ETV Bharat / politics

ବିଜେପି ମହା ମିଶ୍ରଣ ପର୍ବ: ପଦ୍ମ ଧରିଲେ ପ୍ରେମାନନ୍ଦ, ରାଜେନ୍ଦ୍ର ଏବଂ ନରେନ

author img

By ETV Bharat Odisha Team

Published : Mar 4, 2024, 1:21 PM IST

Updated : Mar 4, 2024, 4:44 PM IST

Several Leaders Join BJP: ବିଜେପିର ମହାମିଶ୍ରଣ ପର୍ବ । ଅନ୍ୟ ଦଳର ମୁଠା ଖାଲି ହେଉଥିବା ବେଳେ ଶକ୍ତ ହେଉଛି ବିଜେପି । ଆଜି ଅନ୍ୟଦଳର 3ଜଣ ହେବିଓ୍ବେଟ ନେତା ବିଜେପିରେ ସାମିଲ ହୋଇଛନ୍ତି । ଅଧିକ ପଢ଼ନ୍ତୁ

Several Leaders Joins BJP
Several Leaders Joins BJP

ବିଜେପି ମହା ମିଶ୍ରଣ ପର୍ବବିଜେପି ମହା ମିଶ୍ରଣ ପର୍ବ

ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ବଢୁଛି ରାଜ୍ୟ ବିଜେପିର ବଳ । ଅନ୍ୟ ଦଳ ଛାଡ଼ି ବିଜେପିରେ ସାମିଲ ହେଉଛନ୍ତି ହେବିଓ୍ବେଟ ନେତା । ଆଜି 3ଜଣ ଜଣ ବରିଷ୍ଠ ନେତା ବିଜେପିରେ ସାମିଲ ହୋଇଛନ୍ତି । ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ, ଧାମନଗରର ପୂର୍ବତନ ବିଜେଡି ବିଧାୟକ ରାଜେନ୍ଦ୍ର ଦାସ ଏବଂ ଭଦ୍ରକର ପୂର୍ବତନ କଂଗ୍ରେସ ବିଧାୟକ ନରେନ ପଲେଇ ଆଜି ପଦ୍ମ ଧରିଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦଳର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତରେ ଏହି ତିନିଜଣ ପଦ୍ମ ଦଳରେ ସାମିଲ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ବିଜେଡି ଛାଡ଼ିଲେ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ, ଜାତୀୟ ଦଳରେ ହୋଇପାରନ୍ତି ସାମିଲ

ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ: ସୂଚନାଯୋଗ୍ୟ ଯେ, ତେଲକୋଇ ବିଧାୟକ ତଥା ପୂର୍ବତନ ବିଜେଡି ନେତା ପ୍ରେମାନନ୍ଦ ନାୟକ, ଗତ ଅକ୍ଟୋବର ମାସରୁ ବିଜେଡି ସଭାପତି ଏବଂ ସଂଗଠନ ସମ୍ପାଦକଙ୍କୁୁ ଇ-ମେଲରେ ଇସ୍ତଫାପତ୍ର ପଠାଇଥିଲେ । ସେ ଗତ ବିଧାନସଭା ବଜେଟ ଅଧିବେଶନରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିବା ବେଳେ ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ପ୍ରେମାନନ୍ଦ ଅକ୍ଟୋବର ୧୨ ତାରିଖରେ ବିଜେଡିରୁ ଇସ୍ତଫା ଦେଇଥିଲେ । ୨୦୦୯ରେ ପ୍ରଥମଥର ପାଇଁ ତେଲକୋଇରୁ ବିଜେଡି ଟିକେଟରେ ବିଧାୟକ ଭାବେ ବିଜୟୀ ହୋଇଥିଲେ । ସେହିପରି ୨୦୧୯ରେ ଦ୍ଵିତୀୟ ଥର ଭାବେ ତେଲକୋଇ ବିଧାୟକ ଭାବେ ନିର୍ବାଚିତ ହେବା ପରେ ନବୀନଙ୍କ ମନ୍ତ୍ରିମଣ୍ଡଳରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାର ମନ୍ତ୍ରୀ ଥିଲେ । ଗୋଷ୍ଠୀ କନ୍ଦଳ ପାଇଁ ବିଜେଡି ଛାଡିଥିବା କହିଥିଲେ ପ୍ରେମାନନ୍ଦ ।

