ETV Bharat / politics

ଦିଲ୍ଲୀ ମନ୍ତ୍ରୀ ଅତିଶିଙ୍କ ଘରେ ପଶିଲା କ୍ରାଇମବ୍ରାଞ୍ଚ

author img

By ETV Bharat Odisha Team

Published : Feb 4, 2024, 11:46 AM IST

AAP MLA Poaching: ଦିଲ୍ଲୀ ମନ୍ତ୍ରୀ ଅତିଶିଙ୍କ ଘରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍ । ଆପ୍ ବିଧାୟକଙ୍କୁ ବିଜେପି କିଣିବାକୁ ଚେଷ୍ଟା କରୁଥିବା ଅଭିଯୋଗର ତଦନ୍ତ ପାଇଁ ନୋଟିସ ଦେବାକୁ କ୍ରାଇମବ୍ରାଞ୍ଚ ଯାଇଥିବା ସୂଚନା । ଅଧିକ ପଢନ୍ତୁ

ଦିଲ୍ଲୀ ମନ୍ତ୍ରୀ ଅତିଶୀଙ୍କ ଘରେ ପଶିଲା କ୍ରାଇମବ୍ରାଞ୍ଚ
ଦିଲ୍ଲୀ ମନ୍ତ୍ରୀ ଅତିଶୀଙ୍କ ଘରେ ପଶିଲା କ୍ରାଇମବ୍ରାଞ୍ଚ

ନୂଆଦିଲ୍ଲୀ: ଆପ୍ ବିଧାୟକଙ୍କୁ ବିଜେପି କିଣିବାକୁ ଚେଷ୍ଟା କରୁଥିବା ଅଭିଯୋଗ ଘଟଣାରେ ଦିଲ୍ଲୀ ମନ୍ତ୍ରୀ ଅତିଶିଙ୍କ ବାସଭବନରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପରେ ଏହିି ଅଭିଯୋଗର ତଦନ୍ତ ପାଇଁ ନୋଟିସ ଦେବାକୁ ଆଜି ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଟିମ୍ ମନ୍ତ୍ରୀ ତଥା ଆପ୍ ନେତ୍ରୀ ଅତିଶିଙ୍କ ଘରକୁ ଯାଇଛି । ତେବେ ଶୁକ୍ରବାର ସନ୍ଧ୍ୟାରେ ମଧ୍ୟ କ୍ରାଇମବ୍ରାଞ୍ଚ ତାଙ୍କ ଘରକୁ ଯାଇଥିଲା । କିନ୍ତୁ ସେ ଘରେ ନଥିଲେ । ଏହାର ପରଦିନ ଶନିବାର ଟିମ୍ କେଜ୍ରିୱାଲଙ୍କ ଘରକୁ ଯାଇଥିଲା । ଏହାକୁ ନେଇ ସେଠାରେ ପ୍ରବଳ ହଙ୍ଗାମା ହୋଇଥିଲା । ଆପର ମୁଖପାତ୍ର ଓ ମିଡିଆ ମୁଖ୍ୟ ଜସ୍ମିନ ଶାହ ଏବଂ କ୍ରାଇମବ୍ରାଞ୍ଚ ଏସିପିଙ୍କ ମଧ୍ୟରେ ଯୁକ୍ତତର୍କ ହୋଇଥିଲା । ପ୍ରାୟ ୫ ଘଣ୍ଟା କାଳ କ୍ରାଇମବ୍ରାଞ୍ଚ ଟିମ୍ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ରହିବା ପରେ ଫେରି ଆସିଥିଲେ ।

