ETV Bharat / politics

ପ୍ରଚାରର ମଙ୍ଗ ଧରିଲେ ତାରକା ପ୍ରଚାରକ, ପଛରେ ରହିଛି କଂଗ୍ରେସ - Lok Sabha Election 2024

author img

By ETV Bharat Odisha Team

Published : May 9, 2024, 7:47 PM IST

Election Campaign in Subarnapur: ନିର୍ବାଚନ ପାଇଁ ସୁବର୍ଣ୍ଣପୁର ରାଜନୈତିକ ମୈଦାନରେ ପ୍ରଚାରର ମଙ୍ଗ ଧରିଛନ୍ତି ବିଜେଡ଼ି ଏବଂ ବିଜେପିର ଷ୍ଟାର ପ୍ରଚାରକ। ହେଲେ କଂଗ୍ରେସ ରହିଛି ପଛୁଆ । ଅଧିକ ପଢ଼ନ୍ତୁ,

Election Campaign in Subarnapur
Election Campaign in Subarnapur (ETV Bharat Odisha)

Election Campaign in Subarnapur (ETV Bharat Odisha)

ସୁବର୍ଣ୍ଣପୁର: ପାଖେଇ ଆସୁଛି ନିର୍ବାଚନ । ଆଉ ତିନି ଦିନ ପରେ ଓଡ଼ିଶାରେ ହେବାକୁ ଯାଉଛି ପ୍ରଥମ ପର୍ଯ୍ୟାୟ ମତଦାନ। ଯାହା ପାଇଁ ସରଗରମ ସୁବର୍ଣ୍ଣପୁର ରାଜନୀତି । ଚଳିତ ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକଙ୍କ ଗସ୍ତରେ ଚଳଚଞ୍ଚଳ ହୋଇଯାଇଛି ସୁବର୍ଣ୍ଣପୁର । ସଦର ମହକୁମାରୁ ଆରମ୍ଭ କରି ଗ୍ରାମାଞ୍ଚଳ ଯାଏଁ ଷ୍ଟାର ପ୍ରଚାରକମାନେ ନିଜ ନିଜ ରାଜନୈତିକ ଦଳ ସପକ୍ଷରେ ଜନସାଧାରଣ ମତଦାନ କରିବାକୁ ପ୍ରଚାରର ମଙ୍ଗ ଧରିଛନ୍ତି । ବିଶେଷକରି ବିଜେପି ଓ ବିଜେଡି ଜିଲ୍ଲାରେ ତାଙ୍କ ଷ୍ଟାର ପ୍ରଚାରକ ମାନଙ୍କୁ ଆଣି ନିର୍ବାଚନ ପ୍ରଚାରକୁ ଜୋରଦାର ରଖିଛନ୍ତି ।

ବିଜେପି ଦଳର ଷ୍ଟାର ପ୍ରଚାରକ ଭାବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାକୁ ଆସି ନିର୍ବାଚନ ପ୍ରଚାର କରିଛନ୍ତି ।ରାଜ୍ୟ ସରକାରଙ୍କ ବିଫଳତା ତଥା କେନ୍ଦ୍ର ସରକାରଙ୍କ ଜନହିତକର ଯୋଜନାର ସଫଳତାକୁ ନେଇ ନିଜ ଦଳର ଉଭୟ ବିଧାୟକ ପ୍ରାର୍ଥୀ ଓ ଲୋକସଭା ପ୍ରାର୍ଥୀଙ୍କୁ ମତଦାନ କରିବା ପାଇଁ ଜନସାଧାରଣଙ୍କୁ ଅନୁଗ୍ରହ କରିଛନ୍ତି ।ସେହିପରି ବିଜେଡି ଦଳ ପକ୍ଷରୁ ଷ୍ଟାର ପ୍ରଚାରକ ଭାବେ ଭିକେ ପାଣ୍ଡିଆନ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର କଇରାଝୁଲି ଓ ସୋନପୁର ସଦର ନିର୍ବାଚନ ମଣ୍ଡଳୀର ସିଆଲିକୁ ଆସି ବିଜେଡିର ଭୋଟ ପ୍ରଚାର କରିଛନ୍ତି ।ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛ ଓ ନିର୍ମଳ ଶାସନ ସାଙ୍ଗକୁ ରାଜ୍ୟ ସରକାରଙ୍କ ଜନହିତକାରୀ ଯୋଜନାର ସଫଳତା ପାଇଁ ଜନସାଧାରଣ ବିଜେଡିକୁ ମତଦାନ କରିବା ପାଇଁ ଜନସାଧାରଣଙ୍କୁ ଅନୁଗ୍ରହ କରିଛନ୍ତି ।ତେବେ ବିଜେପି ପକ୍ଷରୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଣି ସୁବର୍ଣ୍ଣପୁର ଜିଲ୍ଲାକୁ ନିର୍ବାଚନ ପ୍ରଚାର ପାଇଁ ଗସ୍ତ କରିବେ ବୋଲି ଜଣାପଡିଛି । ସେହିପରି ବିଜେଡି ପକ୍ଷରୁ କିଛି ଓଡିଆ ଚଳଚିତ୍ର ତାରକା ଜିଲ୍ଲାକୁ ଆସି ବିଜେଡିର ନିର୍ବାଚନ ପ୍ରଚାର କରିବେ ବୋଲି ଜଣାପଡିଛି ।

