ETV Bharat / bharat

ପାଲେଷ୍ଟାଇନକୁ ଜାତିସଂଘ ସଦସ୍ୟତା ସପକ୍ଷରେ ଭୋଟ ଦେଲା ଭାରତ - India on Palestine issue

author img

By ETV Bharat Odisha Team

Published : May 14, 2024, 3:40 PM IST

ପାଲେଷ୍ଟାଇନକୁ ଜାତିସଂଘ ସଦସ୍ୟତା ସପକ୍ଷରେ ଭୋଟ ଦେଲା ଭାରତ । ଜାତିସଂଘ ସ୍ଥାୟୀ ପ୍ରତିନିଧି ରୁଚିକା କାମ୍ବୋଜ ନିଷ୍ପତ୍ତି ସମ୍ପର୍କରେ ରଖିଲେ ସ୍ପଷ୍ଟ ସୂଚନା । ଅଧିକ ପଢନ୍ତୁ

ପାଲେଷ୍ଟାଇନକୁ ଜାତିସଂଘ ସଦସ୍ୟତା ସପକ୍ଷରେ ଭୋଟ ଦେଲା ଭାରତ
ପାଲେଷ୍ଟାଇନକୁ ଜାତିସଂଘ ସଦସ୍ୟତା ସପକ୍ଷରେ ଭୋଟ ଦେଲା ଭାରତ (PIC-ETV Bharat)

ନୂଆଦିଲ୍ଲୀ: ପାଲେଷ୍ଟାଇନକୁ ଜାତିସଂଘ ସଦସ୍ୟ ମାନ୍ୟତା ପ୍ରସ୍ତାବ ସପକ୍ଷରେ ଭୋଟ ଦେଲା ଭାରତ । ମଙ୍ଗଳବାର ଏନେଇ ଏକ ସଂଙ୍କଳ୍ପ ପାରିତ ହୋଇଥିଲା । ଏହି ଭୋଟିଂରେ ଭାରତ ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଛି । ଆମେରିକା ଇସ୍ରାଏଲ ସମେତ ଅନ୍ୟ କିଛି ଦେଶ ଏହା ବିରୋଧରେ ଭୋଟ ଦେଇଥିଲେ । ମାତ୍ର ଶତାଧିକ ଦେଶର ଭୋଟରେ ଏହି ପ୍ରସ୍ତାବ ପାରିତ କରିଥିଲା ଜାତିସଂଘ ସହାସଭା । ଏହା ସହ ସୁରକ୍ଷା ପରିଷଦରେ ପାଲେଷ୍ଟାଇନକୁ ସଦସ୍ୟ ଦେଶ ଭାବେ ମାନ୍ୟତା ଦେବା ପାଇଁ ଏହି ପାରିତ ପ୍ରସ୍ତାବରେ ପ୍ରାବଧାନ ରହିଛି ।

ଭାରତର ଆଭିମୁଖ୍ୟ ଓ ଭୋଟିଂ ସମ୍ପର୍କରେ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରୁଚିକା କାମ୍ବୋଜ ସୂଚନା ଦେଇଛନ୍ତି । କହିଛନ୍ତି, "ଇସ୍ରାଏଲ ଓ ଗାଜା ମଧ୍ୟରେ ଦୀର୍ଘ 7ମାସରୁ ଅଧିକ ସମୟ ଧରି ସଂଘର୍ଷ ଜାରି ରହିଛି । ଏବେ ମାନବୀୟ ସଙ୍କଟ ଦେଖାଯାଇଛି । ସମଗ୍ର ଏରିଆରେ ଏବେ ଅସ୍ଥିରତା ଲାଗି ରହିଛି । ଏହି ସମୟରେ ଜାତିସଂଘ ଯେଉଁ ‘2728-ସଙ୍କଳ୍ପ’ ପାରିତ କରିଛି, ଏହା ଏକ ସକରାତ୍ମକ ପଦକ୍ଷେପ ଭାବେ ଆମେ ଦେଖୁଛୁ । ଭାରତ ଏହି ବିବାଦ ଉପରେ ସ୍ପଷ୍ଟ ଆଭିମୁଖ୍ୟ ରଖିଆସିଛି । ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଚାଲିଥିବା ବିବାଦ ଓ ହିଂସା ଦ୍ବାରା ସାଧାରଣ ନାଗରିକ, ବିଶେଷ କରି ମହିଳା ଏବଂ ଶିଶୁଙ୍କ ବ୍ୟାପକ କ୍ଷତି ଘଟିଛି । ମାନବୟୀ ସଙ୍କଟ ସୃଷ୍ଟି ହୋଇଛି । ଏହି ସଙ୍କଟ କେବେ ହେଲେ ଗ୍ରହଣୀୟ ନୁହେଁ ।"

ଏହା ମଧ୍ୟ ପଢନ୍ତୁ:- ଆଜି ପ୍ରଧାନମନ୍ତ୍ରୀଙ୍କ ନାମାଙ୍କନ; ବିଶାଳ ରୋଡ ସୋ’ରେ ସାମିଲ ହେବେ 12 ମୁଖ୍ୟମନ୍ତ୍ରୀ - PM Modi to File Nomination

ଏହି ଇସ୍ରାଏଲ-ପାଲେଷ୍ଟାଇନ ବିବାଦ ମଧ୍ୟରେ ଭାରତ ସବୁବେଳେ ‘ଟୁ-ଷ୍ଟେଟ ପଲିସି’ କଥା କହିଆସିଛି । ଅର୍ଥାତ ସ୍ବତନ୍ତ୍ର ଓ ସାର୍ବଭୌମ୍ୟ ପାଲେଷ୍ଟାଇନ ପ୍ରତିଷ୍ଠା ସହ ଉଭୟ ଦେଶ ମଧ୍ୟରେ ସ୍ପଷ୍ଟ ଅନ୍ତର୍ଜାତୀୟ ସୀମା ନିର୍ଦ୍ଧାରିତ କରିବା ଉପରେ ଭାରତ ଗୁରୁତ୍ବ ଦେଇଆସିଛି । ଇସ୍ରାଏଲ ଉପରେ ‘ହମାସ’ ଗୋଷ୍ଠୀର ଆକ୍ରମଣକୁ ଭାରତ କଡା ନିନ୍ଦା କରିଥିଲା । ଗାଜାରେ ସାମରିକ ଅପରେସନ ବନ୍ଦ କରିବା ସପକ୍ଷରେ ମଧ୍ୟ ଭାରତ ଭୋଟ ଦେଇନଥିଲା । ପାଲେଷ୍ଟାଇନକୁ ଦେଶ ମାନ୍ୟତା ଦେବା ପାଇଁ ସମର୍ଥନ କରୁଥିବା ଭାରତ ‘ହମାସ’ ଗୋଷ୍ଠୀର ଆକ୍ରମଣକୁ ନିନ୍ଦା କରିଥିଲା । କୌଣସି ପରିସ୍ଥିତିରେ ଆତଙ୍କବାଦୀ ଆକ୍ରମଣ ବରଦାସ୍ତ ଯୋଗ୍ୟ ନୁହେଁ ବୋଲି ନୂଆଦିଲ୍ଲୀ ସ୍ପଷ୍ଟ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.