ETV Bharat / politics

‘ଓଡ଼ିଶାରେ ନୂଆ ସରକାର ପାଇଁ ଲୋକମାନଙ୍କ ଆଗ୍ରହ ପ୍ରକାଶ ପାଇଛି’ - BJP CLAIMS TO FORM GOVT

author img

By ETV Bharat Odisha Team

Published : May 27, 2024, 2:21 PM IST

BJP CLAIMS TO FORM GOVT: ଓଡ଼ିଶାରେ ନୂଆ ସରକାର ଗଠନ କରିବା ପାଇଁ ଲୋକମାନଙ୍କ ଆଗ୍ରହ ପ୍ରକାଶ ପାଇଛି । 2024 ରେ ଓଡ଼ିଶାରେ ପ୍ରଥମ ଥର ବିଜେପି ସରକାର କରିବ । ପ୍ରେସମିଟରେ ବିଜେଡି ଉପରେ ବର୍ଷିବା ସହ ଦମ୍ଭୋକ୍ତି ଦୋହରାଇଲେ ପ୍ରଦୀପ । ଅଧିକ ପଢନ୍ତୁ

ଓଡ଼ିଶାରେ ନୁଆ ସରକାର କରିବା ପାଇଁ ଲୋକମାନଙ୍କ ଆଗ୍ରହ ପ୍ରକାଶ ପାଇଛି
ଓଡ଼ିଶାରେ ନୁଆ ସରକାର କରିବା ପାଇଁ ଲୋକମାନଙ୍କ ଆଗ୍ରହ ପ୍ରକାଶ ପାଇଛି (ETV Bharat Odisha)

ଭୁବନେଶ୍ବର: ଓଡ଼ିଶାରେ ନୁଆ ସରକାର କରିବା ପାଇଁ ଲୋକମାନଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଇଛି । ଚଳିତଥର (2024)ରେ ରାଜ୍ୟରେ ପ୍ରଥମଥର ବିଜେପି ସରକାର କରିବାକୁ ଯାଉଛି । ରାଜ୍ୟରେ ବିଜେଡି ଶାସନ ଏକ୍ସପାଏରୀ ହୋଇଯାଇଛି । ନିଜେ ପ୍ରଧାନମନ୍ତ୍ରୀ ବିଜେପି ସରକାରର ଶପଥ ତାରିଖ ଘୋଷଣା କରିଛନ୍ତି । ଓଡିଆ ଜାଣିଥିବା, ଓଡିଶାର ଭାଷା, ସଂସ୍କୃତି ଜାଣିଥିବା ଜଣେ ବରିଷ୍ଠ ବିଜେପି ନେତା ହିଁ ଓଡିଶାର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ବୋଲି କହିଛନ୍ତି ରାଜ୍ୟ ବିଜେପିର ବରିଷ୍ଠ ନେତା ତଥା ଚଳିତଥରର ବରଗଡ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ପ୍ରଦୀପ ପୁରୋହିତ ।

ଓଡ଼ିଶାରେ ନୁଆ ସରକାର କରିବା ପାଇଁ ଲୋକମାନଙ୍କ ଆଗ୍ରହ ପ୍ରକାଶ ପାଇଛି (ETV Bharat Odisha)

ଆଜି (ସୋମବାର) ରାଜଧାନୀରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବରଗଡ଼ ସାଂସଦ ପ୍ରାର୍ଥୀ ପ୍ରଦୀପ ପୁରୋହିତ ସାମ୍ବାଦିକ ସମ୍ମିଳନୀ କରି ତମାମ ପ୍ରସଙ୍ଗରେ ବିଜେଡି ସରକାର ଉପରେ ବର୍ଷିଛନ୍ତି । କହିଛନ୍ତି, ଓଡ଼ିଶାରେ ନୂଆ ସରକାର କରିବା ପାଇଁ ଲୋକମାନଙ୍କ ଆଗ୍ରହ ପ୍ରକାଶ ପାଇଛି । 2024ରେ ଓଡ଼ିଶାରେ ପ୍ରଥମ ଥର ବିଜେପି ସରକାର କରିବା ପରେ ଚାଷୀମାନଙ୍କ ପାଇଁ ସଂକଳ୍ପ ପୂରଣ କରିବ । ଧାନର ସର୍ବନିମ୍ନ ମୂଲ୍ଯ 3100 ଟଙ୍କା ହେବ ।



