ETV Bharat / politics

ସୁରକ୍ଷାକର୍ମୀଙ୍କ ଗାଡ଼ି ଧକ୍କା: ମୃତକଙ୍କ ପରିବାରକୁ କୋଟିଏ କ୍ଷତିପୂରଣ ଦାବି କଲା କଂଗ୍ରେସ

author img

By ETV Bharat Odisha Team

Published : Jan 24, 2024, 8:58 PM IST

Congress leader Bijay Patnaik: ଗଜପତିରେ ସୁରକ୍ଷାକର୍ମୀଙ୍କ ଗାଡ଼ି ଧକ୍କାରେ ଜଣଙ୍କର ମୃତ୍ୟୁ ଘଟଣାରେ ଭିକେ ପାଣ୍ଡିଆନଙ୍କୁ ଦାୟୀ କରିଛି କଂଗ୍ରେସ । ମୃତକଙ୍କ ପରିବାରକୁ ଭେଟିବା ପରିବର୍ତ୍ତେ ଘଟଣାସ୍ଥଳରୁ ଚାଲି ଆସିବା ଦୁର୍ଭାଗ୍ୟଜନକ ଓ ଅମାନବୀୟ ବୋଲି କହିଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

ମୃତକଙ୍କ ପରିବାରକୁ କୋଟିଏ କ୍ଷତିପୂରଣ ଦାବି କଲା କଂଗ୍ରେସ
ମୃତକଙ୍କ ପରିବାରକୁ କୋଟିଏ କ୍ଷତିପୂରଣ ଦାବି କଲା କଂଗ୍ରେସ

ମୃତକଙ୍କ ପରିବାରକୁ କୋଟିଏ କ୍ଷତିପୂରଣ ଦାବି କଲା କଂଗ୍ରେସ

ଭୁବନେଶ୍ବର: 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ପାଇଁ ନିୟୋଜିତ ସୁରକ୍ଷାକର୍ମୀଙ୍କ ଗାଡ଼ି ଧକ୍କାରେ ମଙ୍ଗଳବାର ଗଜପତିରେ ଜଣକର ମୃତ୍ୟୁକୁ ନେଇ ତେଜିଛି ରାଜନୀତି । ଏତେ ବଡ଼ ଘଟଣା ପରେ ବି ପାଣ୍ଡିଆନ ମୃତକଙ୍କ ପରିବାରକୁ ନଭେଟିବାକୁ ନିନ୍ଦା କରିଛି କଂଗ୍ରେସ ସାମ୍ବାଦିକ ସମ୍ମିଳନୀରେ ମୃତକଙ୍କ ପରିବାରକୁ 1 କୋଟି ଟଙ୍କା କ୍ଷତିପୂରଣ ଦାବି କଲେ କଂଗ୍ରେସ ନେତା ବିଜୟ ପଟ୍ଟନାୟକ ।

