ETV Bharat / politics

ବିଜେପିର ବଡ଼ ମିଶ୍ରଣ ପର୍ବ, ଶଙ୍ଖ ଛାଡ଼ି ପଦ୍ମ ଧରିଲେ ଅରବିନ୍ଦ ଢାଲିଙ୍କ ସମେତ ବହୁ ହେଭିୱେଟ୍‌

author img

By ETV Bharat Odisha Team

Published : Mar 3, 2024, 4:38 PM IST

Updated : Mar 3, 2024, 5:28 PM IST

Several BJD Leaders Joins BJP: ରାଜ୍ୟ ବିଜେପିର ବଡ଼ ମିଶ୍ରଣ ପର୍ବ । ନିର୍ବାଚନ ପୂର୍ବରୁ ଶକ୍ତିଶାଳି ହେଉଛି ବିଜେପି । ଗତକାଲି ବିଜେଡିରୁ ଇସ୍ତଫା ଦେଇଥିବା ଜୟଦେବ ବିଧାୟକ ଅରବିନ୍ଦ ଢାଲିଙ୍କ ସମେତ ବହୁ ବିଜେଡି ହେଭିୱେଟ୍‌ ଆଜି ବିଜେପିରେ ମିଶିଛନ୍ତି । ଅଧିକ ପଢ଼ନ୍ତୁ

ବିଜେପିର ବଡ଼ ମିଶ୍ରଣ ପର୍ବ
ବିଜେପିର ବଡ଼ ମିଶ୍ରଣ ପର୍ବ

ବିଜେପିର ବଡ଼ ମିଶ୍ରଣ ପର୍ବ

ଭୁବନେଶ୍ବର: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବଡ଼ ମିଶ୍ରଣ ପର୍ବ । ବିଜେଡି ଛାଡି ବିଜେପିରେ ମିଶିଲେ ବହୁ ହେଭିୱେଟ୍‌ ନେତା । ଜୟଦେବ ବିଧାୟକ ଅରବିନ୍ଦ ଢାଲି ଆଜି ବିଜେପିରେ ସାମିଲ ହୋଇଛନ୍ତି । ଗତକାଲି ବିଜେଡିରୁ ଇସ୍ତଫା ଦେବା ପରେ ଆଜି ସେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପଦ୍ମ ଧରିଛନ୍ତି । ତାଙ୍କ ସମେତ ମାଲକାନଗିରିର ପୂର୍ବତନ ବିଜେଡି ବିଧାୟକ ମୁକୁନ୍ଦ ସୋଡି ମଧ୍ୟ ଆଜି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଗଞ୍ଜାମ ଦିଗପହଣ୍ଡିର ଚର୍ଚ୍ଚିତ ନେତା ବିପିନ ପ୍ରଧାନ ଓ ଖଣ୍ଡପଡ଼ାର ଦୁଷ୍ମନ୍ତ କୁମାର ପାଣି ମଧ୍ୟ ଆଜି ଶଙ୍ଖ ଛାଡ଼ି ପଦ୍ମ ଧରିଛନ୍ତି ।

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର, ସହପ୍ରଭାରୀ ଲତା ଉସେଣ୍ଡିଙ୍କ ଉପସ୍ଥିତିରେ ବିଜେପିରେ ଶାସକ ବିଜେଡି ଛାଡ଼ିଥିବା ହେଭିୱେଟ୍‌ ନେତାମାନେ ସାମିଲ ହେଇଛନ୍ତି । ତେବେ ଗତକାଲି ବିଜେଡିର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଥିଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି । ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ସେ ତାଙ୍କର ଇସ୍ତଫା ପତ୍ର ପଠାଇଥିଲେ । ଏହାର ଗୋଟିଏ ଦିନ ପରେ ଆଜି ସେ ବିଜେପିରେ ସାମିଲ ହେଇଛନ୍ତି । ତେବେ ଅରବିନ୍ଦ ବିଜେପିକୁ ଫେରିବା ତାଙ୍କର ଘରବାହୁଡା ବୋଲି କୁହାଯାଇପାରେ । ସେହିପରି ମାଲକାନଗିରିର ପୂର୍ବତନ ବିଜେଡି ବିଧାୟକ ମୁକୁନ୍ଦ ସୋଡି ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିଲେ । ୨୦୦୯ ମସିହାରେ ବିଜେଡି ଟିକେଟରୁ ଲଢ଼ି ମାଲକାନଗିରି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ମୁକୁନ୍ଦ । ମାଲକାନଗିରି ରାଜନୀତିରେ ଜଣେ ଚର୍ଚ୍ଚିତ ଚେହେରା ମୁକୁନ୍ଦ ହଠାତ ଦଳରୁ ଇସ୍ତଫା ଦେବା ବିଜେଡିକୁ ବଡ଼ ଝଟ୍‌କା ବୋଲି କୁହାଯାଉଛି । ସେ ଆଜି ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି । ଅନୁରୂପ ଭାବେ ଗଞ୍ଜାମ ଦିଗପହଣ୍ଡିର ଚର୍ଚ୍ଚିତ ବିଜେଡି ନେତା ବିପିନ ପ୍ରଧାନ ଓ ଖଣ୍ଡପଡ଼ାର ଦୁଷ୍ମନ୍ତ କୁମାର ପାଣି ମଧ୍ୟ ଆଜି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ପ୍ରଶାନ୍ତ ଜଗଦ୍ଦେବଙ୍କ ଟାର୍ଗେଟ, ବିଜେଡି ଶୀଘ୍ର ବିଜେପିକୁ ଟ୍ରାନ୍ସଫର୍ମ ହେବ

