ETV Bharat / politics

ପାଣ୍ଡିଆନଙ୍କ ମେଣ୍ଟ ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତିରେ ଝଡ଼: କଂଗ୍ରେସର ଦାବି 'ସ୍ପଷ୍ଟ କରନ୍ତୁ ନବୀନ', କେନ୍ଦ୍ରୀୟ ୟୁନିଟ ଉପରେ ଛାଡ଼ିଲା ବିଜେପି

author img

By ETV Bharat Odisha Team

Published : Mar 19, 2024, 5:09 PM IST

VK Pandian on BJD-BJP Alliance: ରାଜ୍ୟରେ ବିଜେପି ଓ ବିଜେଡି ମଧ୍ୟରେ ସମ୍ଭାବ୍ୟ ମେଣ୍ଟ ଚର୍ଚ୍ଚାରେ ପଡ଼ୁନି ପୂର୍ଣ୍ଣଚ୍ଛେଦ । ରାଜ୍ୟର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ମେଣ୍ଟ ହୋଇପାରେ ବୋଲି ଇଙ୍ଗିତ କଲେ ପାଣ୍ଡିଆନ । କଂଗ୍ରେସ କହିଲା ସ୍ପଷ୍ଟ କରନ୍ତୁ ନବୀନ । ବିଜେପିର ସ୍ପଷ୍ଟୋକ୍ତି, କେନ୍ଦ୍ରୀୟ ନେତୃତ୍ବ ଚାହିଁଲେ ସମ୍ଭବ । ଅଧିକ ପଢ଼ନ୍ତୁ

ପାଣ୍ଡିଆନଙ୍କ ବୟାନ ପରେ ସରଗରମ ରାଜନୀତି
ପାଣ୍ଡିଆନଙ୍କ ବୟାନ ପରେ ସରଗରମ ରାଜନୀତି

ପାଣ୍ଡିଆନଙ୍କ ବୟାନ ପରେ ସରଗରମ ରାଜନୀତି

ଭୁବନେଶ୍ବର: ରାଜ୍ୟରେ ଶାସକ ବିଜେଡି ଓ ପ୍ରମୁଖ ବିରୋଧୀ ଦଳ ବିଜେପି ମଧ୍ୟରେ ସମ୍ଭାବ୍ୟ ମେଣ୍ଟ ଚର୍ଚ୍ଚା ଥମିବାର ନାଁ ଧରୁନି । ମେଣ୍ଟ ହେବ କି ନାହିଁ, ସେନେଇ ଉଭୟ ଶିବିରରେ ଅସମ୍ଭବ ନୀରବତା । ଉଭୟ ଦଳର କୌଣସି ନେତା ଏନେଇ ମୁହଁ ଖୋଲୁନାହାନ୍ତି । ଏହାରି ଭିତରେ ଆଜି ନୂଆଦିଲ୍ଲୀରେ ଏକ ଘରୋଇ ଗଣମାଧ୍ୟମର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମେଣ୍ଟ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ତଥା 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ । " ସରକାର ଗଢ଼ିବାକୁ ବିଜେପି ବା ଓଡ଼ିଶାରେ ସରକାର ଗଢ଼ିବାକୁ ବିଜେଡିକୁ କୌଣସି ମେଣ୍ଟର ଆବଶ୍ୟକତା ନାହିଁ । " ହେଲେ ଦୁଇ ଲୋକପ୍ରିୟ ନେତା ମୋଦି ଓ ନବୀନ ଦେଶ ଓ ରାଜ୍ୟର ସ୍ବାର୍ଥ ପାଇଁ ଏକାଠି ହୋଇପାରନ୍ତି ବୋଲି ପାଣ୍ଡିଆନ କହିଛନ୍ତି । ଏପଟେ ପାଣ୍ଡିଆନଙ୍କ ଏଭଳି ବୟାନ ପରେ ବିଜେଡିକୁ ଘେରିଛି କଂଗ୍ରେସ । ଯଦି ସତ୍‌ସାହାସ ଅଛି, ବିଜେଡି ଏକା ଲଢ଼ିବ ଓ ଜିତିବ ବୋଲି ନବୀନ ପଟ୍ଟନାୟକ ସ୍ପଷ୍ଟ କରନ୍ତୁ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

