ETV Bharat / bharat

ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତାରେ ଆଉ ପାଦେ, ପ୍ରଥମ ଉଡାଣ ଭରିଲା ସ୍ବଦେଶୀ ଲଢୁଆ ବିମାନ ‘ତେଜସ MK-1A’ - Tejas MK 1A

author img

By ETV Bharat Odisha Team

Published : Mar 28, 2024, 8:31 PM IST

Tejas MK-1A Completes Maiden Flight: ପ୍ରଥମ ଉଡାଣ ଭରିଲା ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ତେଜସ MK-1A ଲଢୁଆ ବିମାନ । ବେଙ୍ଗାଲୁରୁରେ 18 ମିନିଟରେ ଶେଷ ହେଲା ପରୀକ୍ଷଣ । ଅଧିକ ପଢନ୍ତୁ

ସଫଳତାର ସହ ଉଡାଣ ଭରିଲା ପ୍ରଥମ ତେଜସ MK-1A
ସଫଳତାର ସହ ଉଡାଣ ଭରିଲା ପ୍ରଥମ ତେଜସ MK-1A

ବେଙ୍ଗାଲୁରୁ: ପ୍ରଥମ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହାଲୁକା ଲଢୁଆ ବିମାନ ତେଜସ MK-1Aର ଆଜି ସଫଳ ଉଡାଣ କରିଛି ହନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ (ଏଚଏଏଲ) । ଆଜି ବେଙ୍ଗାଲୁରୁ ହାଲ ଏୟାରବେସରେ ଏହି ଉଡାଣ ସଫଳତାପୂର୍ବକ ଶେଷ ହୋଇଛି । ପ୍ରାୟ 18 ମିନିଟରେ ଏହି ଉଡାଣ ଓ ଅବତରଣ ପ୍ରକ୍ରିୟା ଶେଷ ହୋଇଛି । ଏହାକୁ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତାର ଏକ ବଡ ମାଇଲଷ୍ଟୋନ ବୋଲି ‘ହାଲ’ କହିଛି । ଆଜି ପ୍ରଥମ ଉଡାଣ ଭରିଥିବା ସ୍ବଦେଶୀ ତେଜସକୁ ବରିଷ୍ଠ ପାଇଲଟ ତଥା ଅବସରପ୍ରାପ୍ତ କ୍ୟାପଟେନ କେ.କେ ବେଣୁଗୋପାଳ ଉଡାଇଥିଲେ । ଏହି ଅବସରରେ ହାଲ ପ୍ରତିରକ୍ଷା ମନ୍ତ୍ରଣାଳୟ, ଡିଆରଡିଓକୁ ମଧ୍ୟ ଧନ୍ୟବାଦ ଦେଇଛି ।

2028 ସୁଦ୍ଧା 83ଟି ଯୁଦ୍ଧ ବିମାନ ପାଇବ ବାୟୁସେନା:-

2021 ମସିହାରେ 83ଟି ଉନ୍ନତ ତେଜସ ମାର୍କ-1ଏ ଲଢୁଆ ଜେଟ କ୍ରୟ କରିବା ପାଇଁ କେନ୍ଦ୍ର ସରକାର ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ ସହ ଚୁକ୍ତି ସ୍ବାକ୍ଷର କରିଥିଲେ । ଏହାର ମୋଟ ଅଟକଳ ମୂଲ୍ୟ ରହିଛି 46,898 କୋଟି ଟଙ୍କା । ମାର୍ଚ୍ଚ 2024ରୁ ଫେବୃଆରୀ 2028 ମଧ୍ୟର ଏହାର ନିର୍ମାଣ କାର୍ଯ୍ୟ, ପରୀକ୍ଷାମୂଳକ ଉଡାଣ ଓ ଅନ୍ୟ ସମସ୍ତ ପ୍ରକ୍ରିୟା ଶେଷ କରି ଭାରତୀୟ ବାୟୁସେନାକୁ ହସ୍ତାନ୍ତର କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ଭାରତୀୟ ବାୟୁସେନାରେ ପୂର୍ବରୁ ଦୁଇଟି ତେଜସ ସ୍କ୍ବାର୍ଡନ କାର୍ଯ୍ୟକ୍ଷମ ରହିଛି । 'ଫ୍ଲାଇଙ୍ଗ୍ ଡେଗର୍ସ' ଓ 'ଫ୍ଲାଇଙ୍ଗ୍ ବୁଲେଟ୍' ନାମରେ ଏହି ଦୁଇ ସ୍କ୍ବାର୍ଡନ ଏବେ କାର୍ଯ୍ୟ କରୁଛି ।

ଏହା ମଧ୍ୟ ପଢନ୍ତୁ :- ବଢ଼ିଲା ମନରେଗା ମଜୁରୀ: ସିକ୍କିମରେ ସର୍ବାଧିକ, ଓଡ଼ିଶାରେ 254 ଟଙ୍କା - MGNREGA WAGE HIKE

ରହିଛି ଏହି ସ୍ବତନ୍ତ୍ର ଫିଚର:-

ପୂର୍ବବର୍ଗର ବିମାନ ତୁଳନାରେ ଏହି ନୂତନ ଯୁଦ୍ଧ ବିମାନ ତେଜସ MK-1A ରେ ଅନେକ ଉନ୍ନତ ଜ୍ଞାନକୌଶଳ ବ୍ୟବହୃତ ହୋଇଛି । ଏଥିରେ ଶକ୍ତିଶାଳୀ ରାଡାର, ଉନ୍ନତ ବୈଦ୍ୟୁତିକ ଯୁଦ୍ଧ ସୁଟ୍ ରହିଛି । ସେହିପରି ଅନ୍ୟାନ୍ୟ ଉନ୍ନତ ଫିଚର ମଧ୍ୟରେ ଏୟାର-ଟୁ-ଏୟାର ଓ ଏୟାର-ଟୁ-ଗ୍ରାଉଣ୍ଡ ଅସ୍ତ୍ରଶସ୍ତ୍ର ବହନ କରିବାର କ୍ଷମତା ମଧ୍ୟ ବିକଶିତ ହୋଇଛି । ଏହି ଲଢୁଆ ବିମାନ ବିୟଣ୍ଡ ଭିଜୁଆଲ୍ ରେଞ୍ଜ୍ (BVR),ଏୟାର-ଟୁ-ଏୟାର ମିସାଇଲ୍ ଏବଂ ଜାମର୍ ସହିତ ମଧ୍ୟ ବିକଶିତ ହୋଇଛି । ବିଦେଶରୁ ଆମଦାନୀ କରାଯାଉଥିବା ଯୁଦ୍ଧ ବିମାନ ସ୍ଥାନରେ ଏହି ସ୍ବଦେଶୀ ତେଜସ ଯୁଦ୍ଧ ବିମାନ ଆଗାମୀ ଦିନରେ ଭାରତୀୟ ବାୟୁସେନାର ମୁଖ୍ୟ ଯୁଦ୍ଧ ବିମାନ ହେବାକୁ ଯାଉଛି । ଏହାକୁ ବେଙ୍ଗାଲୁରୁ ସ୍ଥିତ DRDO ଲ୍ୟାବ ଏରୋନେଟିକାଲ୍ ଡେଭଲପମେଣ୍ଟ ଏଜେନ୍ସି (ଏଡିଏ) ଦ୍ୱାରା ବିକଶିତ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.