ETV Bharat / politics

ନିର୍ବାଚନୀ ମୈଦାନରେ ରଗବି ଖେଳାଳୀ କାଶୀନାଥ, ସୋରରୁ ହୋଇଛନ୍ତି ସ୍ବାଧୀନ ପ୍ରାର୍ଥୀ - Rugby player As MLA Candidate

author img

By ETV Bharat Odisha Team

Published : May 16, 2024, 10:18 PM IST

Rugby player As MLA Candidate: ସୋର ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଘମାଘୋଟ ଭିତରେ ସ୍ବାଧୀନ ପ୍ରାର୍ଥୀ ଭାବେ ଛିଡା ହୋଇଛନ୍ତି କାଶୀନାଥ ଦାସ । ଜଣେ ରଗବି ଖେଳାଳୀ ଓ କୋଚ ଭାବେ ସୁପରିଚିତ କାଶୀନାଥ ଜନତାଙ୍କ ଆଶୀର୍ବାଦ ଲୋଡିଛନ୍ତି । ଅଧିକ ପଢନ୍ତୁ

Rugby player As MLA Candidate
Rugby player As MLA Candidate (ETV Bharat)

Rugby player As MLA Candidate (ETV Bharat Odisha)

ବାଲେଶ୍ବର: ସାଧାରଣତଃ ଖେଳାଳୀ ଓ ମୈଦାନ ଦୁହେଁ ପରସ୍ପର ଅଙ୍ଗାଙ୍ଗୀ ଭାବେ ଜଡିତ । ସେହି କ୍ରମରେ ଚାଲିଥିବା ନିର୍ବାଚନୀ ମୈଦାନରେ ଓହ୍ଲାଇଛନ୍ତି ଜଣେ ରଗବି ଖେଳାଳି । ସୋର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସ୍ବାଧୀନ ଭାବେ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି କାଶୀନାଥ ଦାସ । କାଶୀନାଥ ଜଣେ ଜାତୀୟ ସ୍ତରର ରଗବି ଏବଂ କିକ ବକ୍ସିଙ୍ଗ ଖେଳାଳି ହୋଇଥିବା ବେଳେ ଚଳିତ ନିର୍ବାଚନ ପରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଏବଂ ଯାଞ୍ଚ ପ୍ରକ୍ରିୟା ପରେ ତାଙ୍କର ନାମାଙ୍କନ କାୟମ ରହିଛି ।

ବାହାନଗା ବ୍ଲକ ନୂଆପୁର ପଞ୍ଚାୟତ ପିଞ୍ଛାପାଳ ଗ୍ରାମର କାଶୀନାଥ 1996 ମସିହାରୁ ଖେଳ ପାଇଁ ସମୟ ଦେଉଥିଲେ । ଖେଳ ପ୍ରତି ତାଙ୍କର ଏତେ ଆଗ୍ରହ ଥିଲା ଯେ ସେ ଭୁବନେଶ୍ବରର ଫୁଟପାଥରେ ବସି ଖବର କାଗଜ ବିକ୍ରି କରି ଯାହା ଦୁଇ ପଇସା ରୋଜଗାର କରୁଥିଲେ ସେଥିରେ କାଶୀନାଥ ଖେଳ ସାମଗ୍ରୀ କିଣୁଥିଲେ । ଧୀରେ ଧୀରେ ତାଙ୍କ ପ୍ରତିଭାର ବିକାଶ ହୋଇଥିଲା । ସେ ଜାତୀୟ ସ୍ତରରେ 50ରୁ ଊର୍ଦ୍ଧ୍ଵ ସ୍ଥାନରେ ଖେଳି ରଗବି ଏବଂ କିକ ବକ୍ସିଙ୍ଗରେ ପାଞ୍ଚଟି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ସରକାରୀ ସ୍ତରରେ ସେତେବେଳେ ତାଙ୍କୁ କୌଣସି ପ୍ରୋତ୍ସାହନ ମିଳି ନଥିବା କାଶୀନାଥ ଅଭିଯୋଗ କରିଛନ୍ତି ।

