ETV Bharat / bharat

ତୃତୀୟ ପର୍ଯ୍ୟାୟରେ 64% ପ୍ରତିଶତ ଭୋଟିଂ: ଆସାମ ଶୀର୍ଷରେ, ଗୁଜୁରାଟରେ କମିଲା - LOK SABHA ELECTION THIRD PHASE

author img

By ETV Bharat Odisha Team

Published : May 8, 2024, 10:56 AM IST

Lok sabha election 2024 Third Phase Voting Turnout: 64% ପ୍ରତିଶତ ସହ ତୃତୀୟ ପର୍ଯ୍ୟାୟରେ 11ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର 93 ଆସନରେ ସରିଲା ଭୋଟିଂ । ଏପର୍ଯ୍ୟନ୍ତ 3ଟି ପର୍ଯ୍ୟାୟରେ 285 ଆସନରେ ପ୍ରାର୍ଥୀଙ୍କ ଭାଗ୍ୟ ହେଲା ସିଲ୍‌ । ଆସାମରେ ମତଦାନ ହାର ସର୍ବାଧିକ ଥିବା ବେଳେ, ଏଥର ଗୁଜୁରାଟରେ କମିଛି ଭୋଟ୍ ପ୍ରତିଶତ । ଅଧିକ ପଢନ୍ତୁ

ତୃତୀୟ ପର୍ଯ୍ୟାୟରେ 64 % ପ୍ରତିଶତ ଭୋଟିଂ
ତୃତୀୟ ପର୍ଯ୍ୟାୟରେ 64 % ପ୍ରତିଶତ ଭୋଟିଂ (PIC- ETV Bharat)

ନୂଆଦିଲ୍ଲୀ: ଗତକାଲି (ମଙ୍ଗଳବାର) ତୃତୀୟ ପର୍ଯ୍ୟାୟରେ ଦେଶରେ 11ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ 93ଟି ସଂସଦୀୟ ଆସନରେ ମତାଦାନ ଶେଷ ହୋଇଛି । ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ, ଦେଶରେ ସାମଗ୍ରିକ ଭୋଟିଂ ହାର 64.4 ପ୍ରତିଶତ ରହିଛି । ସେହିପରି ରାଜ୍ୟଓ୍ବାରୀ ଦେଖିଲେ, ଉତ୍ତର-ପୂର୍ବ ରାଜ୍ୟ ଆସାମରେ ସର୍ବାଧିକ 81.61 ପ୍ରତିଶତ ଭୋଟିଂ ହୋଇଛି । ଛତିଶଗଡରେ 71 ପ୍ରତିଶତ, କେନ୍ଦ୍ରଶାସିତ ଅଞ୍ଚଳର ଦାଦ୍ରାନଗର ହାବେଳୀ ଓ ଡାମନ ଡିଉରେ ରେକର୍ଡସଂଖ୍ୟକ 69.87 ପ୍ରତିଶତ ଭୋଟିଂ ହୋଇଛି । ସଂଧ୍ୟା 6ଟାରେ ଭୋଟିଂ ଶେଷ ହେବା ପରେ ଇଭିଏମ ଓ ଭିଭିପ୍ୟାଟକୁ ଷ୍ଟ୍ରଙ୍ଗରୁମରେ ରଖାଯାଇଛି । ଗତକାଲି ପ୍ରାୟତଃ କୌଣସି ସ୍ଥାନରେ ହିଂସା ଦେଖିବାକୁ ମିଳିନି ।

ରାଜ୍ୟଓ୍ବାରୀ ଭୋଟିଂ ହାର:-

ବିହାରରେ 58.81 ପ୍ରତିଶତ, ମହାରାଷ୍ଟ୍ରରେ 61.44 ପ୍ରତିଶତ, ଗୋଆରେ 75.20 ପ୍ରତିଶତ, ଗୁଜୁରାଟରେ 58.98 ପ୍ରତିଶତ, ମଧ୍ୟ ପ୍ରଦେଶରେ 66.05 ପ୍ରତିଶତ, ଉତ୍ତର ପ୍ରଦେଶରେ 57.34 ପ୍ରତିଶତ ମତଦାନ ହୋଇଛି । ଗତକାଲି ପର୍ଯ୍ୟାୟରେ 93 ଆସନକୁ ମିଶାଇ ଦେଶରେ ମୋଟ 283 ଆସନରେ ଭୋଟିଂ ଶେଷ ହୋଇଛି । ପର୍ଯ୍ୟାୟକ୍ରମିକ ଯେଉଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା, ବିଭିନ୍ନ କାରଣରୁ କିଛି ଆସନରେ ମତଦାନ ସମୟ ପରିବର୍ତ୍ତନ ମଧ୍ୟ ହୋଇଥିଲା । ଗତକାଲି ୯୩ଟି ଆସନ ପାଇଁ ଦଳୀୟ ଓ ସ୍ବାଧୀନ ଭାବେ ୧୩୦୦ରୁ ଉର୍ଦ୍ଧ୍ବ ପ୍ରାର୍ଥୀ ନିର୍ବାଚନ ମୈଦାନରେ ଥିଲେ । ସେଥିମଧ୍ୟରୁ ୧୨୦ଜଣ ମହିଳା ପ୍ରାର୍ଥୀ ମଧ୍ୟ ନିର୍ବାଚନୀ ପରୀକ୍ଷା ଦେଇଛନ୍ତି ।

