ETV Bharat / international

ଭାଙ୍ଗିଲା ମୁଇଜୁଙ୍କ ଗର୍ବ; ଭୁଶୁଡିଲା ଅର୍ଥନୀତି, ଭାରତୀୟଙ୍କୁ ନିଜ ଦେଶକୁ ଯିବାକୁ ଗୁହାରି କଲା ମାଳଦ୍ୱୀପ - Maldives urges Indians

author img

By ETV Bharat Odisha Team

Published : May 7, 2024, 12:24 PM IST

Maldives urges Indians: ଭାରତ ବିରୋଧି ମନ୍ତବ୍ୟ ଦେଇଥିବା ମାଳଦ୍ବୀପର ଭାଙ୍ଗିଲା ଦମ୍ଭ । ଦେଶର ଅର୍ଥନୀତି ପ୍ରଭାବିତ ହେବା ପରେ ଭାରତୀୟଙ୍କୁ ସେଠାକୁ ବୁଲିଯିବାକୁ ଗୁହାରି କଲେ ମାଳଦ୍ବୀପ ମନ୍ତ୍ରୀ । ଅଧିକ ପଢନ୍ତୁ

ଭାଙ୍ଗିଲା ମାଳଦ୍ବୀପର ଗର୍ବ, ଭାରତୀୟଙ୍କୁ ନିଜ ଦେଶକୁ ଯିବାକୁ ଗୁହାରି କଲେ ମୁଇଜୁ ସରକାର
ଭାଙ୍ଗିଲା ମାଳଦ୍ବୀପର ଗର୍ବ, ଭାରତୀୟଙ୍କୁ ନିଜ ଦେଶକୁ ଯିବାକୁ ଗୁହାରି କଲେ ମୁଇଜୁ ସରକାର (Etv Bharat Odisha)

ନୂଆଦିଲ୍ଲୀ: ଭାରତ ସହ ବିବାଦ ମାଳଦ୍ବୀପ ପାଇଁ ଖୁବ୍ ମହଙ୍ଗା ପଡିଛି । ଭାରତୀୟ ପର୍ଯ୍ୟଟକ ମାଳଦ୍ବୀପଠାରୁ ମୁହଁ ମୋଡିବା ପରେ ଟଳମଳ ହେବାରେ ଲାଗିଛି ଏହାର ଅର୍ଥନୀତି । ଦୁଇ ଦେଶ ଭିତରେ ତିକ୍ତତା ଯୋଗୁଁ ଆଗଭଳି ବହୁସଂଖ୍ୟାରେ ଭାରତୀୟ ପର୍ଯ୍ୟଟକ ମାଳଦ୍ବୀପ ନଯିବା କାରଣରୁ ଦେଶର ଅର୍ଥନୀତି ଗଭୀର ଭାବେ ପ୍ରଭାବିତ ହୋଇଛି । ନିକଟରେ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି(IMF) ମଧ୍ୟ ମାଳଦ୍ବୀପର ଅର୍ଥନୈତିକ ସ୍ଥିତିକୁ ନେଇ ସତର୍କ କରାଇସାରିଛି । ଯାହାଫଳରେ ଦିନେ ଭାରତ ବିରୋଧୀ ମନ୍ତବ୍ୟ ଦେଉଥିବା ମାଳଦ୍ବୀପର ଭାଙ୍ଗିଯାଇଛି ଗର୍ବ । ଏବେ ଭାରତୀୟ ପର୍ଯ୍ୟଟକଙ୍କୁ ତାଙ୍କ ଦେଶକୁ ବୁଲିଯିବାକୁ ଗୁହାରି କରିଛନ୍ତି ମାଳଦ୍ବୀପ ସରକାର । ସୋମବାର ମାଳଦ୍ବୀପ ପର୍ଯ୍ୟଟନ ମନ୍ତ୍ରୀ ଭାରତୀୟଙ୍କୁ ତାଙ୍କ ଦେଶର ପର୍ଯ୍ୟଟନ ଶିଳ୍ପର ଏକ ଅଂଶ ହୋଇ ଅର୍ଥନୀତିରେ ଯୋଗଦାନ କରିବାକୁ ନିବେଦନ କରିଛନ୍ତି ।

ସୋମବାର ମାଳଦ୍ବୀପର ପର୍ଯ୍ୟଟନ ମନ୍ତ୍ରୀ ଇବ୍ରାହିମ ଫୈଜଲ ସମ୍ବାଦ ସରବରାହ ସଂସ୍ଥା PTI ସହ ସାକ୍ଷାତକାରରେ ଭାରତ ଓ ମାଳଦ୍ବୀପ ମଧ୍ୟରେ ଥିବା ଐତିହାସିକ ସମ୍ପର୍କ ଉପରେ ଜୋର୍ ଦେଇ କହିଛନ୍ତି, ''ଆମର (ଭାରତ-ମାଳଦ୍ବୀର) ଏକ ଇତିହାସ ଅଛି । ଆମର ନବନିର୍ବାଚିତ ସରକାର ମଧ୍ୟ ଭାରତ ସହ ମିଶି କାମ କରିବାକୁ ଚାହୁଁଛନ୍ତି । ଆମେ ସବୁବେଳେ ଶାନ୍ତି ଏବଂ ବନ୍ଧୁତ୍ବପୂର୍ଣ୍ଣ ମାହୋଲକୁ ପ୍ରୋତ୍ସାହନ କରିଆସୁଛୁ । ଆମ ସରକାର ଏବଂ ଦେଶବାସୀ ଭାରତୀୟଙ୍କ ଆଗମନକୁ ସ୍ବାଗତ କରିବେ । ମୁଁ ଦେଶର ପର୍ଯ୍ୟଟନ ମନ୍ତ୍ରୀ ଭାବରେ ଭାରତୀୟଙ୍କୁ ମାଳଦ୍ବୀପ ପର୍ଯ୍ୟଟନର ଏକ ଅଂଶ ହେବାକୁ ନିବେଦନ କରୁଛି । ଆମର ଅର୍ଥନୀତି ପର୍ଯ୍ୟଟନ ଉପରେ ନିର୍ଭରଶୀଳ ।''