ଏହା ମଧ୍ୟ ପଢନ୍ତୁ: ବିଜେଡିରୁ ବିଦା ହେଲେ ରାଜେନ୍ଦ୍ର ଦାସ

ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ: ବିଜେପିରେ ମିଶିଲେ ଧାମନଗରର ପୂର୍ବତନ ବିଜେଡି ବିଧାୟକ ରାଜେନ୍ଦ୍ର ଦାସ । ଏହାପୂର୍ବରୁ ବିଜେଡି ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ରାଜୁ । ତେବେ ଧାମନଗର ଉପ-ନିର୍ବାଚନରେ ଟିକେଟ ନ ମିଳିବାରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ପରାଜିତ ହୋଇଥିଲେ । ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବହିଷ୍କୃତ ହୋଇଥିଲେ ରାଜୁ ଦାସ । ୨୦୦୯ରେ ବିଜେଡି ଟିକେଟରୁ ବିଧାୟକ ହୋଇଥିବା ରାଜେନ୍ଦ୍ର ଦାସଙ୍କୁ ୨୦୧୪ରେ ଟିକେଟ ଦେଇନଥିଲା ଦଳ । ତେବେ ୨୦୧୯ରେ ପୁଣିଥରେ ଟିକେଟ ପାଇଥିଲେ ମଧ୍ୟ ସେତେବେଳର ବିଜେପି ପ୍ରାର୍ଥୀ ବିଷ୍ଣୁ ସେଠୀଙ୍କଠାରୁ ପରାଜିତ ହୋଇଥିଲେ ରାଜେନ୍ଦ୍ର । ପରେ ବିଷ୍ଣୁଙ୍କ ଦେହାନ୍ତ ପରେ ହୋଇଥିବା ଉପ-ନିର୍ବାଚନରେ ବିଜେଡି ଟିକେଟ ନପାଇ ନିରାଶ ହୋଇ ସ୍ୱାଧୀନ ପ୍ରାର୍ଥୀ ଭାବେ ରାଜେନ୍ଦ୍ର ମୈଦାନକୁ ଓହ୍ଲାଇଥିଲେ ମଧ୍ୟ ପରାଜିତ ହୋଇଥିଲେ । ଆଜି ସେ ବିଜେପିରେ ଯୋଗ ଦେଇଛନ୍ତି ।

ଭଦ୍ରକର ପୂର୍ବତନ ବିଧାୟକ ନରେନ ପଲେଇ: କଂଗ୍ରେସ ଛାଡ଼ିବା ପରେ ଆଜି ବିଜେପିରେ ମିଶିଲେ ଭଦ୍ରକର ପୂର୍ବତନ ବିଧାୟକ ନରେନ ପଲେଇ। ବ୍ୟକ୍ତିଗତ କାରଣ ଦର୍ଶାଇ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ । ନରେନ ପଲେଇ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ କଂଗ୍ରେସ ଟିକେଟରେ ଭଦ୍ରକ ବିଧାୟକ ନିର୍ବାଚିତ ହୋଇଥିଲେ । ଗତ ନିର୍ବାଚନରେ କଂଗ୍ରେସ ଟିକେଟ ପାଇଁ ଆଶାୟୀ ଥିଲେ ନରେନ ।

ତେବେ ଏନେଇ ବିଜେପି ରାଜ୍ଯ ସଭାପତି କହିଛନ୍ତି, " ଓଡ଼ିଶାରେ ବିଜେପି ଆହୁରି ଶକ୍ତିଶାଳୀ ହେବ । ଆଗାମୀ ନିର୍ବାଚନରେ ସାଧାରଣ ଲୋକ ନେତୃତ୍ଵ ନେବେ । ବିଜେପିକୁ ସାଧାରଣ ଲୋକ କ୍ଷମତାକୁ ଆଣିବେ । ଓଡ଼ିଶାରେ ଜମାରୁ ଶାସନ ବ୍ୟବସ୍ଥା ନାହିଁ । ବିଜେପି ଓଡ଼ିଶାରେ ଯେଉଁ ସରକାର କରିବେ, ରାଜ୍ୟବାସୀ ଦେଖିବେ ଶାସନ ବ୍ୟବସ୍ଥା । ବିଜେପି ସରକାରକୁ ଆସିଲେ ୩୧୦୦ ଟଙ୍କା ଧାନ କ୍ୱିଣ୍ଟାଲ ପିଛା ଦିଆଯିବ । ଚିଟଫଣ୍ଡ ଟଙ୍କା ଫେରାଇବକୁ । ବିଜେଡି ସରକାର ଆତବ୍ୟସ୍ତ ହୋଇ ଗଲାଣି । ବିଜେପିର ମିଶ୍ରଣପର୍ବ ଓଡ଼ିଶା ରଜନୀତିର ଟର୍ଣ୍ଣିଂ ପଏଣ୍ଟ୍ ହେବ । ତୃତୀୟ ଥର କେନ୍ଦ୍ରରେ ବିଜେପି ସରକାର କରିବ । ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେବ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated :Mar 4, 2024, 4:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.