ETV Bharat / politics

ଆଚରଣ ବିଧି ମାନୁନାହାନ୍ତି ଉମାକାନ୍ତ ! ରିଟର୍ଣ୍ଣିଂ ଅଫିସରଙ୍କ ଦ୍ବାରସ୍ଥ ହେଲା ବିଜେପି - Poll Code Violation

author img

By ETV Bharat Odisha Team

Published : Apr 12, 2024, 11:09 AM IST

Poll Code Violation: ବ୍ରହ୍ମଗିରି ବିଜେଡି ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ । ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ରିଟର୍ଣ୍ଣିଂ ଅଫିସରଙ୍କୁ ଦାବିପତ୍ର ପ୍ରଦାନ କଲା ବିଜେପି । ଅଧିକ ପଢନ୍ତୁ

ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ; ଉମାକାନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି
ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ; ଉମାକାନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି

ଆଚରଣ ବିଧି ମାନୁନାହାନ୍ତି ଉମାକାନ୍ତ

ପୁରୀ: ବ୍ରହ୍ମଗିରିର ବିଜେଡି ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ । ଉମାକାନ୍ତଙ୍କ ପ୍ରରୋଚନାରେ ୧୧ଟି ପଞ୍ଚାୟତର ସିଆରପି, ଏମବିକେ ଏବଂ କିଛି ମହିଳା ସ୍ବଂୟ ସହାୟିକା ଗୋଷ୍ଠୀକୁ ଡକାଯାଇ ଏକ ବୈଠକ ଆୟୋଜନ କରାଯାଇଥିବା ଏବଂ ଏଥିରେ ନିର୍ବାଚନ ପାଇଁ ଟଙ୍କା ବଣ୍ଟନ କରାଯିବା ସମ୍ପର୍କରେ ଆଲୋଚନା କରାଯାଇଥିବା ବିଜେପି ଅଭିଯୋଗ କରିଛି । ଯାହାକି ନିର୍ବାଚନ ଆଚରଣ ବିଧି ଅନୁସାରେ ସମ୍ପୂର୍ଣ୍ଣ ବେଆଇନ । ତେଣୁ ବିଜେଡି ପ୍ରାର୍ଥୀ ଉମାକାନ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବିରେ ବ୍ରହ୍ମଗିରି ରିଟର୍ଣ୍ଣିଂ ଅଫିସରଙ୍କ ଦ୍ବାରସ୍ଥ ହୋଇଛି ପୁରୀ ଜିଲ୍ଲା ବିଜେପି । ଏହି ଘଟଣାକୁ ୨୪ ଘଣ୍ଟାରୁ ଅଧିକ ସମୟ ବିତିଥିବା ବେଳେ ଜିଲ୍ଲା ପ୍ରଶାସନ ନିର୍ବାଚନ କମିଶନଙ୍କ ଗାଇଡଲାଇନ ଅନୁଯାୟୀ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ଏହାର ପ୍ରତିବାଦରେ ରିଟର୍ଣ୍ଣିଂ ଅଫିସରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ବିଜେପି ଅଭିଯୋଗ ଅନୁଯାୟୀ, ବୁଧବାର ଅପରାହ୍ନରେ ଅଠରନଳାରେ ଥିବା ମଦନ କଲ୍ୟାଣ ମଣ୍ଡପରେ ବ୍ରହ୍ମଗିରିର ବିଜେଡ଼ିର ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟ ସଦର ବ୍ଲକର 11ଟି ପଞ୍ଚାୟତର ସିଆରପି, ଏମବିକେ ଏବଂ କିଛି ମହିଳା ଗୋଷ୍ଠୀଙ୍କୁ ଏକତ୍ରିତ କରି ଏକ ବୈଠକ ଆୟୋଜନ କରିଥିଲେ । ନିର୍ବାଚନ ଆଚରଣ ବିଧି ଅନୁସାରେ ଏହା ସମ୍ପୂର୍ଣ୍ଣ ବେଆଇନ । ଆସନ୍ତା ନିର୍ବାଚନରେ କିଭଳି ଭୋଟରଙ୍କୁ ପ୍ରଭାବିତ କରିହେବ ଓ କେମିତି ଟଙ୍କା ବଣ୍ଟନ କରାଯିବ ସେନେଇ ବୈଠକରେ ଆଲୋଚନା ହୋଇଥିଲା । ଉମାକାନ୍ତ ସାମନ୍ତରାୟଙ୍କ ପତ୍ନୀଙ୍କ ଉପସ୍ଥିତିରେ ଏହି ବେଆଇନ କାର୍ଯ୍ୟ ହୋଇଥିଲା ଏବଂ ଜିଲ୍ଲା ବିଜେଡି ସଭାପତି ଦିବାକର ପାତ୍ର ଏହି କାର୍ଯ୍ୟକୁ ପ୍ରତ୍ୟକ୍ଷ ଭାବେ ପରିଚାଳନା କରୁଥିଲେ । ଏନେଇ ଫ୍ଲାଇଙ୍ଗ ସ୍କ୍ୱାର୍ଡକୁ ଖବର ଦିଆଯାଇଥିଲେ ମଧ୍ୟ କୌଣସ କାର୍ଯ୍ୟନୁଷ୍ଠାନ ହୋଇନଥିବା ବିଜେପି ଅଭିଯୋଗ କରିଛି ।