କହିରଖୁଛୁ କି, ବିଜେପି ଆପ୍ ବିଧାୟକଙ୍କୁ କିଣିବାକୁ ଚେଷ୍ଟା କରୁଥିବା ଦଳ ଅଭିଯୋଗ କରୁଛି । ଏମିତିକି ବିଜେପି ୭ ଜଣ ବିଧାୟକଙ୍କ କିଣିବା ପାଇଁ ୨୫ କୋଟି ଟଙ୍କା ଲେଖାଏଁ ପ୍ରଲୋଭନ ଦେଖାଇଥିବା କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଅଭିଯୋଗ ଆଣିଥିଲେ । ଏହି ଅଭିଯୋଗର ତଦନ୍ତ ପାଇଁ ଏ ସମ୍ପର୍କରେ ନୋଟିସ ଦେବାକୁ କ୍ରାଇମବ୍ରାଞ୍ଚ ଟିମ୍ ଆଜି ସକାଳ ୧୦ରେ ଦିଲ୍ଲୀ ମନ୍ତ୍ରୀ ଅତିଶିଙ୍କ ଘରେ ପହଞ୍ଚିଛି । ତେବେ ଟିମ୍ ପହଞ୍ଚିବା ସମୟରେ ଆଜି ବି ମନ୍ତ୍ରୀ ବାସଭବନରେ ନଥିଲେ । ଟିମ୍ ତାଙ୍କୁ ଅପେକ୍ଷା କରି ରହିଛି । ତେବେ ଯଦି ମନ୍ତ୍ରୀ ନ ଫେରନ୍ତି ତାହେଲେ ତାଙ୍କ ସ୍ପେଶାଲ ଡ୍ୟୁଟି ଅଫିସରଙ୍କ ନୋଟିସ୍ ହସ୍ତାନ୍ତର କରାଯାଇପାରେ ।

ଏହାର ଦିନକ ପୂର୍ବରୁ ଅର୍ଥାତ୍ ଗତକାଲି କ୍ରାଇମବ୍ରାଞ୍ଚ ଟିମ୍ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ନୋଟିସ୍ ଜାରି କରିଥିଲା । ସେ ଆଣିଥିବା ସଙ୍ଗୀନ ଅଭିଯୋଗ ସମ୍ପର୍କରେ ୩ ଦିନ ଭିତରେ ପୋଲିସକୁ ତଥ୍ୟ ପ୍ରଦାନ କରିବାକୁ ଏବଂ ବିଜେପି ପ୍ରଲୋଭିତ କରିଥିବା ବିଧାୟକମାନଙ୍କ ନାଁ ଜଣାଇବାକୁ ନୋଟିସରେ କୁହାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ‘ଆପ ବିଧାୟକଙ୍କୁ କିଣିବାକୁ ଉଦ୍ୟମ କରୁଛି ବିଜେପି’: କେଜ୍ରିଓ୍ବାଲଙ୍କୁ ଦିଲ୍ଲୀ କ୍ରାଇମବ୍ରାଞ୍ଚର ନୋଟିସ

ଜାନୁଆରୀ ୨୭ରେ କେଜ୍ରିୱାଲ ଅଭିଯୋଗ ଆଣିଥିଲେ ଯେ, ଦିଲ୍ଲୀରେ ବିଜେପି ତାଙ୍କ ସରକାର ଭାଙ୍ଗିବାକୁ ପ୍ରୟାସ କରୁଛି । ତାଙ୍କ ଦଳର ୭ ଜଣ ବିଧାୟକଙ୍କୁ କିଣିବାକୁ ପ୍ରୟାସ କରୁଛି । ବିଜେପି ଏହି ବିଧାୟକମାନଙ୍କୁ ୨୫ କୋଟି ଟଙ୍କା ଲେଖାଏଁ ଦେବାକୁ ପ୍ରଲୋଭିତ କରିଛି । ଅରବିନ୍ଦ କେଜ୍ରିୱାଲ ଗିରଫ ହେବେ । ଏହାପରେ ଦିଲ୍ଲୀରେ ଆମ ଆଦମୀ ପାର୍ଟି ସରକାର ଭାଙ୍ଗିଯିବାର ଭୟ ଦେଖାଇ ଏବଂ ୨୫ କୋଟି ଟଙ୍କା ସହ ନିର୍ବାଚନରେ ଟିକେଟ ଦେବାକୁ ପ୍ରଲୋଭିତ କରି ବିଜେପି ବିଧାୟକମାନଙ୍କୁ କିଣିବାକୁ ଚକ୍ରାନ୍ତ କରୁଛି । ପୂର୍ବରୁ ମଧ୍ୟ ବିଜେପି ଏହି ଯୋଜନା କରିଥିଲା, ହେଲେ ସଫଳ ହୋଇନଥିଲା । ଆପ୍ ମନ୍ତ୍ରୀ ଅତିଶି ମଧ୍ୟ ସମାନ ଅଭିଯୋଗ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.