ETV Bharat / bharat

ମୁଇଜୁଙ୍କ ଉପରେ ବଢୁଛି ଚାପ: ମୋଦି ଓ ଭାରତୀୟଙ୍କୁ କ୍ଷମା ମାଗିବାକୁ ବିରୋଧୀ ଦଳର ଦାବି

author img

By ETV Bharat Odisha Team

Published : Jan 30, 2024, 5:36 PM IST

Maldives opposition Leader calls on President Muizzu to apologize to PM Modi, People of India: ମୁଇଜୁଙ୍କ ଉପରେ ବଢୁଛି ରାଜନୈତିକ ଚାପ । ମୋଦି ଓ ଭାରତୀୟଙ୍କୁ କ୍ଷମା ମାଗିବାକୁ ବିରୋଧୀ ଦଳର ଦାବି । ଅଧିକ ପଢନ୍ତୁ

ମୁଇଜୁଙ୍କ ଉପରେ ବଢୁଛି ଚାପ: ମୋଦି ଓ ଭାରତୀୟଙ୍କୁ କ୍ଷମା ମାଗିବାକୁ ବିରୋଧୀ ଦଳର ଦାବି
ମୁଇଜୁଙ୍କ ଉପରେ ବଢୁଛି ଚାପ: ମୋଦି ଓ ଭାରତୀୟଙ୍କୁ କ୍ଷମା ମାଗିବାକୁ ବିରୋଧୀ ଦଳର ଦାବି

ହାଇଦ୍ରାବାଦ: ମାଳଦ୍ୱୀପ ରାଷ୍ଟ୍ରପତିଙ୍କୁ ମହଙ୍ଗା ପଡିଛି ଭାରତ ବିରୋଧୀ ଆଭିମୁଖ୍ଯ । ‘ଆଉଟ ଇଣ୍ଡିଆ’ କ୍ୟାମ୍ପେନରେ ନିର୍ବାଚନ ଜିତି ରାଷ୍ଟ୍ରପତି ହୋଇଥିବା ମହମ୍ମଦ ମୁଇଜୁଙ୍କୁ ବିରୋଧୀ କ୍ରମାଗତ ଘେରିବାରେ ଲାଗିଛନ୍ତି । ଦେଶର ମୁଖ୍ୟ ବିରୋଧୀ ଦଳ ତାଙ୍କ ବିରୋଧରେ ସଂସଦରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଅନ୍ୟ ଏକ ବିରୋଧୀ ଦଳ ତାଙ୍କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତୀୟଙ୍କୁ କ୍ଷମା ମାଗିବା ପାଇଁ ଦାବି କରିଛି । ମାଳଦ୍ବୀପର ବିରୋଧୀ ଦଳ ଝୁମୋରୀ ପାର୍ଟି (Jumhooree Party) (JP) ରାଷ୍ଟ୍ରପତି ମୁଇଜୁଙ୍କ ସରକାରର ଆଭିମୁଖ୍ୟ ଓ କାର୍ଯ୍ୟକଳାପ ମାଳଦ୍ୱୀପ ଓ ଭାରତ ମଧ୍ୟରେ ତିକ୍ତତା ସୃଷ୍ଟି କରିଛି ବୋଲି ଅଭିଯୋଗ କରିଛି । ଏଥିପାଇଁ ନିଜେ ରାଷ୍ଟ୍ରପତି ମୁଇଜୁ ଭାରତବାସୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦଳ କହିଛି ।

ମାଲଦ୍ୱୀପର ଏକାଧିକ ଗଣମାଧ୍ୟମ ସଂସ୍ଥାରେ ପ୍ରସାରିତ ଖବର ଅନୁସାରେ, ବିରୋଧୀ ଦଳ ‘ଜେପି’ କହିଛି, “ଆମେ କୌଣସି ଦେଶ, ବିଶେଷ କରି ପଡୋଶୀ ଦେଶ ବିଷୟରେ ଏପରି ଟିପ୍ପଣୀ କରିବା ଉଚିତ ନୁହେଁ, ଯାହା ଦୁଇ ଦେଶର ଦ୍ବିପାକ୍ଷିକ ସମ୍ପର୍କକୁ ପ୍ରଭାବିତ କରିବ । ପୂର୍ବ ରାଷ୍ଟ୍ରପତି ସୋଲିହ ଏହାକୁ ଏକ ଦାୟିତ୍ବ ଭାବେ ଗ୍ରହଣ କରିଥିଲେ ଓ "ଆଉଟ୍ ଇଣ୍ଡିଆ" ଅଭିଯାନକୁ ନିଷିଦ୍ଧ ଘୋଷଣା କରିଥିଲେ ।’’

ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମାଳଦ୍ୱୀପର ପୂର୍ବ ରାଷ୍ଟ୍ରପତି ଭାରତ ସହ ସୁସମ୍ପର୍କ ରଖିଥିବା ବେଳେ ମୁଇଜୁ ପୂର୍ବରୁ ଭାରତ ବିରୋଧୀ ଓ ଚୀନ ସମର୍ଥିତ ବୋଲି ଜଣାଶୁଣା । ଏପରିକି ସେ ନିର୍ବାଚନ ସମୟରେ ଭାରତୀୟ ସୈନ୍ୟ ଅପସାରଣ ମୁଦ୍ଦାକୁ ନିର୍ବାଚନୀ ମୁଦ୍ଦା କରିଥିଲେ । ତାଙ୍କ ନେତୃତ୍ବରେ ମାଳଦ୍ବୀପରେ ‘ଆଉଟ ଇଣ୍ଡିଆ’ କ୍ୟାମ୍ପେନ ମଧ୍ୟ ଆରମ୍ଭ ହୋଇଥିଲା । ଏହାର ପ୍ରଭାବ ନିର୍ବାଚନରେ ଦେଖିବାକୁ ମିଳିଥିଲା । ମୁଇଜୁଙ୍କ ପାର୍ଟି ବହୁମତ ହାସଲ କରି ସରକାର ଗଠନ କରିଥିଲେ । ଏହା ପରେ ପ୍ରଥମ କରି ତୁର୍କୀ ଓ ପରେ ଚୀନ ଗସ୍ତ କରିଥିଲେ । ସେଠାରେ ସେ ରାଷ୍ଟ୍ରପତି ସି.ଜିନପିଙ୍ଗକୁ ଭେଟିବା ପରେ ଭାରତକୁ ସୈନ୍ୟ ଅପସାରଣ ପାଇଁ ଚାପ ମଧ୍ୟ ପକାଇଥିଲେ । ଭାରତ ମାଳଦ୍ବୀପ ମଧ୍ୟରେ ଏହି ପ୍ରସଙ୍ଗରେ ଆଲୋଚନା ଜାରି ରହିଛି ।

ଏହା ମଧ୍ୟ ପଢନ୍ତୁ :- ମୁଇଜୁଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବ ମାଳଦ୍ବୀପ ବିରୋଧୀ ଦଳ !

ତେବେ ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାକ୍ଷାଦ୍ବୀପ ଗସ୍ତକୁ ନେଇ ଭାରତ ଓ ମାଳଦ୍ବୀପ ମଧ୍ୟରେ ସମ୍ପର୍କରେ ତିକ୍ତତା ଆସିଥିଲା । ଏକାଧିକ ମାଲଦ୍ବୀପ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରି ପୋଷ୍ଟ କରିବା ପରେ ସ୍ଥାନୀୟ ବିରୋଧୀ ଦଳ ମଧ୍ୟ ମୁଇଜୁ ସରକାରକୁ ଘେରିଥିଲା । ମୁଇଜୁ ଓ ତାଙ୍କ ସରକାରର ଆଭିମୁଖ୍ୟ ପାଇଁ ଭାରତ ସହ ମାଳଦ୍ବୀପର ସମ୍ପର୍କ ଖରାପ ହେଉଛି ବୋଲି ସ୍ଥାନୀୟ ବିରୋଧୀ ପୂର୍ବରୁ ଅଭିଯୋଗ ମଧ୍ୟ କରିସାରିଛନ୍ତି । ଏବେ ମୁଇଜୁଙ୍କ ବିରୋଧରେ ଦେଶରେ ରାଜନୈତିକ ଚାପ ବଢିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.