ETV Bharat / politics

ସମ୍ବଲପୁରରେ ନାମାଙ୍କନ ପର୍ବ; କଂଗ୍ରେସ, ବିଜେପି ଓ ବିଜେଡି ପ୍ରାର୍ଥୀଙ୍କ ନାମାନଙ୍କ ପତ୍ର ଦାଖଲ - File Nomination In Sambalpur

author img

By ETV Bharat Odisha Team

Published : May 3, 2024, 10:04 PM IST

BJD BJP And Congress Candidates File Nomination: ସମ୍ବଲପୁର ଲୋକସଭା ଓ ରେଙ୍ଗାଲି ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ । ସମ୍ବଲପୁର ବିଧାନସଭା ଆସନ ପାଇଁ ବିଜେପିର ପ୍ରାର୍ଥୀ ଓ କୁଚିଣ୍ଡା ଓ ରେଢ଼ାଖୋଲ ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ନାମାଙ୍କନ ଦାଖଲ । ଅଧିକ ପଢ଼ନ୍ତୁ

ସମ୍ବଲପୁରରେ ନାମାଙ୍କନ ପର୍ବ;  କଂଗ୍ରେସ, ବିଜେପି ଓ ବିଜେଡି ପ୍ରାର୍ଥୀଙ୍କ ନାମାନଙ୍କ ପତ୍ର ଦାଖଲ
ସମ୍ବଲପୁରରେ ନାମାଙ୍କନ ପର୍ବ; କଂଗ୍ରେସ, ବିଜେପି ଓ ବିଜେଡି ପ୍ରାର୍ଥୀଙ୍କ ନାମାନଙ୍କ ପତ୍ର ଦାଖଲ (ETV Bharat Odisha)

ସମ୍ବଲପୁରରେ ନାମାଙ୍କନ ପର୍ବ; କଂଗ୍ରେସ, ବିଜେପି ଓ ବିଜେଡି ପ୍ରାର୍ଥୀଙ୍କ ନାମାନଙ୍କ ପତ୍ର ଦାଖଲ (ETV Bharat Odisha)

ସମ୍ବଲପୁର: ଦେଶର 5ମ ତଥା ରାଜ୍ୟର 2ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି (ଶୁକ୍ରବାର) ଥିଲା ନାମାଙ୍କନ ଭରିବାର ଶେଷ ଦିନ । ଏହି ଅବସରରେ ସମ୍ବଲପୁରରେ କଂଗ୍ରେସ, ବିଜେପି ଓ ବିଜେଡି ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । ସମ୍ବଲପୁର ଲୋକସଭା ଓ ରେଙ୍ଗାଲି ବିଧାନସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ସେହିପରି ସମ୍ବଲପୁର ବିଧାନସଭା ଆସନ ପାଇଁ ବିଜେପିର ପ୍ରାର୍ଥୀ ନାମାଙ୍କନ ଭରିଥିବା ବେଳେ କୁଚିଣ୍ଡା ଓ ରେଢ଼ାଖୋଲ ବିଧାନ ସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି ।

ସମ୍ବଲପୁରର ଲୋକସଭା ଆସନ କଂଗ୍ରେସ ସାଂସଦ ପ୍ରାର୍ଥୀ ନଗେନ୍ଦ୍ର ପ୍ରଧାନ ଏବଂ ରେଙ୍ଗାଲି ବିଧାନସଭା ଆସନ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ଦୁରିଆ ଆଜି ବାଲିବନ୍ଧାରୁ ନିଜର ହଜାର ହଜାର ସମର୍ଥକ ଏବଂ କଂଗ୍ରେସ କର୍ମୀଙ୍କୁ ନେଇ ଏକ ବିଶାଳ ଶୋଭାଯାତ୍ରାରେ ବାହାରିଥିଲେ । ଏହି ଶୋଭାଯାତ୍ରାଟି ବାଲିବନ୍ଧାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପହଞ୍ଚିଥିଲା । ଲୋକସଭା ପ୍ରାର୍ଥୀ ନଗେନ୍ଦ୍ର ପ୍ରଧାନ ଜିଲ୍ଲାପାଳଙ୍କ ପାଖରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏହାସହ ରେଙ୍ଗାଲି ବିଧାନସଭାର କଂଗ୍ରେସ ପ୍ରାର୍ଥୀ ଭାବରେ ଦିଲ୍ଲୀପ ଦୁରିଆ ମଧ୍ୟ ଅତିରିକ୍ତ ଜିଲ୍ଲାପାଳଙ୍କ ପାଖରେ ନିଜର 2 ସେଟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । କଂଗ୍ରେସର ଏହି ଶୋଭାଯାତ୍ରାରେ ସମ୍ବଲପୁର ବିଧାନସଭା ବିଧାୟକ ପ୍ରାର୍ଥୀ ଦୁର୍ଗା ପ୍ରସାଦ ପାଢ଼ୀ ଏବଂ ରେଢ଼ାଖୋଲ ବିଧାନସଭା ବିଧାୟକ ପ୍ରାର୍ଥୀ ଆସଫ ଅଲ୍ଲୀ ଖାନ, ଜିଲ୍ଲା କଂଗ୍ରେସ ସଭାପତି ଜୟ ଶଙ୍କର ମିଶ୍ର ଏବଂ କଂଗ୍ରେସର ବହୁ ନେତୃବୃନ୍ଦ ସାମିଲଥିଲେ ।