ଏହା ମଧ୍ୟ ପଢନ୍ତୁ: ବିଜେଡି ପାଇଁ ପ୍ରଚାର କରୁଛନ୍ତି ଆଶା ଓ ଅଙ୍ଗନାୱାଡି କର୍ମୀ, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଆଗରେ ଫେରାଦ ବିଜେପି - BJP MEETs CEO


ପୁରୀ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ଜୟନ୍ତ ଦାସ ଅଭିଯୋଗ କରିଛନ୍ତି ଯେ, ବୈଠକରେ ଟଙ୍କା ବଣ୍ଟନ ପାଇଁ ଆସିଥିଲେ ମଧ୍ୟ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଏହାକୁ ଜବତ କରିନଥିଲା । ପୋଲିସ୍ ଓ ସ୍କ୍ୱାର୍ଡ ସବୁ ଜାଣି ମଧ୍ୟ ତାଙ୍କୁ ପଚରାଉଚରା ନ କରିବା ଦୁର୍ଭାଗ୍ୟର ବିଷୟ । ଓଲଟା ଏହି କାର୍ଯ୍ୟରେ ପୋଲିସ୍ ଓ ପ୍ରଶାସନ ବିଜେଡିକୁ ସମ୍ପୂର୍ଣ୍ଣ ସହଯୋଗ କରିଥିବା ବିଜେପି ଅଭିଯୋଗ ଆଣିଛି । ବିଜେଡି ନେତାମାନେ ଖୁଲମ୍ ଖୁଲା ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରୁଥିବା ବେଳେ ଏହା ବିରୋଧ କଡ଼ା କାର୍ଯ୍ୟାନୁଷ୍ଠାନ ନହେଲେ ଆଗାମୀ ଦିନରେ ବିଜେପି ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବ ବୋଲି ପୁରୀ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ଜୟନ୍ତ ଦାସ ଚେତାବନୀ ଦେଇଛନ୍ତି ।

ବିଜେପି କର୍ମୀ ଅଭିଯୋଗ କରିଛନ୍ତି ଯେ, ବ୍ରହ୍ମଗିରିର ବିଜେଡି ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟଙ୍କ ପତ୍ନୀ ନିଜେ ମଦନ ମଣ୍ଡପରେ ରହି ବୈଠକ ପରିଚାଳନା କରିଥିଲେ । ଏହି ବେଆଇନ କାର୍ଯ୍ୟ ଚାଲିଥିବା ବେଳେ ଫ୍ଲାଇଙ୍ଗ ସ୍କ୍ବାର୍ଡକୁ ଖବର ଦିଆଯାଇଥିଲେ ମଧ୍ୟ ସ୍କ୍ବାର୍ଡ ଜାଣିଶୁଣି ବିଳମ୍ବରୁ ଆସିବାରୁ ସମସ୍ତେ ପଳାଇ ଯିବାରେ ସକ୍ଷମ ହୋଇଥିଲେ । ଏଣୁ ପ୍ରଶାସନ ଶାସକ ଦଳକୁ ସମ୍ପୂର୍ଣ୍ଣ ସୁରକ୍ଷା ଦେଉଥିବା ଜଣାପଡୁଛି । ସେପଟେ ବିଜେପିର ଅଭିଯୋଗକୁ ପୁରୀ ଜିଲ୍ଲା ବିଜେଡ଼ି ସଭାପତି ଦିବାକର ପାତ୍ର ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ''ଏହି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ । ସେଠାର ବିଜେଡିର କୌଣସି କାର୍ଯ୍ୟକ୍ରମ ନଥିଲା । ଜଣେ ବ୍ୟକ୍ତିଙ୍କ ବ୍ୟକ୍ତିଗତ କାର୍ଯ୍ୟକ୍ରମ ଥିଲା । ସେଠାକୁ କିଏ ଆସିଥିଲେ ତାହା ଜଣାନାହିଁ । ନିର୍ବାଚନରେ ବିଜେଡିକୁ ବଦନାମ କରିବା ପାଇଁ ବିଜେପିର ଏହା ଷଡ଼ଯନ୍ତ୍ର । ଏହି ଭିତ୍ତିହୀନ ଅଭିଯୋଗର କୌଣସି ପ୍ରଭାବ ପଡ଼ିବ ନାହିଁ । ଆଗାମୀ ନିର୍ବାଚନରେ ବିଜେଡି ବିପୁଳ ବିଜୟ ହାସଲ କରିବ ।''

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.