ETV Bharat / politics

ଆଟାକିଂ ମୁଡ୍‌ରେ ବିଜେପି, କେତେ ପ୍ରଭାବ ପକାଇବ ମୋଦିଙ୍କ ଗସ୍ତ ? - PM Modi visit impacts

author img

By ETV Bharat Odisha Team

Published : May 20, 2024, 9:36 PM IST

PM Modi visit impacts in Odisha: ଆଜି କଟକରେ ଆୟୋଜିତ ବିଶାଳ ବିଜୟ ସଂକଳ୍ପ ସମାବେଶରେ ବିଜେଡିକୁ ଜୋରଦାର ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତର ନିଶ୍ଚିତ ପ୍ରଭାବ ପଡ଼ିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା । ଅଧିକ ପଢ଼ନ୍ତୁ

PM Modi visit impacts in Odisha
PM Modi visit impacts in Odisha (ETV Bharat Odisha)

PM Modi visit impacts in Odisha (ETV Bharat Odisha)

କଟକ: ଆଟାକିଂ ମୁଡ୍‌ରେ ଭାରତୀୟ ଜନତା ପାର୍ଟି । ଆଜି କଟକରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ବିଜେଡିକୁ ସିଧାସଳଖ ଟାର୍ଗେଟ କରିବା ସହ ଅନେକ ପ୍ରସଙ୍ଗକୁ ନେଇ କଡା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏପରିକି ମାଫିଆମାନେ ବିଜେଡି ସରକାରକୁ ଚଳାଉଥିବା କଥା କହି ସିଧାସଳଖ ପଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି । ରତ୍ନଭଣ୍ଡାର ଚାବି ପ୍ରସଙ୍ଗ ମଧ୍ୟ କଟକରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଉଠାଇଛନ୍ତି । ତେବେ ପ୍ରଧାନମନ୍ତ୍ରୀଙ୍କ ଏଭଳି ଆରୋପ ରାଜ୍ୟ ବିଜେପିର ଆଟାକିଂ ମୁଡ୍‌କୁ ଦର୍ଶାଉଛି । ଜୁନ ୪ରେ ଭୋଟ ଗଣତିରେ ବିଜେପି ନିଶ୍ଚିତ ସଂଖ୍ୟା ଗରିଷ୍ଠତା ହାସଲ କରିବ ଓ ୧୦ ତାରିଖରେ ବିଜେପି ସରକାର ଗଢ଼ିବ ବୋଲି ଦମ୍ଭୋକ୍ତି ବାଢ଼ିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

ସାଢ଼େ ୪ କୋଟି ଓଡ଼ିଆଙ୍କ ଭାବାବେଗ ସହ ଜଡ଼ିତ ଶ୍ରୀମନ୍ଦିର ଓ ମହାପ୍ରଭୁ । ତେଣୁ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ବିଜେପି କେନ୍ଦ୍ରୀୟ ନେତାମାନେ ମୁଖ୍ୟ ମୁଦ୍ଦା କରିଛନ୍ତି । ଏପରିକି ପ୍ରଧାନମନ୍ତ୍ରୀ କ୍ରମାଗତ ଓଡ଼ିଶା ଗସ୍ତରେ ଆସୁଥିବାବେଳେ ସବୁ ସ୍ଥାନରେ ଏହି ରତ୍ନଭଣ୍ଡାର ପ୍ରସଙ୍ଗରେ ବିଜେଡି ସରକାର ଉପରେ ହମଲା କରୁଛନ୍ତି । ଆଜି କଟକରେ ବିଶେଷ କରି ରତ୍ନ ଭଣ୍ଡାର ଚାବି ତାମିଲନାଡୁକୁ ପଳାଇଛି କହି ଟାର୍ଗେଟ କରିଛନ୍ତି ମୋଦି । ତାମିଲନାଡ଼ୁ କିପରି ଗଲା ପ୍ରଶ୍ନ କରିବା ସହିତ ଯେଉଁଦିନ ଓଡ଼ିଶାରେ ବିଜେପି ସରକାର ଗଢ଼ିବ, ସେହିଦିନ ହିଁ ରତ୍ନଭଣ୍ଡାର ଚାବି ଖୋଜିଦେବ ବୋଲି କହିଛନ୍ତି ମୋଦି । ସେହିପରି ରାଜ୍ୟରେ ବିଜେପି ସରକାର ଆସିଲେ ଲୋକଙ୍କର ଆଉ ବିଜୁଳି ବିଲ ଆସିବନି ବୋଲି ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଚିଟଫଣ୍ଡ ଟଙ୍କା ଫେରସ୍ତ କରିବାକୁ କହିବା ସହ ବିଜେପି ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ସମସ୍ତଙ୍କୁ ନିବେଦନ କରିଥିଲେ ମୋଦି ।

ଏହା ମଧ୍ୟ ପଢ଼ନ୍ତୁ...ଜଣେ ମାଫିଆ ଓଡ଼ିଶାକୁ ଚଳାଉଛି, ବିଜେପି ସରକାର ତାର ଅଣ୍ଟା ଭଙ୍ଗିବ: ମୋଦି - PM Modi On Mafia Raj

ତେବେ ପ୍ରଧାନମନ୍ତ୍ରୀ ମୋଦି ଆଜି ଦେଇଥିବା ସମସ୍ତ ପ୍ରତିଶ୍ରୁତି ନିଶ୍ଚିତ ରଖାଯିବ ଓ ତାଙ୍କ ଗସ୍ତର ପ୍ରଭାବ ନିଶ୍ଚିତ ପଡ଼ିବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ କଟକ ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବ । ମନମୋହନ କହିଛନ୍ତି, "ମହାପ୍ରଭୁଙ୍କ ରତ୍ନଭଣ୍ଡାର ଜାତୀୟ ସମ୍ପତ୍ତି । ତାହାର ଚାବି ହଜିବା ୧୪୦ କୋଟି ଭାରତୀୟଙ୍କୁ ଆଘାତ ଦେଇଛି । ତେଣୁ ମୋଦି କହିଛନ୍ତି ବିଜେପି ସରକାର ଆସିଲେ ସେ ଚାବି ଖୋଲାଯିବ । ରିପୋର୍ଟ ସାର୍ବଜନୀନ ହେବ । କିଛି ଅସୁବିଧା ହୋଇଥିଲେ କର୍ଯ୍ୟାନୁଷ୍ଠାନ ବି ହେବ । ସେହିଭଳି ବିଜେଡି ରାଜ୍ୟକୁ ଖାଲି ମାଫିଆ ଦେଇଛି । ବାଲି ମାଫିଆ, ଜମି ମାଫିଆ, ଖଣି ମାଫିଆ ଦେଇଛି ବିଜେଡି ।" ସେହିଭଳି ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ବେଶ ପ୍ରଭାବ ପକାଇବ ଓ ରାଜ୍ୟରେ ବିଜେପି ସରକାର ଗଠନ କରିବ ବୋଲି ଦମ୍ଭୋକ୍ତି ବାଢ଼ିଛନ୍ତି କଟକ ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଓ ବାରବାଟୀ ବିଧାୟକ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.