ETV Bharat / international

ମସ୍କୋ ଆକ୍ରମଣ ଘଟଣା: ମୃତ୍ୟୁସଂଖ୍ୟା 93କୁ ବୃଦ୍ଧି, 4 ଆକ୍ରମଣକାରୀଙ୍କ ସମେତ 11 ସନ୍ଦିଗ୍ଧ ଆତଙ୍କବାଦୀ ଅଟକ - Moscow concert hall attack

author img

By ETV Bharat Odisha Team

Published : Mar 23, 2024, 3:58 PM IST

at least 93 dead Moscow concert hall attack: ମସ୍କୋ ଆକ୍ରମଣ ଘଟଣାରେ ମୃତ୍ୟୁସଂଖ୍ୟା ଶହେ ମୁହାଁ । 4 ଆକ୍ରମଣକାରୀଙ୍କ ସମେତ 11 ସନ୍ଦିଗ୍ଧ ଅଟକ । ସ୍ଥିତି ସମ୍ପର୍କରେ ରାଷ୍ଟ୍ରପତି ପୁଟିନଙ୍କୁ ଅବଗତ କଲା କେନ୍ଦ୍ରୀୟ ସୁରକ୍ଷା ସଂସ୍ଥା । ISIS କୁ ଦାୟୀ କଲା ଆମେରିକା । ଅଧିକ ପଢନ୍ତୁ

ମସ୍କୋ ଆକ୍ରମଣ ଘଟଣାରେ ମୃତ୍ଯୁସଂଖ୍ୟା 93 କୁ ବୃଦ୍ଧି, 11 ସନ୍ଦିଗ୍ଧ ଆତଙ୍କବାଦୀ ଅଟକ
ମସ୍କୋ ଆକ୍ରମଣ ଘଟଣାରେ ମୃତ୍ଯୁସଂଖ୍ୟା 93 କୁ ବୃଦ୍ଧି, 11 ସନ୍ଦିଗ୍ଧ ଆତଙ୍କବାଦୀ ଅଟକ

ହାଇଦ୍ରାବାଦ: ଋଷ ରାଜଧାନୀ ମସ୍କୋର ଏକ କନସର୍ଟରେ ଗତକାଲି (ଶୁକ୍ରବାର) ରାତିରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ମୃତ୍ୟୁସଂଖ୍ୟା 93କୁ ବୃଦ୍ଧି ପାଇଛି । ଏବେ ମଧ୍ୟ 150ରୁ ଅଧିକ ଆହତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଆହତଙ୍କ ମଧ୍ୟରେ ଏକାଧିକ ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ମଧ୍ୟ ବଢିବାର ଯଥେଷ୍ଟ ଆଶଙ୍କା ରହିଛି । ଘଟଣାରେ 4 ଆକ୍ରମଣକାରୀଙ୍କ ସମେତ ମୋଟ 11 ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ମସ୍କୋ ପୋଲିସ ଓ କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସି ଅଟକ ରଖିଛି । ସେମାନଙ୍କୁ ଜେରା ଜାରି ରହିଛି । ଋଷର ସଂଘୀୟ ସୁରକ୍ଷା ସେବା ସଂସ୍ଥା ମଧ୍ୟ ଘଟଣାର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଓ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କୁ ଅବଗତ କରିଛି ।

