ETV Bharat / politics

ଆମ୍ବପୁଆରେ ନଡ୍ଡାଙ୍କ ଆହ୍ବାନ: ଓଡିଶାର ବିକାଶ ପାଇଁ ପଦ୍ମ ଫୁଟାନ୍ତୁ - Nadda Address Public Meeting

author img

By ETV Bharat Odisha Team

Published : Apr 28, 2024, 8:17 PM IST

Updated : Apr 28, 2024, 9:14 PM IST

JP Nadda Addresses Public Meeting: ଆମ୍ବପୁଆରେ ଉଦବୋଧନ ଦେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । 'ଜୟ ଜଗନ୍ନାଥ'ରୁ ଅଭିଭାଷଣ ଆରମ୍ଭ କରି ଜନତାଙ୍କୁ ସମ୍ବୋଧନ କରିଛନ୍ତି ନଡ୍ଡା । ବିଜେପିକୁ ଜିତାଇବାକୁ ଆହ୍ବାନ କରିବା ସହ ମୋଦି ସରକାରଙ୍କ ସଫଳତା ଗାନ କଲେ । ଅଧିକ ପଢନ୍ତୁ

JP Nadda
JP Nadda

JP Nadda

ବ୍ରହ୍ମପୁର: ପାଖଉଛି ନିର୍ବାଚନ । ଶାହଙ୍କ ପରେ ଓଡିଶାରେ ପ୍ରଚାର କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଆମ୍ବପୁଆରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଉଦବୋଧନ ଦେଇଛନ୍ତି । ସେ 'ଜୟ ଜଗନ୍ନାଥ'ରୁ ଆରମ୍ଭ କରିଛନ୍ତି ଉଦବୋଧନ । ମଧୁବାବୁଙ୍କ ଜନ୍ମ ଜୟନ୍ତୀରେ ତାଙ୍କୁ ପ୍ରଣାମ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇ ଆଶୀର୍ବାଦ ଲୋଡିଛନ୍ତି ନଡ୍ଡା । ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ମଧୁବାବୁଙ୍କର ଥିବା ଅବଦାନକୁ ସେ ସ୍ମରଣ କରିଛନ୍ତି। ଏହାସହ କୃଷ୍ଣଚନ୍ଦ୍ର ଗଜପତିଙ୍କୁ ମଧ୍ୟ ସ୍ମରଣ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀ ନିକଟରେ ଯାଇଥିବାବେଳେ ତାଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ନଡ୍ଡା । ସେ କହିଛନ୍ତି, "ଏହା ଏକ ନିର୍ବାଚନୀ ସଭା । ଏହି ସଭାରେ ମୁଁ ଯେଉଁ ଉତ୍ସାହ, ଆନନ୍ଦ ଦେଖୁଛି ଓ ତାଳିର ଶବ୍ଦ ଶୁଣୁଛି ସେଥିପାଇଁ ମୋତେ ଆଶ୍ବସ୍ତି ଅନୁଭବ ହେଉଛି । ଏଥିରୁ ସ୍ପଷ୍ଟ ହେଉଛି ଯେ, ଆପଣମାନେ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଓ ସମସ୍ତ ୫ ବିଧାୟକ ପ୍ରାର୍ଥୀଙ୍କୁ ଆପଣମାନେ ନିର୍ବାଚନ ଜିତାଇବାର ମନ ବଳାଇସାରିଛନ୍ତି । ସେଥିପାଇଁ ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ ।"

ଓଡିଶାରେ ଫୁଟାନ୍ତୁ ପଦ୍ମ: କେନ୍ଦ୍ରର ମୋଦି ସରକାର କରୁଥିବା ବିକାଶ ସମ୍ପର୍କରେ ବଖାଣିଛନ୍ତି ନଡ୍ଡା । ସେ କହିଛନ୍ତି, "ମୋଦି ସରକାର ଯେଉଁ ବିକାଶ ଦିଲ୍ଲୀରେ କରିଛନ୍ତି ତାହାକୁ ସଠିକ ଭାବେ ରୂପାନ୍ତର କରିବାକୁ ଏଠାରେ ମଧ୍ୟ ପଦ୍ମ ଫୁଟାଇବାକୁ ପଡ଼ିବ । ଆଉ ଭାରତୀୟ ଜନତା ପାର୍ଟିର ସରକାର ଆଣିବାକୁ ପଡ଼ିବ । ମୋଦି ରାଜନୀତିର ସଂଜ୍ଞା ବଦଳାଇଛନ୍ତି । ଆଜି ପୁରା ଦୁନିଆ କହୁଛି ଯେ, ଭାରତ ବଦଳି ଯାଇଛି । ବିକଶିତ ଭାରତର ସଂକଳ୍ପ ନେଇ ଆମେ ଆଗକୁ ବଢିଚାଲିଛୁ । ମହାମାରୀ କୋରୋନାର ପ୍ରଭାବ ଓ ଋଷ ୟୁକ୍ରେନ ଯୁଦ୍ଧ ପାଇଁ ଅର୍ଥନୀତି ଭୁଶୁଡି ପଡିଛି । ହେଲେ ମୋଦିଙ୍କ ନେତୃତ୍ବରରେ ଯଦି କାହାକୁ ଚମକ ଦେଖାଯାଉଛି ତାହା ହେଉଛି କେବଳ ଭାରତ ଅର୍ଥନୀତି । ଅର୍ଥ ବ୍ୟବସ୍ଥାରେ ଭାରତ ୫ ନମ୍ବର ସ୍ଥାନରେ ପହଞ୍ଚିପାରିଛି । "

