ETV Bharat / politics

ଓଡ଼ିଶା ତୃତୀୟ ପର୍ଯ୍ୟାୟରେ କିଏ ହିରୋ, କିଏ ଜିରୋ ! ସମ୍ବଲପୁରରେ ପୁଣି ଫୁଟିବ କି ପଦ୍ମ, ପୁରୀରେ ହେବ କି ପରିବର୍ତ୍ତନ, ୬ ଆସନରୁ ଶଙ୍ଖକୁ କେତେ ? - ODISHA THIRD PHASE FIGHT

author img

By ETV Bharat Odisha Team

Published : May 24, 2024, 4:42 PM IST

Updated : May 24, 2024, 4:59 PM IST

Third phase voting in Odisha: ଶନିବାର ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ । ରାଜଧାନୀ ଭୁବନେଶ୍ବର, କଟକ, ପୁରୀ, ସମ୍ବଲପୁର, ଢେଙ୍କାନାଳ ଓ କେନ୍ଦୁଝରରେ ହେବ ଭୋଟିଂ । ମୈଦାନରେ ଧର୍ମେନ୍ଦ୍ର, ବବି, ଅପରାଜିତା ଓ ଭର୍ତ୍ତୃହରିଙ୍କ ପରି ହେଭିଓ୍ବେଟ । ଅଧିକ ପଢନ୍ତୁ

ରାତି ପାହିଲେ ଥାର୍ଡ ଫେଜ ଫାଇଟ
ରାତି ପାହିଲେ ଥାର୍ଡ ଫେଜ ଫାଇଟ (ETV Bharat Odisha)

ହାଇଦ୍ରାବାଦ/ଭୁବନେଶ୍ବର: ରାଜ୍ୟରେ ଗତ ଦୁଇଟି ପର୍ଯ୍ୟାୟରେ 9ଟି ଲୋକସଭା ଆସନରେ ଭୋଟିଂ ଶେଷ ହୋଇଛି । ଆସନ୍ତାକାଲି (ଶନିବାର,25 ତାରିଖ)ରେ ତୃତୀୟ ପର୍ଯ୍ୟାୟରେ 6 ଆସନରେ ଭୋଟିଂ ହେବାକୁ ଯାଉଛି । ତେବେ ପୂର୍ବ ଦୁଇ ପର୍ଯ୍ୟାୟ ଠାରୁ ଅଧିକ ଚିତାକର୍ଷକ ଓ ସମ୍ମାନର ଲଢେଇ ଦେଖିବାକୁ ଯାଉଛି ଏହି ପର୍ଯ୍ୟାୟ । କାରଣ ରାଜ୍ୟ ରାଜଧାନୀ ଭୁବନେଶ୍ବରରୁ ନେଇ ପଶ୍ଚିମ ଓଡିଶାର ଚର୍ଚ୍ଚିତ ଆସନ ସମ୍ବଲପୁର, ପୁରୁଣା ରାଜଧାନୀ କଟକ ଓ ରାଜ୍ୟର ଆଧ୍ୟାତ୍ମିକ ପ୍ରାଣକେନ୍ଦ୍ର ପୁରୀରେ ଏହି ପର୍ଯ୍ୟାୟରେ ଭୋଟ ହେବାକୁ ଯାଉଛି । ଏହି ସମସ୍ତ ଆସନରେ ବିଜେଡି ଓ ବିଜେପି ମଧ୍ୟରେ ସିଧା ଓ ‘କର ବା ମର’ର ଲଢେଇ ହେଉଛି । ଦୁଇ ଦଳ ଅନେକ ପ୍ରମୁଖ ନେତାଙ୍କୁ ଗ୍ରାଉଣ୍ଡକୁ ଓହ୍ଲାଇଛନ୍ତି । ହାଇପ୍ରୋଫାଇଲ ଆସନକୁ ହେଭିଓ୍ବେଟ ପ୍ରାର୍ଥୀଙ୍କୁ ନେଇ ଏହି ପର୍ଯ୍ୟାୟ ଚଳିତ ନିର୍ବାଚନର ସବୁଠୁ ତୀବ୍ର ପ୍ରତିଦ୍ବନ୍ଦ୍ବିତାମୂଳକ ହେବାକୁ ଯାଉଛି ।

