ETV Bharat / politics

ଗଞ୍ଜାମ ଦଖଲ ପାଇଁ ଅଣ୍ଟା ଭିଡ଼ିଲା ବିଜେଡି; ନବୀନ ନିବାସରେ ପ୍ରସ୍ତୁତ ହେଲା ବ୍ଲ୍ୟୁ-ପ୍ରିଣ୍ଟ - Bjd Meeting At Naveen Niwas

author img

By ETV Bharat Odisha Team

Published : Mar 21, 2024, 9:05 PM IST

Bjd Meeting At Naveen Niwas:ଗଞ୍ଜାମ ଦଖଲ ପାଇଁ ନବୀନ ନିବାସରେ ବସିଲା ଗୁପ୍ତ ବୈଠକ । ବ୍ରହ୍ମପୁର ଏବଂ ଆସିକା ଲୋକସଭା କ୍ଷେତ୍ରରେ ପୁଣି କିଭଳି ଶଙ୍ଖ ବାଜିବ ସେନେଇ ହେଲା ଆଲୋଚନା । ଅଧିକ ପଢନ୍ତୁ

ଗଞ୍ଜାମ ଦଖଲ ପାଇଁ ଅଣ୍ଟା ଭିଡ଼ିଲା ବିଜେଡି; ନବୀନ ନିବାସରେ ପ୍ରସ୍ତୁତ ହେଲା ବ୍ଲ୍ୟୁ-ପ୍ରିଣ୍ଟ
ଗଞ୍ଜାମ ଦଖଲ ପାଇଁ ଅଣ୍ଟା ଭିଡ଼ିଲା ବିଜେଡି; ନବୀନ ନିବାସରେ ପ୍ରସ୍ତୁତ ହେଲା ବ୍ଲ୍ୟୁ-ପ୍ରିଣ୍ଟ

ଗଞ୍ଜାମ ଦଖଲ ପାଇଁ ଅଣ୍ଟା ଭିଡ଼ିଲା ବିଜେଡି; ନବୀନ ନିବାସରେ ପ୍ରସ୍ତୁତ ହେଲା ବ୍ଲ୍ୟୁ-ପ୍ରିଣ୍ଟ

ବ୍ରହ୍ମପୁର:ମେଣ୍ଟ ଚର୍ଚ୍ଚା ଭିତରେ ଜାରି ରହିଛି ବିଜେଡିର ନିର୍ବାଚନୀ କସରତ । ସଂଗଠନ ସଜାଡ଼ିବା ସହ ନେତା ଓ କର୍ମୀଙ୍କୁ ସକ୍ରିୟ କରୁଛି ଦଳ । ବିଭିନ୍ନ ସଂସଦୀୟ କ୍ଷେତ୍ରର ନେତାଙ୍କୁ ନବୀନ ନିବାସ ଡାକି ଦଳ ପକ୍ଷରୁ ହେଉଛି ଆଲୋଚନା । ଏହି କ୍ରମରେ ଆଜି (ଗୁରୁବାର) ଅନୁଷ୍ଠିତ ହୋଇଛି ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଦୁଇ ସଂସଦୀୟ କ୍ଷେତ୍ରର ସମୀକ୍ଷା ବୈଠକ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଦଳୀୟ ନେତାଙ୍କ ସହ ଆଲୋଚନା କରି ମାର୍ଗଦର୍ଶନ ଦେଇଛନ୍ତି ।

ନବୀନ ନିବାସରେ ଆଜି ଦିନ ବିଜେଡି ପକ୍ଷରୁ ଗଞ୍ଜାମ ଜିଲ୍ଲାର ଦୁଇ ସଂସଦୀୟ କ୍ଷେତ୍ରର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ବ୍ରହ୍ମପୁର ଓ ଆସ୍କା ଲୋକସଭା କ୍ଷେତ୍ରର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ପ୍ରଥମେ ବ୍ରହ୍ମପୁର ଲୋକସଭା କ୍ଷେତ୍ରର ସମୀକ୍ଷା କରାଯାଇଛି । ଏଥିରେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ବରିଷ୍ଠ ନେତା ଓ ପର୍ଯ୍ୟବେକ୍ଷକ ଉପସ୍ଥିତ ଅଛନ୍ତି । ଗଞ୍ଜାମ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଦୀପ କୁମାର ଅମାତ, ଗଜପତି ଜିଲ୍ଲା ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ, ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ମାନସ ରଞ୍ଜନ ମଙ୍ଗରାଜ, ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ରମେଶ ଚ୍ୟାଉ ପଟ୍ଟନାୟକ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଚିକିଟି ବିଧାୟିକା ଉଷା ଦେବୀ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଛତ୍ରପୁର ବିଧାୟକ ସୁବାସ ବେହେରା ଓ ବିପ୍ଳବ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ ରହିଛି ଛତ୍ରପୁର, ଚିକିଟି, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ମୋହନା ଓ ପାରଳାଖେମୁଣ୍ଡି ବିଧାନସଭା କ୍ଷେତ୍ର । ଗତ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ହାତରୁ ୨ଟି ଆସନ ଖସିଥିଲା । ବ୍ରହ୍ମପୁର ଲୋକସଭା କ୍ଷେତ୍ର ଅନ୍ତର୍ଗତ ଗଜପତି ଜିଲ୍ଲାର ମୋହନା ଓ ପାରଳାଖେମୁଣ୍ଡି ଆସନ ଯଥାକ୍ରମେ କଂଗ୍ରେସ ଓ ବିଜେପି ଖାତାକୁ ଯାଇଥିଲା । ମୋହନାରୁ କଂଗ୍ରେସ ବିଧାୟକ ଦାସରଥୀ ଗମାଙ୍ଗ, ପାରଳାଖେମୁଣ୍ଡିରୁ ବିଜେପି କେ ନାରାୟଣ ରାଓ ବିଜୟ ହୋଇଥିଲେ । ନିଜର ବିଜୟ ସିଟ ଓ ଦଳ ହାରିଥିବା ମୋହନା ଓ ପାରଳାଖେମୁଣ୍ଡି ଆସନ ଫେରାଇ ଆଣିବା ଲାଗି ପ୍ରସ୍ତୁତ ହୋଇଛି ରଣନୀତି । ସେହିପରି ଦୁର୍ନୀତି ଅଭିଯୋଗରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡି ଦଳରୁ ତଡିଥିଲା । ବର୍ତ୍ତମାନ ସେ ବିଜେପିରେ ସାମିଲ ହୋଇ ବିଜେଡି ବିରୋଧରେ ରଣହୁଙ୍କାର ଦେଉଛନ୍ତି । ତାଙ୍କ ବିରୋଧରେ ସ୍ୱତନ୍ତ୍ର ରଣନୀତି ଦଳ ପ୍ରସ୍ତୁତ କରୁଛି ।

