ETV Bharat / politics

ହାତ ଛାଡ଼ି ଶଙ୍ଖ ଫୁଙ୍କିଲେ ଅଧିରାଜ; ଶତାଧିକ ସର୍ଥକଙ୍କ ସହ ବିଜେଡିରେ ସାମିଲ

author img

By ETV Bharat Odisha Team

Published : Mar 20, 2024, 5:56 PM IST

Adhiraj Panigrahi Joins BJD: ସବୁ ଚର୍ଚ୍ଚାର ଅବସାନ ଘଟାଇ ଆଜି ବିଜେଡିରେ ସାମିଲ ହୋଇଛନ୍ତି ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ । ଗତକାଲି କଂଗ୍ରେସ ଛାଡିଥିବା ଅଧିରାଜ ଆଜି ଶଙ୍ଖ ଶିବିରରେ ସାମିଲ ହୋଇଛନ୍ତି । ଅଧିକ ପଢ଼ନ୍ତୁ

Adhiraj Panigrahi Joins BJD
Adhiraj Panigrahi Joins BJD

Adhiraj Panigrahi Joins BJD

ଭୁବନେଶ୍ବର: ଯାହା ଚର୍ଚ୍ଚା ହେଉଥିଲା ତାହା ହିଁ ପ୍ରମାଣିତ ହୋଇଛି । ସବୁ ଚର୍ଚ୍ଚାର ଅବସାନ ଘଟାଇ ଆଜି ବିଜେଡିରେ ସାମିଲ ହୋଇଛନ୍ତି ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ । ଗତକାଲି କଂଗ୍ରେସ ଛାଡିଥିବା ଅଧିରାଜ ଆଜି ଶଙ୍ଖ ଶିବିରରେ ସାମିଲ ହୋଇଛନ୍ତି । ନୂଆପଡା ଜିଲ୍ଲାର ୩ଟି ବ୍ଲକ ଅଧ୍ୟକ୍ଷ ଓ ୭୪ ଜଣ ନିର୍ବାଚିତ ପ୍ରତିନିଧିଙ୍କ ସହ ସେ ବିଜେଡିରେ ସାମିଲ ହୋଇଛନ୍ତି । ଶଙ୍ଖ ଭବନରେ ଆୟୋଜିତ ବଡ଼ ମିଶ୍ରଣ ପର୍ବରେ ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଓ ମହିଳା ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଉପସ୍ଥିତରେ ଶଙ୍ଖ ଫୁଙ୍କିଛନ୍ତି ଅଧିରାଜ ପାଣିଗ୍ରାହୀ । ଗତକାଲି କଂଗ୍ରେସର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଥିଲେ ଖଡ଼ିଆଳ ବିଧାୟକ ।

ଏହି ମିଶ୍ରଣ ପର୍ବରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି, "କଂଗ୍ରେସର ବହୁ ତୁଙ୍ଗ ନେତା ଓ ଅନେକ କର୍ମୀ ଆଜି ଖଡ଼ିଆଳ ବିଧାୟକ ଅଧିରଜ ମୋହନ ପାଣିଗ୍ରାହୀଙ୍କ ସହ ଆଜି ବିଜେଡିରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ତରଫରୁ ସମସ୍ତଙ୍କୁ ଦଳକୁ ସ୍ବାଗତ କରୁଛି । ଖଡ଼ିଆଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଲଗାତାର ଭାବେ କାର୍ଯ୍ୟ କରି ଚାଲିଛନ୍ତି । ଏଥିରେ ଅନୁପ୍ରାଣିତ ହୋଇ ଆଜି ଅଧିରାଜ ଓ ଅନ୍ୟ ନିର୍ବାଚିତ ପ୍ରତିନିଧି ବିଜେଡିରେ ସାମିଲ ହେବାକୁ ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନୀରବ ସାଧନା ଓଡିଶାକୁ ଏକ ନମ୍ବରରେ ପହଞ୍ଚାଇବା ପାଇଁ ଚେଷ୍ଟା ଜାରି ରଖିଛି । ଏହି ସାଧନାରେ ଅଧିରାଜ ଯୋଗ ଦେଇଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...କଂଗ୍ରେସ ଛାଡ଼ିଲେ ବିଧାୟକ ଅଧିରାଜ ପାଣିଗ୍ରାହୀ, ଫୁଙ୍କିବେ ଶଙ୍ଖ !