ଥାର୍ଡ ଫେଜ ଫାଇଟ (ETV Bharat Odisha)

ଏହି ପର୍ଯ୍ୟାୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ଦାସ ଓରଫ ବବି, ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ, ବିଜେଡିରୁ ଇସ୍ତଫା ଦେଇ ପଦ୍ମ ଧରିଥିବା ବରିଷ୍ଠ ରାଜନେତା ତଥା ଦୀର୍ଘ 6 ଥରର ସାଂସଦ ଭର୍ତ୍ତୃହରି ମହତାବ, ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ଅରୂପ ପଟ୍ଟନାୟକ ପ୍ରମୁଖ ଗ୍ରାଉଣ୍ଡରେ ରହିଛନ୍ତି । ଭୁବନେଶ୍ବର, ପୁରୀ, କଟକ ଓ ସମ୍ବଲପୁର ପରି ହାଇ ପ୍ରୋଫାଇଲ ଆସନରେ ବହୁ ବରିଷ୍ଠ ନେତାଙ୍କ ସହ ଏଥର ନବାଗତଙ୍କ ଫାଇଟ ମଧ୍ୟ ହେଉଛି । ତେବେ ଉଭୟ ଦଳ ବିଜେପି ଓ ବିଜେଡି ପାଇଁ ଏହି ସମସ୍ତ 6 ଆସନ ରାଜନୈତିକ ପତିଆରା ଓ ସମ୍ମାନ ଦୃଷ୍ଟିରୁ ବେଶ ଆହ୍ବାନପୂର୍ଣ୍ଣ ରହିଛି ।

ସମ୍ବଲପୁର ଲୋକସଭା ଆସନ:

ରାତି ପାହିଲେ ଥାର୍ଡ ଫେଜ ଫାଇଟ
ରାତି ପାହିଲେ ଥାର୍ଡ ଫେଜ ଫାଇଟ (ETV Bharat Odisha)

ପଶ୍ଚିମ ଓଡିଶାର ମୁଖ୍ୟ ସହର ସମ୍ବଲପୁର ସଂସଦୀୟ କ୍ଷେତ୍ର ଚଳିତ ନିର୍ବାଚନରେ ସର୍ବାଧିକ ଚର୍ଚ୍ଚାରେ ରହିଛି । କାରଣ ଗତଥର ବିଜେପି ଦଖଲରେ ଥିବା ଏହି ଆସନରେ ଦଳର ରାଜ୍ୟର ବଡ ଚେହେରା କୁହାଯାଉଥିବା ତଥା କେନ୍ଦ୍ରରେ ମୋଦି କ୍ୟାବିନେଟରେ ଏକାଧିକ ଗୁରୁ ମନ୍ତ୍ରଣାଳୟ ସମ୍ଭାଳିଥିବା ଧର୍ମେନ୍ଦ୍ର ପ୍ରଧାନ ଏଥର ନିର୍ବାଚନ ଲଢୁଛନ୍ତି । ପ୍ରାୟ ଦଶନ୍ଧି ପରେ ଲୋକସଭା ଲଢେଇକୁ ଓହ୍ଲାଇଥିବା ଧର୍ମେନ୍ଦ୍ରଙ୍କ ବିରୋଧରେ ବିଜେଡି ମଧ୍ୟ ଟାଣୁଆ ପ୍ରାର୍ଥୀ ଲଢେଇବାର କୌଣସି ଅବସର ଛାଡିନି । ଦଳର ପାଓ୍ବାରଫୁଲ ନେତା କୁହାଯାଉଥିବା ତଥା ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଧର୍ମେନ୍ଦ୍ରଙ୍କ ବିରୋଧରେ ମୁକାବିଲା କରୁଛନ୍ତି । ଏହା ବବିଙ୍କ ପ୍ରଥମ ସଂସଦୀୟ ମୁକାବିଲା ହେବାକୁ ଯାଉଛି । ହେଲେ ଉପକୂଳର ନେତା ବବି ପଶ୍ଚିମରେ ଧରେନ୍ଦ୍ରଙ୍କୁ କିପରି ମାତ ଦେବେ ତାହା ସମୟ କହିବ । ତଥାପି ଏହି ଆସନରେ ଉଭୟ ଦଳର ପ୍ରଭାବ ଓ ସ୍ଥିତି ବେଶ ଭଲ ଥିବାରୁ ଏକ ଚିତାକର୍ଷକ ଲଢେଇ ସ୍ପଷ୍ଟ । ଏହି ଆସନ ଉଭୟ ବିଜେପି ଓ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ସାଜିଛି । ଅନ୍ୟପଟେ କଂଗ୍ରେସ ମୁଖ୍ୟ ପ୍ରତିଦ୍ବନ୍ଦ୍ବିତାରେ ନାହିଁ କହିଲେ ମଧ୍ୟ ଅତୁକ୍ତି ହେବ ନାହିଁ । ଦଳ ଏଥର ନଗେନ୍ଦ୍ର ପ୍ରଧାନଙ୍କୁ ନିର୍ବାଚନୀ ରଣାଙ୍ଗନରେ ଯୋଦ୍ଧା ସଜାଇଛି । ହେଲେ ସିଧା ଟକ୍କର ଧର୍ମେନ୍ଦ୍ର ଓ ବବିଙ୍କ ମଧ୍ୟରେ ହେଉଛି ।