ତୃତୀୟ ପର୍ଯ୍ୟାୟରେ 64 % ପ୍ରତିଶତ ଭୋଟିଂ, ରାଜ୍ୟଓ୍ବାରୀ ଆଗରେ ଆସାମ, 285 ଆସନରେ ସରିଲା ଭୋଟିଂ
ତୃତୀୟ ପର୍ଯ୍ୟାୟରେ 64 % ପ୍ରତିଶତ ଭୋଟିଂ, ରାଜ୍ୟଓ୍ବାରୀ ଆଗରେ ଆସାମ, 285 ଆସନରେ ସରିଲା ଭୋଟିଂ (PIC- ETV Bharat)

ତୃତୀୟ ପର୍ଯ୍ୟାୟରେ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ:-

ତୃତୀୟ ପର୍ଯ୍ୟାୟରେ ଏକାଧିକ ପ୍ରମୁଖ ରାଜନେତା ନିଜ ନିର୍ବାଚନୀ ଭାଗ୍ୟ ପରୀକ୍ଷା ଦେଇଛନ୍ତି । ବିଜେପିର ମୁଖ୍ୟ ରଣନୀତିକାର ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପୂର୍ବତନ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଏନସିପି ପ୍ରତିଷ୍ଠାତା ଶରଦ ପାଓ୍ବାରଙ୍କ ଝିଅ ସୁପ୍ରିୟା ସୁଲେ, ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ପତ୍ନୀ ସୁନେତ୍ରା ପାଓ୍ବାର, ‘ସପା’ ମୁଖ୍ୟ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ, ମଧ୍ୟ ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ, କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ପ୍ରମୁଖ ତୃତୀୟ ପର୍ଯ୍ୟାୟରେ ପ୍ରାର୍ଥୀ ଭାବେ ମୈଦାନରେ ଥିଲେ ।

ତୃତୀୟ ପର୍ଯ୍ୟାୟରେ 64 % ପ୍ରତିଶତ ଭୋଟିଂ
ତୃତୀୟ ପର୍ଯ୍ୟାୟରେ 64 % ପ୍ରତିଶତ ଭୋଟିଂ (PIC- ETV Bharat)

13ରେ 4ର୍ଥ ପର୍ଯ୍ୟାୟ:-

ମେ 13 ତାରିଖରେ 4ର୍ଥ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି । ଏଥିରେ 10ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୋଟ 96 ସଂସଦୀୟ ଆସନରେ ଭୋଟିଂ ହେବ । ଆନ୍ଧ୍ର ପ୍ରଦେଶର ସମସ୍ତ 25 ସଂସଦୀୟ ଆସନ, ତେଲେଙ୍ଗାନାର 17, ଉତ୍ତର ପ୍ରଦେଶର 13 ମହାରାଷ୍ଟ୍ରରର 11, ପଶ୍ଚିମବଙ୍ଗର 8, ମଧ୍ୟ ପ୍ରଦେଶର 5, ବିହାର, ଝାଡଖଣ୍ଡର ଓ ଜମ୍ମୁ କାଶ୍ମୀରର ଗୋଟିଏ ଲେଖାଏଁ ଆସନ ସହ ଓଡିଶାର 4 ସଂସଦୀୟ ଆସନରେ ମତଦାନ ହେବ । ଓଡିଶାରେ 4 ଲୋକସଭା ଆସନ ଅନ୍ତର୍ଗତ 28 ବିଧାନସଭା ଆସନରେ ମଧ୍ୟ ମତଦାନ ହେବ ।

ଭୋଟ ଦେଲେ ପ୍ରଧାନମନ୍ତ୍ରୀ ମୋଦି- ଶାହ
ଭୋଟ ଦେଲେ ପ୍ରଧାନମନ୍ତ୍ରୀ ମୋଦି- ଶାହ (PIC- ETV Bharat)

4 ଜୁନରେ ଫଳାଫଳ:-

ଦେଶରେ ଗୋଟିଏ ପରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ଶେଷ ହେଉଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ପ୍ରଚଣ୍ଡ ପ୍ରଚାର ମଧ୍ୟ ଜାରି ରଖିଛନ୍ତି ବିଭିନ୍ନ ରାଜନୈତିକ ଦଳ । ମୋଟ 7ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ଭୋଟିଂ ଶେଷ ହେବ । ଜୁନ ପହିଲାରେ ଅନ୍ତିମ ପର୍ଯ୍ୟାୟ ମତଦାନ ହେବାକୁ ଥିବା ବେଳେ 4 ତାରିଖରେ ମତଗଣନା ଓ ଫଳାଫଳ ପ୍ରକାଶ ପାଇବ । ସାଧାରଣ ନିର୍ବାଚନ ସହ ଦେଶରେ ଓଡିଶା ସମେତ 4 ରାଜ୍ୟରେ ମଧ୍ୟ ବିଧାନସଭା ନିର୍ବାଚନ ପ୍ରକ୍ରିୟା ଜାରି ରହିଛି । ଆନ୍ଧ୍ର ପ୍ରଦେଶ, ଓଡିଶା, ଅରୁଣାଚଳ ପ୍ରଦେଶ ଓ ସିକ୍କିମରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । 4 ତାରିଖରେ ସାଧାରଣ ନିର୍ବାଚନ ସହ ଏହି ରାଜ୍ୟଗୁଡିକର ବିଧାନସଭା ନିର୍ବାଚନର ଫଳାଫଳ ମଧ୍ୟ ପ୍ରକାଶ ପାଇବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.