କ'ଣ କହିଲେ ପାଣ୍ଡିଆନ ?: ନୂଆଦିଲ୍ଲୀରେ ଏକ ଘରୋଇ ଗଣମାଧ୍ୟମର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ବିଜେଡି ନେତା ତଥା 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଯେତେବେଳେ ତାଙ୍କୁ ପଚରାଯାଇଥିଲା ଯେ ଗୋଟିଏ ରାଜ୍ୟରେ ଶାସକ ଦଳ ଓ ପ୍ରମୁଖ ବିରୋଧୀ ଦଳ ମଧ୍ୟରେ ମେଣ୍ଟର ଆବଶ୍ୟକତା କଣ ? ସେ ଉତ୍ତରରେ କହିଥିଲେ, "ବିଜେଡିକୁ ରାଜ୍ୟରେ ନିର୍ବାଚନ ଜିତିବା ପାଇଁ ମେଣ୍ଟର ଆବଶ୍ୟକତା ନାହିଁ । ସେହିପରି ବିଜେପିକୁ କେନ୍ଦ୍ରରେ ଜିତିବା ପାଇଁ ମଧ୍ୟ ବିଜେଡି ସହ ମେଣ୍ଟର ଆବଶ୍ୟକତା ନାହିଁ । ଉଭୟ ନବୀନ ଓ ମୋଦି ବେଶ ଲୋକପ୍ରିୟ । ଉଭୟ ଭଲ ବନ୍ଧୁ । କିନ୍ତୁ ରାଜନୀତିରୁ ଊର୍ଦ୍ଧ୍ବରେ, ଉଭୟ ଦେଶ ଓ ରାଜ୍ୟର ହିତ ଚାହାନ୍ତି । ତେଣୁ ରାଜ୍ୟର ବୃହତ୍ତର ସ୍ବାର୍ଥ ପାଇଁ ଉଭୟ ଏକାଠି ହୋଇପାରନ୍ତି ।" କେବଳ ସଂଖ୍ୟା ଗଣିତ ନୁହେଁ, ରାଜ୍ୟର ବୃହତ୍ତର ସ୍ବାର୍ଥ ପାଇଁ ଯଦି କିଛି ଏପରି ହୁଏ, ତାହା ଖୁବଶୀଘ୍ର ଜଣାପଡିବ ବୋଲି ପାଣ୍ଡିଆନ କହିବା କେବଳ ରାଜ୍ୟ ନୁହେଁ, ବରଂ ଜାତୀୟ ରାଜନୀତିକୁ ମଧ୍ୟ ସରଗରମ କରିଛି ।

ଏହା ମଧ୍ୟ ପଢ଼ନ୍ତୁ...ମେଣ୍ଟ ହେଲେ କାହାକୁ ଲାଭ ! 'ଲୋକସଭାରେ ବିଜେପିକୁ ମିଳିପାରେ ଅଧିକ ସିଟ୍, ବିଧାନସଭାରେ ବେଶୀ ଆସନ ଛାଡ଼ିବନି ବିଜେଡି'