କେବଳ ହୋମଗାର୍ଡ ଚାକିରି ଖଣ୍ଡିଏ ମିଳିଥିଲା ଯାହାକି ପେଟ ପୋଷିବା ପାଇଁ ସମ୍ଭବ ନ ହେବାରୁ କାଶୀନାଥ ସେ ଚାକିରି ଛାଡ଼ି ଦେଇଥିଲେ । ଏହାପରେ ସେ 2006 ମସିହାରେ ନିଜ ଅଞ୍ଚଳର ପିଲାମାନଙ୍କୁ ରଗବି ଖେଳ ବିଷୟରେ ତାଲିମ ପ୍ରଦାନ ପାଇଁ ମନସ୍ଥ କରିଥିଲେ । ଭୁବନେଶ୍ବରରେ ଆଜିବି ଫୁଟପାଥରେ ତାଙ୍କର ଏକ ଲୁଗା ଦୋକାନ ରହିଛି । ସପ୍ତାହରେ ଗୋଟିଏ ଦିନ ସେ ବାହାନଗା ଆସି ପିଲାମାନଙ୍କୁ ତାଲିମ ପ୍ରଦାନ କରିଥାନ୍ତି । ଏ ଯାଏଁ କାଶୀନାଥ 10 ହଜାରରୁ ଊର୍ଦ୍ଧ୍ଵ ପିଲାଙ୍କୁ ତାଲିମ ପ୍ରଦାନ ସହ ବିଭିନ୍ନ ସ୍ଥାନରେ ଖେଳରେ ଭାଗନେଇ ପଦକ ହାତେଇ ସାରିଛନ୍ତି । ସବୁଠୁ ବଡ଼ କଥା ହେଲା କାଶୀନାଥ ଯେଉଁ ପିଲାମାନଙ୍କୁ ତାଲିମ ପ୍ରଦାନ କରୁଛନ୍ତି ସେମାନଙ୍କ ପାଖରୁ କୌଣସି ପାଉଣା ନିଅନ୍ତି ନାହିଁ । ବରଂ ଗରିବ ପିଲାମାନଙ୍କୁ ଜୋତା, ଜର୍ସି ଆଦି ନିଜ ଖର୍ଚ୍ଚରେ ପ୍ରଦାନ କରିଥାନ୍ତି ।

ଏହା ମଧ୍ୟ ପଢନ୍ତୁ ...ନିର୍ବାଚନୀ ମୈଦାନରେ ଆଇନଜୀବୀ ବ୍ୟୋମକେଶ, 'ପୁରୁଷଙ୍କ ଅଧିକାର'କୁ କରିଛନ୍ତି ମୁଦ୍ଦା - Byomkesh Tripathy File Nomination

ସେ କଂଗ୍ରେସ ଦଳ ତରଫରୁ ଗତ ପଞ୍ଚାୟତ ନିର୍ବାଚନ ବେଳେ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ । ଖୁବ କମ ସମୟ ମଧ୍ୟରେ ସେତେବେଳେ କାଶୀନାଥ 8 ହଜାରରୁ ଅଧିକ ଭୋଟ ପାଇଥିଲେ । ନିଜର ଆର୍ଥିକ ସ୍ଥିତି ସୁଦୃଢ଼ ନ ଥିବାରୁ କଂଗ୍ରେସ ଦଳ ତାଙ୍କୁ ଦଳୀୟ ପ୍ରାର୍ଥୀ କରି ନଥିବା ସେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, ସେ ଜଣେ ସ୍ବାଭିମାନୀ । ଜୀବନ ବ୍ୟାପୀ ସଂଗ୍ରାମ ସଂଘର୍ଷ କରି କରି ଆଜି ସେ ଏତେ ବାଟ ଆସିଛନ୍ତି । ନିର୍ବାଚନୀ ମୁଦ୍ଦା ଭାବେ ସେ ଯୁବପିଢିର ସଶକ୍ତୀକରଣ କରିବାକୁ ଚାହାଁନ୍ତି । ଏହା ସହ ମହିଳାଙ୍କ ପ୍ରତି ହେଉଥିବା ଅବହେଳା ଓ ଅତ୍ୟାଚାରକୁ ରୋକିବା ତାଙ୍କ ଅନ୍ୟତମ ଲକ୍ଷ୍ୟ ବୋଲି କହିଛନ୍ତି । ଅଳ୍ପ ସମୟ ମଧ୍ୟରେ ତାଙ୍କୁ ମିଳିଥିବା ସମର୍ଥନ ଓ ଭଲ ପାଇବାକୁ ପାଥେୟ କରି ସେ ଏଥର ୮୦ ହଜାରରୁ ଊର୍ଦ୍ଧ୍ବ ଭୋଟ ପାଇବେ ବୋଲି ଆଶା କରିଛନ୍ତି ।

ସେଭଳି ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ତାଙ୍କର ନିର୍ବାଚନୀ ପ୍ରଚାରରେ ସହାୟକ ହେବ ବୋଲି କହିଛନ୍ତି କାଶୀନାଥ । କଳୁଷିତ ରାଜନୀତି ଏବଂ ରଗବି ଖେଳକୁ ଆହୁରି ଆଗକୁ ନେବାପାଇଁ ସେ ପ୍ରତ୍ୟକ୍ଷ ରାଜନୀତିରେ ଭାଗ ନେଇଥିବା କଥା କହିଛନ୍ତି । ସରକାରୀ ସ୍ତରରେ ତାଙ୍କୁ କୌଣସି ପ୍ରୋତ୍ସାହନ ନ ମିଳିଥିବାରୁ ସେ ଏହି ଖେଳ ଏବଂ ଖେଳାଳିଙ୍କ ପାଇଁ କିଛି କରିବାକୁ ମନରେ ଆଶା ବାନ୍ଧିଛନ୍ତି । ଭୋଟରମାନେ ତାଙ୍କ ଭଳି ନେତା ବାଛିବା ପାଇଁ ମନସ୍ଥ କରିବା କଥା ସେ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.