ETV Bharat / bharat

ପୁଣେ ପୋର୍ସ କାର୍ ଟ୍ରାଜେଡି: ଅଭିଯୁକ୍ତର ଭୁଲ ରିପୋର୍ଟ ପ୍ରସ୍ତୁତ କରିଥିବା 2 ଡାକ୍ତର ଗିରଫ - Porsche car accident

author img

By ETV Bharat Odisha Team

Published : May 27, 2024, 1:47 PM IST

Police Arrest 2 Doctors for Evidence Tampering: ପୁଣେ ପୋର୍ସ କାର୍ ଟ୍ରାଜେଡିରେ ଦୁଇ ଡାକ୍ତର ଗିରଫ । ଅଭିଯୁକ୍ତର ରକ୍ତ ନମୂନା ପରୀକ୍ଷାରେ ଭୁଲ ରିପୋର୍ଟ ସହ ପ୍ରମାଣ ନଷ୍ଟ କରିବାକୁ କରିଥିଲେ ଉଦ୍ୟମ । ଅଧିକ ପଢନ୍ତୁ

ପୁଣେ ପୋର୍ସ କାର୍ ଟ୍ରାଜେଡି
ପୁଣେ ପୋର୍ସ କାର୍ ଟ୍ରାଜେଡି (ETV Bharat Odisha)

ମୁମ୍ବାଇ: ପୁଣେର ପୋର୍ସ କାର୍ ଟ୍ରାଜେଡି ମାମଲାରେ ବଢିବାରେ ଲାଗିଛି ଗିରଫଦାରୀ । ପ୍ରଥମରୁ ବିବାଦ ଓ ସମାଲୋଚନା ଘେରରେ ରହିଆସିଛି ଏହି ମାମଲାର ତଦନ୍ତ ଓ ବିଚାର ପ୍ରକ୍ରିୟା । ତେବେ ଆଜି ଅଭିଯୁକ୍ତର ରକ୍ତ ନମୂନା ପରୀକ୍ଷା କରିଥିବା ଦୁଇ ଡାକ୍ତରଙ୍କୁ ପୋଲିସ୍‌ ଗିରଫ କରିଛି । ନାବାଳକ ଦୁର୍ଘଟଣା ଦିନ ମଦ୍ୟପାନ କରି ନିଶାସକ୍ତ ଥିବା ସତ୍ତ୍ବେ ମଧ୍ୟ ପରୀକ୍ଷାରେ ସେ ନିଶାସକ୍ତ ନଥିବା ରିପୋର୍ଟ ଆସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ପରେ ଅଭିଯୁକ୍ତ ନାବାଳକ ଓ ତାର କିଛି ସହଯୋଗୀ କୌଣସି ଏକ ରେସ୍ତୋରାଁରେ ବସି ମଦ୍ୟପାନ କରୁଥିବାର ସିସିଟିଭି ଫୁଟେଜ ମଧ୍ୟ ଭାଇରାଲ ହୋଇଥିଲା । ଏବେ ଅଭିଯୁକ୍ତର ଡାକ୍ତରୀମାଇନା କରିଥିବା ଦୁଇ ଡାକ୍ତରଙ୍କୁ ଗିରଫ କରାଯାଇଛି । ଏମାନେ ଭୁଲ ରିପୋର୍ଟ ଦେଇଥିବା ଓ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଥିବା ପୋଲିସ ସ୍ପଷ୍ଟ କରିଛି ।

ପୁଣେ ପୋର୍ସ କାର୍ ଟ୍ରାଜେଡି
ପୁଣେ ପୋର୍ସ କାର୍ ଟ୍ରାଜେଡି (ETV Bharat Odisha)