ଗତକାଲି (ଶୁକ୍ରବାର) ରାତିରେ ଋଷ ରାଜଧାନୀ ମସ୍କୋର ଏକ କନସର୍ଟ ହଲରେ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏହି ଆତଙ୍କବାଦୀ ଆକ୍ରମଣ ହୋଇଛି । ମସ୍କୋ କ୍ରୋକସ ସିଟି ହଲରେ ଏହି କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ଆତତାୟୀମାନେ ଗୁଳିମାଡ ସହ ବିସ୍ଫୋରଣ ମଧ୍ୟ କରିଛନ୍ତି । ହଲରେ ନିଆଁ ମଧ୍ୟ ଲାଗି ଯାଇଥିଲା । ପ୍ରଥମେ ଏହି ଘଟଣାରେ ପ୍ରାୟ 60 ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ଭାବେ ସୂଚନା ସାମ୍ନାକୁ ଆସିଥିବା ବେଳେ ମୃତ୍ଯୁସଂଖ୍ୟା ଏବେ ପ୍ରାୟ ଶହେ ଛୁଇଁବା ପରି ସ୍ଥିତି ସୃଷ୍ଟି ହୋଇଛି । ସ୍ଥାନୀୟ ପୋଲିସର ସୂଚନା ଅନୁସାରେ,ଏବେ 93 ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ସେମାନଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି ।

ତେବେ ଏହି ଘଟଣାରେ ପରେ ସମଗ୍ର ମସ୍କୋରେ ହାଇଆଲର୍ଟ ଜାରି ରହିଛି । ବିଭିନ୍ନ ରାଷ୍ଟ୍ର ପକ୍ଷରୁ ଏହାକୁ ନିନ୍ଦା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ବିଟ୍‌ କରି ଆକ୍ରମଣକୁ ନିନ୍ଦା କରିବା ସହ ଋଷକୁ ସମବେଦନା ଜଣାଇଛନ୍ତି । ଆମେରିକାର ଗୁଇନ୍ଦା ସଂସ୍ଥା ଏହି ଆକ୍ରମଣ ପଛରେ କୁଖ୍ୟାତ ଇସଲାମୀୟ ଆତଙ୍କବାଦୀ ସଂଗଠନ ‘ISIS’ର ହାତ ଥିବା ସନ୍ଦେହ କରିଛି । ପୂର୍ବରୁ ଏହି ଆକ୍ରମଣ ନେଇ ଇନପୁଟ ମିଳିଥିବା ଆମେରିକା ଗୁଇନ୍ଦା ସଂସ୍ଥା ଏହି ତଥ୍ୟ ମସ୍କୋ କର୍ତ୍ତୃପକ୍ଷଙ୍କ ସହ ସେୟାର କରିଥିବା ମଧ୍ୟ କହିଛି ।

ଏହା ମଧ୍ୟ ପଢନ୍ତୁ :- ଋଷିଆର କନସର୍ଟ ହଲରେ ଆତଙ୍କବାଦୀ ଆକ୍ରମଣ: ୬୦ ମୃତ, ନିନ୍ଦା କଲେ ମୋଦି - Moscow concert hall attack

2015 ମସିହା ଅକ୍ଟୋବରରେ ISIS ଆତଙ୍କବାଦୀ ଗୋଷ୍ଠୀ ଋଷର ଏକ ବିମାନରେ ବିସ୍ଫୋରଣ କରିଥିଲେ । ଏଥିରେ ପ୍ରାୟ 224ଜଣଙ୍କ ମୃତ୍ୟୁ ହୋଇଥିଲେ । ସିରିୟାରେ ଋଷ ସେନାର ହସ୍ତକ୍ଷେପ କାରଣରୁ ଏହି ଆକ୍ରମଣ କରାଯାଇଥିବା ISIS ପକ୍ଷରୁ ଦାବି କରାଯାଇଥିଲା । ଋଷ-ୟୁକ୍ରେନ ମଧ୍ଯରେ ଯୁଦ୍ଧ ହେବା ପରେ ଋଷରେ ସୁରକ୍ଷା ବ୍ୟବସ୍ଥା ବଢାଯାଇଥିଲା । ରାଷ୍ଟ୍ରପତି ପୁଟିନ ମଧ୍ୟ ସେବେଠାରୁ କୌଣସି ବିଦେଶ ଗସ୍ତରେ ଯାଇନାହାନ୍ତି । ଏବେ ରାଜଧାନୀରେ ଏହି ଆତଙ୍କବାଦୀ ଆକ୍ରମଣ ସମସ୍ତଙ୍କୁ ସ୍ତବ୍ଦ କରିଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.