ETV Bharat / bharat

ରାତି ପାହିଲେ 1202 ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା, କେରଳର ସବୁ ଆସନରେ ଭୋଟ - LOK SABHA ELECTION SECOND PHASE

author img

By ETV Bharat Odisha Team

Published : Apr 25, 2024, 8:36 PM IST

Lok Sabha Second Phase Election 2024: ଶୁକ୍ରବାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । 88 ଆସନରେ ହେବ ମତଦାନ । ଫୋକସରେ ରହିଛି ଓ୍ବାୟନାଡ, ମଥୁରା, ମିରଟ । ଅଧିକ ପଢନ୍ତୁ

Lok Sabha Second Phase Election
Lok Sabha Second Phase Election

ହାଇଦ୍ରାବାଦ: ରାତି ପାହିଲେ ଲୋକସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ । 12ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ମୋଟ 88 ଆସନରେ ପଡିବ ଭୋଟ । ଏଥିପାଇଁ 48 ଘଣ୍ଟା ପୂର୍ବରୁ ଅର୍ଥାତ ବୁଧବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି । ଶୁକ୍ରବାର ସକାଳ 7ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ 5ଟାରେ ଶେଷ ହେବ । ଏଥିପାଇଁ ନିର୍ବାଚନ କମିଶନରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିବା ବେଳେ ପୋଲିଂ ବୁଥରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

1202 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ: ଦ୍ବିତୀୟ ପର୍ଯ୍ୟାୟ ପାଇଁ ମୋଟ 2 ହଜାର 633 ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ । ତେବେ ପ୍ରାର୍ଥୀପତ୍ର ନାକଚ ଏବଂ ପ୍ରତ୍ୟାହାର ହେବା ପରେ ଏବେ ମୋଟ 1,202 ପ୍ରାର୍ଥୀ ମୈଦାନରେ ରହିଛନ୍ତି । ଏମାନଙ୍କ ମଧ୍ୟରୁ ପୁରୁଷ 1099 ଜଣ ରହିଥିବା ବେଳେ ମହିଳା 101 ଜଣ ରହିଛନ୍ତି । ସେହିପରି ତୃତୀୟ ଲିଙ୍ଗି ରହିଛନ୍ତି 2 ଜଣ । ତେବେ ଭୋଟରମାନେ ଦ୍ବିତୀୟ ପର୍ଯ୍ୟାୟରେ 1202ଜଣଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ସମସ୍ତ 7ଟି ପର୍ଯ୍ୟାୟରେ ମତଦାନ ଶେଷ ହେବା ପରେ ଜୁନ 4 ତାରିଖରେ ଫଳାଫଳ ପ୍ରକାଶ ପାଇବ ।

Lok Sabha Second Phase Election
Lok Sabha Second Phase Election

କେଉଁଠି କେତେ ଆସନରେ ଭୋଟିଂ: କେରଳର ସମସ୍ତ 20 ଆସନରେ ମତଦାନ ହେବ । ସେହିଭଳି କର୍ଣ୍ଣାଟକର 14, ରାଜସ୍ଥାନର 13, ଉତ୍ତରପ୍ରଦେଶ-ମହାରାଷ୍ଟ୍ରରେ 8, ମଧ୍ୟପ୍ରଦେଶରେ 6, ଆସାମ-ବିହାରରେ 5, ପଶ୍ଚିମବଙ୍ଗ-ଛତିଶଗଡରେ 3, ଜମ୍ମୁ କାଶ୍ମୀର, ମଣିପୁର ତ୍ରିପୁରାର ଗୋଟିଏ ଲେଖାଏଁ ଆସନରେ ମତଦାନ ହେବ ।

ଏହା ମଧ୍ୟ ପଢନ୍ତୁ: ମହାସମର 2024: ଦ୍ବିତୀୟ ପର୍ଯ୍ୟାୟରେ 13 ରାଜ୍ୟର 88 ଆସନରେ ଭୋଟିଂ; ରାହୁଲ-ହେମାମାଳିନୀ-ଓମ୍ ବିର୍ଲାଙ୍କର ହେବ ଭାଗ୍ୟ ପରୀକ୍ଷା - LOK SABHA ELECTION SECOND

ହାଇଭୋଲଟେଜ୍ ସିଟ୍: ଦ୍ବିତୀୟ ପର୍ଯ୍ୟାୟରେ କେରଳର ହାଇଭୋଲଟେଜ ସିଟ୍ ଓ୍ବାୟନାଡ ଏବଂ ଥିରୁଅନନ୍ତପୁରମରେ ମତଦାନ ହେବ ।

