ETV Bharat / politics

ଢେଙ୍କାନାଳ ଲୋକସଭା ଲଢେଇ: ରୁଦ୍ରଙ୍କ ସାଥ ଦେବ କି ଭାଗ୍ୟ ? ନା କମାଲ କରିବେ ଡାକ୍ତର - DHENKANAL LOK SABHA SEAT

author img

By ETV Bharat Odisha Team

Published : May 24, 2024, 9:00 PM IST

Dhenkanal Lok Sabha Election 2024: ଢେଙ୍କାନାଳରେ ଲୋକସଭାରେ କିଏ ମାରିବ ବାଜି ? ଚାଲିବ କି ନବୀନଙ୍କ ଯାଦୁ ନା ମୋଦି ଗ୍ୟାରେଣ୍ଟି ? ରାତି ପାହିଲେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । କଣ କହୁଛି ଢେଙ୍କାନାଳର ରାଜନୈତିକ ସମୀକରଣ । ପଢନ୍ତୁ ଆମର ଏହି ରିପୋର୍ଟ ।

Dhenkanal Lok Sabha Election 2024
Dhenkanal Lok Sabha Election 2024 (ETV Bharat Odisha)

ଢେଙ୍କାନାଳ: ଗାଁଠୁ ସହର ସବୁଠି ନିର୍ବାଚନୀ ମାହୋଲ । ଚା ଖଟିରୁ ୫ ଷ୍ଟାର ଯାଏଁ ସବୁଠି ଇଲେକ୍ସନ ଚର୍ଚ୍ଚା । ରାଜ୍ୟରେ ଦୁଇଟି ପର୍ଯ୍ୟାୟର ମତଦାନ ସରି ଥିବାବେଳେ ଆହୁରି ଦୁଇଟି ପର୍ଯ୍ୟାୟ ବାକି ଅଛି । ଏହାରି ଭିତରେ ଢେଙ୍କାନାଳ ଲୋକସଭା ଆସନ ଉପରେ ସମସ୍ତଙ୍କ ନଜର । ପୁରୁଖା ଏବଂ ନବାଗତଙ୍କ ମଧ୍ୟରେ ହେବ ଦମଦାର ଲଢେଇ । ଚଳିତ ଥର ଏଠାରେ ନୂଆ ସମୀକରଣ ଦେଖିବାକୁ ମିଳିଛି । ବିଜେପି-ବିଜେଡି ମଧ୍ୟରେ କଡ଼ା ପ୍ରତିଦ୍ବନ୍ଦ୍ବିତା ହେଉଥିବାବେଳେ ମହିଳା କାର୍ଡ ଖେଳିଛି କଂଗ୍ରେସ । ବିଜେପି ବରିଷ୍ଠ ନେତା ରୁଦ୍ରନାରାୟଣ ପାଣିଙ୍କୁ ମୈଦାନକୁ ଓହ୍ଲାଇ ଥିବାବେଳେ ଡ଼ାକ୍ତର ଚାକିରି ଛାଡ଼ି ରାଜନୀତିରେ ଯୋଗ ଦେଇଥିବା ଅବିନାଶ ସାମଲଙ୍କୁ ଟିକଟ ଦେଇଛି ବିଜେଡି । ସେହିପରି କଂଗ୍ରେସ ମହିଳା କାର୍ଡ ଖେଳି ସସ୍ମିତା ବେହେରାଙ୍କୁ ପ୍ରାର୍ଥୀ କରିଛି ।

Dhenkanal Lok Sabha Election 2024 (ETV Bharat Odisha)

ରାଜ୍ୟ ତଥା କେନ୍ଦ୍ର ରାଜନୀତିରେ ଶିଳ୍ପ ବହୁଳ ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀର ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଦେଶର ସାଧାରଣ ନିର୍ବାଚନ ପ୍ରକ୍ରିୟାରେ ଗତ ୧୯୫୭ ମସିହାରେ ଏହି ଲୋକସଭା ଆସନ ସାମିଲ ହୋଇଛି । ଢେଙ୍କାନାଳ ଜିଲ୍ଲାର ୪ଟି ଓ ଅନୁଗୋଳ ଜିଲ୍ଲାର ୩ଟି ମୋଟ ୭ଟି ବିଧାନସଭା ମଣ୍ଡଳୀକୁ ନେଇ ଏହି ଲୋକସଭା କ୍ଷେତ୍ର ଗଠିତ । ଏସବୁ ବିଧାନସଭା କ୍ଷେତ୍ର ମଧ୍ୟରେ ଢେଙ୍କାନାଳ, ହିନ୍ଦୋଳ, କାମାକ୍ଷାନଗର ଓ ପରଜଙ୍ଗ ,ଅନୁଗୋଳ, ତାଳଚେର ଓ ପାଲଲହଡ଼ା ବିଧାନସଭା ଅନ୍ତର୍ଭୁକ୍ତ । ଏହି ଆସନଟି ଅଣ ସଂରକ୍ଷିତ ଅର୍ଥାତ ସାଧାରଣ ବର୍ଗ ପାଇଁ ରହିଛି । ଏହି ଲୋକସଭା କ୍ଷେତ୍ରର ମୋଟ ଜନସଂଖ୍ୟା ୨୧ ଲକ୍ଷ ୧୧ହଜାର ୩୧୪ ରହି ଥିବାବେଳେ ସେମାନଙ୍କ ମଧ୍ୟରୁ ୨୦୨୪ ସାଧାରଣ ନିର୍ବାଚନରେ ୧୫ ଲକ୍ଷ ୭ହଜାର ୫୮୯ ଜଣ ମତଦାତା ସେମାନଙ୍କ ମତ ସାବ୍ୟସ୍ତ କରିବେ । ତେବେ ୨୦୦୪ ମସିହାରୁ ଏହି ଆସନଟି ବିଜୁ ଜନତା ଦଳ ହାତରେ ରହିଆସିଛି ।