ଏହା ମଧ୍ୟ ପଢନ୍ତୁ: ଭାରତ ପ୍ରତି ନରମିଲା ମାଳଦ୍ବୀପର ସ୍ବର, ଜାଣନ୍ତୁ ହଠାତ୍ କାହିଁକି ବଦଳିଗଲେ ରାଷ୍ଟ୍ରପତି ମୁଇଜୁ - Maldives Changes Its Tune

ଏଠାରେ ଉଲ୍ଲେଖଯୋଗ୍ୟ, ଦ୍ବୀପଦେଶ ମାଳଦ୍ୱୀପର ଅର୍ଥନୀତି ମୁଖ୍ୟତଃ ଏହାର ପର୍ଯ୍ୟଟନ ଶିଳ୍ପ ଉପରେ ନିର୍ଭରଶୀଳ । ପ୍ରତିବର୍ଷ ଭାରତରୁ ବହୁସଂଖ୍ୟାରେ ପର୍ଯ୍ୟଟକ ମାଳଦ୍ବୀପ ଯାଇଥାନ୍ତି । ହେଲେ ନିକଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲାକ୍ଷାଦ୍ବୀପ ଗସ୍ତ ନେଇ ମାଳଦ୍ବୀପର 3 ମନ୍ତ୍ରୀ ଭାରତ ଓ ମୋଦି ବିରୋଧୀ ମନ୍ତବ୍ୟ ଦେଇଥିଲେ । ଯାହା ଦୁଇ ଦେଶ ମଧ୍ୟରେ କୂଟନୈତିକ ତିକ୍ତତା ସୃଷ୍ଟି କରିଥିଲା । ଏହି କାରଣରୁ ମାଳଦ୍ବୀପକୁ ଭାରତୀୟଙ୍କ ସଂଖ୍ୟା ଭାରି ମାତ୍ରାରେ ହ୍ରାସ ପାଇଥିଲା । ବଡ ବଡ ସେଲିବ୍ରିଟିଙ୍କ ସମେତ ଲକ୍ଷ ଲକ୍ଷ ସଂଖ୍ୟକ ଭାରତୀୟ ନିଜର ମାଳଦ୍ବୀପ ଗସ୍ତ ରବ୍ଦ କରିଦେଇଥିଲେ ।

ଭାରତ ମାଳଦ୍ବୀପ ପାଇଁ ବଡ ଟୁରିଷ୍ଟ ମାର୍କେଟ ଭାବେ ରହିଆସିଥିବା ବେଳେ ଗତ ଜାନୁଆରୀରେ ମାଳଦ୍ବୀପରେ ସମୁଦାୟ ପର୍ଯ୍ୟଟକଙ୍କ ମଧ୍ୟରେ ଭାରତୀୟଙ୍କ ସଂଖ୍ୟା ଷଷ୍ଠ ସ୍ଥାନକୁ ଖସି ଆସିଥିଲା, ଯାହାକି ଗତବର୍ଷ ଦ୍ବିତୀୟ ସ୍ଥାନରେ ରହିଥିଲା । ମେ' 4 ସୁଦ୍ଧା ଭାରତରୁ ମୋଟ 43, 991 ପର୍ଯ୍ୟଟକ ସେଠାକୁ ଯାଇଥିଲେ । ଗତବର୍ଷ ଜାନୁଆରୀରୁ ଏପ୍ରିଲ ମଧ୍ୟରେ ଏହି ସଂଖ୍ୟା 73,785 ରହିଥିଲା । ଏହା ମାଳଦ୍ବୀପର ମୁଖ୍ୟ ଆୟ ଉତ୍ସ ପର୍ଯ୍ୟଟନ କ୍ଷେତ୍ରକୁ ଶକ୍ତି ଧକ୍କା ଦେବା ସହିତ ଅର୍ଥନୀତି ଉପରେ ପ୍ରଭାବ ପକାଇଛି । ଯେଉଁଥିପାଇଁ ଚୀନ ସମର୍ଥକ ମାଳଦ୍ବୀପ ରାଷ୍ଟ୍ରପତି ମୁଇଜୁଙ୍କ ଭାରତ ପ୍ରତି କଠୋର ଆଭିମୁଖ୍ୟ ନରମିବାରେ ଲାଗିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.