ETV Bharat / politics

ବାସୁଦେବପୁର ଏବଂ ଭଣ୍ଡାରିପୋଖରୀ ବିଧାନସଭା ଆସନ ପାଇଁ ଛିଡୁନି ବିଜେପିର ପ୍ରାର୍ଥୀ ଚୟନ ଅଙ୍କ ! - Bhadrak Assembly seats

author img

By ETV Bharat Odisha Team

Published : Apr 22, 2024, 6:58 AM IST

BJP not field candidates for Basudevpur and Bhandaripokhari assembly seats:ବାସୁଦେବପୁର ଏବଂ ଭଣ୍ଡାରିପୋଖରୀ ବିଧାନସଭା ଆସନରେ ପ୍ରାର୍ଥୀ ଚୂଡାନ୍ତ କରିପାରୁନି ବିଜେପି । ଏକାଧିକ ନେତାଙ୍କ ଦାବିଦାରି ବଢାଇଛି ଅଡୁଆ । କାହାକୁ ଭରସା କରିବ ଦଳ । ପୁରୁଣା ନା ଆମଦାନୀ ନେତାଙ୍କୁ ମିଳିବ ଟିକେଟ । ଅଧିକ ପଢନ୍ତୁ

ବାସୁଦେବପୁର ଏବଂ ଭଣ୍ଡାରିପୋଖରୀ ବିଧାନସଭା ଆସନ ପାଇଁ ଛିଡୁନି ବିଜେପିର ପ୍ରାର୍ଥୀ ଚୟନ ଅଙ୍କ !
ବାସୁଦେବପୁର ଏବଂ ଭଣ୍ଡାରିପୋଖରୀ ବିଧାନସଭା ଆସନ ପାଇଁ ଛିଡୁନି ବିଜେପିର ପ୍ରାର୍ଥୀ ଚୟନ ଅଙ୍କ !

ଭଦ୍ରକ: ଜିଲ୍ଲାର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ଏବଂ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ତାଲିକା ଚୂଡାନ୍ତ ହୋଇଯାଇଛି । ଅନ୍ୟପକ୍ଷରେ ବିଜେପି ଜିଲ୍ଲାର ଅନ୍ୟ ସମସ୍ତ ଆସନରେ ତାର ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ବାସୁଦେବପୁର ଏବଂ ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଏପର୍ଯ୍ୟନ୍ତ ପ୍ରାର୍ଥୀ ଚୂଡାନ୍ତ କରି ପାରିନାହିଁ । ଏହି ଦୁଇଟି ଆସନରେ ଦଳର ଏକାଧିକ ଆଶାୟୀ ଥିବା ବେଳେ କାହାକୁ ଦଳ ପ୍ରାର୍ଥୀ କରିବ ସେନେଇ ଏବେ ସୁଦ୍ଧା ମଧ୍ୟ ସସପେନ୍ସ ଲାଗିରହିଛି ।

ବାସୁଦେବପୁର ଏବଂ ଭଣ୍ଡାରିପୋଖରୀ ବିଧାନସଭା ଆସନ ପାଇଁ ଛିଡୁନି ବିଜେପିର ପ୍ରାର୍ଥୀ ଚୟନ ଅଙ୍କ
ବାସୁଦେବପୁର ଏବଂ ଭଣ୍ଡାରିପୋଖରୀ ବିଧାନସଭା ଆସନ ପାଇଁ ଛିଡୁନି ବିଜେପିର ପ୍ରାର୍ଥୀ ଚୟନ ଅଙ୍କ

