ETV Bharat / bharat

ଗେମଜୋନ ଅଗ୍ନିକାଣ୍ଡ; ସଂସାର ଗଢିବା ଆଗରୁ ଉଜୁଡିଗଲା, ନବଦମ୍ପତି ସମେତ ଗୋଟିଏ ପରିବାରର 5 ମୃତ - Newly Married Couple Died

author img

By ETV Bharat Odisha Team

Published : May 26, 2024, 9:32 PM IST

GUJARAT GAME ZONE FIRE: ରାଜକୋଟ ଗେମ ଜୋନ ଅଗ୍ନିକାଣ୍ଡ ଘଟଣାର କଳା କାହାଣୀ । ଗୋଟିଏ ପରିବାରର 5ଜଣ ମୃତ, ମୃତକଙ୍କ ମଧ୍ୟରେ ନବ ଦମ୍ପତି ବି ସାମିଲ । ଅଧିକ ପଢନ୍ତୁ

GUJARAT GAME ZONE FIRE
GUJARAT GAME ZONE FIRE (ETV Bharat)

ଗାନ୍ଧୀନଗର: ଦୁଃଖ ଦେଇଗଲା ଗୁଜୁରାଟ ରାଜକୋଟ ଗେମଜୋନ ଅଗ୍ନିକାଣ୍ଡ ଘଟଣା । ଗୋଟିଏ ପରିବାରର 5ଜଣ ସଦସ୍ୟଙ୍କ ଲିଭିଗଲା ଜୀବନ ଦୀପ । ମୃତକଙ୍କ ମଧ୍ୟରେ ନବଦମ୍ପତି ମଧ୍ୟ ସାମିଲ ଥିଲେ । ଶନିବାର ଦ୍ବିପ୍ରହର ରାଜକୋଟ ସିଟିରେ ଥିବା ଟିଆରପି ଗେମ ଜୋନରେ ଘଟିଥିଲା ଭୟାବହ ଅଗ୍ନିକାଣ୍ଡ । ଏହି ଘଟଣାରେ ଏୟାବତ 12ବର୍ଷରୁ କମ 4ଜଣ କୋମଳମତୀ ପିଲାଙ୍କ ସମେତ ମୋଟ 30 ଜଣଙ୍କ ମୃତ୍ୟୁ ଘଟିଲାଣି । ସେପଟେ 30ରୁ ଊର୍ଦ୍ଧ୍ବ ଏବେ ବି ନିଖୋଜ ଥିବା ବେଳେ ମୃତଦେହର ଡିଏନଏ ନମୁନା ସଂଗ୍ରହ କରାଯାଇଛି ।

ଗେମଜୋନରେ ଅଗ୍ନିକାଣ୍ଡ ଘଟିଥିବା ଖବର ପାଇବା ପରେ ଶନିବାର ସନ୍ଧ୍ୟାରେ ପୁଅକୁ ଉଦ୍ଧାର କରିବା ଲାଗି ବୀରେନ୍ଦ୍ରସିହ୍ନ ଜାଡେଜା (42) ଉପର ମହଲାକୁ ଯାଇଥିଲେ । ଏହାପରେ ସେ ନିଖୋଜ ହୋଇଯାଇଥିବା ତାଙ୍କ ଝିଅ ଦେବିକାବା ଜାଡେଜା କହିଛନ୍ତି । ଏଯାବତ ବୀରେନ୍ଦ୍ରଙ୍କ ପତ୍ତା ମିଳିନଥିବା ବେଳେ ପରିବାରବର୍ଗ ମୃତକମାନଙ୍କ ଡିଏନଏ ନମୁନା ରିପୋର୍ଟକୁ ଅପେକ୍ଷା କରିଛନ୍ତି । ମୃତକଙ୍କ ପରିଚୟ ଜାଣିବା ଲାଗି ପୋଲିସ ପକ୍ଷରୁ ମୃତଦେହଗୁଡ଼ିକର ଡିଏନଏ ସାମ୍ପଲକୁ ଗାନ୍ଧୀନଗର ଫୋରେନ୍ସିକ ସାଇନ୍ସ ଲାବୋରେଟୋରୀ (FSL)କୁ ପଠାଯାଇଛି ।

