ETV Bharat / politics

ନବୀନ ଗ୍ୟାରେଣ୍ଟିରେ ବିଜେପିକୁ ଲାଗିଛି ବିଜୁଳି ଝଟକା: ବିଜେଡି - Free Electricity Scheme Politics

author img

By ETV Bharat Odisha Team

Published : May 11, 2024, 10:30 PM IST

Free Electricity Scheme Politics: ମାଗଣା ବିଜୁଳି ପ୍ରଦାନ ଯୋଜନା ନେଇ ଜୋର ଧରିଛି ରାଜନୀତି । ବିଜେପିକୁ ଟାର୍ଗେଟ୍ କରି ବିଜେଡି ମୁଖପାତ୍ର କ'ଣ କହିଛନ୍ତି ଜାଣନ୍ତୁ ।

Free Electricity Scheme Politics
Free Electricity Scheme Politics (ETV Bharat Odisha)

Free Electricity Scheme Politics (ETV Bharat Odisha)

ଭୁବନେଶ୍ବର: ଦୁଇ ଦିନିଆ ଓଡି଼ଶା ଗସ୍ତରେ ଆସି ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ । ବିଜେପି ସରକାରରେ ଆସିଲେ 'ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା' ହେବ ବୋଲି କହିଛନ୍ତି । ତେବେ ଏହି ଯୋଜନାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର । ସେ କହିଛନ୍ତି, "ନବୀନ ଗ୍ୟାରେଣ୍ଟିରେ ବିଜେପିକୁ ଲାଗିଛି ବିଜୁଳି ଝଟକା । ତେଣୁ ନିର୍ବାଚନବେଳେ ପ୍ରଧାନମନ୍ତ୍ରୀ ଜୁମଲା କହୁଛନ୍ତି । ନବୀନ ଗ୍ୟାରେଣ୍ଟିରେ ମାଗଣା ବିଦ୍ୟୁତ ଦେବା ବିଜେପିକୁ ଜୋରରେ ସକ୍ ଦେଇଛି । ତେଣୁ ଓଡ଼ିଶାର ଜନସାଧାରଣଙ୍କୁ ଭ୍ରମିତ କରିବାକୁ ସେମାନେ ଚିନ୍ତିତ ଓ ବିବ୍ରତ ହୋଇପଡିଛନ୍ତି ।

"ମୁଖ୍ୟମନ୍ତ୍ରୀ ନବୀନ ଗ୍ୟାରେଣ୍ଟିରେ 100 ୟୁନିଟ ମାଗଣା ବିଦ୍ୟୁତ ରାଜ୍ୟବାସୀଙ୍କୁ ଦିଆଯିବ । ଏଥିରେ 90 ପ୍ରତିଶତ ଓଡ଼ିଶାର ଜନସାଧାରଣ ଉପକୃତ ହେବେ । ସେଥିପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବକ୍ତବ୍ୟରେ କହିଛନ୍ତି ଯେ, ଓଡ଼ିଶାରେ ବିଜୁଳି ଜିରୋ ହୋଇଯିବ । ବାସ୍ତବରେ ଓଡ଼ିଶାବାସୀ ଏହା ଜାଣିବା ଦରକାର । କେଉଁଠି ବିଜୁଳି ଜିରୋ ହେବାର ନାହିଁ । ବିଜୁ ଜନତା ଦଳ ଏହାର ବାସ୍ତବତା ଜଣାଇବ । ପ୍ରଧାନମନ୍ତ୍ରୀ ଆଜି, ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ବାବଦରେ କହିଛନ୍ତି । ଏହି ଯୋଜନାରେ ମାଗଣା ବିଜୁଳି ମିଳିବ ନାହିଁ । ଭାରତବର୍ଷର ୧ କୋଟି ଘରକୁ ଏହି ସୁବିଧା ମିଳିବ । ଅର୍ଥାତ 90% ଭାରତବର୍ଷ ଏହି ଯୋଜନାର ଲାଭ ପାଇବ ନାହିଁ । ସେହିପରି 90% ଓଡ଼ିଶା ଏହାର ଲାଭ ପାଇବ ନାହିଁ । ଏହା ହେଉଛି ପ୍ରଥମ ଜୁମଲା । ଏହି ଯୋଜନାରେ ଭେଣ୍ଡର ପ୍ୟାନେଲ ଲଗାଇବେ । ଯାହା ପାଇଁ 40 ହଜାର ଟଙ୍କା ଖର୍ଚ୍ଚ କରିବ ଲୋକେ । ଏହା ଗରିବଙ୍କ ପାଇଁ ନୁହେଁ । ଓଡ଼ିଶାର ଗରିବ, ଆଦିବାସୀ 40 ହଜାର କେମିତି ଦେବେ ? ଏହା କେବଳ ଧନୀ ଲୋକଙ୍କ ପାଇଁ ଯୋଜନା, ଯେଉଁମାନେ ସୋଲାର ପ୍ୟାନେଲ ଲଗେଇବେ । ଏହା କ'ଣ ମାଗଣା ? କାହିଁକି ପ୍ରଧାନମନ୍ତ୍ରୀ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ?" ବୋଲି ପ୍ରଶ୍ନ କରିଛନ୍ତି ସସ୍ମିତ ।