ବାସୁଦେବପୁର ବିଧାନସଭା ଆସନ:-

ବାସୁଦେବପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି କ୍ରମାଗତ ଭାବେ ଦୁର୍ବଳ ପ୍ରଦର୍ଶନ କରୁଥିବା ବେଳେ 2019 ନିର୍ବାଚନରେ କଂଗ୍ରେସରୁ ଆସି ବିଜେପି ଟିକେଟରେ ନିର୍ବାଚନ ଲଢ଼ିଥିବା ମାଧବାନନ୍ଦ ମଲ୍ଲିକ 35,777 ଖଣ୍ଡ ଭୋଟ ପାଇ ଦଳକୁ ଏକ ସମାନ୍ନଜନକ ସ୍ଥିତିକୁ ଆଣିପାରିଥିଲେ । ଏହି ନିର୍ବାଚନ ମଣ୍ଡଳୀରେ ଅତୀତ ନିର୍ବାଚନଗୁଡିକରେ କେବେବି 20ହଜାର ଭୋଟ ପାଇ ନଥିବା ବିଜେପି ପ୍ରଥମଥର ପାଇଁ 20 ହଜାର ଡେଇଁଥିଲା । ପ୍ରକାଶ ଥାଉକି 2009 ନିର୍ବାଚନରେ ବିଜେପିର ପ୍ରାର୍ଥୀ ଅଶୋକ କୁମାର ସାହୁ 9,277 ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିବା ବେଳେ ବିଜେଡି ପ୍ରାର୍ଥୀ ବିଜୟଶ୍ରୀ ରାଉତରାୟ 70,856 ଖଣ୍ଡ ଭୋଟ ପାଇ 6840 ଖଣ୍ଡ ଭୋଟ ବ୍ୟବଧାନରେ ବିଜୟ ହୋଇଥିଲେ ।

କଂଗ୍ରେସର ମାଧବାନନ୍ଦ ମଲ୍ଲିକ 64,016 ଖଣ୍ଡ ଭୋଟ ପାଇ ଦ୍ଵିତୀୟ ସ୍ଥାନରେ ରହିଥିଲେ । ସେହିପରି 2014 ନିର୍ବାଚନରେ ବିଜେପିର ପ୍ରାର୍ଥୀ ଦୀନବନ୍ଧୁ ପତି 15,339 ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିବା ବେଳେ ବିଜେଡି ପ୍ରାର୍ଥୀ ବିଜୟଶ୍ରୀ ରାଉତରାୟ 77781 ଖଣ୍ଡ ଭୋଟ ପାଇ 6,506 ଖଣ୍ଡ ଭୋଟ ବ୍ୟବଧାନରେ ବିଜୟ ହୋଇଥିଲେ । କଂଗ୍ରେସର ମାଧବାନନ୍ଦ ମଲ୍ଲିକ 71,275 ଖଣ୍ଡ ଭୋଟ ପାଇ ଦ୍ଵିତୀୟ ସ୍ଥାନ ରେ ରହିଥିଲେ । ତେଣୁ ଆଲୋଚନା ହେଉଛି ଅପେକ୍ଷାକୃତ ଭାବେ ଦୁର୍ବଳ ବିବେଚିତ ହେଉଥ‌ିବା ଏହି ଆସନରେ ଦଳ ଦଳୀୟ ପ୍ରାର୍ଥୀଙ୍କୁ ଟିକେଟ ଦେବା ନାଁ ଆମଦାନୀ ନେତାଙ୍କୁ ଭରସା କରି ନିର୍ବାଚନ ଲଢିବ ତାକୁ ନେଇ ଦ୍ବନ୍ଦ୍ବରେ ପଡ଼ିଛି । ଯାହାକି ଏଥର ଏହି ଆସନରେ ନିଜ ଦଳୀୟ କ୍ୟାଡର ନେତା ଦୀନବନ୍ଧୁ ପତିଙ୍କୁ ଟିକେଟ ଦେଇ ନିର୍ବାଚନ ଲଢିବ ନାଁ, 2019 ନିର୍ବାଚନରେ ପରାଜିତ ଆମଦାନୀ ନେତା ମାଧବାନନ୍ଦ ମଲ୍ଲିକଙ୍କୁ ପୁନର୍ବାର ଦଳୀୟ ଟିକେଟ ଦେଇ ନିର୍ବାଚନ ଲଢିବ ତାହା ସ୍ପଷ୍ଟ ହୋଇନଥିବା ବେଳେ ଅନ୍ୟ ଜଣେ ନୂତନ ଆମଦାନୀ ନେତା ନରେନ ପଲାଇଙ୍କୁ ନେଇ ମଧ୍ୟ ଦଳ ଦ୍ଵନ୍ଦରେ ରହିଛି । ପ୍ରକାଶ ଥାଉକି କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ନରେନ ପଲେଇ ଚଳିତ ବର୍ଷ ବିଜେପିରେ ଯୋଗ ଦେଇଥିଲେ ।