ଏହା ବି ପଢନ୍ତୁ- ରାଜକୋଟ ଗେମଜୋନ ଅଗ୍ନିକାଣ୍ଡ 'ମନୁଷ୍ୟକୃତ ବିପର୍ଯ୍ୟୟ': ଗୁଜୁରାଟ ହାଇକୋର୍ଟ

ରାଜକୋଟ ଜିଲ୍ଲାପାଳ ପ୍ରଭାବ ଯୋଶୀଙ୍କ କହିବାନୁସାରେ ମୃତ୍ୟୁସଂଖ୍ୟା 30ରେ ପହଞ୍ଚିଲାଣି । ରବିବାର ଏୟାର ଆମ୍ବୁଲାନ୍ସ ଯୋଗେ ମୃତକଙ୍କ ଡିଏନଏ ନମୁନାକୁ ଗାନ୍ଧୀନଗର FSLକୁ ପଠାଯାଇଛି । ରିପୋର୍ଟରୁ ମୃତକଙ୍କ ପରିଚୟ ମିଳିବା ପରେ ଯେପରି ମୃତଦେହ ଏପଟ ସେପଟ ନ ହୁଏ ସେଥିଲାଗି ମୃତକଙ୍କ ପ୍ରକୃତ ପରିଚୟ ଖୋଜିବାକୁ ଯଥାସମ୍ଭବ ଚେଷ୍ଟା କରାଯାଉଥିବା ସେ କହିଛନ୍ତି । ସେପଟେ ଜାଡ଼େଜା ପରିବାରର 5ଜଣ ସଦସ୍ୟ ଏହି ଘଟଣାରେ ନିଖୋଜ ଅଛନ୍ତି । ପରିବାର ସେମାନଙ୍କୁ ମୃତ ବୋଲି ସନ୍ଦେହ କରୁଛନ୍ତି । ଏମାନଙ୍କ ମଧ୍ୟରୁ 10ରୁ 15 ମଧ୍ୟରେ 3ଜଣ ଛୋଟ ପିଲା ଥିଲେ ।

ଅଗ୍ନିକାଣ୍ଡର କାହାଣୀ ବଖାଣିଲେ ଝିଅ ଦେବିକାବା:- ଶନିବାର ସେହି କାଳ ସମୟକୁ ମନେ ପକାଇ ଦେବିକାବା କହିଛନ୍ତି, "ମୋ ପିତାମାତା, ଭାଇ ଓ ମାମୁଁଘର ପରିବାର ସଦସ୍ୟ ଗେମଜୋନକୁ ଯାଇଥିଲେ । ଆମେ ସମସ୍ତେ ରେସ୍ତୋରାଁରେ ଥିବା ବେଳେ ମୋର 2ଭାଇ ଓ ଭଉଣୀ ଉପର ମହଲାରେ ଗେମଜୋନରେ ଥିଲେ । ଆମେ ରେସ୍ତୋରାଁରେ ଥିବା ସମୟରେ ଅଗ୍ନିକାଣ୍ଡ ଘଟିଥିଲା । ଏହାପରେ ମୋ ଭାଇ ଓ ଭଉଣୀଙ୍କୁ ଉଦ୍ଧାର କରିବା ଲାଗି ବାପା ଓ ମାମୁଁ ଉପରକୁ ଯାଇଥିଲେ । ଏହାପରେ ବିସ୍ଫୋରଣ ଘଟିଥିଲା । ଏହାପରେ କାହାର ପତ୍ତା ମିଳୁନାହିଁ ।" ସେ ଅଭିଯୋଗ କରିଛନ୍ତି ଯେ ସେଠାରେ ଅଗ୍ନି ନିର୍ବାପକ ଯନ୍ତ୍ର ନଥିବା ବେଳେ କୌଣସି ଫାୟାର ଆଲାର୍ମ ମଧ୍ୟ ବାଜିନଥିଲା । ଦେବିକାବା ଆହୁରି କହିଛନ୍ତି ଯେ ଫାୟାର ଆଲାର୍ମ ନ ବାଜିବାରୁ କେହି ଅଗ୍ନିକାଣ୍ଡ ସମ୍ପର୍କରେ ଜାଣିପାରିନଥିଲେ ।

ମୃତକଙ୍କ ମଧ୍ୟରେ ନବଦମ୍ପତି:- ଅନ୍ୟ ମୃତକଙ୍କ ମଧ୍ୟରେ ଜଣେ ନବଦମ୍ପତି ବିବେକ (26) ଓ କୌଶଲି ଦୁସାରା(24) ଓ ସେମାନଙ୍କ ଭଉଣୀ ତିସା ମଧ୍ୟ ଥିଲେ । ଅଗ୍ନିକାଣ୍ଡରେ ସେମାନେ ନିଖୋଜ ଅଛନ୍ତି । ନବଦମ୍ପତିଙ୍କ ଘର ଗିର ସୋମନାଥ ଜିଲ୍ଲାର ହୋଇଥିବା ବେଳେ ତାଙ୍କ ସହ ଯୋଗାଯୋଗ ହୋଇପାରିନଥିବାରୁ ତାଙ୍କ ପରିବାର ରାତି ପରଠାରୁ ପଲକ ମଧ୍ୟ ପକାଇ ପାରିନାହାନ୍ତି । ଏହାପରେ ରବିବାର ନବଦମ୍ପତିଙ୍କ ପରିବାର ରାଜକୋଟ ଅଭିମୁଖେ ବାହାରିଥିଲେ । ବିବେକ ଓ କୌଶଲି ଗତ 2ମାସ ପୂର୍ବରୁ ବିବାହ କରିଥିଲେ । ପରିବାର ନବଦମ୍ପତିଙ୍କ ମୃତଦେହକୁ ଚିହ୍ନିବା ଲାଗି ଡିଏନଏ ରିପୋର୍ଟକୁ ଅପେକ୍ଷା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.