ETV Bharat / politics

ଭଦ୍ରକର ସବୁ ବିଧାନସଭା ଆସନରେ ବିଜେଡିର ଯୋଦ୍ଧା ତୟାର, କ'ଣ ରହିଛି ମନୋନୀତ ପ୍ରାର୍ଥୀଙ୍କ ସ୍ଥିତି ? - Odisha Assembly elections

author img

By ETV Bharat Odisha Team

Published : Mar 31, 2024, 9:05 AM IST

Updated : Mar 31, 2024, 2:15 PM IST

Odisha Assembly Elections: ବିଜେଡି ପକ୍ଷରୁ ଭଦ୍ରକ ଜିଲ୍ଲାର ସମସ୍ତ 5ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଘୋଷଣା ହୋଇଛି । ଏଥର ନିର୍ବାଚନରେ 4 ପୁରୁଣା ମୁହଁ ସମେତ ଜଣେ ନୂଆ ମୁହଁକୁ ମୈଦାନକୁ ଓହ୍ଲାଇଛି ଦଳ । ତେବେ କେମିତି ରହିଛି ଏହି ମନୋନୀତ ବିଜେଡି ପ୍ରାର୍ଥୀଙ୍କ ସ୍ଥିତି ? ପୂର୍ବରୁ କିଏ କେତେ ଥର ମାରିଛି ବାଜି ? ପଢନ୍ତୁ ବିସ୍ତୃତରେ

Etv Bharat
Etv Bharat

ଭଦ୍ରକର ସବୁ ବିଧାନସଭା ଆସନରେ ବିଜେଡିର ଯୋଦ୍ଧା ତୟାର, କ'ଣ ରହିଛି ମନୋନୀତ ପ୍ରାର୍ଥୀଙ୍କ ସ୍ଥିତି ?

ଭଦ୍ରକ: ପ୍ରଥମ ପର୍ଯ୍ୟାୟରେ ବିଜେଡି ପକ୍ଷରୁ 72ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହୋଇଯାଇଛି । ଏହି ପ୍ରଥମ ପର୍ଯ୍ୟାୟ ତାଲିକାରେ ଭଦ୍ରକ ଜିଲ୍ଲାର ସମସ୍ତ 5ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ତା'ର ପ୍ରାର୍ଥୀ ଚୟନ କରିସାରିଛି । ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ଭାବେ ଭଦ୍ରକ ଜିଲ୍ଲାର 4 ଜଣ ପୁରୁଣା ମୁହଁ ସମେତ ଜଣେ ନୂଆ ମୁହଁ ମୈଦାନରେ ଅବତୀର୍ଣ୍ଣ ହୋଇଛନ୍ତି । ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କୁ ଦ୍ୱିତୀୟ ଥର, ଚାନ୍ଦବାଲି ବିଧାୟକ ଡାକ୍ତର ବ୍ୟୋମକେଶ ରାୟଙ୍କୁ ତୃତୀୟ ଥର, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କୁ ଦ୍ୱିତୀୟ ଥର, ଭଣ୍ଡାରୀପୋଖରୀ ବିଧାୟକ ତଥା 76 ବର୍ଷୀୟ ବରିଷ୍ଠ ନେତା ପ୍ରଫୁଲ ସାମଲଙ୍କୁ ପୁନର୍ବାର ସପ୍ତମ ଥର ପ୍ରାର୍ଥୀ କରାଯାଇଥିବା ବେଳେ ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ନୂଆ ମୁହଁ ଭାବେ ଡାକ୍ତର ସଞ୍ଜୟ ଦାସଙ୍କୁ ମିଳିଛି ପ୍ରାର୍ଥିତ୍ୱ ।

ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସଞ୍ଜୟ ନୂଆ ମୁହଁ ହୋଇଥିଲେ ମଧ୍ୟ ସେ ବିଜେଡିରେ ଯୋଗଦେଇ ବିଗତ ଦେଢ ବର୍ଷ ହେଲା ଲୋକଙ୍କ ସେବା କରିଆସୁଛନ୍ତି । ଗତ ସାଧାରଣ ନିର୍ବାଚନରେ ତତ୍କାଳୀନ ବିଜେପି ବିଧାୟକ ବିଷ୍ଣୁ ସେଠୀ ଏବଂ ତାଙ୍କ ଅନ୍ତେ ପୁଅ ସୂର୍ଯ୍ୟବଂଶୀ ସୂରଜ ଉପନିର୍ବାଚନରେ ବିଜୟ ହେବା ଫଳରେ ଏହି ଆସନଟି ବିଜେପି ହାତକୁ ଯାଇଥିଲା । ତେଣୁ ଗତ ଦୁଇଟି ନିର୍ବାଚନରେ ପରାଜିତ ହୋଇଥିବା ବିଜେଡି ଏଥର ଏହି ଆସନ ଫେରି ପାଇବା ପାଇଁ ଖୁବ୍ ଆଶାବାଦୀ ଅଛି । ତେବେ ସଞ୍ଜୟ ପ୍ରତିପକ୍ଷଙ୍କ ମୁକାବିଲା ପାଇଁ କି ରଣକୌଶଳ ଗ୍ରହଣ କରିବେ, ତାହା ଉପରେ ସମସ୍ତଙ୍କ ନଜର ।