ଭୁବନେଶ୍ବର ଲୋକସଭା ଆସନ:

ଥାର୍ଡ ଫେଜ ଫାଇଟ
ଥାର୍ଡ ଫେଜ ଫାଇଟ (ETV Bharat Odisha)

ଗତଥର ବିଜେପି ଦଖଲରେ ଥିବା ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ଏଥର ମଧ୍ୟ କଡା ଫାଇଟ । ସାଂସଦ ଅପରାଜିତାଙ୍କୁ ବିଜେପି ପୁଣି ଥରେ ପ୍ରାର୍ଥୀ କରିଥିବା ବେଳେ ବିଜେଡି ବରିଷ୍ଠ ପୂର୍ବତନ କଂଗ୍ରେସ ନେତା ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟଙ୍କୁ ପ୍ରାର୍ଥୀ କରିଛି । ଭାରତୀୟ ପ୍ରଶାସନିକ ସେବାରୁ ଆସି ରାଜନୀତିରେ ପ୍ରବେଶ କରି ସାଂସଦ ହୋଇଥିବା ଅପରାଜିତାଙ୍କୁ ଟକ୍କର ଦେଉଛନ୍ତି ପାଇଲଟରୁ ରାଜନୀତିରେ ଲ୍ୟାଣ୍ଡିଂ କରିଥିବା ତରୁଣ ମନ୍ମଥ । ଗତଥର ଏହି ଆସନରେ ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟଙ୍କ ଠାରୁ ମାତ୍ର କିଛି ବ୍ୟବଧାନରେ ବିଜୟୀ ହୋଇଥିଲେ ଅପରାଜିତା । ତେଣୁ ଏଥର ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ବାପା ତଥା କଂଗ୍ରେସର ପୂର୍ବତନ ଟାଣୁଆ ନେତା ସୁର ରାଉତରାୟଙ୍କ ପକେଟ ଭୋଟ ଭୁବନେଶ୍ବର ସଂସଦୀୟ ରାଜନୀତି ଗଣିତକୁ ପ୍ରଭାବିତ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ସୁରଙ୍କ ଭୋଟ ଓ ବିଜେଡିର ଦଳୀୟ ଭୋଟ ମନ୍ମଥଙ୍କୁ ଅପରାଜିତାଙ୍କ ବିରୋଧରେ ବିଜୟୀ କରିବ ବୋଲି ବିଜେଡି ଆଶା ବାନ୍ଧିଥିବା ବେଳେ ଅପରାଜିତା ମଧ୍ୟ ପୂର୍ବ ବିଜୟ ଧାରା ବଜାୟ ରଖିବାକୁ ଆଶାବାଦୀ । ପ୍ରଧାନମନ୍ତ୍ରୀ ମୋଦି, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ପ୍ରମୁଖ ମଧ୍ୟ ରାଜଧାନୀରେ ରୋଡ ସୋ କରି ଅପରାଜିତାଙ୍କ ପାଇଁ ଭୋଟ ମାଗିଛନ୍ତି । ଅନ୍ୟପଟେ କଂଗ୍ରେସ ଏଥର ଯୁବ ଚେହେରା ୟାସିର ନଓ୍ବାଜଙ୍କୁ ନିର୍ବାଚନ ଲଢାଉଛି । ୟାସିର ଏବେ ଛାତ୍ର କଂଗ୍ରେସ ରାଜ୍ୟ ସଭାପତି ରହିଛନ୍ତି ।

