ETV Bharat / politics

ନେତା ତିଆରି କରୁଥିବା ମାଟି ଅବହେଳିତ ! ସମସ୍ୟାର ପାହାଡ ତଳେ ଲୋଇସିଂହା, ପ୍ରତାରଣା ପାଲଟିଛି ପ୍ରତିଶ୍ରୁତି - LOISINGHA ASSEMBLY CONSTITUENCY

author img

By ETV Bharat Odisha Team

Published : May 16, 2024, 10:31 PM IST

LOISINGHA ASSEMBLY CONSTITUENCY: ଲୋଇସିଂହା ମାଟିର ଋଣ ସୁଝି ପାରିନାହାନ୍ତି ନିର୍ବାଚିତ ଜନ ପ୍ରତିନିଧି । ଅନେକ ନାମୀଦାମୀ ନେତାଙ୍କ ଏନ୍ତୁଡିଶାଳ ପାଲଟିଥିବା ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ଯଦି ବିକାଶ କଥା କହିବା ତାହାଲେ ବିଗ୍ ଜିରୋ । ଏକଥା ଆମେ କହୁନୁ ଏଭଳି କହିଛନ୍ତି କିଛି ଭୋଟର ।

ମାଟି ପ୍ରତି ନାହିଁ ପ୍ରୀତି , ମାଳ ମାଳ ସମସ୍ୟାରେ ଘେରରେ ଲୋଇସିଂହା ମାଟି
ମାଟି ପ୍ରତି ନାହିଁ ପ୍ରୀତି , ମାଳ ମାଳ ସମସ୍ୟାରେ ଘେରରେ ଲୋଇସିଂହା ମାଟି (ETV Bharat Odisha)

ମାଟି ପ୍ରତି ନାହିଁ ପ୍ରୀତି , ମାଳ ମାଳ ସମସ୍ୟାରେ ଘେରରେ ଲୋଇସିଂହା ମାଟି (ETV Bharat Odisha)

ବଲାଙ୍ଗୀର: ମାଳ ମାଳ ସମସ୍ୟା ଦେଇ ଗତି ଗତି କରୁଛି ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ନିର୍ବାଚନ ମଣ୍ଡଳୀ । ପ୍ରତାରଣା ପାଲଟିଛି ପ୍ରତିଶ୍ରୁତି । ନିର୍ବାଚନ ଆସେ ଆଉ ଯାଏ । ମାଳ ମାଳ ପ୍ରତିଶ୍ରୁତି ବର୍ଷା କରନ୍ତି ନେତା । ହେଲେ ସମସ୍ୟାରୁ ମୁକୁଳି ପାରନ୍ତିନି ଭୋଟର । ଅନେକ ନାମୀଦାମୀ ନେତାଙ୍କ ଏନ୍ତୁଡିଶାଳ ହେଉଛି ଲୋଇସିଂହା ନିର୍ବାଚନ ମଣ୍ଡଳୀ । ହେଲେ ବିକାଶ କଥା ଯଦି କହିବା ତାହାଲେ ବିଗ୍ ଜିରୋ । ଶିକ୍ଷା, ସ୍ବାସ୍ଥ୍ୟ,ଗମନାଗମନ, କୃଷି ଏବଂ ଦାଦନ ସମସ୍ୟାରେ ଯୁଝି ହେଉଛନ୍ତି ଜନତା । ଏଠାରୁ ସ୍ବର୍ଗତ ବିଧାୟକ ରାମ ପ୍ରସାଦ ମିଶ୍ର ,ନିତ୍ୟାନନ୍ଦ ମିଶ୍ର ,ଅନଙ୍ଗ ଉଦୟ ସିଂଦେଓ ଓ ନରସିଂହ ମିଶ୍ର ଭଳି ଟାଣୁଆ ନେତା ପରିଚୟ ପାଇଥିବା ବେଳେ ଯେତିକି ବିକାଶ ହେବା କଥା ସେତିକି ହୋଇନଥିବା ଲୋକେ ଅଭିଯୋଗ କରିଛନ୍ତି ।