Dhenkanal Lok Sabha Election 2024
Dhenkanal Lok Sabha Election 2024 (ETV Bharat Odisha)

୨୦୧୪ ନିର୍ବାଚନ ଫଳାଫଳ: ଏହି ବର୍ଷ ବିଜେଡି ଏବଂ ବିଜେପି ମଧ୍ୟରେ କଡ଼ା ଫାଇଟ ହୋଇଥିଲା । ବିଜେଡି ତଥାଗତ ଶତପଥିଙ୍କୁ ପ୍ରାର୍ଥୀ କରି ଥିବାବେଳେ ବିଜେପି ରୁଦ୍ର ନାରାୟଣ ପାଣିଙ୍କୁ ଟିକଟ ଦେଇଥିଲା । ବିଜେଡିର ପ୍ରାର୍ଥୀ ତଥାଗତ 453277 ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ରୁଦ୍ରଙ୍କୁ ମିଳିଥିଲା 315937 ଖଣ୍ଡ ଭୋଟ । ସେହିପରି କଂଗ୍ରେସ ପ୍ରାର୍ଥୀ ସୁଧିର କୁମାର ସାମାଲଙ୍କୁ 2,13,794 ଖଣ୍ଡ ଭୋଟ ମିଳିଥିଲା ।

Dhenkanal Lok Sabha Election 2024
Dhenkanal Lok Sabha Election 2024 (ETV Bharat Odisha)

୨୦୧୯ ନିର୍ବାଚନ ଫଳାଫଳ: ଗତ ୨୦୧୯ରେ ବିଜେଡିକୁ କଡା ଟକ୍କର ଦେଇଥିଲା ବିଜେପି । ବିଜେଡିର ମହେଶ ସାହୁ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ରୁଦ୍ର ନାରାୟଣ ପାଣିଙ୍କ ଠାରୁ ମାତ୍ର ୩୭ ହଜାର ୭୭୬ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ । ମହେଶ୍ୱରଙ୍କୁ ମିଳିଥିଲା 5 ଲକ୍ଷ 21ହଜାର 954 ଓ ରୁଦ୍ର ପାଇଥିଲେ 4 ଲକ୍ଷ 83 ହଜାର 978 ଖଣ୍ଡ ଭୋଟ । ସେପଟେ କଂଗ୍ରେସ ପ୍ରାର୍ଥୀ ରାଜା କାମାକ୍ଷା ପ୍ରସାଦ ସିଂହଦେଓଙ୍କୁ ମାତ୍ର 79 ହଜାର 987 ଭୋଟ ମିଳିଥିଲା ।

Dhenkanal Lok Sabha Election 2024
Dhenkanal Lok Sabha Election 2024 (ETV Bharat Odisha)