ବାସୁଦେବପୁର ଏବଂ ଭଣ୍ଡାରିପୋଖରୀ ବିଧାନସଭା ଆସନ ପାଇଁ ଛିଡୁନି ବିଜେପିର ପ୍ରାର୍ଥୀ ଚୟନ ଅଙ୍କ
ବାସୁଦେବପୁର ଏବଂ ଭଣ୍ଡାରିପୋଖରୀ ବିଧାନସଭା ଆସନ ପାଇଁ ଛିଡୁନି ବିଜେପିର ପ୍ରାର୍ଥୀ ଚୟନ ଅଙ୍କ

ଭଣ୍ଡାରିପୋଖରୀ ବିଧାନସଭା ଆସନ:-

ସେହିପରି ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ପକ୍ଷରୁ ଚର୍ଚ୍ଚାରେ ଉଭୟ ନୂଆ-ପୁରୁଣା ପ୍ରାର୍ଥୀ । ହେଲେ ବିଜେପି କାହାକୁ ପ୍ରାର୍ଥୀ କରିବ ସେନେଇ ଅଦ୍ୟାବଧି ଅଙ୍କ ଛିଡ଼ୁନାହିଁ । ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ ଏବଂ ଭଣ୍ଡାରିପୋଖରୀ ବ୍ଲକକୁ ନେଇ ଗଠିତ ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀ । କଂଗ୍ରେସ ଦଳରୁ ଆସି ବଦ୍ରିନାରାୟଣ ଧଳ ବିଜେପି ଟିକେଟରେ ଦୁଇ ଥର ହେବ ନିର୍ବାଚନ ଲଢ଼ୁଥିବା ବେଳେ ପରାଜୟ ତାଙ୍କ ପିଛା ଛାଡୁନି । 2009 ନିର୍ବାଚନରେ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢି ବଦ୍ରି 39 ହଜାର 840 ଖଣ୍ଡ ଭୋଟ ପାଇ ପରାଜିତ ହୋଇଥ‌ିବା ବେଳେ 2014 ନିର୍ବାଚନରେ ବିଜେପି ଟିକେଟରୁ ନିର୍ବାଚନ ଲଢି 28 ହଜାର 809 ଖଣ୍ଡ ଭୋଟ ପାଇଥିଲେ । ଏହା ସତ୍ତ୍ବେ ମଧ୍ୟ 2019 ନିର୍ବାଚନରେ ଦଳ ପୁଣି ବଦ୍ରୀଙ୍କୁ ଦଳୀୟ ଟିକେଟରୁ ନିର୍ବାଚନ ଲଢ଼ାଇଥିଲା । ଏହି ନିର୍ବାଚନରେ ବଦ୍ରି 39 ହଜାର 141 ଖଣ୍ଡ ଭୋଟ ପାଇ ମଧ୍ୟ ପରାଜିତ ହୋଇଥିଲେ । ଏହି 2019 ନିର୍ବାଚନରେ ତୃତୀୟ ଥର ପାଇଁ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ 70,180 ଭୋଟ ପାଇ ବିଜୟୀ ହୋଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ଭାବେ କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ 61,321 ଖଣ୍ଡ ଭୋଟ ପାଇ ପରାଜିତ ହୋଇଥିଲେ। ତେବେ ବିଜେପି ନେତା ବଦ୍ରି ଧଳଙ୍କ ଏହି ହାରିବା ଟ୍ରାକକୁ ନେଇ ପୁଣି ନିର୍ବାଚନ ଲଢ଼େଇବ ଅଥବା ନୂଆ ମୁହଁ ଦେଇ ଦଳର ସାମର୍ଥ ଅଟକଳ କରିବ ତାକୁ ନେଇ ଏବେ ଦଳିୟ ଚର୍ଚ୍ଚା ଜୋର ଧରିଛି ।