ଲୋଇସିଂହା ନିର୍ବାଚନ ମଣ୍ଡଳୀ ଲୋକ ସବୁ ବେଳେ ନୂଆ ନେତାଙ୍କୁ ବାଛିଥାନ୍ତି । ହେଲେ ନେତା ତିଆରି କରୁଥିବା ଏହି କ୍ଷେତ୍ରର ବିକାଶକୁ ନେଇ ଏବେ ଉଠିଛି ପ୍ରଶ୍ନ । ନେତା ଏଠୁ ନିଜ ପ୍ରାରମ୍ଭିକ ରାଜନୀତି ଆରମ୍ଭ କରି ଆଜି ବେଶ ସଫଳ । ହେଲେ ଏ ଅଞ୍ଚଳର ଲୋକ କ'ଣ ପାଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ଲୋଇସିଂହା ବିଧାନସଭା ଆସନ 1957ରେ ଗଠିତ ହୋଇଥିଲା । ନେତା ତିଆରି କରୁଥିବା ଏହି ମାଟି ଆଜି ବି ବିକାଶ ଠାରୁ ଦୂରରେ ଅଛି । ଏଠି ଆଜି ବି ବେରୋଜଗାରୀ, ଜଳସେଚନ, ଦାଦନ ସମସ୍ୟା ଭଳି ଅନେକ ସମସ୍ୟା ମଧ୍ୟରେ ଏ ଅଞ୍ଚଳ ଯୁଝୁଛି ।

ତେବେ 1957ରୁ ସ୍ବର୍ଗତ ବିଧାୟକ ରାମ ପ୍ରସାଦ ମିଶ୍ର ଓ ନିତ୍ୟାନନ୍ଦ ମିଶ୍ର ଦୁଇ ଦୁଇ ଥର ନିର୍ବାଚିତ ହୋଇଥିଲେ । ସେହିପରି ପରବର୍ତ୍ତୀ ସମୟରେ ଆଜିର ବିଜେଡିର ଅନଙ୍ଗ ଉଦୟ ସିଂହଦେଓ ମଧ୍ୟ ଏଠୁ 1974ରୁ ପ୍ରଥମ କରି ବିଜୟୀ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ବଲାଙ୍ଗୀର ବିଧାନସଭାରୁ ଆସନରୁ ପାଞ୍ଚ ଥର ବିଜୟୀ ହୋଇ ମନ୍ତ୍ରୀ ମଧ୍ୟ ଥିଲେ । ସେହିପରି 1980ରେ ଏଠିକାର ଲୋକେ ପୁଣି ନୂଆ ନେତା ବାଳ ଗୋପାଳ ମିଶ୍ରଙ୍କୁ ବିଧାନସଭା ପଠାଇଥିଲେ । ସେ ଚାରି ଥର ବିଜୟୀ ହୋଇ ରାଜନୀତିରେ ବେଶ ସଫଳ ହୋଇଥିଲେ । ସେହିପରି 1990ରେ ନେତା ନରସିଂହ ମିଶ୍ରଙ୍କୁ ବାଛି ଥିଲେ ଲୋକେ । ନରସିଂହ ପରବର୍ତ୍ତୀ ସମୟରେ ମନ୍ତ୍ରୀ ମଧ୍ୟ ହୋଇଥିଲେ ।

ପରେ ଲୋକେ 2014ରେ ଯୋଗେନ୍ଦ୍ର ବେହେରାଙ୍କୁ ନିର୍ବାଚିତ କରିଥିଲେ । ଯୋଗେନ୍ଦ୍ର ମଧ୍ୟ ଜିତିବା ପରେ ମନ୍ତ୍ରୀ ପଦ ପାଇଥିଲେ । ସେହିପରି 2019ରେ ବିଜେପିର ଜଣେ ଉଚ୍ଚ ଶିକ୍ଷିତ ବୈଜ୍ଞାନିକ ମୁକେଶ ମହାଲିଙ୍ଗଙ୍କୁ ବହୁମତ ଦେଇ ବିଧାନସଭା ପଠାଇ ଥିଲେ ଜନତା । ଏସବୁ ନେତା ନୂଆ ଭାବରେ ତାଙ୍କର ରାଜନୀତି କ୍ୟାରିୟର ଏଇଠୁ ହିଁ ଆରମ୍ଭ କରି ବେଶ୍ ସଫଳ ହୋଇଛନ୍ତି । ହେଲେ ଆଜି ବି ବିକାଶ ଅତି ମନ୍ଥର ଗତିରେ ରହିଛି ।