ଏହା ମଧ୍ୟ ପଢନ୍ତୁ: ବିଜେଡିର ପ୍ରଥମ ପ୍ରାର୍ଥୀ ତାଲିକା: ହିଞ୍ଜିଳିକାଟୁରୁ ମୁଖ୍ୟମନ୍ତ୍ରୀ ନବୀନ, ସମ୍ବଲପୁରରୁ ପ୍ରଣବ ପ୍ରକାଶ - General Elections 2024

ସେହିପରି ବାସୁଦେବପୁର ବିଧାନସଭା ନିର୍ବାଚନ ମଣ୍ଡଳୀକୁ ପୁଣିଥରେ ହାତେଇବା ପାଇଁ ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କ ସମେତ ବାସୁଦେବପୁର ବ୍ଲକର 36ଟି ପଞ୍ଚାୟତ ଏବଂ ବାସୁଦେବପୁର ଏନଏସିର 19ଟି ୱାର୍ଡ ଏବଂ ତିହିଡି ବ୍ଲକର 9ଟି ପଞ୍ଚାୟତର ଦଳୀୟ ନେତାମାନେ ବେଶ ସକ୍ରିୟ ହୋଇଛନ୍ତି । ମନ୍ତେଇ ନଦୀରେ ସେତୁ ନିର୍ମାଣ ସହ ଗ୍ରାମାଞ୍ଚଳରେ ରାସ୍ତାଘାଟ ଏବଂ ଦୁଇ ବ୍ଲକର ବୃହତ ବସଷ୍ଟାଣ୍ଡର ଭିତ୍ତିଭୂମି ପ୍ରସ୍ତୁତ କରିପାରିଛନ୍ତି ବିଷ୍ଣୁବ୍ରତ । ଏଥିସହ ବିରୋଧୀଙ୍କୁ ମାତ ଦେବା ଲାଗି ଚାଲିଛି ଅଙ୍କକଷା । ତେବେ ବାସୁଦେବପୁର ବିଧାନସଭା ଆସନରେ କଂଗ୍ରେସର ରଣନୀତି କଣ ରହିବ ତା' ଉପରେ ବିଜେଡି ପକ୍ଷରୁ ତୀକ୍ଷ୍ଣ ନଜର ରହିଛି । ପ୍ରକାଶ ଥାଉକି, 2019 ସାଧାରଣ ନିର୍ବାଚନରେ ବିଷ୍ଣୁବ୍ରତ ରାଉତରାୟ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦୀ କଂଗ୍ରେସର ଅଶୋକ କୁମାର ନାୟକଙ୍କ ଠାରୁ ମାତ୍ର 9581 ଖଣ୍ଡ ଅଧିକ ଭୋଟରେ ଜିତିଥିଲେ । ତେଣୁ ଚଳିତ ନିର୍ବାଚନରେ ଅଶୋକ ଯଦି ପ୍ରାର୍ଥୀ ହୁଅନ୍ତି, ତେବେ ବିଷ୍ଣୁବ୍ରତଙ୍କୁ କଡା ଟକ୍କର ଦେବେ ବୋଲି ଆଲୋଚନା ହେଉଛି ।

ଅନ୍ୟପକ୍ଷରେ ବିଗତ ଦୁଇ ପାଳିରେ ଚାନ୍ଦବାଲି ବିଧାୟକ ଡାକ୍ତର ବ୍ୟୋମକେଶ ରାୟ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅନେକ ଆଖିଦୃଶିଆ ଉନ୍ନତିକରଣ କାର୍ଯ୍ୟକ୍ରମ କରିଛନ୍ତି । 4 ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଅନୁଦାନ ଆଣି ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥ ସମେତ ବିଭିନ୍ନ ସ୍ଥାନରେ ଇଲେକ୍ଟ୍ରି ଗ୍ରୀଡ ସ୍ଥାପନ, ମନ୍ତେଇ ନଦୀରେ ବହୁ ପ୍ରତୀକ୍ଷିତ ସେତୁ ନିର୍ମାଣ, ମେଗା ପ୍ରକଳ୍ପ ଜରିଆରେ 24 ଘଣ୍ଟିଆ ଶୁଦ୍ଧ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଇବାରେ ସକ୍ଷମ ହୋଇଛନ୍ତି ବୋଲି ସୂଚନା ରହିଛି । ତେଣୁ ଚଳିତ ନିର୍ବାଚନରେ ଏହାକୁ ଆଧାର କରି ନିର୍ବାଚନ ବୈତରଣୀ ପାର ହେବାକୁ ସେ ଲକ୍ଷ୍ୟ ରଖିଛନ୍ତି ।