ଓ୍ବାୟନାଡ: ଏଥର ଓ୍ବାୟନାଡରେ ତ୍ରିକୋଣୀୟ ମୁକାବିଲା ହେବ । ଗୋଟିଏ ପଟେ କଂଗ୍ରେସ ହେବିଓ୍ବେଟ ରାହୁଲ ଗାନ୍ଧୀ ରହିଥିବା ବେଳେ ବିଜେପିରେ ରହିଛନ୍ତି କେ ସୁରେନ୍ଦ୍ରନ । ସେହିପରି ସିପିଆଇର ଅନିରାଜଙ୍କ ମଧ୍ୟରେ ତ୍ରିମୁଖ ଲଢେଇ ହେବ । 2019 ନିର୍ବାଚନରେ ଏହି ଆସନରେ ବାଜି ମାରିଥିଲେ ରାହୁଲ ଗାନ୍ଧୀ । ଚଳିତ ଥର ମଧ୍ୟ ସମାନ ଆସନ ପାଇଁ ସେ ନିର୍ବାଚନ ଲଢୁଛନ୍ତି ।

ଥିରୁଅନନ୍ତପୁରମ: ଲୋକସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟରେ ଥିରୁଅନନ୍ତପୁରମରେ ଦ୍ବିମୁଖୀ ଲଢେଇ ହେବ । କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ସହିତ କଂଗ୍ରେସ ସାଂସଦ ଶଶୀ ଥରୁରଙ୍କ ମଧ୍ୟରେ କଡା ମୁକାବିଲା ହେବ ।

ଦ୍ବିତୀୟ ପର୍ଯ୍ୟାୟରେ ବିଜେପି ପ୍ରାର୍ଥୀ: ମିରଟରୁ ଅରୁଣ ଗୋଭିଲ, ମଥୁରାରୁ ହେମା ମାଳିନୀ, କୋଟାରୁ ଓମ ବିର୍ଲା, ଦକ୍ଷିଣ ବେଙ୍ଗାଲୁରୁରୁ ତେଜସ୍ବୀ ସୂର୍ଯ୍ୟଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ହିନ୍ଦୁତ୍ବ ଛବିରୁ ଲାଭ ଉଠାଇବା ପାଇଁ ମିରଟରୁ ରାମାୟଣ ଅଭିନେତା ଅରୁଣ ଗୋଭିଲଙ୍କୁ ମଇଦାନକୁ ଓହ୍ଲାଇଛି ବିଜେପି । ଅନ୍ୟପଟେ ହେମା ମାଳିନୀ ମଧ୍ୟ ତୃତୀୟ ଥର ପାଇଁ ନିର୍ବାଚନ ଲଢୁଛନ୍ତି । ମଥୁରା ଆସନରୁ 2ଥର ବାଜି ମାରିଥିବା ବେଳେ ଚଳିତ ଥର ତାଙ୍କ ପାଇଁ ତୃତୀୟ ଚାଲେଞ୍ଜ । ଅନ୍ୟପଟେ ତେଜସ୍ବୀ ସୂର୍ଯ୍ୟଙ୍କ ବିଷୟରେ କହିବାକୁ ଗଲେ ସେ ପୂର୍ବଥର ଦକ୍ଷିଣ ବେଙ୍ଗାଲୁରୁରୁ ବାଜି ମାରିଥିବା ବେଳେ ଚଳିତ ଥର ମଧ୍ୟ ତାଙ୍କ ଉପରେ ଭରସା କରିଛି ଦଳ ।

ହେବିଓ୍ବେଟ କଂଗ୍ରେସ ପ୍ରାର୍ଥୀ: ଦ୍ବିତୀୟ ପର୍ଯ୍ୟାୟ ମତଦାନରେ ଅନେକ କଂଗ୍ରେସ ହେବିଓ୍ବେଟ ରହିଛନ୍ତି । ଛତିଶଗଡ ରାଜନନ୍ଦଗାଓଁରୁ ଭୂପେଶ ବଘେଲ, କେରଳର ଓ୍ବାୟନାଡରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଥିରୁଅନନ୍ତପୁରମରୁ ଶଶୀ ଥରୁରଙ୍କ ଭାଗ୍ୟ ପରୀକ୍ଷା ହେବ । ସକାଳ 7ଟାରୁ ଭୋଟ ଗ୍ରହଣ ଆରମ୍ଭ ହେବାକୁ ଥିବା ବେଳେ କଣ ହେବ ଭାଗ୍ୟ, କାହାକୁ ବାଛିବେ ଜନତା ସେନେଇ ସମସ୍ତ ପ୍ରାର୍ଥୀଙ୍କ ଛାତି ଧଡଧଡ ହେଉଛି ।

ପ୍ରକାଶଥାଉକି, ଏପ୍ରିଲ 19 ତାରିଖରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ 21ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୋଟ 102ଟି ଆସନରେ ଭୋଟ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.