ପୁରୀ ଲୋକସଭା ଆସନ:

ଥାର୍ଡ ଫେଜ ଫାଇଟ
ଥାର୍ଡ ଫେଜ ଫାଇଟ (ETV Bharat Odisha)

ରାଜ୍ୟର ଆଧ୍ୟାତ୍ମିକ ରାଜଧାନୀ ପୁରୀ ଏହି ପର୍ଯ୍ୟାୟରେ ଭୋଟ ଦେବାକୁ ଯାଉଛି । ଗତଥର ଏହି ଆସନ ବିଜେଡି ଖାତାରେ ଥିବା ବେଳେ ଦଳ କିନ୍ତୁ ଏଥର ପ୍ରାର୍ଥୀ ପରିବର୍ତ୍ତନ କରିଛି । ଏଥର ଓକିଲଙ୍କ ସ୍ଥାନ ନେଇଛନ୍ତି ପୋଲିସ । ବର୍ତ୍ତମାନର ସାଂସଦ ପିନାକୀ ମିଶ୍ରଙ୍କ ସ୍ଥାନରେ ଗତଥର ଭୁବନେଶ୍ବରର ଆସନରୁ ପରାଜିତ ହୋଇଥିବା ପୂର୍ବ ଆଇପିଏସ ଅଧିକାରୀ ଅରୂପ ପଟ୍ଟନାୟକଙ୍କୁ ଦଳ ପ୍ରାର୍ଥୀ କରିଛି । ବିଜେପି କିନ୍ତୁ ପ୍ରାର୍ଥୀ ଅପରିବର୍ତ୍ତିତ ରଖିଛି । ଦଳର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ପୂର୍ବଥର ପରି ଏଥର ମଧ୍ୟ ପ୍ରାର୍ଥୀ ହୋଇଛନ୍ତି । ନିଜେ ପ୍ରଧାନମନ୍ତ୍ରୀ ମୋଦି ପୁରୀରେ ରୋଡ ସୋ’ କରିବା ସହ ସମ୍ବିତଙ୍କ ପାଇଁ ଭୋଟ ମାଗିଛନ୍ତି । ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ମାମଲା, ଚାରିଦ୍ବାର ବନ୍ଦ ପରି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ବିଜେଡିକୁ କ୍ରମାଗତ ଟାର୍ଗେଟ କରିବାରେ ଲାଗିଛି ବିଜେପି । ତେବେ କଂଗ୍ରେସ ପ୍ରାର୍ଥୀ ପରିବର୍ତ୍ତନ କରି ଜୟନାରାୟଣ ପଟ୍ଟନାୟକଙ୍କୁ ଟିକେଟ ଦେଇଛି ।

କଟକ ଲୋକସଭା ଆସନ:

ଥାର୍ଡ ଫେଜ ଫାଇଟ
ଥାର୍ଡ ଫେଜ ଫାଇଟ (ETV Bharat Odisha)