ଏହା ବି ପଢନ୍ତୁ...୨୦୨୪ ନିର୍ବାଚନରେ ବିଜେଡିର ୨୪ 'ନବୀନ ଗ୍ୟାରେଣ୍ଟି' - BJD Election Manifesto

ସେ ଆହୁରି କହିଛନ୍ତି,"ଯେତେବେଳେ ନିର୍ବାଚନ ଆସେ ବିଜେପି ଏଭଳି ଜୁମଲା ନେଇକି ଆସେ । ଆଗରୁ ଜୁମଲା ଥିଲା 2 କୋଟି ଚାକିରି ଦେବୁ । ସେହିପରି 15 ଲକ୍ଷ ଟଙ୍କା ଦେବା ବି ଜୁମଲା ଥିଲା । ଆଉ ଏବେ ନୂଆ ଜୁମଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଗଣା ବିଜୁଳି ଦେବେ । 90% ଘରର ବିଜୁଳି ବିଲ ଜିରୋ ହେବ । ଏହା ବିଜେପି ଦେହକୁ ଯାଉନାହିଁ । ବିଜେପି ଚାହୁଁଛି ଗରିବ ଲୋକ 40 ହଜାର ଟଙ୍କା ପକେଟରୁ ବାହାର କରନ୍ତୁ। ଉଜ୍ଜ୍ଵଳା ଯୋଜନା ପରି ଟଙ୍କା ପକେଟରୁ ଦେବାକୁ ପଡି଼ବ । ବିଜେପି ପରାଜୟ ଆଡ଼କୁ ଯାଉଥିବାରୁ ଏପରି ଜୁମଲା କହିବା ଆରମ୍ଭ କଲେଣି । 2024 ନିର୍ବାଚନରେ ବିଜେପି ଏକ ଶୋଚନୀୟ ପରାଜୟ ଆଡକୁ ଯାଉଛି । ସେଥିପାଇଁ ଆଜି ବିବ୍ରତ ଓ ବ୍ୟତିବ୍ୟସ୍ତ ହୋଇପଡିଛନ୍ତି । ଏପରି ଜୁମଲା ଆଉ ଓଡିଶାବାସୀଙ୍କୁ ନଦିଅନ୍ତୁ । ନବୀନ ଗ୍ୟାରେଣ୍ଟି ହିଁ ହେଉଛି ନବୀନ ଇଞ୍ଜିନ । ନବୀନ ପ୍ରଗତିର ଇଞ୍ଜିନ । ଅନ୍ୟ ଇଞ୍ଜିନ ଗୁଡିକ ଜୁମଲା ଇଞ୍ଜିନ । ଯାହା ରାଜ୍ୟବାସୀ ଜାଣିବା ଦରକାର ।"


ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.