ଏହା ମଧ୍ୟ ପଢନ୍ତୁୁ......ନବୀନ ନିବାସରେ ନବୀନଙ୍କ ନବରଙ୍ଗପୁରର ନୀଳ ନକ୍ସା

ବ୍ରହ୍ମପୁର ପରେ ଆସ୍କା ଲୋକସଭା କ୍ଷେତ୍ରର ସମୀକ୍ଷା କରିଛନ୍ତି ବିଜେଡି ସୁପ୍ରିମୋ । ବୈଠକରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, କବିସୂର୍ଯ୍ୟନଗର ବିଧାୟକ ଲାତିକା ପ୍ରଧାନ, ଖଲ୍ଲିକୋଟ ବିଧାୟକ ସୂର୍ଯ୍ୟମଣି ବୈଦ, ଆସ୍କା ବିଧାୟକ ମଞ୍ଜୁଳା ସ୍ବାଇଁ, ସୋରଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ ଓ ସାନଖେମୁଣ୍ଡିର ପୂର୍ବତନ ବିଧାୟକ ନନ୍ଦିନୀ ଦେବୀ ପ୍ରମୁଖ ଉପସ୍ଥିତ ଥିଲେ । ଆସ୍କା ଲୋକସଭା କ୍ଷେତ୍ରରେ ରହିଛି ପୋଲସରା, କବିସୂର୍ଯ୍ୟନଗର, ଖଲ୍ଲିକୋଟ, ଆସ୍କା, ସୋରଡା, ସାନଖେମୁଣ୍ଡି ଓ ହିଂଜିଳି ବିଧାନସଭା କ୍ଷେତ୍ର । ବିଜେଡି ହାତରୁ କେବଳ ସାନଖେମୁଣ୍ଡି ଆସନ ଯାଇଥିଲା । ସେହିପରି ବ୍ୟକ୍ତିଗତ ବ୍ୟାପାରକୁ ନେଇ ବିବାଦୀୟ ହୋଇଛନ୍ତି ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ । ଯାହା ବିରୋଧୀଙ୍କୁ ସୁହାଇବାର ସମ୍ଭାବନା ରହିଛି । ତେଣୁ କିଏ କେଉଁ ଆସନରେ ଲଢିବ, କାହକୁ ବାଦ ଦିଆଯିବ, ସେନେଇ ରଣନୀତି ପ୍ରସ୍ତୁତ କରାଯାଉଛି ।

ତେବେ ବୈଠକ ପରେ ଗଜପତି ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଯେ, ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ସମସ୍ତ ବିଧାନସଭା ଆସନରେ ଆଗାମୀ ଦିନରେ କେମିତି ରଣନୀତି ହେବ ପୁଙ୍ଖାନୁପୁଙ୍ଖ ଆଲୋଚନା ହେଲା । ଆଗାମୀ ଦିନରେ ବିଜେଡି ସେ ସମସ୍ତ ଆସନରେ କେମିତି ସଫଳତା ପାଇବ ସେ ନେଇ ଅଲୋଚନା ହୋଇଛି । ସେହିପରି କବିସୂର୍ଯ୍ୟନଗର ବିଧାୟକ ଲାତିକା ପ୍ରଧାନ କହିଛନ୍ତି ଯେ, ଦଳର ସଂଗଠନ ଉପରେ ଆଲୋଚନା ହୋଇଛି । ବିଜୁ ଜନତା ଦଳର କାର୍ଯ୍ୟକ୍ରମ ସାଙ୍ଗଠନିକ ସ୍ଥିତି ସମ୍ପର୍କରେ ଆଲୋଚନା ହୋଇଛି । ମେଣ୍ଟ ନେଇ କୌଣସି ଆଲୋଚନା ହୋଇନଥିବା ବିଧାୟିକା କହିଛନ୍ତି ।


ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.