ETV Bharat / politics

ମୁଖ୍ୟମନ୍ତ୍ରୀଙ୍କ ବାବଦରେ ଅପମାନସୂଚକ ମନ୍ତବ୍ୟ ଅଶୋଭନୀୟ: ପ୍ରଣବ - Pranab Prakash targets BJP

author img

By ETV Bharat Odisha Team

Published : May 24, 2024, 8:12 AM IST

BJD Leader Pranab Prakash targets BJP: ମୁଖ୍ୟମନ୍ତ୍ରୀ ନବୀନଙ୍କ ସମାଲୋଚନା ନେଇ ବିଜେପି ଉପରେ ବର୍ଷିଲେ ପ୍ରଣବ । କହିଲେ, ଓଡ଼ିଶା ବିଜେପି ନେତାଙ୍କ ପାଖରେ ଆଉ କିଛି ମୁବ୍ଦା ନଥିବାରୁ ସବୁବେଳେ ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ମନ୍ତବ୍ୟ ଦେଇଆସୁଛନ୍ତି । ଏହା ସେମାନଙ୍କୁ ଆଦୌ ଶୋଭା ଦେଉନାହିଁ । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀଙ୍କ ବାବଦରେ ଅପମାନସୂଚକ ମନ୍ତବ୍ୟ ଅଶୋଭନୀୟ: ପ୍ରଣବ
ମୁଖ୍ୟମନ୍ତ୍ରୀଙ୍କ ବାବଦରେ ଅପମାନସୂଚକ ମନ୍ତବ୍ୟ ଅଶୋଭନୀୟ: ପ୍ରଣବ (ETV Bharat Odisha)

ଭୁବନେଶ୍ବର: ''ବାହାର ରାଜ୍ୟରୁ ନେତାଙ୍କୁ ଆଣି ଓଡ଼ିଶାବାସୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ବାବଦରେ ଅପମାନସୂଚକ ମନ୍ତବ୍ୟ ଦେଉଛି ବିଜେପି । ଅଶୋଭନୀୟ ଶବ୍ଦ ପ୍ରୟୋଗ କରିବା ଓଡ଼ିଶା ବିଜେପିକୁ ଆଦୌ ଶୋଭା ଦେଉନାହିଁ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସେମାନଙ୍କ ସହ ମିଶି ସମାନ ଭାଷା ବ୍ୟବହାର କରିବା ଓଡ଼ିଶା ସଂସ୍କୃତି ବିରୋଧୀ ।'' କେନ୍ଦ୍ରୀୟ ବିଜେପି ନେତା ଏବଂ ବାହାର ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଶାରେ ପ୍ରଚାର ଏବଂ ନବୀନଙ୍କୁ ସିଧା ଟାର୍ଗେଟ କରିବାକୁ ନେଇ ଏପରି କଡ଼ା ପ୍ରତିକ୍ରିୟା ଦେଇଛନ୍ତି ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।

ବିଜେଡି ନେତା ପ୍ରଣବ କହିଛନ୍ତି ଯେ, ଗତ ୨୪ ବର୍ଷ ହେଲା ସାଢ଼େ ୪ କୋଟି ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଶୀର୍ବାଦ କରିଆସୁଛନ୍ତି । ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀଙ୍କୁ ଭାରି ଭଲପାଆନ୍ତି । ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କୁ ନିଜ ପରିବାର ସଦସ୍ୟ ଭଳି ଭାବି କାର୍ଯ୍ୟ କରିଥାନ୍ତି । ହେଲେ ବାହାର ରାଜ୍ୟରୁ ନେତାଙ୍କୁ ଆଣି ଓଡ଼ିଶାବାସୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ବାବଦରେ ଅପମାନସୂଚକ ମନ୍ତବ୍ୟ ଦେବା, ଅଶୋଭନୀୟ ଶବ୍ଦ ପ୍ରୟୋଗ କରିବା ରାଜ୍ୟ ବିଜେପିକୁ ଆଦୌ ଶୋଭା ଦେଉନାହିଁ । ବାହାରୁ ଆସୁଥିବା ନେତା ଆମ ଅତିଥି । ସେଥିପାଇଁ ଆମେ ବିଶେଷ କିଛି ପ୍ରତିକ୍ରିୟା ରଖୁନଥିଲୁ । କାରଣ ବିଜେଡି ସବୁବେଳେ ଓଡ଼ିଶାର ସଂସ୍କୃତିକୁ ପାଳନ କରେ । ଗତ ୧୦ ବର୍ଷ ହେଲା ଆମେ ଦେଖିଆସୁଛୁ, ଓଡ଼ିଶା ବିଜେପି ନେତା ସବୁବେଳେ ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ମନ୍ତବ୍ୟ ଦେଇଆସୁଛନ୍ତି । କାରଣ ସେମାନଙ୍କ ନିକଟରେ ଆଉ କିଛି ମୁଦ୍ଦା ନାହିଁ ।

ଏହା ମଧ୍ୟ ପଢନ୍ତୁ: ସମ୍ବଲପୁର ମହାସମର: ବିଜେଡି-ବିଜେପି ମଧ୍ୟରେ ହାଇଭୋଲଟେଜ୍ ଫାଇଟ, ନିର୍ଣ୍ଣାୟକ ଭୂମିକାରେ କଂଗ୍ରେସ - Sambalpur Lok Sabha Constituency


ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ସମଲେଇ ପ୍ରକଳ୍ପକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିରୋଧ କରିଥିଲେ । ଧର୍ମେନ୍ଦ୍ର କେବେ ମଧ୍ୟ NH-55 କାମ କେମିତି ଶୀଘ୍ର ସରିବ ସେନେଇ ତତ୍ପରତା ଦେଖାଇନାହାନ୍ତି, ଯେଉଁଥିପାଇଁ ହଜାର ହଜାର ଲୋକଙ୍କ ଜୀବନ ଯାଇଛି । ମହାନଦୀ ପ୍ରସଙ୍ଗରେ ସେ ଛତିଶଗଡ଼ ପାଇଁ କରିଥିବା ଓକିଲାତି କାହାକୁ ଅଛପା ନାହିଁ । 5T ଅଧ୍ୟକ୍ଷ ତଥା ବିଜେଡି ନେତା ଭିକେ ପାଣ୍ଡିଆନ ସମ୍ବଲପୁର ସଭାରେ ପଚାରିଥିବା ପ୍ରଶ୍ନର ଗୋଟିଏ ବି ଉତ୍ତର ଦେଇପାରିଲେନି ଧର୍ମେନ୍ଦ୍ର ପ୍ରଧାନ । କାରଣ ସେ ଗତ ୧୦ ବର୍ଷ ମଧ୍ୟରେ କିଛି ବି କାମ କରିନାହାନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ମିଛ ପ୍ରଚାର ହେଉ ଅବା ଓଡ଼ିଶାର ବିକାଶକୁ ବିରୋଧ କରିବାର ମାନସିକତା, ବିଜେପିର ମିଛକୁ ଓଡ଼ିଶାବାସୀ ଜାଣି ସାରିଲେଣି । ଏଭଳି ଡାହା ମିଛକୁ ସେମାନେ ଆଦୌ ଗ୍ରହଣ କରୁନାହାନ୍ତି । ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ତିନି ଚତୁର୍ଥାଂଶ ଆସନ ସହ ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ବାବୁ ଶପଥ ନେବେ ବୋଲି ପ୍ରଣବ ଦୃଢୋକ୍ତି କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.