ପଦ୍ମ ଶିବିରରେ ସାମିଲ ହେଉ ହେଉ ବିଜେଡି ବିରୋଧରେ ଅସନ୍ତୋଷ ଝାଡ଼ିଛନ୍ତି ବିଧାୟକ ଅରବିନ୍ଦ ଢାଲି । ଏହାସହ ସିଧାସଳଖ ସେ ବିଜେଡି ସରକାରକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, "ବର୍ତ୍ତମାନର ଶାସନ ଓଡ଼ିଶା ପାଇଁ ଉପଯୁକ୍ତ ନୁହେଁ । ବିଜେଡିରେ ନେତାମାନେ ରୁନ୍ଧି ହୋଇଗଲେଣି । ୧୫ ବର୍ଷ ଦଳରେ ରହିଲି ହେଲେ ଆତ୍ମସନ୍ତୋଷ ମିଳିଲା ନାହିଁ । ସେହି ଦଳରେ ବରିଷ୍ଠଙ୍କୁ ସମ୍ମାନ ନାହିଁ । ଏବେ ମଙ୍ଗ ଧରିଥିବା ଯୁବକମାନେ ବୁଝୁନାହାନ୍ତି 'Old Is Gold' । ସେଠି 'Old Iron' ହୋଇ ଯାଇଛି । ମୁଁ ବିଧାୟକ ଥାଇ ବି ଆଉ ୩ ଜଣଙ୍କୁ ପ୍ରୋଜେକ୍ଟ କରାଯାଉଛି । ମୋ ବିରୋଧରେ ସମାନ୍ତରାଳ ସଂଗଠନ କରି କିଳା ଖଞ୍ଜି ଦେଲେ । ବିଗତ ୫ ବର୍ଷରେ ଓଡ଼ିଶାରେ ଶାସନ, ବିଧାୟକ, ନେତା, ମନ୍ତ୍ରୀ ଅଛନ୍ତି ବୋଲି ଜଣା ପଡିଲା ନାହିଁ । କଷ୍ଟ ଦାୟକ ଶାସନ ଚାଲିଛି । ଓଡ଼ିଶାରେ ସ୍ବାଧିନତା ନାହିଁ, ଗଣତନ୍ତ୍ର ନାହିଁ । ବିଜେଡିରେ ମାନ, ସମ୍ମାନ, ସ୍ବାଭିମାନ ନାହିଁ । ଏବେ ଭୋଟରଙ୍କୁ ପ୍ରଲୋଭିତ କରିବାକୁ ଛଳନା କରାଯାଉଛି । କିନ୍ତୁ ଭୋଟର ସଚେତନ, ସେମାନେ ଉପଯୁକ୍ତ ଜବାବ୍ ଦେବେ । ମୁଁ ଯେଉଁଠି ରହିପାରିଲିନି, ସେଠି କେହି ରହିପାରିବେନି ।"

ପ୍ରକାଶଯୋଗ୍ୟ, ନିର୍ବାଚନ ପୂର୍ବରୁ ରାଜ୍ୟରେ ଜୋର ଧରିଥିବା ଦଳ ଡିଆଁ ରାଜନୀତିରେ ଫାଇଦାରେ ରହିଛି ବିରୋଧୀ ବିଜେପି । କାରଣ ଏହାରି ଭିତରେ ଏକାଧିକ ବିଧାୟକଙ୍କ ସମେତ ବହୁ ବରିଷ୍ଠ ନେତା ଏବେ ବିଜେଡି ଛାଡ଼ି ବିଜେପି ଶିବିର ମୁହାଁ ହେଉଛନ୍ତି । ସେହିଭଳି ଆସନ୍ତାକାଲି ମଧ୍ୟ ପୂର୍ବତନ ମନ୍ତ୍ରୀ ତଥା ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ବିଜେପିରେ ସାମିଲ ହେବାନେଇ ଚର୍ଚ୍ଚା ହେଉଛି । ରାଜ୍ୟ କାର୍ଯ୍ୟାଳୟରେ ସେ ବିଜେପିରେ ସାମିଲ ହେବେ । କିଛିଦିନ ପୂର୍ବରୁ ସେ ବିଜେଡିରୁ ଇସ୍ତଫା ଦେଇଥିଲେ । ତାଙ୍କ ସହ ଧାମନଗର ପୂର୍ବତନ ବିଧାୟକ ରାଜୁ ଦାସ ମଧ୍ୟ ସାମିଲ ହେବେ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 3, 2024, 5:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.