ସୂଚନା ଥାଉକି, ଚଳିତ ନିର୍ବାଚନରେ ଢେଙ୍କାନାଳ ଲୋକସଭା ମଣ୍ଡଳୀର ମାହୋଲ ଟିକିଏ ଭିନ୍ନ ମୋଡ଼ ନେବାର ସମ୍ଭାବନା ସୃଷ୍ଟି ହୋଇଛି । ଦୁଇ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ରାଜନୈତିକ ଦଳ ବିଜେପି ଓ ବିଜେଡି ମଧ୍ୟରେ କଡ଼ା ଟକ୍କର ହେବାକୁ ଯାଉଛି । ଏହି ଆସନରେ ବିଜେପିର ଭୋଟ ହାର ବଢି ଚାଲିଥିବା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହେଉଛି । ବିଜେପି ପ୍ରାର୍ଥୀ ରୁଦ୍ର ନାରାୟଣ ଗତ ୧୯୯୬ ମସିହାରୁ ବିଜେପି ଓ ୧୯୯୯ରେ ସ୍ୱାଧୀନ ଆଉ ପରେ ୨୦୦୪ରୁ କ୍ରମାଗତ ଭାବେ ବିଜେପିରୁ ପ୍ରାର୍ଥୀ ହୋଇ ଆସୁଛନ୍ତି । ଗତ ୬ ଥର ନିର୍ବାଚନ ଲଢ଼ିଥିଲେ ମଧ୍ୟ ବିଜୟର ସ୍ୱାଦ ଚାଖି ପାରି ନାହାନ୍ତି ସେ । ପୁଣି ବିଜେପି ରୁଦ୍ରଙ୍କ ଉପରେ ଭରସା କରିଛି । ଏହାରି ଭିତରେ ରୁଦ୍ର କହିଛନ୍ତି," ବିଜେପିର ଭୋଟ ହାର ବୃଦ୍ଧି ପାଉଛି । ଆଉ କେନ୍ଦ୍ରରେ ମୋଦି ସରକାରଙ୍କ ବିକାଶ ମୂଳକ କାର୍ଯ୍ୟ ସାଙ୍ଗକୁ ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର, ଅପରାଧ, ବେକାରୀ ସମସ୍ୟାକୁ ମୁଦ୍ଦା କରିଛି । ମୋଦିଙ୍କ ଗ୍ୟାରେଣ୍ଟିକୁ ନେଇ ନିଶ୍ଚିତ ବିଜୟୀ ହେବି ।"

Dhenkanal Lok Sabha Election 2024
Dhenkanal Lok Sabha Election 2024 (ETV Bharat Odisha)

ଏହା ମଧ୍ୟ ପଢନ୍ତୁ.......ବାଲେଶ୍ବର ଲୋକସଭା ଆସନରେ କିଏ ମାରିବ ବାଜି ? ପ୍ରତାପ-ଶ୍ରୀକାନ୍ତ-ଲେଖାଶ୍ରୀଙ୍କ ମଧ୍ୟରେ ତ୍ରିମୁଖୀ ଲଢ଼େଇ - Balasore Lok Sabha Election 2024

ସେହିପରି ବିଜୁ ଜନତା ଦଳ ଚଳିତ ନିର୍ବାଚନରେ ସାଂସଦ ମହେଶଙ୍କୁ ପରିବର୍ତ୍ତନ କରିଛି । ନୂଆ ଓ ଯୁବ ଚେହରା ଭାବେ ଡା. ଅବିନାଶ ସାମଲଙ୍କୁ ପ୍ରାର୍ଥୀ କରିଛି । ଏହି ଅବସରରେ ଅବିନାଶ କହିଛନ୍ତି," ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନର ଓଡିଶା ତଥା ଆଗାମୀ ୨୦୩୬ ମସିହା ସୁଧା ନୂଆ ଓଡିଶା ଗଠନ ହେବ । କ୍ରୀଡା, ନିଯୁକ୍ତି ଓ ଦକ୍ଷତା ବିକାଶ କ୍ଷେତ୍ରରେ କାର୍ଯ୍ୟକରି ଜାତୀୟ ସ୍ତରରେ ପହଞ୍ଚାଇବୁ । "

ସେପଟେ ଚଳିତ ନିର୍ବାଚନରେ କଂଗ୍ରେସ ମହିଳା କାର୍ଡ ଖେଳିଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରାଙ୍କ କନ୍ୟା ତଥା ପୂର୍ବତନ ଅନୁଗୋଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ବେହେରାଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି । ଯାହାଫଳରେ କଂଗ୍ରେସ ଭୋଟ ହାର ବଢି ପାରେ ବୋଲି ଚର୍ଚ୍ଚା ହେଉଛି । ଏହି ଅବସରରେ ସସ୍ମିତା କହିଛନ୍ତି,"କଂଗ୍ରେସ ଏକ ମାତ୍ର ଦଳ ଯାହା ପ୍ରତିଶ୍ରୁତି ଦିଏ ପୂରଣ କରେ । ଦଳର ୫ ନ୍ୟାୟ ଓ ୨୫ ଗ୍ୟାରେଣ୍ଟିକୁ ନେଇ ଲୋକଙ୍କ ପାଖକୁ ଯିବୁ । ଦୁର୍ନିତୀ ଓ ଭ୍ରଷ୍ଟାଚାରରେ ବୁଡି ରହିଥିବା ଉଭୟ ବିଜେଡି ଓ ବିଜେପି ବିରୋଧ ଲଢେଇ କରିବୁ । ଏ ଲେଢେଇ ଲୁଟିଖିଆଙ୍କ ବିରୋଧରେ ଏବଂ ଖଟିଖିଆଙ୍କ ପାଇଁ ।" ନବାଗତ ବନାମ ଭେଟେରାନଙ୍କ ଏହି ଲଢେଇରେ କିଏ ମାରୁଛି ବାଜି । ତାହା ନିର୍ବାଚନ ଫଳାଫଳ ସ୍ପଷ୍ଟ କରିବ ।


ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.