ୍ୱାଳ, ଫୁଙ୍କି ପାରନ୍ତି ଶଙ୍ଖ - Chiranjib Biswal Quits Congress

କହିରଖୁଛୁ କି, ଚିରଞ୍ଜୀବ ଜଗତସିଂହପୁର କଂଗ୍ରେସର ଜଣେ ଟାଣୁଆ ନେତା ଥିଲେ । ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ତିର୍ତ୍ତୋଲ ବିଧାୟକ ରହିଥିଲେ । ୨୦୧୪ ନିର୍ବାଚନ ସମୟରେ ଜଗତସିଂହପୁରରୁ ନିର୍ବାଚନ ଲଢି ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ବିଧାନସଭାରେ କଂଗ୍ରେସରୁ ଉପନେତା ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ଗତକାଲି (ଶନିବାର) ଚିରଞ୍ଜୀବ କଂଗ୍ରେସରୁ ଇସ୍ତଫା ଦେଇଥିବା ବେଳେ ଇସ୍ତଫା ପତ୍ରରେ ଏହାର କୌଣସି କାରଣ ଉଲ୍ଲେଖ କରିନଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଲୋକସଭା ଓ ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ଓଡ଼ିଶା ରାଜନୀତିରେ ଦଳ ଡିଆଁ ପର୍ବ ଜୋର୍ ଧରିଛି । ମାଳ ମାଳ ନେତା ଏ ଦଳର ସେ ଦଳକୁ ଡେଉଁଛନ୍ତି । ବିଶେଷକରି ଏଥର ନିର୍ବାଚନରେ ବିଜୁ ଜନତା ଦଳକୁ ବଡ଼ ଝଟକା ଲାଗିଛି । ଦଳର ବରିଷ୍ଠ ନେତା ତଥା ୬ ଥରର ସାଂସଦ ଭର୍ତ୍ତୃହରି ମହତାବ ହୁଅନ୍ତୁ କି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି, ଆକାଶ ଦାସ, ବିଜେଡିର ବଡ ବଡ ଚେହେରା ଦଳ ଛାଡି ବିଜେପିରେ ମିଶିଛନ୍ତି । ସେମିତି କିଛି କଂଗ୍ରେସ ଓ ବିଜେପି ନେତା ମଧ୍ୟ ବିଜେଡିକୁ ଡିଆଁ ମାରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

Last Updated :Mar 31, 2024, 4:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.