ଏହା ବି ପଢନ୍ତୁ...ଗର୍ଜିଲେ ରାହୁଲ: ବିଜେପି-ବିଜେଡି ବିବାହ ହୋଇଛି, ଓଡ଼ିଶାରେ ପାଣ୍ଡିଆନ ଶାସନ ଚଳାଉଛନ୍ତି - Rahul Gandhi In Odisha

ଆତ୍ମନିର୍ଭରଶୀଳ ଭାରତର କଥା କହିଲେ: "ଡାଲି, ତେଲରେ ଭାରତ ଆତ୍ମନିର୍ଭରଶୀଳ ହେବ । ବାଜରା ଉତ୍ପାଦନର କେନ୍ଦ୍ର ହେବ ଭାରତ । ଉଜ୍ଜ୍ବଳା ଯୋଜନାରେ ଗ୍ୟାସ ସୁବିଧା ଦିଆଯାଇଛି । ସମସ୍ତଙ୍କ ହାତରେ ଥିବା ମୋବାଇଲରେ ପୂର୍ବରୁ ମେଡ୍ ଇନ ଚାଇନ, କୋରିଆ, ଜାପାନ ଲେଖା ରହୁଥିଲା । ହେଲେ ଆଜି ମେଡ୍ ଇନ ଇଣ୍ଡିଆ ଲେଖା ରହୁଛି । ଆଇ ଫୋନ ବି ଭାରତରେ ତିଆରି ହେଲାଣି । ଏହାହିଁ ହେଉଛି ବିକଶିତ ଭାରତର ଚିତ୍ର ।

'ଆୟୁଷ୍ମାନ ଭାରତ' ଯୋଜନାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍: ଏହି ଦେଶରେ କିନ୍ନର ସମାଜ ବିଷୟରେ କେହି ଚିନ୍ତା କରିନାହାନ୍ତି । ହେଲେ ସେମାନଙ୍କୁ ମଧ୍ୟ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ସମସ୍ତ ଗରିବଙ୍କୁ ଚିକିତ୍ସା ପାଇଁ କେନ୍ଦ୍ର ସରକାର ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ୫ ଲକ୍ଷ ଟଙ୍କା ପ୍ରଦାନ କରୁଛନ୍ତି । ହେଲେ ଦୁଃଖର ବିଷୟ ଆୟୁଷ୍ମାନ ଭାରତକୁ ନବୀନ ଆଗକୁ ନେବାକୁ ଦେଉନାହାନ୍ତି । ଏହି ଯୋଜନାରେ ଓଡି଼ଶାର ୬୮ ଲକ୍ଷ ଲୋକ ସାମିଲ ହୋଇପାରିନାହାନ୍ତି । ଏଭଳି ସରକାରକୁ ଆପଣ ବଦଳାନ୍ତୁ । ଆଉ ଆମ ୫ ଜଣ ପ୍ରାର୍ଥୀଙ୍କୁ ଜିତାନ୍ତୁ" ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।