ତେବେ 2019 ସାଧାରଣ ନିର୍ବାଚନରେ ବ୍ୟୋମକେଶ ରାୟ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦୀ ବିଜେପିର ମନମୋହନ ସାମଲଙ୍କ ଠାରୁ ମାତ୍ର 8080 ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ । ତେଣୁ ଚଳିତ ନିର୍ବାଚନରେ ମନମୋହନ ଯଦି ପ୍ରାର୍ଥୀ ହୁଅନ୍ତି, ତେବେ ବ୍ୟୋମକେଶଙ୍କୁ କଡା ଟକ୍କର ଦେବେ ବୋଲି ଚର୍ଚ୍ଚା ଚାଲିଛି । ଗତ ନିର୍ବାଚନରେ ମନମୋହନ ଦଳର ଜଣେ ବରିଷ୍ଠ ନେତା ଭାବେ ଥିବାବେଳେ ଚଳିତ ନିର୍ବାଚନରେ ସେ ବିଜେପିର ରାଜ୍ୟ ସଭାପତି ଅଛନ୍ତି । ତେଣୁ ଚଳିତ ନିର୍ବାଚନରେ ମନମୋହନ ଯଦି ପ୍ରାର୍ଥୀ ହୁଅନ୍ତି, ତେବେ ବ୍ୟୋମକେଶ କଡା ପ୍ରତିଦ୍ୱନ୍ଦିତାର ସମ୍ମୁଖୀନ ହୋଇପାରନ୍ତି ।

ଭଦ୍ରକ ଏବଂ ଭଣ୍ଡାରୀପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀ କ୍ଷେତ୍ରରେ ଦଳ ସେହି ପୁରୁଣା ମୁହଁକୁ ରିପିଟ୍ କରିଥିଲେ ମଧ୍ୟ ଉଭୟ ପ୍ରାର୍ଥୀଙ୍କ ଆସନ ଅଦଳବଦଳ କରିଛି । ବିଜେଡିର ବରିଷ୍ଠ ତଥା ପୁରୁଖ ନେତା ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ ଏବଂ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିିକଙ୍କୁ ଭଣ୍ଡାରୀପୋଖରୀ ନିର୍ବାଚନ ମଣ୍ଡଳୀରେ ଥଇଥାନ କରାଯାଇଛି । ପ୍ରକାଶ ଥାଉକି, 2019 ସାଧାରଣ ନିର୍ବାଚନରେ ପ୍ରଫୁଲ୍ଲ ସାମଲ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦୀ କଂଗ୍ରେସର ତତ୍କାଳୀନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଠାରୁ ମାତ୍ର 8859 ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।

ଅନ୍ୟ ପକ୍ଷରେ ବିଜେପିର ଡାକ୍ତର ପ୍ରଦୀପ ନାୟକଙ୍କ ଠାରୁ ସଞ୍ଜୀବ ରେକର୍ଡ଼ 33,389 ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ଯାହାକି ଭଦ୍ରକ ଜିଲ୍ଲାରେ ଅନ୍ୟ ପ୍ରାର୍ଥୀମାନଙ୍କ ଠାରୁ ସଞ୍ଜୀବଙ୍କ ବିଜୟ ସର୍ବାଧିକ ବ୍ୟବଧାନ ଥିଲା । ହେଲେ ଚଳିତ ନିର୍ବାଚନରେ ଦଳ ଏହି ଦୁଇ ନେତାଙ୍କ ଆସନ ଅଦଳବଦଳ କାହିଁକି କରିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ତେବେ ଦେଖିବାକୁ ବାକି ରହିଲା ସଞ୍ଜୀବ ଏବଂ ପ୍ରଫୁଲ୍ଲଙ୍କ ଆସନ ଅଦଳବଦଳ ବିଜେଡି ପାଇଁ କେତେ ଫଳପ୍ରଦ ହେବ ।

ବିଜେଡି ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବାଜିମାତ୍ କରିବା ସହ ଭଦ୍ରକ ସାଂସଦ ଆସନଟି ମଧ୍ୟ ହାତେଇବ ବୋଲି ବେଶ୍ ଆଶା ବାନ୍ଧିଛି । ବିଜେପି ଅଭିମନ୍ୟୁ ସେଠୀଙ୍କୁ ଭଦ୍ରକ ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେଡି ମଞ୍ଜୁଲତା ନା ମୁକ୍ତିକାନ୍ତ କିମ୍ବା ଆଉ କାହାକୁ ସାଂସଦ ପ୍ରାର୍ଥୀ କରିବ, ସେନେଇ ଅଦ୍ୟାବଧି ଅଙ୍କକଷା ଚାଲିଥିବା ଜଣାପଡ଼ିଛି ।

ଇଟିଭି ଭାରତ, ଭଦ୍ରକ

Last Updated : Mar 31, 2024, 2:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.