ETV Bharat / politics

ବିଜେଡି ଦଖଲରୁ ଖସିଯିବ କି କଣ୍ଟାମାଳ ? କଂଗ୍ରେସ ପ୍ରାର୍ଥୀ ଘୋଷଣା ପରେ ଗୋଳମାଳିଆ ରାଜନୀତି ପାଣିପାଗ - KANTAMAL CONSTITUENCY

author img

By ETV Bharat Odisha Team

Published : Apr 22, 2024, 5:16 PM IST

Kantamal Assembly constituency: କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ବିଜେଡି ଓ ବିଜେପି ମଧ୍ୟରେ ହେବ ଲଢେଇ । 2 ଦଳ ଉପରେ ପଡିବକି କଂଗ୍ରେସର ଟାଣୁଆ ନେତାଙ୍କ ପ୍ରଭାବ । କଣ କହୁଛି ରାଜନୈତିକ ପାଣିପାଗ । ପଢନ୍ତୁ ସମ୍ପୂର୍ଣ୍ଣ ଖବର

ବିଜେଡି ଦଖଲରୁ ଖସିଯିବ କି କଣ୍ଟାମାଳ !
ବିଜେଡି ଦଖଲରୁ ଖସିଯିବ କି କଣ୍ଟାମାଳ !

ବିଜେଡି ଦଖଲରୁ ଖସିଯିବ କି କଣ୍ଟାମାଳ !

ବୌଦ୍ଧ: ପାଖେଇ ଆସୁଛି ନିର୍ବାଚନ ମୁହୂର୍ତ୍ତ । ସାଧାରଣ ନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରଚାର । ଏହାରି ଭିତରେ ଚର୍ଚ୍ଚାରେ ରହିଛି ବୌଦ୍ଧ ଜିଲ୍ଲାର କଣ୍ଟାମାଳ ନିର୍ବାଚନ ମଣ୍ଡଳୀ । ବିଜେଡିର ଗଡ଼ ଭାବରେ ପରିଚିତ ଏହି ଆସନରେ ରାଜ୍ୟର 3 ପ୍ରମୁଖ ଦଳ ପ୍ରାର୍ଥୀ ଘୋଷଣା କରିସାରିଲେଣି । ଏଠାରେ ବିଜେଡି ଓ ବିଜେପି ଦଳ ମଧ୍ୟରେ ସିଧାସଳଖ ଲଢେଇ ହେବା ନେଇ ଆଲୋଚନା ହେଉଥିବା ବେଳେ କଂଗ୍ରେସ ବିଶିଷ୍ଟ ଶ୍ରମିକ ନେତା ତଥା ଯୁବ ସଂଗଠକଙ୍କୁ ପ୍ରାର୍ଥୀ କରିଛି । କଂଗ୍ରେସ ପ୍ରାର୍ଥୀ ଘୋଷଣା ପରେ କଣ୍ଟାମାଳରେ ରାଜନୈତିକ ସମୀକରଣ ଗୋଳମାଳିଆ ହୋଇଛି ।

କଣ୍ଟାମାଳ ନିର୍ବାଚନ ମଣ୍ଡଳୀ: ବୌଦ୍ଧ ଜିଲ୍ଲାର ବହୁଚର୍ଚ୍ଚିତ ଆସନ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ । ୨୦୦୯ ମସିହାରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଗଠନ ହୋଇଥିଲା । କଣ୍ଟାମାଳ ଓ ବୌଦ୍ଧ ଦୁଇଟି ବ୍ଲକକୁ ନେଇ ଏହି ନର୍ବାଚନ ମଣ୍ଡଳୀ ଗଠିତ । ନିର୍ବାଚନ ମଣ୍ଡଳୀ ଗଠନ ହେବା ଦିନ ଠାରୁ ଏହା ବିଜୁ ଜନତା ଦଳ ଦଖଲରେ ରହିଛି । ଏଠାରେ ମୋଟ ୧ ଲକ୍ଷ ୬୭ ହଜାର ୬ ଶହ ୩୮ ଭୋଟର ରହିଛନ୍ତି । ୮୫ ହଜାର ୯ ଶହ ୭୨ ଜଣ ପୁରୁଷ ଭୋଟ ରହିଥିବା ବେଳେ ୮୧ ହଜାର ୯ ଶହ ୧୦ ଜଣ ମହିଳା ଭୋଟର ରହିଛନ୍ତି । ସେହିପରି ଜଣେ ମାତ୍ର ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି ।

2024 ନିର୍ବାଚନ ପ୍ରାର୍ଥୀ:

ବିଜେଡି: ଚଳିତ ବର୍ଷ ହେବାକୁ ଥିବା ନିର୍ବାଚନରେ ଶାସକ ଦଳ ବିଜେଡି ଦଳ ମହୀଧର ରଣାଙ୍କୁ ପ୍ରାର୍ଥୀ କରିଛି । ଯଦି ମହୀଧରଙ୍କ କଥା ଦେଖିବା ତେବେ ସେ 2014 ଓ 2019 ନିର୍ବାଚନରେ ଲଗାତାର ବିଜୟ ହାସଲ କରି ଦୁଇ ଦୁଇ ଥର ବିଧାୟକ ରହିଛନ୍ତି । ଏଥର ମଧ୍ୟ ପୁଣିଥରେ ସେ ପ୍ରାର୍ଥୀ ହୋଇଛନ୍ତି । ସେପଟେ ଚଳିତ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ଦଳର ବହୁ ଅସନ୍ତୁଷ୍ଟ ନେତା ଓ କର୍ମୀ ଦଳ ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଛନ୍ତି । ତେଣୁ ଚଳିତ ନିର୍ବାଚନରେ କଣ୍ଟାମାଳରେ ବିଜେପି ପ୍ରାର୍ଥୀଙ୍କ ପାଇଁ ସହଜ ହେବ ବୋଲି ଚର୍ଚ୍ଚା ହେଉଛି ।