ଏହା ମଧ୍ୟ ପଢନ୍ତୁ....ନୂଆନେତାଙ୍କ ପ୍ଲାଟଫର୍ମ ଲୋଇସିଂହା ବିଧାନସଭା ଆସନ; ଏଥର ବି ବିଜେପି ନା ଆଉ କିଏ ? - Loisingha Assembly Constituency


ତେବେ ଲୋଇସିଂହାର ଭୋଟର ସରୋଜ ମହାକୁଡ଼ ଓ ନିଶାର ଅମହମ୍ମଦ କହିଛନ୍ତି," ଲୋକ ସବୁବେଳେ ନୂଆ ନେତାଙ୍କୁ ବିଶ୍ୱାସ କରି ତାଙ୍କୁ ଜିତାଇ ଆସିଛନ୍ତି । ପରେ ସେହ ନେତାମାନେ ରାଜନୀତିରେ ବହୁ ନାଁ କରିଛନ୍ତି । ହେଲେ ଏଠିକାର ବିକାଶ ଏବେ ବି ଅଟକି ରହିଛି । ଆଜି ବି ଜଳସେଚନ ସୁବିଧା ନ ମିଳିବା, ନିଯୁକ୍ତି ନ ମିଳିବା, ଲୋକ ଦାଦନ ଯିବା ଭଳି ଅନେକ ସମସ୍ୟା ରହିଛି । ଯେଉଁ ଭଳି ନୂଆ ନେତା ତିଆରି ହୋଇଛନ୍ତି ତା ତୁଳନାରେ ବିକାଶ ସେଭଲି ହୋଇ ପାରୁନାହିଁ ।" ସେପଟେ ବିଧାୟକ ମୁକେଶ ମହାଲିଙ୍ଗ କହିଛନ୍ତି,"ବିଗତ ୭୫ ଭିତରେ ଦେଖିବେ ଯଦି ଏହି ପାଞ୍ଚ ବର୍ଷ ଭିତରେ ବିକାଶର ଧାରା ସବୁଠାରୁ ଅଧିକ ରହିଛି । "

ଚଳିତ ନିର୍ବାଚନରେ ପୁଣି ମୁକେଶ ମହାଲିଙ୍ଗଙ୍କୁ ବିଜେପି ଭରସା କରି ଥିବାବେଳେ ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରାଙ୍କ ପୁଅ ନିହାର ରଞ୍ଜନ ବେହେରାଙ୍କୁ ବିଜେଡି ଟିକଟ ଦେଇଛି । ସେହିପରି କଂଗ୍ରେସ ଓମ୍ ପ୍ରକାଶ କୁମ୍ଭାରଙ୍କୁ ମୈଦାନକୁ ଓହ୍ଲାଇଛି । ପୁଣି ଲୋଇସିଂହାବାସୀ ପୁଳା ପୁଳା ପ୍ରତିଶ୍ରୁତି ପାଉଛନ୍ତୁ ହେଲେ ସମସ୍ୟାର ସମାଧାନ କେବେ ତାହା ସମସ୍ତଙ୍କୁ ଅଛପା । ଦେଖିବାକୁ ବାକି ରହିଲା ଏଥର କାହା ଗ୍ୟାରେଣ୍ଟି ଉପରେ ଲୋଇସିଂହାବାସୀ ବିଶ୍ବାସ କରୁଛନ୍ତି ଏବଂ କାହା ମୁଣ୍ଡରେ ସୁନା ମୁକୁଟ ପିନ୍ଧାଉଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.