ETV Bharat / politics

ପ୍ରଚାର ଖର୍ଚ୍ଚ ଦେଲାନି ଦଳ ! ଟିକଟ୍‌ ଫେରାଇଲେ ପୁରୀ କଂଗ୍ରେସ ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି - SUCHARITA MOHANTY RETURNED TICKET

author img

By ETV Bharat Odisha Team

Published : May 4, 2024, 10:36 AM IST

Updated : May 4, 2024, 11:24 AM IST

Sucharita Mohanty returned Puri Lok sabha Congress Ticket : ଦଳୀୟ ଟିକଟ ଫେରାଇଲେ ପୁରୀରୁ କଂଗ୍ରେସ ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି । ଦଳ ନିର୍ବାଚନୀ ପ୍ରଚାର ଖର୍ଚ୍ଚ ଦେଉନଥିବା ଦର୍ଶାଇ ଲଢିବାକୁ ଅସମର୍ଥତା ପ୍ରକାଶ କଲେ । ଅଧିକ ପଢନ୍ତୁ

ଟିକେଟ୍‌ ଫେରାଇଲେ ପୁରୀ କଂଗ୍ରେସ ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି
ଟିକେଟ୍‌ ଫେରାଇଲେ ପୁରୀ କଂଗ୍ରେସ ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି (ଫଟୋ- ଇଟିଭି ଭାରତ)

ଟିକଟ୍‌ ଫେରାଇଲେ ପୁରୀ କଂଗ୍ରେସ ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି (ଭିଡିଓ- ଇଟିଭି ଭାରତ)

ପୁରୀ: ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବା ବେଳେ ଟିକଟ ଖଣ୍ଡେ ପାଇଁ ବିଭିନ୍ନ ରାଜନୈତିକ ଦଳରେ ଆଶାୟୀଙ୍କ ଲବି ଜାରି ରହିଛି । ମାତ୍ର ଟିକଟ ପାଇ ସୁଦ୍ଧା ଫେରାଇ ଦେଇଛନ୍ତି ପୁରୀରୁ କଂଗ୍ରେସର ସାଂସଦ ପ୍ରାର୍ଥୀ ହୋଇଥିବା ସୁଚରିତା ମହାନ୍ତି । ଦଳ ନିର୍ବାଚନୀ ପ୍ରଚାର ଖର୍ଚ୍ଚ ଦେଉନଥିବାରୁ ସେ ନିର୍ବାଚନ ଲଢିବାକୁ ଅସମର୍ଥତା ପ୍ରକାଶ କରି ଏହି ନିଷ୍ପତ୍ତି ଗ୍ରହଣ କରିଥିବା କହିଛନ୍ତି ।

ଟିକଟ୍‌ ଫେରାଇଲେ ପୁରୀ କଂଗ୍ରେସ ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି
ଟିକଟ୍‌ ଫେରାଇଲେ ପୁରୀ କଂଗ୍ରେସ ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି (ଫଟୋ- ଇଟିଭି ଭାରତ)

ସୁଚରିତା, କଂଗ୍ରେସ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଳଙ୍କୁ ଇ-ମେଲରେ ଏହି ନିଷ୍ପତ୍ତି ସମ୍ପର୍କରେ ଜଣାଇଛନ୍ତି । ଏଥିସହିତ କଂଗ୍ରେସ ପାର୍ଟିର ଶୀର୍ଷ ନେତୃତ୍ଵକୁ ସେ ମଧ୍ଯ ଜଣାଇ ସାରିଥିବା ସୂଚନା ମିଳିଛି । ସୁଚରିତା ମେଲରେ ଉଲ୍ଲେଖ କରିଛନ୍ତି, ସେ ଜଣେ ସାଧାରଣ କର୍ମଜୀବୀ ମହିଳା । ତାଙ୍କର ଆୟ ପରିମାଣ ସୀମିତ ରହିଛି । ସେଥିପାଇଁ ସେ ନିର୍ବାଚନ ଲଢ଼ିବାକୁ ଅକ୍ଷମ । ଦଳ ତାଙ୍କୁ ନିର୍ବାଚନ ପ୍ରଚାର ପାଇଁ ଆର୍ଥିକ ସହାୟତା ନଦେଲେ ସେ କିଭଳି ନିର୍ବାଚନ ଲଢ଼ିବେ ବୋଲି ପ୍ରଶ୍ନ କରିଛନ୍ତି ସୁଚରିତା ।