ବିଜେପି: କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ବିଜେଡିର ମହୀଧର ରଣାଙ୍କୁ ମାତ୍‌ ଦେବା ପାଇଁ ତାଙ୍କ ବିପକ୍ଷରେ ବିଜେପିର ଟାଣୁଆ ନେତା ତଥା ବରିଷ୍ଠ ବିଜେପି ନେତା କହ୍ନେଇ ଚରଣ ଡାଙ୍ଗ ଚଳିତ ସାଧାରଣ ନିର୍ବାଚନରେ ଲଢ଼ୁଛନ୍ତି । ଗତ 2019 ନିର୍ବାଚନରେ ମଧ୍ୟ କହ୍ନେଇ ବିଜେପି ପକ୍ଷରୁ ଏଠାରୁ ପ୍ରାର୍ଥୀ ହୋଇଥିଲେ । ତେବେ ଦେଶରେ ମୋଦି ଲହର ରହିଥିବା ବେଳେ କହ୍ନେଇଙ୍କ ପାଇଁ ନିର୍ବାଚନ ଲଢିବା ସହଜ ହୋଇପାରେ ବୋଲି ରାଜନୈତିକ ସମୀକ୍ଷକମାନେ ମତ ରଖିଛନ୍ତି ।

କଂଗ୍ରେସ: ତେବେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ବିଜେଡି ଓ ବିଜେପି ପ୍ରାର୍ଥୀ ଘୋଷଣା କରିବା ପରେ ସମସ୍ତଙ୍କ ନଜର କଂଗ୍ରେସ ଉପରେ ରହିଥିଲା । ଏଠାରେ କଂଗ୍ରେସର ସ୍ଥିତି ସେତେ ସୃଦୃଢ ନଥିବା ବେଳେ ବିଜେଡି ପ୍ରାର୍ଥୀ ଓ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ କଡ୍ଡା ଟକ୍କର ହେବା ନିଶ୍ଚିତ ରହିଥିଲା । କିନ୍ତୁ ଏହାରି ଭତରେ କଣ୍ଟାମାଳ ଅଞ୍ଚଳର ବିଶିଷ୍ଟ ଶ୍ରମିକ ନେତା ତଥା ବରିଷ୍ଠ କଂଗ୍ରେସ ନେତା ସରୋଜ କୁମାର ପ୍ରଧାନଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି । କଣ୍ଟାମାଳରେ ସରୋଜଙ୍କର ଦବଦବା ରହିଛି । ତେଣୁ ବିଜେଡି ଓ ବିଜେପି ମଧ୍ୟରେ ଦିପାକ୍ଷିକ ଲଢେଇ ହେବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ସରୋଜ ବର୍ତ୍ତମାନ ନିଜ ପ୍ରଜାର ଅଭିଯାନକୁ ଜୋରଦାର କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ଭୁଶୁଡି ଯିବ କି ମହୀଧରଙ୍କ ଗଡ଼ ! କନ୍ଧମାଳ ସଂସଦୀୟ କ୍ଷେତ୍ରରେ କ'ଣ ପଡିବ ପ୍ରଭାବ ? - Kantamal Assembly Constituency

କାହା ପଲ୍ଲା ହେବ ଭାରି: କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଚଳିତ ସାଧାରଣ ନିର୍ବାଚନ ଅତ୍ୟନ୍ତ ରୋଚକପୂର୍ଣ୍ଣ ହେବାକୁ ଯାଉଛି । ବିଜେଡି ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟକୁ ଅସ୍ତ୍ର କରି ଜନତାଙ୍କ ପାଖକୁ ଯିବାକୁ ଯୋଜନା କରିଛି । ସେହିପରି ଭାରତୀୟ ଜନତା ପାର୍ଟି କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ମୁଦ୍ଦା କରି ଏଥର ନିର୍ବାଚନ ରଣାଙ୍ଗନରେ ଓହ୍ଲାଇବ ବୋଲି କହୁଛି । ସେପଟେ ଭୋଟରଙ୍କ ମନ ଜିଣିବା ପାଇ କଂଗ୍ରେସ ମଧ୍ୟ ସଭାସମିତି କରି ପ୍ରଚାରକୁ ଜୋରଦାର କରିଛି । ତେବେ ଏଠାରେ ରାଜନୀତି ପାଣିପାଗ ଗୋଳମାଳିଆ ପରିଲକ୍ଷିତ ହେଉଥିବା ବେଳେ କାହାର ପଲ୍ଲା ଭାରି ହେବ ଏବେଠାରୁ ଆକଳନ କରିବା ମୁସ୍କିଲ ହୋଇପଡିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.