ETV Bharat / international

ଇମ୍ରାନ ଖାନ ଓ ସହଯୋଗୀ କ୍ୟୁରେସୀଙ୍କୁ 10 ବର୍ଷ ଜେଲଦଣ୍ଡ

author img

By ETV Bharat Odisha Team

Published : Jan 30, 2024, 8:43 PM IST

Cypher Case: ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଓ ସହଯୋଗୀ ଶାହ ମେହେମ୍ମୁଦ କ୍ୟୁରେସୀଙ୍କୁ 10ବର୍ଷ ଜେଲଦଣ୍ଡ । ସରକାରୀ ଗୋପନୀୟ ତଥ୍ୟ ଲିକ୍‌ ମାମଲାରେ ଉଭୟ ଦୋଷୀ ସାବ୍ୟସ୍ତ । ଅଧିକ ପଢନ୍ତୁ

ଇମ୍ରାନ ଖାନ ଓ କ୍ୟୁରେସୀଙ୍କୁ 10 ବର୍ଷ ଜେଲଦଣ୍ଡ
ଇମ୍ରାନ ଖାନ ଓ କ୍ୟୁରେସୀଙ୍କୁ 10 ବର୍ଷ ଜେଲଦଣ୍ଡ

ହାଇଦ୍ରାବାଦ: ସରକାରୀ ଗୋପନୀୟ ତଥ୍ୟ ଲିକ୍‌ ମାମଲାରେ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଓ ତାଙ୍କ ରାଜନୈତିକ ସହଯୋଗୀ ତଥା ପୂର୍ବତନ ମନ୍ତ୍ରୀ ଶାହ ମେହେମ୍ମୁଦ କ୍ୟୁରେସୀଙ୍କୁ 10ବର୍ଷ ଜେଲ ଦଣ୍ଡରେ ଦଣ୍ତିତ କରାଯାଇଛି । ପାକିସ୍ତାନ ସାଧାରଣ ନିର୍ବାଚନର ମାତ୍ର କେହି ସପ୍ତାହ ପୂର୍ବରୁ ଆଜି ଏକ ସ୍ଥାନୀୟ କୋର୍ଟ ଉଭୟଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ 10ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

ପାକିସ୍ତାନର ଏକ ପ୍ରମୁଖ ଜାତୀୟ ଗଣମାଧ୍ୟମ ‘ଡନ’ରେ ପ୍ରସାରିତ ଖବର ଅନୁସାରେ, ସ୍ପେଶାଲ ଜଜ ଅବୁଲ ହସନତ ଜୁଲଗାରନେନଙ୍କ କୋର୍ଟରେ ଏହି ଦଣ୍ଡାଦେଶ ପ୍ରକାଶ ପାଇଛି । ଅଫିସିଆଲ ସିକ୍ରେଟ ଆକ୍ଟ ଅନୁସାରେ, ଉଭୟ ଇମ୍ରାନ ଓ କ୍ୟୁରେସୀଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ତେବେ ଗତ ଏକମାସ ପୂର୍ବରୁ ଏହି ମାମଲାରେ କୋର୍ଟ ଶୁଣାଣି ଆରମ୍ଭ କରିଥିଲେ । ଦଣ୍ଡାଦେଶ ସହ ଇମ୍ରାନ ମୁକ୍ତ ହୋଇ ସାଧାରଣ ନିର୍ବାଚନରେ ପ୍ରତ୍ୟେକ୍ଷ ପ୍ରତିଦ୍ବନ୍ଦ୍ବିତା କରିବା ଆଶା ଉପରେ ପୁଣି ସନ୍ଦେହ ସୃଷ୍ଟି ହୋଇଛି ।

କ୍ଷମତାରୁ ପଦଚ୍ୟୁତ ହେବା ପରେ ଇମ୍ରାନଙ୍କ ବିରୋଧରେ ଏକାଧିକ ମାମଲା ରୁଜୁ ହୋଇଛି । ତାଙ୍କୁ ନାଟକୀୟ ଭାବେ କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସ ‘ପାକିସ୍ତାନ ରେଞ୍ଜର୍ସ’ ଲଗାଇ କୋର୍ଟ ପରିସରରୁ ଗିରଫ କରାଯାଇଥିଲା । ଏହି ଗିରଫଦାରୀ ସମୟରେ ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଓ ହିଂସା ମଧ୍ୟ ଦେଖିବାକୁ ମିଳିଥିଲା । ଇମ୍ରାନଙ୍କ ଦଳ ‘ପିଟିଆଇ’ କାର୍ଯ୍ୟକର୍ତ୍ତା ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦେଇଥିଲେ । ରାଓ୍ବଲପିଣ୍ଡିରେ ସେନା ମୁଖ୍ଯାଳୟରେ ମଧ୍ୟ ଆକ୍ରମଣ ଓ ଜଳାପୋଡା ହୋଇଥିଲା ।

ଏହା ମଧ୍ୟ ପଢନ୍ତ :- ମୁଇଜୁଙ୍କ ଉପରେ ବଢୁଛି ଚାପ: ମୋଦି ଓ ଭାରତୀୟଙ୍କୁ କ୍ଷମା ମାଗିବାକୁ ବିରୋଧୀ ଦଳର ଦାବି

ତେବେ ଇମ୍ରାନ ଏକାଧିକ ମାମଲାରେ ବେଲ ଓ ରିଲିଜ ଅର୍ଡର ପାଇସାରିଥିବା ବେଳେ ଅନ୍ୟ କିଛି ମାମଲାରେ ସେ ଦୋଷୀ ସାବ୍ୟସ୍ତ ମଧ୍ୟ ହୋଇଛନ୍ତି । ନିକଟରେ ସେ ଜେଲରୁ ତାଙ୍କ ଦଳୀୟ କର୍ମୀଙ୍କ ଦ୍ବାରା ଆୟୋଜିତ ଏକ ରାଜନୈତିକ ସଭାକୁ ଭିସି ଯୋଗେ ସମ୍ବୋଧିତ କରିଥିଲେ । ନିର୍ବାଚନ ପୂର୍ବରୁ ସେ ବେଲରେ ଆସି ପ୍ରଚାର କରିବା ସହ ନିଜେ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଅନ୍ୟ ଏକ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହେବା ସହ 10 ବର୍ଷ କାରାଦଣ୍ଡ ମଧ୍ୟ ପାଇଛନ୍ତି । ଏହା ବିରୋଧରେ ଇମ୍ରାନ ଖାନ ଉପରସ୍ଥ କୋର୍ଟର ଦ୍ବାରସ୍ଥ ହୋଇପାରନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.