ସୁଚରିତା ଆହୁରି ମଧ୍ୟ କହିଛନ୍ତି, କଂଗ୍ରେସକୁ ସେ ଖୁବ ଭଲପାଆନ୍ତି । କିନ୍ତୁ ବର୍ତ୍ତମାନ ସ୍ଥିତିରେ ବିନା ଆର୍ଥିକ ସହାୟତାରେ ସେ ନିର୍ବାଚନ ଲଢ଼ିବାକୁ ସମ୍ପୂର୍ଣ୍ଣ ଅକ୍ଷମ । ସେହିପରି ପୁରୀ ଲୋକସଭା ଅଧୀନରେ ଥିବା 7ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚଳିତଥର ବହୁତ ଦୁର୍ବଳ ପ୍ରାର୍ଥୀ ଦିଆଯାଇଛି । ଯାହା ଫଳରେ ସେ ଚଳିତ ନିର୍ବାଚନରେ ଲଢେଇ କରିବା ଆଶା ମଧ୍ୟ କରି ପାରୁନାହାନ୍ତି । ଏଣୁ ଏହି ସବୁ ସ୍ଥିତିକୁ ଅନୁଭବ କରି ସେ ଦଳକୁ ଟିକେଟ ଫେରାଇବା ପାଇଁ ନିଷ୍ପତ୍ତି ନେଇଥିବା ‘ଇଟିଭି ଭାରତ’କୁ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ମୟୂରଭଞ୍ଜରେ ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ - Trivendra Singh Rawat at Rairangpur

ସୁଚରିତା ଗତ ଦୁଇଦିନ ତଳେ ଲୋକଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଆର୍ଥିକ ସହାୟତା ନିବେଦନ କରି ଚର୍ଚ୍ଚାକୁ ଆସିଥିଲେ । ସେ ସହାୟତା ରାଶି ସଂଗ୍ରହ ପାଇଁ ସୋସିଆଲ ମିଡିଆରେ ମଧ୍ୟ ଏକ କ୍ୟୁଆର-କୋଡ ସେୟାର କରିଥଲେ । ହେଲେ ଏହି ନିବେଦନ ଲୋକଙ୍କ ଦ୍ଵାରା ଗ୍ରହଣୀୟ ନହେବାରୁ ସେ ଟିକେଟ ଫେରାଇବା ନିଷ୍ପତ୍ତି ନେଇଥିବା ସୁଚରିତା କହିଛନ୍ତି । ସୁଚରିତା ଏହି ନିଷ୍ପତ୍ତି ସମ୍ପର୍କରେ କଂଗ୍ରେସ ପକ୍ଷରୁ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନି । ଦଳ ତାଙ୍କୁ ନିଷ୍ପତ୍ତି ପରିବର୍ତ୍ତନ କରିବା ପାଇଁ ନିବେଦନ ମଧ୍ୟ କରିପାରେ । ଏବେ ପୁରୀରେ କଂଗ୍ରେସ କେମିତି ସ୍ଥିତି ନିୟନ୍ତ୍ରଣ କରିବ ଓ କ’ଣ ନିଷ୍ପତ୍ତି ନେବ, ତା ଉପରେ ନଜର ରହିଛି ।

ଇଟିଭି ଭାରତ, ପୁରୀ

Last Updated : May 4, 2024, 11:24 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.