ଓଡ଼ିଶା ପାଇଁ କେନ୍ଦ୍ରର ଅନୁଦାନ: ଏହି ନିର୍ବାଚନ ବିକଶିତ ଭାରତ ନିର୍ମାଣର ସଂକଳ୍ପକୁ ଆଗକୁ ନେବା ପାଇଁ । ଓଡ଼ିଶାରେ ୩ କୋଟି ୨୦ ଲକ୍ଷ ଲୋକଙ୍କୁ ମୋଦି ଗରିବ କଲ୍ୟାଣ ଯୋଜନାରେ ସାମିଲ କରାଯାଇଛି । ପ୍ରତି ପଞ୍ଚାୟତ ପିଛା ୩ରୁ ୫ କୋଟି ଲେଖାଏଁ ଟଙ୍କା ମିଳୁଛି । ଉଜ୍ଜ୍ବଳା ଯୋଜନାରେ ଗ୍ୟାସ ସଂଯୋଗ ପାଇଛନ୍ତି ୧୦ କୋଟିରୁ ଊର୍ଦ୍ଧ୍ବ ହିତାଧିକାରୀ । ବର୍ତ୍ତମାନ ଓଡ଼ିଶାରେ ୨୫ଟି ଷ୍ଟେସନ ନିର୍ମାଣ ଚାଲିଛି । ଏଥିପାଇଁ ୫୦୦କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଇଣ୍ଡିଆନ ଇନଷ୍ଟିଚ୍ୟୁଟର ସ୍ଥାୟୀ କ୍ୟାମ୍ପସ ସମ୍ବଲପୁରରେ ସ୍ଥାପିତ କରାଯାଇଛି । ସ୍ମାର୍ଟ ସିଟିରେ ରାଉରକେଲା ଓ ଭୁବନେଶ୍ବରକୁ ଯୋଡା ଯାଇଛି । ଏଥିପାଇଁ ୨ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି ।

ଓଡ଼ିଶାରେ ଜାତୀୟ ରାଜପଥରେ ୪ହଜାର ୩ଶହ କିଲୋମିଟରର ସଡ଼କ ନିର୍ମାଣ ହେଉଛି । ରାୟପୁରରୁ ବିଶାଖପାଟଣା ପର୍ଯ୍ୟନ୍ତ ଗ୍ରୀନ କରିଡର ନିର୍ମାଣ ହେଉଥିବାବେଳେ ଓଡ଼ିଶାର ବଜେଟ୍ ୧୨ ଗୁଣା ବୃଦ୍ଧି କରାଯାଇଛି । 'ହର ଘର ନଲ, ହର ଘର ଜଲ' ଯୋଜନାରେ ଓଡ଼ିଶାରେ ୬୨ ଲକ୍ଷ ଘରକୁ କନେକ୍ସନ ଦିଆଯାଇଛି । ଏହି ଯୋଜନା ଦ୍ବାରା ମୋଦିଙ୍କ ସରକାରରେ କେଉଁ ବି ଘରେ ଜଳ ଯୋଗାଣର ସମସ୍ୟା ରହିବ ନାହିଁ । ଏଥର ଉଜ୍ଜ୍ବଳା ଯୋଜନାରେ ମଧ୍ୟ ସିଲିଣ୍ଡର ଦ୍ବାରା ନୁହେଁ, ପାଇପ ଯୋଗେ ଗ୍ୟାସ ପହଞ୍ଚିବ ।

ବିଜେପି ପ୍ରାର୍ଥୀଙ୍କୁ ଜିତାଇବାକୁ ନଡ୍ଡାଙ୍କ ଅପିଲ: ନଡ୍ଡା କହିଛନ୍ତି, " ଆମେ ଆପଣଙ୍କୁ ନିବେଦନ କରୁଛୁ, ଯେ ପ୍ରଦୀପ ପାଣିଗ୍ରାହୀ ଯିଏକି ଦୀର୍ଘ ଦିନ ହେବ ରାଜନୀତିରେ ରହି ଲୋକଙ୍କ ସେବା କରିଆସୁଛନ୍ତି, ନିଜର ସରଳ ଜୀବନ ଶୈଳୀ ପାଇଁ ସେ ପରିଚିତ । ସମସ୍ତଙ୍କୁ ସେ ସାଥୀରେ ନେଇ ଚାଲୁଥିବା ଏହି ବ୍ୟକ୍ତିଙ୍କୁ ଏଥର ଜିତାନ୍ତୁ ।" ଛତ୍ରପୁର ପ୍ରାର୍ଥୀ କୃଷ୍ଣଚନ୍ଦ୍ର ନାୟକ, ଗୋପାଳପୁରରୁ ବିଭୁତି ଭୂଷଣ ଜେନା, ବ୍ରହ୍ମପୁରରୁ ଅନିଲ କୁମାର, ଦିଗପହଣ୍ଡିରୁ ସିଦ୍ଧାନ୍ତ ମହାପାତ୍ର , ଚିକିଟିରୁ ମନୋରଞ୍ଜନ, ମୋହନାରୁ ପ୍ରଶାନ୍ତ ମଲ୍ଲିକ, ପାରଖାମେଣ୍ଡିରୁ କେ ନାରାୟଣ ରାଓଙ୍କୁ ନିର୍ବାଚନ ଜିତାଇବାକୁ ଜନତାଙ୍କୁ ଆହ୍ବାନ କରିଛନ୍ତି ନଡ୍ଡା ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Apr 28, 2024, 9:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.