ଅନ୍ୟପଟେ ସମ୍ବଲପୁର ବିଧାନସଭା ଆସନରୁ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ନିଜ କାର୍ଯ୍ୟାଳୟରୁ ନିଜ ସମର୍ଥକ ଓ ବିଜେପି କାର୍ଯ୍ୟକର୍ତାଙ୍କ ସହ ବାହାରି ସମ୍ବଲପୁର ଉପ ଜିଲ୍ଲାପାଳ ପାଖରେ ନିଜର 4 ସେଟ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ତେବେ ଗତକାଲି କେନ୍ଦ୍ରମନ୍ତ୍ରୀଙ୍କ ହୋଇଥିବା ବିଶାଳ ରୋଡ଼ ସୋରେ ସାମିଲ ଥିଲେ ଜୟ ନାରାୟଣ ମିଶ୍ର । ଆଜି ସେ ନିରାଡାମ୍ବର ଭାବେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ସେହିପରି ଆଜି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଛତ୍ରିଆ ନିଜ ସମର୍ଥକଙ୍କ ସହ ଏକ ଶୋଭାଯାତ୍ରାରେ ଆସି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମୁଦିନୀ ନାୟକ, ଜିଲ୍ଲା ସ୍ବତନ୍ତ୍ର ପରିଷଦ ଅଧ୍ୟକ୍ଷ ଶୋଭା ରାମ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ, ବ୍ଲକ ଅଧକ୍ଷ ଭୁବନେଶ୍ଵର କିଷାନ, ବିଜେଡ଼ିର ବରିଷ୍ଠ ପଦାଧିକାରୀ ଓ ହଜାର ହଜାର କର୍ମୀ ସାମିଲ ହୋଇଥିଲେ l

ଏହା ମଧ୍ୟ ପଢ଼ନ୍ତୁ...ବିରାଟ୍ ଶୋଭାଯାତ୍ରାରେ ଆସି ନାମାନଙ୍କ ଭରିଲେ ଦୁର୍ଗା - DURGA PRASAD PADHI FILES NOMINATION

ସେପଟେ ରେଢ଼ାଖୋଲ ବିଧାନସଭା ଆସନରୁ ବିଜେଡି ବିଧାୟକ ପ୍ରାର୍ଥୀ ତଥା ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଆଜି ନାମାଙ୍କନ ଦାଖଲ କରିଛନ୍ତି । ସ୍ଥାନୀୟ ଶ୍ରୀରାମ ମନ୍ଦିରରେ ପୂଜାର୍ଚ୍ଚନା ପରେ ହଜାର ହଜାର ସର୍ମର୍ଥକଙ୍କ ଗହଣରେ ଏକ ବିରାଟ ଶଭାଯାତ୍ରାରେ ଉପଜିଲ୍ଲାପାଳଙ୍କ ଅଫିସ ଯାଇ ସେଠାରେ ଦୁଇ ସେଟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ନାମାଙ୍କନ ପତ୍ର ଦାଖଲ କରିବା ପରେ ପ୍ରତିକ୍ରିୟା ରଖି ପ୍ରସନ୍ନ କହିଛନ୍ତି, "ଏହି ରେଢ଼ାଖୋଲ ମାଟିରେ ମୋର ରକ୍ତ ଛିଟା ପଡିଥିଲା, ମୋ ଦେହରେ ଯେପର୍ଯ୍ୟନ୍ତ ବୁନ୍ଦାଏ ମଧ୍ୟ ରକ୍ତ ଅଛି ମୁଁ ସେପର୍ଯ୍ୟନ୍ତ ରେଢ଼ାଖୋଲ ମାଟିର ସେବା କରିବି । ଏ ଜନ ସମୁଦ୍ର ଦେଖି ମୁଁ ଭାବବିହୁଳ ହୋଇ ପଡିଛି, ରେଢ଼ାଖୋଲବାସୀଙ୍କ ସହ ସମ୍ପର୍କ ମୋର ଦୀର୍ଘ ପନ୍ଦର ବର୍ଷର । ରେଢ଼ାଖୋଲ ମାଟି ପାଇଁ ମୁଁ ସବୁବେଳେ ଲଢେଇ କରିଛି ଆଗକୁ ମଧ୍ୟ କରିବି ।" ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେଡି ନେତା ଅରୁଣ ପ୍ରଧାନ, ରେଢ଼ାଖୋଲ ବ୍ଲକ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ, ନାକଟିଦେଉଳ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସ୍ବରୂପାରାଣୀ ସାହୁ ଓ ରେଢ଼ାଖୋଲ ବ୍ଲକ ବିଜେଡି ସଭାପତି ଉଦିତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିଥିଲେ l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.