ETV Bharat / bharat

ବିହାରରେ ଭୟଙ୍କର ସଡକ ଦୁର୍ଘଟଣା, ଟ୍ରକ-ସ୍କର୍ପିଓ ମୁହାଁମୁହିଁ ଧକ୍କା ହେବାରୁ 9 ମୃତ

author img

By ETV Bharat Odisha Team

Published : Feb 26, 2024, 6:42 AM IST

Kaimur Accident: ବାଇକକୁ ଧକ୍କା ହେବା ପରେ ଟ୍ରକ ସହ ମୁହାଁମୁହିଁ ଧକ୍କା ହେଲା ସ୍କର୍ପିଓ । ଘଟଣାସ୍ଥଳରେ 9 ଜଣଙ୍କର ମୃତ୍ୟୁ । ଅଧିକ ପଢନ୍ତୁ

Kaimur Accident
Kaimur Accident

ପାଟନା: ବିହାରରେ ଭୟଙ୍କର ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଟ୍ରକ ସହ ମୁହାଁମୁହିଁ ଧକ୍କା ହେଲା ସ୍କର୍ପିଓ । ଦୁର୍ଘଟଣାରେ 9 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କଇମୁର ଜିଲ୍ଲାର ମୋହାନିଆ ପୋଲିସ ଷ୍ଟେସନ ଅନ୍ତର୍ଗତ ଦେବକାଳି ନିକଟରେ ଏହି ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ବାଇକ ଚାଳକ ଓ କାରରେ ଯାତ୍ରା କରୁଥିବା 8 ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି ।

ଏହା ମଧ୍ୟ ପଢନ୍ତୁ-ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ଦୁର୍ଘଟଣାରେ ଫରେଷ୍ଟର ମୃତ

ମିଳିଥିବା ସୂଚନା ଅନୁଯାୟୀ, କାରଟି ସାସରାମରୁ ବାରାଣାସୀ ଆଡକୁ ଯାଉଥିଲା । ଦେବକାଳି ଗ୍ରାମ ନିକଟ ମୋହାନିଆରେ ପହଞ୍ଚିବା ସ୍କର୍ପିଓଟି ଏକ ବାଇକ୍ ଆରୋହୀଙ୍କୁ ଧକ୍କା ଦେବା ପରେ ଭାରସାମ୍ୟ ହରାଇ ରାସ୍ତାର ଅନ୍ୟ ପାର୍ଶ୍ୱକୁ ଚାଲିଯାଇଥିଲା । ଏହାପରେ ସାମ୍ନା ପଟୁ ଆସୁଥିବା ଏକ ଟ୍ରକ ସହ ସ୍କର୍ପିଓଟି ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ 9 ଜଣଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହ ଗାଡିରୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ସ୍କର୍ପିଓଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।

ଏହା ମଧ୍ୟ ପଢନ୍ତୁ-ଅଟୋକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ; ଚାଲିଗଲା 9 ଜୀବନ, 5 ଗୁରୁତର

ମୋହାନିଆ ଏସଡିପିଓ ଦିଲୀପ କୁମାର କହିଛନ୍ତି, '' ସ୍କର୍ପିଓ ରୋହତାସ ଜିଲ୍ଲାରୁ ଆସୁଥିଲା । ଯାହା ମୋହନିଆ ଦେଇ ୟୁପି ଆଡକୁ ଯାଉଥିଲା । ସ୍ଥାନୀୟ ଲୋକଙ୍କ କହିବାନୁସାରେ, ସ୍କର୍ପିଓଟି ପ୍ରଥମେ ଏକ ବାଇକକୁ ଧକ୍କା ଦେବା ପରେ ଭାରସାମ୍ୟ ହରାଇ ଡିଭାଇଡର ପାର ହୋଇ ରାସ୍ତାର ଅନ୍ୟ ପାର୍ଶ୍ୱକୁ ଚାଲିଯାଇଥିଲା । ଏହି ସମୟରେ ସାମ୍ନା ପଟୁ ଆସୁଥିବା ଏକ ଟ୍ରକ ସହିତ ସ୍କର୍ପିଓ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ 9 ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ମିଳିପାରିନାହିଁ । ଏନେଇ ତଦନ୍ତ ଜାରି ରହିଛି । ''

ଗତ 20 ତାରିଖ ବିଳମ୍ବିତ ରାତିରେ ବିହାର ଲଖିସରାଇ ଜିଲ୍ଲାରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଥିଲା । ଅଟୋ ସହ ଏକ ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ 9 ଜଣଙ୍କର ମୃତ୍ୟୁ ହୋଇଥିଲା । 5 ଜଣ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.