ରାଜ୍ୟର ପୁରୁଣା ରାଜଧାନୀ ସିଲିଭର ସିଟି କଟକରେ ଏଥର ରାଜନୀତି ପାଣିପାଗ ଗତ ନିର୍ବାଚନ ତୂଳନାରେ ସମ୍ପୂର୍ଣ୍ଣ ଭିନ୍ନ । ବିଜେଡି ଟିକେଟରେ 6 ଥର ସାଂସଦ ହୋଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ପୁଅ ଭର୍ତ୍ତୃହରି ମହତାବ ବିଜେଡିରୁ ଇସ୍ତଫା ଦେଇ ବିଜେପି ଟିକେଟରେ ଲଢୁଛନ୍ତି । ତାଙ୍କ ବିରୋଧରେ ବିଜେଡି ଜଣେ ନବାଗତଙ୍କୁ ପ୍ରାର୍ଥୀ କରିଛି । କର୍ପୋରେଟ ଜଗତରୁ ରାଜନୀତିକୁ ଆସିଥିବା ସଂତୃପ୍ତ ମିଶ୍ର ଅନୁଭବୀ ଭତୃହରିଙ୍କ ବିପକ୍ଷରେ ଛିଡା ହୋଇଛନ୍ତି । ଗୋଟିଏ ପଟେ କଟକରେ ବିଜେଡିର ଦଳୀୟ ହାଓ୍ବା ଥିବା ବେଳେ ଭର୍ତ୍ତୃହରିଙ୍କର ଲୋକପ୍ରିୟତା ମଧ୍ୟ ରହିଛି । ତେଣୁ ଉଭୟ ଭର୍ତ୍ତୃ ଓ ସଂତୃପ୍ତଙ୍କ ମଧ୍ୟରେ କଡା ଟକ୍କର ହେଉଛି । କଂଗ୍ରେସ ଏଠାରେ ସୁରେଶ ମହାପାତ୍ରଙ୍କୁ ମୈଦାନକୁ ଓହ୍ଲାଇଛି ।

କେନ୍ଦୁଝର ଲୋକସଭା ଆସନ:

ଥାର୍ଡ ଫେଜ ଫାଇଟ
ଥାର୍ଡ ଫେଜ ଫାଇଟ (ETV Bharat Odisha)

1998 ରୁ 2004 ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଦଖଲରେ ଥିଲା କେନ୍ଦୁଝର ସଂସଦୀୟ ଆସନ । 2004ରେ ଏହାକୁ ଦଖଲକୁ ନେବାରେ ସଫଳ ହେଲା ବିଜେଡି । 2009, 2014 ଓ 2019 ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ ଏଠାରେ ହ୍ୟାଟ୍ରିକ ବିଜୟ ହାସଲ କରିଛି । ଗତଥର ଏହି ଆସନରୁ ବିଜେଡି ପ୍ରାର୍ଥିନୀ ଚନ୍ଦ୍ରାଣୀ ମୁର୍ମୁ ଦେଶର ସର୍ବକନିଷ୍ଠ ସାଂସଦ ଭାବେ ଦିଲ୍ଲୀ ଦରବାରରେ ପହଞ୍ଚିଥିଲେ । ଏଥର ବିଜେଡି ଚନ୍ଦ୍ରାଣୀଙ୍କ ସ୍ଥାନରେ ଧନୁର୍ଯ୍ୟୟ ସିଦ୍ଧୁଙ୍କୁ ପ୍ରାର୍ଥୀ କରିଛି । ସେହିପରି ବିଜେପି ପୂର୍ବତନ ସାଂସଦ ତଥା ଗତଥରର ପ୍ରାର୍ଥୀ ଅନନ୍ତ ନାୟକଙ୍କୁ ପୁଣି ଥରେ ଟିକଟ ଦେଇଛି । ଅନନ୍ତ ଚନ୍ଦ୍ରାଣୀଙ୍କ ଠାରୁ ପରାସ୍ତ ହୋଇଥିଲେ । କଂଗ୍ରେସରୁ ବିନୋଦ ବିହାରୀ ନାୟକ ପ୍ରାର୍ଥୀ ହୋଇଛନ୍ତି । ଏହି ଆସନରେ କେନ୍ଦୁଝରର 6ଟି ଓ ମୟୂରଭଞ୍ଜର ଗୋଟିଏ ବିଧାନସଭା ଆସନ ରହିଛି । ଏଠାରେ ଆଦିବାସୀ ଭୋଟ ମଧ୍ୟ ଫଳାଫଳକୁ ବେଶ ପ୍ରଭାବିତ କରିବାର ଯଥେଷ୍ଟ ସମ୍ଭାବନା ରହିଛି ।

ଢେଙ୍କାନାଳ ଲୋକସଭା ଆସନ:

ଥାର୍ଡ ଫେଜ ଫାଇଟ
ଥାର୍ଡ ଫେଜ ଫାଇଟ (ETV Bharat Odisha)