ଏହା ମଧ୍ୟ ପଡ଼ନ୍ତୁ.. ଦିଗପହଣ୍ଡି ମଇଦାନରେ ବିପ୍ଲବ; କହିଲେ ବାପା ଛାଡିଥିବା କାର୍ଯ୍ୟ ପୂରଣ କରିବି - BJD Campaign In Digapahandi

ଅନ୍ୟପଟେ ଷ୍ଟାର ପ୍ରଚାରରେ କଂଗ୍ରେସ ବେଶ ପଛୁଆ ରହିଥିବା ଦେଖିବାକୁ ମିଳିଛି ।ଏଯାଏଁ କଂଗ୍ରେସ ପକ୍ଷରୁ କୌଣସି ରାଜ୍ୟ ସ୍ତରୀୟ ଅବା କେନ୍ଦ୍ର ସ୍ତରୀୟ ନେତା ଜିଲ୍ଲାକୁ ନିର୍ବାଚନ ପ୍ରଚାରରେ ଆସି ନାହାନ୍ତି । ସେପଟେ ସୋନପୁର ସଦର ନିର୍ବାଚନ ମଣ୍ଡଳୀରେ ପାଞ୍ଚ ଥରର ବିଧାୟକ ତଥା ମନ୍ତ୍ରୀ ଥିବା ବିଜେଡି ଦଳର ନିରଞ୍ଜନ ପୂଜାରୀ ପ୍ରାର୍ଥୀ ହୋଇଥିବା ବେଳେ ବିପକ୍ଷରେ ବିଜେପିର ପ୍ରମୋଦ ମହାପାତ୍ର ଓ କଂଗ୍ରେସ ଦଳରୁ ପ୍ରିୟବ୍ରତ ସାହୁ ନିର୍ବାଚନ ମୈଦାନକୁ ଓଲ୍ଲାଇଛନ୍ତି । ସ୍ବାଧୀନ ଯୁବ ଚାଷୀ ତଥା କୋଶଲବାଦି ନେତ୍ରୀ ସୋନାଲି ବିଶି ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି ଆଲୋଚନା ହେଉଛି । ସେହିପରି ବୀରମହାରାଜପୁରରେ ବିଜୁ ପଟ୍ଟନାୟକ ତଥା ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳରେ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗରେ କ୍ୟାବିନେଟ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବା ପଦ୍ମନାଭ ବେହେରା ବିଜେଡି ଦଳର ପ୍ରାର୍ଥୀ ହୋଇଛନ୍ତି ।ତାଙ୍କ ବିପକ୍ଷରେ ବିଜେପିରୁ ରଘୁନାଥ ଜଗଦଲା ଓ କଂଗ୍ରେସରୁ ପ୍ରଦୀପ ସେଠୀ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ତେବେ ରାଜନୈତିକ ଦଳର ପ୍ରଚାର ପ୍ରସାର ଯାହା ହେଉ ନା କାହିଁକି ଜନସାଧାରଣ କେଉଁ ଦଳର ପ୍ରାର୍ଥୀଙ୍କୁ ମତଦାନ କରିବେ ତାହା ଆଗରୁ ମନସ୍ଥ କରିଥିବା ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.