ETV Bharat / bharat

ରାଜକୋଟ ଗେମଜୋନ ଅଗ୍ନିକାଣ୍ଡ; 7 ଅଧିକାରୀ ନିଲମ୍ବିତ, ଗଲାଣି 30 ଜୀବନ - Rajkot Gaming Zone Fire

author img

By ETV Bharat Odisha Team

Published : May 27, 2024, 5:29 PM IST

RAJKOT GAMING ZONE FIRE: ଗୁଜୁରାଟ ରାଜକୋଟ ଗେମଜୋନ ଅଗ୍ନିକାଣ୍ଡ ଘଟଣା । 7 ଜଣ ସରକାରୀ ଅଧିକାରୀ ନିଲମ୍ବିତ । ଅଧିକ ପଢନ୍ତୁ

RAJKOT GAMING ZONE FIRE
RAJKOT GAMING ZONE FIRE (ETV Bharat)

ଗାନ୍ଧୀନଗର: ଗୁଜୁରାଟ ଗେମ ଜୋନ ଅଗ୍ନିକାଣ୍ଡ ଘଟଣାରେ ନିଲମ୍ବିତ ହେଲେ 7ଜଣ ସରକାରୀ ଅଧିକାରୀ । ଏମାନଙ୍କ ମଧ୍ୟରେ 2ଜଣ ପୋଲିସ ଅଧିକାରୀ ମଧ୍ୟ ସାମିଲ ଅଛନ୍ତି । କାର୍ଯ୍ୟରେ ଅବହେଳା କାରଣରୁ ଏହି ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ଏହି ଅଘଟଣରେ ଏଯାବତ ଶିଶୁଙ୍କ ସମେତ 30 ଜଣଙ୍କ ମୃତ୍ୟୁ ଘଟିଛି । ଗୁଜୁରାଟ ହାଇକୋର୍ଟ ମଧ୍ୟ ଏହି ଘଟଣାକୁ ମନୁଷ୍ୟକୃତ ବିପର୍ଯ୍ୟୟ ବୋଲି କହିଛନ୍ତି ।

ନିଲମ୍ବିତ ହୋଇଥିବା 7 ଅଧିକାରୀଙ୍କ ମଧ୍ୟରୁ 5ଜଣ ରାଜକୋଟ ମହାନଗର ନିଗମର ଅଧିକାରୀ ଥିବା ବେଳେ 2ଜଣ ପୋଲିସ ଅଧିକାରୀ ରହିଛନ୍ତି । ଏନେଇ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ରାଜକୋଟ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଅଧିକାରୀମାନେ ଆବଶ୍ୟକୀୟ ନିୟମକୁ ଅନୁସରଣ ନ କରି ଗେମଜୋନ ପରିଚାଳନକୁ ଅନୁମତି ପ୍ରଦାନ କରିଥିଲେ । ଏପରିକି ଅଗ୍ନିକାଣ୍ଡ ଘଟିଥିବା ଗେମଜୋନଟି 'ନୋ ଅବଜେକ୍ସନ ସାର୍ଟିଫିକେଟ‌୍‌' ବିନା ପରିଚାଳିତ ହେଉଥିବା ଜଣାପଡ଼ିଛି ।

ଏହା ବି ପଢନ୍ତୁ- ରାଜକୋଟ ଗେମଜୋନ ଅଗ୍ନିକାଣ୍ଡ 'ମନୁଷ୍ୟକୃତ ବିପର୍ଯ୍ୟୟ': ଗୁଜୁରାଟ ହାଇକୋର୍ଟ

ରାଜକୋଟ ପୋଲିସ କମିଶନର ରାଜୁ ଭାର୍ଗବ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଗେମଜୋନକୁ ରୋଡ୍‌ ଓ ବିଲ୍ଡିଂ ବିଭାଗ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଥିଲା । କର୍ତ୍ତୃପକ୍ଷଙ୍କୁ ଅଗ୍ନି ସୁରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ନେଇ ଏକ ସାର୍ଟିଫିକେଟ ମଧ୍ୟ ପ୍ରଦାନ କରାଯାଇଥିଲା । ମାତ୍ର ଏହି କାର୍ଯ୍ୟ ଏବେ ବି ସମ୍ପୂର୍ଣ୍ଣ ହୋଇଥିବା ଜଣାପଡ଼ିଛି । ରବିବାର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଅଗ୍ନିକାଣ୍ଡ ଘଟିଥିବା ସ୍ଥାନ ପରିଦର୍ଶନ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଏହା ବି ପଢନ୍ତୁ- ଗେମଜୋନ ଅଗ୍ନିକାଣ୍ଡ; ସଂସାର ଗଢିବା ଆଗରୁ ଉଜୁଡିଗଲା, ନବଦମ୍ପତି ସମେତ ଗୋଟିଏ ପରିବାରର 5 ମୃତ

ନିଲମ୍ବିତ ହୋଇଥିବା ପୋଲିସ ଅଧିକାରୀ ହେଉଛନ୍ତି ଇନ୍ସପେକ୍ଟର ଭି.ଆର ପଟେଲ ଯିଏକି ରାଜକୋଟ ପୋଲିସ ଷ୍ଟେସନରେ 2023ରୁ କାର୍ଯ୍ୟରତ ଥିଲେ । ସେହିପରି ଅନ୍ୟ ଜଣେ ହେଉଛନ୍ତି ଏନ.ଆଇ ରାଠୋର ଯିଏକି ରାଜକୋଟ ସିଟି ପୋଲିସରେ ଅତିରିକ୍ତ ଦାୟିତ୍ବରେ ଥିଲେ । ଶନିବାର ସନ୍ଧ୍ୟାରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ଏଯାବତ 30ଜଣଙ୍କ ମୃତ୍ୟୁ ଘଟିଛି । କେନ୍ଦ୍ର ସରକାର ମୃତକଙ୍କୁ ପରିବାରକୁ 2 ଲକ୍ଷ ଲେଖାଏଁ ସହାୟତା ରାଶି ପ୍ରଦାନ କରିଛନ୍ତି । ସେପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ଘଟଣାର ତଦନ୍ତ ଲାଗି ସ୍ବତନ୍ତ୍ର ତଦନ୍ତକାରୀ ଟିମ (SIT) ଗଠନ କରିଥିବା ବେଳେ ମୃତକଙ୍କ ପରିବାରକୁ 4 ଲକ୍ଷ ଲେଖାଏଁ ସହାୟତା ରାଶି ପ୍ରଦାନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.