ଗତଥର ଏହି ଆସନରେ ବିଜେଡି ବିଜୟୀ ହୋଇଥିଲା । ଏଥର ସାଂସଦ ମହେଶ ସାହୁଙ୍କୁ ଦଳ ଟିକେଟ ନଦେଇ ତାଙ୍କ ସ୍ଥାନରେ ଯୁବ ଚେହେରା ଡାକ୍ତର ଅବିନାଶ ସାମଲଙ୍କୁ ପ୍ରାର୍ଥୀ କରିଛି । ହେଲେ ବିଜେପି ପୁଣି ଥରେ ଅନୁଭବୀ ରୁଦ୍ର ନାରାୟଣ ପାଣିଙ୍କୁ ମୈଦାନକୁ ଓହ୍ଲାଇଛି । ଏଥର ସେଠାରେ ବିଜେପି ଜିତିବା ନେଇ ଆଶାବାଦୀ, ହେଲେ ପୂର୍ବ ଧାରା ଦୋହରାଇବା ଲକ୍ଷ୍ୟରେ ଶାସକ ବିଜେଡି ମଧ୍ୟ ନିର୍ବାଚନ ଲଢୁଛି । କଂଗ୍ରେସରୁ ମହିଳା ଚେହେରା ସସ୍ମିତା ବେହେରା ଗ୍ରାଉଣ୍ଡରେ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- କିଏ ପିନ୍ଧିବ ପାଲଲହଡା ମୁକୁଟ; ଗଡ଼ ବଞ୍ଚାଇ ପାରିବ ବିଜେଡି ? ନା ବହିବ ପରିବର୍ତ୍ତନ ହାୱା - Pallahara Assembly constituency

ରାଜ୍ୟରେ ଚଳିତ ପର୍ଯ୍ୟାୟଙ୍କୁ ମିଶାଇଲେ 3 ପର୍ଯ୍ୟାୟରେ 15 ସଂସଦୀୟ ଆସନରେ ମତଦାନ ଶେଷ ହେବ । ବିଜେଡି ଗତଥର 12 ସଂସଦୀୟ ଆସନ ଜିତିଥିବା ବେଳେ ଏଥର ମଧ୍ୟ ତା’ ଠାରୁ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି । ମାତ୍ର 400 ପାରର ନାରା ସହ ନିର୍ବାଚନ ଲଢୁଥିବା ଭାରତୀୟ ଜନତା ପାର୍ଟି ମଧ୍ୟ ଏଥର ପୂର୍ବାପେକ୍ଷା ଅଧିକ ଆକ୍ରମଣାତ୍ମକ ଭୂମିକାରେ ଥିବା ସ୍ପଷ୍ଟ ଦୃଶ୍ୟମାନ ହେଉଛି । ଉଭୟ ଲୋକସଭା ସହ ବିଧାନସଭା ନିର୍ବାଚନରେ ମଧ୍ୟ ଭାରତୀୟ ଜନତା ପାର୍ଟି ବହୁମତ ହାସଲ କରି ସରକାର ଗଠନ କରିବାକୁ ଦୃଢୋକ୍ତି ଦେଖାଉଛି । ନିଜେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏକାଧିକ ସଭାରେ ଦଳୀୟ ସରକାରର ଶପଥ ଗ୍ରହଣ ତାରିଖ ମଧ୍ୟ ଘୋଷଣା କରିସାରିଛନ୍ତି । ବିଜେପି ଏଥର ନିଶ୍ଚିତ ପରିବର୍ତ୍ତନର କଥା କହୁଥିବା ବେଳେ ରାଜ୍ୟରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ବିଜେଡି କହୁଛି । ଏସବୁ ମଧ୍ୟରେ ରାଜ୍ୟରେ ବିଜେପି ଡବଲ ଇଞ୍ଜିନ ସରକାର ଗଢିବ, ନା ନବୀନ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହୋଇ ଭାରତୀୟ ରାଜନୀତିରେ ବିରଳ ରେକର୍ଡର ଅଧିକାରୀ ହେବେ, ତାହା ତ ଜୁନ 4 ତାରିଖରେ ଜଣାପଡିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 24, 2024, 4:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.