'ସ୍ପଷ୍ଟ କରନ୍ତୁ ନବୀନ': ଏପଟେ ପାଣ୍ଡିଆନଙ୍କ ବୟାନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ବିଜେଡି ଓ ବିଜେପି ମଧ୍ୟରେ ସମ୍ଭାବ୍ୟ ମେଣ୍ଟ ଚୂଡାନ୍ତ ପର୍ଯ୍ୟାୟକୁ ଯାଉଥିବାବେଳେ ନବୀନ କାହିଁକି ଚୁପ ବସିଛନ୍ତି ବୋଲି ପ୍ରଶ୍ନ କରିଛି କଂଗ୍ରେସ । ପିସିସି ସଭାପତି କହିଛନ୍ତି, "ଯଦି ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ନାହିଁ, ତେବେ ନବୀନ ବାବୁ ଚୁପ କାହିଁକି ? ଖୋଲାଖୋଲି କୁହନ୍ତୁ ବିଜେଡି ଏକାକୀ ନିର୍ବାଚନ ଲଢ଼ିବ ଏବଂ ଜିତିବ । ୨୦୦୯ରେ କାହିଁକି ମେଣ୍ଟ ଭାଙ୍ଗିଲା ଓ ବିଜେଡି ବିଜେପି ଅଲଗା ଅଲଗା ଲଢ଼ିଲେ ତାହା ସ୍ପଷ୍ଟ କରନ୍ତୁ । ବାସ୍ତବତା ହେଲା ବିଜେଡି ଓ ବିଜେପି ମଧ୍ୟରେ ଅଘୋଷିତ ମେଣ୍ଟ ସେବେଠାରୁ ରହିଛି । ଓଡ଼ିଶାର ଲୋକେ ଏକଥାକୁ ବୁଝି ସାରିଲେଣି । ଏ ଅସାଧୁ ମେଣ୍ଟକୁ ଲୋକଙ୍କ ପାଖରେ ପହଞ୍ଚାଇଛି କଂଗ୍ରେସ ।" ତେଣୁ ବିଜେଡି ଓ ବିଜେପିର ବିକଳ୍ପ ଭାବେ ଲୋକେ କଂଗ୍ରେସକୁ ଭୋଟ ଦେବେ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଶରତ ।

ଏହା ମଧ୍ୟ ପଢ଼ନ୍ତୁ...ସରିଲା ବିଜେପିର କୋର କମିଟି ବୈଠକ; ଖୁବଶୀଘ୍ର ଆସିବ ତୃତୀୟ ପ୍ରାର୍ଥୀ ତାଲିକା, ଫୋକସରେ ଓଡ଼ିଶା

'କେନ୍ଦ୍ର ୟୁନିଟ ଚାହିଁଲେ ମେଣ୍ଟ ହୋଇପାରେ': ସେହିଭଳି ମେଣ୍ଟ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ପ୍ରଦୀପ୍ତ ନାଏକ । ସେ କହିଛନ୍ତି, "ବିଜେପି ୧୪୭ ବିଧାନସଭା ଏବଂ ୨୧ ଲୋକସଭା ଆସନରେ ଲଢିବା ପାଇଁ ପ୍ରସ୍ତୁତ ଅଛି । ମେଣ୍ଟ ନିଷ୍ପତ୍ତି ରାଜ୍ୟ ୟୁନିଟ କରିପାରିବ ନାହିଁ, କେନ୍ଦ୍ର ୟୁନିଟ ହିଁ କରିପାରିବ । ତେଣୁ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରୀୟ ସଭାପତି ଚାହିଁଲେ ମେଣ୍ଟ ହୋଇପାରେ । ବିଜେପି ଏକାକୀ ଲଢିବା ପାଇଁ ପ୍ରସ୍ତୁତ ହେଉଛି । ସେଥିପାଇଁ, ଗାଁକୁ ଚାଲ, ବୁଥକୁ ଚାଲ ଭଳି ଅଭିଯାନ କରୁଛି । ରାଜ୍ୟ ଯାହା ସ୍ଥିର କରିଛି, ତାହା କେନ୍ଦ୍ରକୁ ଜଣାଇବାର ଆବଶ୍ୟକତା ଅଛି । ତୃତୀୟ ପର୍ଯ୍ୟାୟ ତାଲିକାରେ ଓଡିଶାର କିଛି ପ୍ରାର୍ଥୀଙ୍କ ନାଁ ଆସିପାରେ । ମେଣ୍ଟ ସମ୍ପର୍କରେ ମୋର କିଛି କହିବାର ଅଧିକାର ନାହିଁ । ରାଷ୍ଟ୍ରୀୟ ସଭାପତି ଏବଂ ରାଜ୍ୟ ସଭାପତି ହିଁ ଯାହା କରିପାରିବେ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.