ସେହିଭଳି ସାଧାରଣ ସମ୍ପାଦକ ତଥା ସାଂସଦ ମାନସ ରଞ୍ଜନ ମଙ୍ଗରାଜ କହିଛନ୍ତି, "କଂଗ୍ରେସ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ କଂଗ୍ରେସ ଛାଡିବା ପରେ ବିଜୁ ଜନତା ଦଳରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଆବେଦନ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ଆଜି ସେ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ତାଙ୍କ ସହ ୩ଟି ବ୍ଲକ ଅଧ୍ୟକ୍ଷ, ୪୦ ଜଣ ସରପଞ୍ଚ, ୩୪ ଜଣ ପଞ୍ଚାୟତ ସମିତି ସଦସ୍ୟଙ୍କ ସହ ଅନ୍ୟ ଶତାଧିକ କର୍ମୀ ମଧ୍ୟ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ସେ କଂଗ୍ରେସ ଛାଡି ଆଜି ବିଜେଡିରେ ଯୋଗ ଦେଇଛନ୍ତି ।" ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି, "ମିଶ୍ରଣ ପର୍ବରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଆଜି ଦଳରେ ଯୋଗଦାନ କରିଛନ୍ତି । ଅନ୍ୟ ଶତାଧିକ ନେତା ଓ କର୍ମୀ ମଧ୍ୟ ଯୋଗ ଦେଇଛନ୍ତି । ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିକାଶମୂଳକ କାର୍ଯ୍ୟଧାରା, ଆଦର୍ଶ ଓ ରୂପାନ୍ତରଣରେ ପ୍ରେରିତ ହୋଇ ସେମାନେ ଦଳରେ ଯୋଗ ଦେଇଛନ୍ତି ।"

ବିଜେଡିରେ ବିଧିବଦ୍ଧ ଯୋଗ ଦେବା ପରେ ଖଡ଼ିଆଳ ବିଧାୟକ ଅଧୀରାଜ ମୋହନ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି, "ବିଜେଡିରେ ସାମିଲ ହେବା ପୂର୍ବରୁ ଖଡ଼ିଆଳର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସହ ମୁଁ ବାରମ୍ବାର ଆଲୋଚନା କରିଛି । ସମସ୍ତଙ୍କ ନିଷ୍ପତ୍ତି କ୍ରମରେ ଆମେ ବିଜେଡିରେ ସାମିଲ ହୋଇଛୁ । ମୁଖ୍ୟମନ୍ତ୍ରୀଙ୍କ 'କଥା କମ କାମ ଅଧିକ' ବାର୍ତ୍ତା ମୋତେ ପ୍ରଭାବିତ କରିଛି । ବିଜୁ ବାବୁ ଯେଉଁ ସ୍ବପ୍ନ ଦେଖିଥିଲେ ତାକୁ ନବୀନ ବାବୁ ପୂରଣ କରୁଛନ୍ତି । ୨୦୧୯ରେ ମୋତେ ଖଡ଼ିଆଳର ସାଧାରଣ ଜନତା ନିର୍ବାଚିତ କରାଇଥିଲେ । ଖଡ଼ିଆଳର ବିକାଶ ପାଇଁ ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଯାହା ମାଗିଛି ତାହାଠାରୁ ଅଧିକ ମିଳିଛି । ବିଜେଡି ମୋତେ ଯାହା ଦାୟିତ୍ବ ଦେବ, ତାହା ମୁଁ ସୁଚାରୁ ରୂପରେ ତୁଲାଇବି ।"

ପ୍ରକାଶ ଥାଉ, ଗତକାଲି ଅଧିରାଜ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପତ୍ର ପଠାଇଥିଲେ । ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନରେ ଖଡ଼ିଆଳ ସମେତ କଂଗ୍ରେସ ମାତ୍ର ୯ଟି ଆସନରେ ବିଜୟୀ ହୋଇଥିଲା । ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ି ଅଧିରାଜ ୫୯,୩୦୮ ଖଣ୍ଡ ଭୋଟ ପାଇଥିଲେ । ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ତଥା ବିଜେଡି ପ୍ରାର୍ଥୀ ଲମ୍ବୋଦର ନିଆଳ ୫୬,୪୫୧ ଖଣ୍ଡ ଭୋଟ ହାତେଇଥିଲେ । ଫଳରେ ଅଧିରାଜ ୨,୮୫୭ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.