ଏକଦା ଏହି ବିଧାନସଭା ଆସନକୁ ଟାର୍ଗେଟ କରି ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସମସ୍ତ କଳ ବଳ ପ୍ରୟୋଗ ସତ୍ତ୍ଵେ ମଧ୍ୟ ପରାଜୟରୁ ବର୍ତ୍ତି ପାରିନଥିଲେ। ପରେ ମନମୋହନ ଏହି ଆସନ ମୋହ ଛାଡି ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ଫୋକସରେ ରଖି ନିର୍ବାଚନ ଲଢ଼ି ଆସୁଛନ୍ତି । ହେଲେ ରାଜ୍ୟ ସ୍ତରରେ ନହେଲେ ମଧ୍ୟ କେନ୍ଦ୍ରୀୟ ଲବିରେ ପଞ୍ଚାନନ ଦଳୀୟ ଟିକେଟ ହାତେଇବା ଲକ୍ଷ୍ୟରେ ରହିଛନ୍ତି । ତେବେ ସେ ଦଳୀୟ ଟିକେଟ ଲବିରେ ଥିଲେ ମଧ୍ୟ ଭଣ୍ଡାରିପୋଖରୀ ରାଜନୀତିରେ ବଦ୍ରିଙ୍କ ଭଳି ତାଙ୍କର ସେହି ଧରଣର ପ୍ରଭାବ ଥିବା ମନେକରାଯାଇ ପାରୁନାହିଁ। ପଞ୍ଚାନନଙ୍କୁ ଛାଡି ଦେଲେ ଏହି ଆସନରେ ଅନ୍ୟ ଜଣେ ନେତା ଯିଏକି ନିକଟରେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିବା ନବାଗତ ସୁଧାଂଶୁ ନାୟକଙ୍କୁ ନେଇ ଦଳରେ ଚର୍ଚ୍ଚା ଜୋର ଧରିଛି ।

ବନ୍ତ ବ୍ଳକରେ ଶାସକ ବିଜେଡିର ଜଣେ ପ୍ରଭାବଶାଳୀ ନେତା ଭାବେ ସୁଧାଂଶୁଙ୍କ ବେଶ ଦଖଲ ଥିବା ବେଳେ ସେ ବିଜେଡି ଛାଡି ବିଜେପି ରେ ମିଶିଥିବା ପଛରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ବଡ଼ ହାତ ରହିଛି ବୋଲି ଚର୍ଚ୍ଚା ହେଉଛି । ତେଣୁ ଯାହାକି ଆଗାମୀ ନିର୍ବାଚନରେ ସେ ଏହି ଆସନରୁ ଦଳୀୟ ପ୍ରାର୍ଥୀ ହେଉଥ‌ିବା ମଧ୍ଯ ଚର୍ଚ୍ଚା ହେଉଛି। ହେଲେ ନିର୍ବାଚନ ମଣ୍ଡଳୀରେ ବନ୍ତ ବ୍ଳକ ଭଳି ଭଣ୍ଡାରିପୋଖରୀ ବ୍ଲକରେ ସୁଧାଂଶୁଙ୍କର ସେହି ଧରଣର ପ୍ରଭାବ ଥ‌ିବା ମନେ କରାଯାଇ ପାରୁ ନାହିଁ। ଏମାନଙ୍କୁ ବାଦ ଦେଇ ଦଳ ଅନ୍ଯଦଳରୁ ଆମଦାନୀ ଅପେକ୍ଷାରେ ଥ‌ିବା କିଛି ନେତାଙ୍କୁ ଦଳୀୟ ଟିକେଟ ଦେଇ ନିର୍ବାଚନ ଲଢ଼ିବା ଲକ୍ଷ୍ୟରେ ବିଜେପି ଥ‌ିବା ଯୋଗୁ ଟିକେଟ ଘୋଷଣା ବିଳମ୍ବିତ ହେଉଥ‌ିବା ଚର୍ଚ୍ଚା ହେଉଛି । ତେଣୁ ବାସୁଦେବପୁର ଏବଂ ଭଣ୍ଡାରିପୋଖରୀ ଆସନ ପାଇଁ ବିଜେପି ଦଳୀୟ ପ୍ରାର୍ଥୀଙ୍କୁ ଟିକେଟ ଦେବ ନା, ଆମଦାନୀ ନେତାଙ୍କୁ ଭରସା କରି ନିର୍ବାଚନ ଲଢିବ ତାକୁ ନେଇ ଦ୍ବନ୍ଦ୍ବରେ ପଡ଼ିଛି ବୋଲି ଆଲୋଚନା ହେଉଛି।

ଇଟିିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.