ତେବେ ପୁଣେ ପୋଲିସ କମିଶନରଙ୍କ ସୂଚନା ଅନୁସାରେ, ଗିରଫ ଦୁଇ ଡାକ୍ତର ହେଉଛନ୍ତି, ଡା.ଅଜୟ ତିଓ୍ବାରୀ ଓ ଡା.ଶ୍ରୀହରି ହରନୁର । ପୋଲିସ ଅଭିଯୁକ୍ତକୁ ଗିରଫ କରିବା ପରେ ଜେନେରାଲ ହସ୍ପିଟାଲର ଫୋରେନସିକ ଲ୍ୟାବର ଏହି ଡାକ୍ତରଙ୍କ ଜରିଆରେ ରକ୍ତ ନମୂନା ପରୀକ୍ଷା କରାଇଥିଲା । ହେଲେ ଉଭୟ ଡାକ୍ତର ଅଭିଯୁକ୍ତର ରକ୍ତ ନମୂନା ଅନ୍ୟ କୌଣସି ସୁସ୍ଥ ବ୍ୟକ୍ତିର ରକ୍ତ ନମୂନା ସହ ବଦଳ କରି ରିପୋର୍ଟ ଦେଇଥିଲେ । ଫଳରେ ମଦ୍ୟପାନ କରିବା ସତ୍ତ୍ବେ ମଧ୍ୟ ଅଭିଯୁକ୍ତ ଡାକ୍ତରୀ ରିପୋର୍ଟରେ ନିଶାସକ୍ତ ବୋଲି ଧରା ପଡିନଥିଲା । ତେଣୁ ଏହି କାରଣରୁ କୋର୍ଟ ମଧ୍ୟ ତାଙ୍କ ପ୍ରତି ଅତିକୋହଳ ମନୋଭାବ ପ୍ରକାଶ କରିଥିଲେ । ଯାହା ସାରା ଦେଶରେ ଚର୍ଚ୍ଚା, ସମାଲୋଚନା ଓ ବିବାଦ ସୃଷ୍ଟି କରିଥିଲା ।

ଏହା ମଧ୍ୟ ପଢନ୍ତୁ: କାର ଚଢାଇ ଦୁଇ ଇଞ୍ଜିନିୟରଙ୍କୁ ମାରିଦେଲେ ନାବାଳକ, ବାପାକୁ ବାନ୍ଧିଲା ପୋଲିସ ! - Pune Porsche Accident

ସୂଚନାଯୋଗ୍ୟ, ଗତ ଶନିବାର ରାତି ପ୍ରାୟ ସାଢେ ୨ଟାରେ ଅଭିଯୁକ୍ତ ନାବାଳକ ଏହି ଦୁର୍ଘଟଣା ଘଟାଇଥିଲା । ନାବାଳକ ଜଣକ ପ୍ରଚୁର ମଦ୍ୟପାନ କରି ବିଳାସମୟ ପୋର୍ସ କାର୍ ଚଳାଉଥିଲା । କଲ୍ୟାଣ ନଗରୀ ଏରିଆରେ ଏକ ବାଇକ୍‌କୁ ଧକ୍କା ଦେଇଥିଲା ଏହି ଅନିୟନ୍ତ୍ରିତ କାର । ଏଥିରେ ଜଣେ ଯୁବକ ଓ ଯୁବତୀଙ୍କର ମୃତ୍ୟୁ ହୋଇଥିଲା । ଉଭୟ ସଫ୍ଟଓ୍ବେର ଇଞ୍ଜିନିୟର ଥିଲେ । ସେତେବେଳେ କାରର ବେଗ ପ୍ରାୟ ଘଣ୍ଟା ପ୍ରତି ୨୦୦ କି.ମି ଥିଲା ବୋଲି ଜଣାପଡିଥିଲା । ତମାମ ବିବାଦ ମଧ୍ୟରେ ଅଭିଯୁକ୍ତ ଏବେ ବାଳସୁଧାର ଗୃହରେ ରହିଛି ।

ଏହା ମଧ୍ୟ ପଢନ୍ତୁ :- ପୋର୍ସ କାର୍ ଦୁର୍ଘଟଣା: ରଚନା ଲେଖିବାକୁ କହି ଛାଡି ଦେଇଥିଲେ କୋର୍ଟ, ବିବାଦ ତେଜିବା ପରେ ନାବାଳକର ଜାମିନ ରବ୍ଦ - Porsche car accident

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.