ETV Bharat / politics

ନୀଳଗିରିରୁ ବିଜେପି ପ୍ରାର୍ଥୀ ହେଲେ ସନ୍ତୋଷ ଖଟୁଆ, କାଲି ଛାଡିଥିଲେ ବିଜେଡି - Odisha Assembly Election

author img

By ETV Bharat Odisha Team

Published : May 3, 2024, 1:17 PM IST

BJP candidate for Nilagiri: ନୀଳଗିରି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କଲା ବିଜେପି । ସନ୍ତୋଷ ଖଟୁଆ ହେଲେ ବିଜେପି ପ୍ରାର୍ଥୀ । ଅଧିକ ପଢନ୍ତୁ

Etv Bharat
Etv Bharat (Etv Bharat)

ବାଲେଶ୍ବର: ନୀଳଗିରି ଆସନରେ ପ୍ରାର୍ଥୀ ଘୋଷଣା କଲା ବିଜେପି । ସନ୍ତୋଷ ଖଟୁଆ ହେଲେ ନୀଳଗିରି ପ୍ରାର୍ଥୀ । ସନ୍ତୋଷ ଗତକାଲି (ଗୁରୁବାର) ବିଜେଡିରୁ ଇସ୍ତଫା ଦେଇଥିଲେ । ଦଳ ସୁକାନ୍ତ ନାୟକଙ୍କୁ ଟିକଟ ଦେବାରୁ ଅସନ୍ତୁଷ୍ଟ ହୋଇ ସେ ବିଜେଡି ଛାଡିଥିଲେ । ଯାହାପରେ ଆଜି ବିଜେପି ନୀଳଗିରି ବିଧାନସଭା ଆସନରୁ ସନ୍ତୋଷ ଖଟୁଆଙ୍କ ନାମ ପ୍ରାର୍ଥୀ ଭାବେ ଘୋଷଣା କରିଛି ।

ଗୁରୁବାର ବିଜେଡି ସୁକାନ୍ତ ନାୟକଙ୍କ ନାମ ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା । ଏହାକୁ ନେଇ ବିଜେଡିରୁ ଆଶାୟୀ ଥିବା ସନ୍ତୋଷ ଖଟୁଆ ଓ ତାଙ୍କର ସମର୍ଥକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା । ଗତକାଲି ସମର୍ଥକମାନେ ମେଡିକାଲ ଛକ ନିକଟରେ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରିଥିଲେ ଏବଂ ସନ୍ତୋଷ ନିଶ୍ଚୟ ପ୍ରାର୍ଥୀ ହୋଇ ନୀଳଗିରିରୁ ବିଜେଡିକୁ ନିଶ୍ଚିହ୍ନ କରିଦେବେ ବୋଲି ଚେତାବନୀ ଦେଇଥିଲେ । ଆଜି ତାଙ୍କ ନାମ ବିଜେପି ପକ୍ଷରୁ ଘୋଷଣା ପରେ ସମର୍ଥକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

ଏହା ମଧ୍ୟ ପଢନ୍ତୁ: ନୀଳଗିରି ଆସନ ପାଇଁ ସୁକାନ୍ତଙ୍କ ନାଁ ଘୋଷଣା, ବିଜେଡିକୁ ବେଇମାନ କହି ଦଳ ଛାଡିଲେ ସନ୍ତୋଷ - Santosh Khatua Left BJD

ଦୀର୍ଘ ବର୍ଷ ଧରି ନୀଳିଗିରିରେ ବିଜେଡିର ସଂଗଠନ ସୁଦୃଢ କରିବାରେ ସନ୍ତୋଷ କାର୍ଯ୍ୟ କରିଥିଲେ । ଏହାସତ୍ତ୍ବେ ବିଜେପି ଛାଡି ବିଜେଡିରେ ମିଶିଥିଲା ସୁକାନ୍ତ ନାୟକଙ୍କୁ ଦଳ ଟିକଟ ଦେଇ ତାଙ୍କୁ ଅଣଦେଖା କରିଥିଲା । ଯାହାକୁ ନେଇ ଗୁରୁବାର ଅପରାହ୍ନରୁ ନୀଳଗିରି ବିଜେଡିରେ ତୁମ୍ବି ତୋଫାନ ଦେଖିବାକୁ ମିଳିଥିଲା । ଏବେ ଉଭୟ ସନ୍ତୋଷ ଏବଂ ସୁକାନ୍ତ ଦଳବଦଳ କରି ନିର୍ବାଚନ ରଣାଙ୍ଗନାରେ ସାମ୍ନାସାମ୍ନି ହେବେ । ୨୦୧୯ ନିର୍ବାଚନରେ ସନ୍ତୋଷ ବିଜେଡି ପ୍ରାର୍ଥୀ ହୋଇଥିବା ବେଳେ ମାତ୍ର ୧ ହଜର ୫୭୭ ଖଣ୍ଡ ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀ ସୁକାନ୍ତ ନାୟକଙ୍କ ଠାରୁ ପରାସ୍ତ ହୋଇଥିଲେ । ତେଣୁ ଏଥର ନୀଳଗିରି ନିର୍ବାଚନ ବେଶ୍ ରୋଚକ ହେବ । ଏଥର ନୀଳଗିରିରେ କିଏ ମାରିବ ବାଜି ତାହା ଜୁନ ୪ରେ ଭୋଟ ଗଣତି ପରେ ଜଣାପଡିବ ।

ଏହା ମଧ୍ୟ ପଢନ୍ତୁ: ବିଜେଡିରେ ସାମିଲ ହେଲେ ବିଧାୟକ ସୁକାନ୍ତ ନାୟକ, ବୃନ୍ଦାବନ ମାଝୀ ଓ ଅବକାଶ ସାମଲ - BJP AND CONGRESS LEADERS JOIN BJD

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଚଳିତ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ବିଜେଡି ଓ ବିଜେପି ପକ୍ଷରୁ ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା ଚୂଡାନ୍ତ ହୋଇଛି । ଏବେ ସବୁ ଦଳର ପ୍ରାର୍ଥୀ ପ୍ରଚାର ଅଭିଯାନ ଜୋରଦାର କରିଛନ୍ତି । ଡହ ଡହ ଖରାକୁ ଖାତିର୍ ନକରି ସଭା, ସମିତି, ରାଲି କରିବା ସହ ଘର ଘର ବୁଲି ଭୋଟ ମାଗୁଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.