ମଙ୍ଗଳବାର ଦିନିକିଆ ଗଜପତି ଗସ୍ତରେ ଥିଲେ 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଥିଲା । ପାଣ୍ଡିଆନ ନିଜ କାର୍ଯ୍ୟକ୍ରମ ସାରି ଫେରିବା ବେଳେ ସୁରକ୍ଷା କର୍ମୀଙ୍କ ଗାଡ଼ି ଧକ୍କାରେ ଜଣଙ୍କର ମୃତ୍ୟ ଘଟିଥିଲା । ମୋହନା ନିର୍ବାଚନ ମଣ୍ଡଳୀର ରାମଗିରିସ୍ଥିତ ପରିସଲ ଗାଁ ନିକଟରେ ଏହି ସଡ଼କ ଦୁର୍ଘଟଣା ଘଟିଥିଲା । ଏହି ଘଟଣା ନେଇ ବିଜୟ ପଟ୍ଟନାୟକ କହିଛନ୍ତି, "ଗଜପତି ଜିଲ୍ଲାରେ ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ସୁରକ୍ଷାକର୍ମୀଙ୍କ ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ଘଟାଇଥିବା ଗାଡ଼ି ହେଉଛି ପୋଲିସ ଗାଡ଼ି । ବିନା ୟୁନିଫର୍ମରେ ସେମାନେ ବସିଥିଲେ । କାହିଁକି ସେମାନେ ବିନା ୟୁନିଫର୍ମରେ ବସିଥିଲେ ? ପୋଲିସ ଗାଡି ଧକ୍କାରେ ଜଣେ ଆର୍ଥିକ ଦୁର୍ବଳ ଶ୍ରେଣୀର ବ୍ୟକ୍ତିଙ୍କର ମୃତ୍ୟୁ ଘଟିଲା । ଏଠାରେ ହିଟ୍‌ ଆଣ୍ଡ ରନ୍‌ ଲାଗୁ ହେବ ନା ନାହିଁ ? ପାଣ୍ଡିଆନଙ୍କ ଗସ୍ତ ପାଇଁ ପୋଲିସ ସେଠାରେ କଭର କରୁଥିଲା । ପାଣ୍ଡିଆନଙ୍କୁ କି ପ୍ରକାର ସୁରକ୍ଷା ଦିଆଯାଇଛି ? ସେ ଜଣେ ସରକାରୀ କାର୍ଯ୍ୟକ୍ରମ ଦାୟିତ୍ବରେ ଥିବା ବ୍ୟକ୍ତି, ଯାହାଙ୍କ ପାଇଁ ଗାଡିଟି ନିୟୋଜିତ ହୋଇଥିଲା । ତାଙ୍କର କର୍ତ୍ତବ୍ୟ ଥିଲା ପରିବାରକୁ ଭେଟିବା ଓ କ୍ଷତିପୂରଣ ଦେବା ।"

ଏହା ମଧ୍ୟ ପଢ଼ନ୍ତୁ...ଗଜପତିରେ ସୁରକ୍ଷାକର୍ମୀଙ୍କ ଗାଡି ଦୁର୍ଘଟଣା, ଭୁଲ ବିବୃତି ପାଇଁ ବିଜୟଙ୍କୁ ବିଜେଡିର ସମାଲୋଚନା

ସେ ଆହୁରି କହିଛନ୍ତି, "ପାଣ୍ଡିଆନ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଚଳନ୍ତି ପ୍ରତିମା । ଏଯାଏଁ ପାଣ୍ଡିଆନ ବା ମୁଖ୍ୟମନ୍ତ୍ରୀ କେହି ବି ପ୍ରତିକ୍ରିୟା ରଖିନାହାନ୍ତି । ଏହା ସାଧାରଣ ଘଟଣା ନୁହେଁ । କଂଗ୍ରେସ ଦାବି କରୁଛି, ମୃତକଙ୍କ ପରିବାରକୁ 1 କୋଟି ଟଙ୍କା କ୍ଷତିପୂରଣ ଦିଆଯାଉ । ପାଣ୍ଡିଆନ ଗାଡିରେ ଥିଲେ କି ନଥିଲେ ତାହା ପୋଲିସ ସ୍ପଷ୍ଟ କରିବ । କିନ୍ତୁ ତାଙ୍କର କଣ ଦାୟିତ୍ବ ନୁହେଁ କି ଦୁର୍ଘଟଣା ପରେ ଯାଇ ମୃତକଙ୍କ ପରିବାରକୁ ଭେଟିବେ ? ହେଲେ ଘଟଣାସ୍ଥଳରୁ ଚାଲି ଆସିବା ଦୁର୍ଭାଗ୍ୟଜନକ ଓ ଅମାନବୀୟ । ଏହି ଘଟଣାରେ ହିଟ୍‌ ଆଣ୍ଡ ରନ୍‌ କେସ ଲାଗୁ ହେବା ଉଚିତ । ପାଣ୍ଡିଆନଙ୍କ ବିରୋଧରେ ମାମଲା ରୁଜୁ ହେବା ସହ ତାଙ୍କୁ ଗିରଫ କରାଯିବାକୁ କଂଗ୍ରେସ ଦାବି କରୁଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.