ଆହୁରି ମଧ୍ୟ ସେ କହିଛନ୍ତି, ‘‘ନବୀନ ସରକାର ଚାଷୀ ବିରୋଧୀ । କେବଳ ଚାଷୀ ଭୋଟ ବ୍ୟାଙ୍କ ରାଜନୀତି କରୁଛନ୍ତି ନବୀନ । ବିଜେଡି ଧୋକା ଏବଂ ପ୍ରତାରଣା ଦେବାରେ ଏକ ନମ୍ବର ଦଳ । ନବୀନ ବାବୁ 24 ବର୍ଷ ଚାଷୀଙ୍କ ଆୟ ବଢ଼େଇ ପାରିଲାନି । ଚାଷୀ ଆୟରେ ତଳଆଡୁ ଦ୍ବିତୀୟ ଓଡିଶା । କାଳିଆ ଯୋଜନାରେ 10 ହଜାର ଦେବେ କହି ସରକାରକୁ ଆସିଲେ ହେଲେ ଏବେ 4 ହଜାର ଦେଇ ବିଶ୍ୱାସଘାତକତା କଲେ ସୋହେଲା ସମାବେଶରେ କହିଲେ 100 ଟଙ୍କା କ୍ୱିଣ୍ଟାଲ ପିଛା ବୋନସ ଦେବେ । ହେଲେ ଏଠି ବି ବିଶ୍ୱାସ ଘାତକତା କଲେ । ବିଜେଡି ପୁଣି 24 ନିର୍ବାଚନରେ ଚାଷୀଙ୍କୁ ପ୍ରଭାବିତ କରିବାକୁ ଝିଅ ବାହାଘର ପାଇଁ 25 ହଜାର ଟଙ୍କା ଦେବାକୁ କହିଛନ୍ତି । 19 ନର୍ବାଚନ ପୂର୍ବରୁ ସାମାନ ପ୍ରତିଶ୍ରୁତି ଦେଇଥିଲେ, ହେଲେ କାହିଁକି ପୂରଣ କଲେନି ତାର ଉତ୍ତର ଓଡିଶାବାସୀଙ୍କୁ ଦିଅନ୍ତୁ ।’’

ଏହା ମଧ୍ୟ ପଢନ୍ତୁ:- ଲ୍ୟାଣ୍ଡଫଲ ପରେ ଦୁର୍ବଳ ହେଲା ବାତ୍ୟା ‘ରେମାଲ’; ପଶ୍ଚିମବଙ୍ଗ ସର୍ବାଧିକ ପ୍ରଭାବିତ, ଜଣେ ମୃତ - LANDFALL OF CYCLONE REMAL



ବିଜେପି ସରକାର ଗଠନ କଲେ ଚାଷୀଙ୍କ ପାଇଁ ଯେଉଁ ସଂକଳ୍ପ ଘୋଷାଣା କରିଛି ତାକୁ ପୂରଣ କରିବ । ଦଳ ସରକାରକୁ ଆସିଲେ ଚାଷୀଙ୍କ ଆୟ କେମିତି ଦୁଇଗୁଣା ହେବ ସେ ପ୍ରତିଶ୍ରୁତି ପୂରଣ କରିବ । 48 ଘଣ୍ଟା ଭିତରେ ଚାଷୀ ଆକାଉଣ୍ଟକୁ ଧାନ ବିକ୍ରି ଟଙ୍କା ଆସିବ । କଟଣୀ ଛଟଣୀ ବନ୍ଦ କରାଯିବ । ସେହିପରି ମତ୍ସ୍ୟଜୀବୀଙ୍କୁ ଅଣଉତ୍ପାଦନ ସମୟରେ 10 ହଜାର ଆର୍ଥିକ ସହାୟତା ଦିଆଯିବ । ବିଜେଡି ସମୟରେ 200 ଶୀତଳ ଭଣ୍ଡାର ବନ୍ଦ ହୋଇଯାଇଛି।ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ମଧ୍ୟ ଶୀତଳ ଭଣ୍ଡାର ବନ୍ଦ ହୋଇପଡିଛି। ବିଜେପି ସରକାରକୁ ଆସିଲେ ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ଖୋଲିବ। ‘ପ୍ରଧାନମନ୍ତ୍ରୀ କୃଷି ସମ୍ମାନ ନିଧି ଯୋଜନା’ରେ ମୋଦି ସରକାର 9,252 କୋଟି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପଠାଇଛନ୍ତି । କେନ୍ଦ୍ରୀୟ ଯୋଜନାରେ 94.722 ହେକ୍ଟର ଜମି ଜଳସେଚିତ କରିଛନ୍ତି । ରାଜ୍ୟର ବିଭିନ୍ନ ଜଳସେଚନ ପ୍ରକଳ୍ପ ପାଇଁ 1,200 କୋଟି ଦେଇଛନ୍ତି କେନ୍ଦ୍ର ସରକାର । ସମ୍ବଲପୁରରେ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବ ବିଜେପି । ଏହାସହିତ ଗୋହତ୍ୟା ବିରୋଧୀ ଆଇନ ମଧ୍ୟ ବିଜେପି ସରକାର ଆଣିବ ବୋଲି ପ୍ରଦୀପ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.