ETV Bharat / politics

ପିପିଲିରେ ନିର୍ବାଚନୀ ହିଂସା: ତିନି ଗୁରୁତର, ତଦନ୍ତ ଦାବିରେ ଥାନା ଘେରାଉ - Pre Election violence

author img

By ETV Bharat Odisha Team

Published : May 24, 2024, 9:12 AM IST

Election violence in Pipili: ପିପିଲିରେ ନିର୍ବାଚନୀ ହିଂସା ଅଭିଯୋଗ । ୩ ଗୁରୁତର ।କାର୍ଯ୍ୟାନୁଷ୍ଠାନ ଦାବିରେ ଥାନା ଘେରାଉ କଲା ବିଜେପି । ଅଧିକ ପଢନ୍ତୁ ।

Election violence in Pipili
Election violence in Pipili (ETV Bharat Odisha)

ନିମାପଡା: ପିପିଲିରେ ନିର୍ବାଚନୀ ହିଂସା ଅଭିଯୋଗ । ପୁରୀ ଜିଲ୍ଲା ପିପିଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସହଜପୁର ପଞ୍ଚାୟତରେ ଗୁରୁବାର ରାତିରେ ନିର୍ବାଚନୀ ହିଂସା ଘଟିଥିବା ଅଭିଯୋଗ ହୋଇଛି । ଏହି ଆକ୍ରମଣରେ ୩ ଜଣ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପି ପକ୍ଷରୁ ଥାନା ଘେରାଉ କରାଯାଇଛି ।

Election violence in Pipili (ETV Bharat Odisha)

ଗୁରୁବାର ବିଳମ୍ବିତ ରାତିରେ ବିଜେଡି କର୍ମୀଙ୍କ ଆକ୍ରମଣରେ ବିଜେପିର ମଙ୍ଗଳପୁର ପଞ୍ଚାୟତ ସମିତି ସଭ୍ୟ ଗଦାଧର ପରିଡାଙ୍କ ସମେତ ଅନ୍ୟ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି l ଗଦାଧରଙ୍କ ଡାହାଣ ଗୋଡ ଭାଙ୍ଗିଥିବା ବେଳେ ଅନ୍ୟ ଜଣଙ୍କର ହାତ ଭାଙ୍ଗିଛି l ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ପ୍ରଥମେ ମଙ୍ଗଳପୁର ଓ ପରେ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି l ଏହାକୁ ନେଇ ପିପିଲିରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଛି l ଅଭିଯୁକ୍ତକୁ ଗିରଫ କରିବା ଦାବିରେ ବିଜେପିର ବିଧାୟକ ପ୍ରାର୍ଥୀ ତଥା ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକଙ୍କ ସମେତ ଶତାଧିକ ବିଜେପି କର୍ମୀ ପିପିଲି ଥାନାକୁ ଘେରାଉ କରି ପ୍ରତିବାଦ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ.. ନିର୍ବାଚନ ବେଳେ ଗଞ୍ଜାମରେ ହିଂସାକାଣ୍ଡ, ୨୫ ଗିରଫ - Poll Violence

ଅଭିଯୋଗ ଅନୁଯାୟୀ, ଗୁରୁବାର ରାତି ପ୍ରାୟ ୧୧ଟା ସମୟରେ ସୁହାଗପୁର ଗ୍ରାମର ଆଦିତ୍ୟ ପ୍ରସାଦ ପାଣିଙ୍କ ଘର ଉପରକୁ କିଛି ଲୋକ ଟେକା ପଥର ପକାଇ ଭୟଭୀତ କରୁଥିଲେ । ଏନେଇ ଘର ଲୋକ ପୋଲିସକୁ ଜଣାଇଥିଲେ ମଧ୍ୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚିବାରେ ବିଳମ୍ବ ହେବାରୁ ୫ରୁ ୬ଜଣ ସମର୍ଥକମାନଙ୍କୁ ସାଙ୍ଗରେ ନେଇ ପଡୋଶୀ ମଙ୍ଗଳପୁରର ସମିତି ସଭ୍ୟ ଗଦାଧର ପରିଡ଼ା ବାଇକ ଯୋଗେ ସହଜପୁରକୁ ଯାଉଥିବା ସମୟରେ ସେଠାରେ ବିଜେଡି ସମର୍ଥିତ ପୂର୍ବତନ ସରପଞ୍ଚ ଓ ବର୍ତ୍ତମାନ ସରପଞ୍ଚଙ୍କ ପ୍ରତିନିଧି ଓ ତାଙ୍କର ସମର୍ଥକମାନେ ଏମାନଙ୍କୁ ଗୋଡାଇ ଗୋଡାଇ ମରଣାନ୍ତକ ଆକ୍ରମଣ କରିଥିଲେ ।

ଏଥିରେ ଗଦାଧରଙ୍କ ଡାହାଣ ଗୋଡ ଭାଙ୍ଗିଥିବା ବେଳେ ସଞ୍ଜୟ ପଣ୍ଡାଙ୍କ ହାତ ଓ ମୁଣ୍ଡରେ ଗୁରୁତର ଆଘାତ ଲାଗିଛି l ଅନ୍ୟ ଜଣେ ମଧ୍ଯ ଆହତ ହୋଇଥିବା ସୂଚନା ମିଳିଛି l ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଲାଗି ରହିଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିବା ବେଳେ ଗ୍ରାମରେ ପୋଲିସ ମୁତୟନ ରହିଛନ୍ତି l ଅଭିଯୁକ୍ତକୁ ଗିରଫ ଦାବି କରି ପିପିଲି ଥାନା ସମ୍ମୁଖରେ ପ୍ରାୟ ଦୁଇ ଘଣ୍ଟା ଧାରଣା ଦେଇଥିଲେ ବିଜେପି କର୍ମୀ । ରାତି ସାଢେ ଦୁଇଟାରେ ଏନେଇ ପୁଲିସରେ ଅଭିଯୋଗ କରାଯାଇଥିବା ବେଳେ ଆନ୍ଦୋଳନକାରୀଙ୍କୁ ପୁଲିସ ବୁଝାସୁଝା କରିବା ସହ ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାର ପ୍ରତିଶ୍ରୁତି ଦେବା ପରେ ଧାରଣା ହଟିଥିଲା ।

ସେପଟେ ଅଭିଯୋଗକୁ ଭିତ୍ତିକରି ପିପିଲି ପୋଲିସ ଏକ ମାମଲା ରୁଜୁ କରିଥିବା ବେଳେ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପିପିଲି ଏସଡିପିଓ ବିରଞ୍ଚି ପତି କହିଛନ୍ତି ।

ଇଟିଭି ଭାରତ, ନିମାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.