ETV Bharat / bharat

ଉତ୍ତର ପ୍ରଦେଶରେ ଭାଙ୍ଗୁ ଭାଙ୍ଗୁ ବଞ୍ଚିଗଲା ‘ଇଣ୍ଡିଆ’ ମେଣ୍ଟ: ପ୍ରିୟଙ୍କା ଓ ସୋନିଆ ହେଲେ କ୍ରାଇସିସ ମ୍ୟାନେଜର !

author img

By ETV Bharat Odisha Team

Published : Feb 21, 2024, 9:32 PM IST

UP Seat-Sharing: ଉତ୍ତର ପ୍ରଦେଶରେ ଭାଙ୍ଗୁ ଭାଙ୍ଗୁ ବଞ୍ଚିଗଲା ‘ଇଣ୍ଡିଆ’ ମେଣ୍ଟ । ପ୍ରିୟଙ୍କା ଓ ସୋନିଆ କ୍ରାଇସିସ ମ୍ୟାନେଜର ଭୂମିକାରେ ଥିବା ଚର୍ଚ୍ଚା । ଅଧିକ ପଢନ୍ତୁ

ଉତ୍ତର ପ୍ରଦେଶରେ ବଞ୍ଚିଗଲା ‘ଇଣ୍ଡିଆ’ ମେଣ୍ଟ: ପ୍ରିୟଙ୍କା ହେଲେ କ୍ରାଇସିସ ମ୍ୟାନେଜର !
ଉତ୍ତର ପ୍ରଦେଶରେ ବଞ୍ଚିଗଲା ‘ଇଣ୍ଡିଆ’ ମେଣ୍ଟ: ପ୍ରିୟଙ୍କା ହେଲେ କ୍ରାଇସିସ ମ୍ୟାନେଜର !

ନୂଆଦିଲ୍ଲୀ/ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଭାଙ୍ଗୁ ଭାଙ୍ଗୁ ବର୍ତ୍ତିଗଲା ‘ଇଣ୍ଡିଆ’ ମେଣ୍ଟ । ସମାଜବାଦୀ ପାର୍ଟିର ଏକାଧିକାର ନିଷ୍ପତ୍ତି ସତ୍ତ୍ବେ ମଧ୍ୟ କୌଣସି ପ୍ରକାର ଡ୍ୟାମେଜ କଣ୍ଟ୍ରୋଲ କରିବାରେ ମେଣ୍ଟର ମୁଖ୍ୟ ଦଳ କଂଗ୍ରେସ ସଫଳ ହୋଇଥିବା କୁହାଯାଇପାରିବ । ଗତ ପ୍ରାୟ ଏକ ସପ୍ତାହ ଧରି ଜାରି ରହିଥିବା ଏହି ଆସନ ଭାଗବଣ୍ଟା କନ୍ଦଳର ଅନ୍ତ ହୋଇଛି । ଅଖିଳେଶଙ୍କ ସମାଜବାଦୀ ପାର୍ଟି ଓ କଂଗ୍ରେସ ଆସନ ବୁଝାମଣା ମଧ୍ୟରେ ରାଜ୍ୟରେ ସାଧାରଣ ନିର୍ବାଚନ ଲଢିବାକୁ ଯାଉଛନ୍ତି । ଏହି ଆଲୋଚନାରେ କଂଗ୍ରେସ ଭେଟେରାନ ନେତ୍ରୀ ତଥା ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ଦଳର ମହାସଚିବ ତଥା ଉତ୍ତର ପ୍ରଦେଶରୁ ପ୍ରଥମ ଥର ନିର୍ବାଚନ ଲଢିବାକୁ ଯାଉଥିବା ପ୍ରିୟଙ୍କା ଗାନ୍ଧୀଙ୍କର ବଡ ଭୂମିକା ରହିଥିବା ଶୁଣିବାକୁ ମିଳିଛି । ପ୍ରିୟଙ୍କା ସିଧା ଆସନ ବୁଝାମଣା ନେଇ ଅଖିଳେଶଙ୍କ କ୍ୟାମ୍ପ ସହ ଆଲୋଚନା କରି ଏହି ସମସ୍ୟାର ସମାଧାନରେ ପହଞ୍ଚିଥିବା କୁହାଯାଉଛି ।

ତେବେ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାହୁଲ ଗାନ୍ଧୀଙ୍କୁ ଭଉଣୀ ପ୍ରିୟଙ୍କା ଅଖିଳେଶଙ୍କ ସହ ଆଲୋଚନା କରାଇଛନ୍ତି । ଉଭୟଙ୍କ ମଧ୍ୟରେ ଫୋନରେ ଆସନ ବୁଝାମଣା ବିବାଦର ଆଲୋଚନା ହୋଇଛି । କଂଗ୍ରେସ ପୂର୍ବରୁ ଅଧିକ ଆସନ ଦାବି କରୁଥିବା ବେଳେ ଏବେ 17ଟି ଆସନରେ ଲଢିବାକୁ ସହମତ ହୋଇଛି । ଫଳରେ ଉଭୟ ପାର୍ଟି ମିଳିତ ଭାବେ ନିର୍ବାଚନ ଲଢିବା ନେଇ ନିଷ୍ପତ୍ତିରେ ପହଞ୍ଚିଛନ୍ତି । ଆଜି ଅପରାହ୍ନରେ ଅଖିଳେଶ ଯାଦବ ନିଜେ ମେଣ୍ଟରେ ନିର୍ବାଚନ ଲଢାଯିବା ନେଇ ସ୍ପଷ୍ଟ କରିଥିଲେ ।

ତେବେ ପୂର୍ବରୁ ହୋଇଥିବା କିଛି ଆଲୋଚନାରେ କିଛି ପରିବର୍ତ୍ତନ କରିବା ପାଇଁ ମଧ୍ୟ ଉଭୟ ପକ୍ଷ ସହମତି ପ୍ରକାଶ କରିଛନ୍ତି । କଂଗ୍ରେସ ରାଜ୍ୟରେ ମୋଟ 17 ଆସନରେ ଲଢିବା ସହ ମୁରାଦାବାଦ ଆସନ ଛାଡିବାକୁ ରାଜି ହୋଇଛି । ସେହିପରି ବହୁଚର୍ଚ୍ଚିତ ବାରାଣାସୀ ଆସନରେ ମଧ୍ୟ ସମାଜବାଦୀ ପାର୍ଟି ନିଜ ପୂର୍ବ ନିଷ୍ପତ୍ତି ପରିବର୍ତ୍ତନ କରିବାକୁ ଯାଉଛି । ବାରାଣାସୀ ସଂସଦୀୟ ଆସନ ସପା, କଂଗ୍ରେସକୁ ଦେଇପାରେ । ଏହି ଆସନରେ ଦଳ ପ୍ରାର୍ଥୀ ମଧ୍ୟ ଘୋଷଣା କରିସାରିଛି । ହେଲେ କଂଗ୍ରେସର ଦାବି ଅନୁସାରେ, ଏହି ଆସନରେ ପ୍ରାର୍ଥୀ ପ୍ରତ୍ୟାହାର କରି ସମାଜବାଦୀ ପାର୍ଟି ଏହାକୁ କଂଗ୍ରେସକୁ ବ୍ୟାଗକୁ ହସ୍ତାନ୍ତର କରିପାରେ । ଏଥିପାଇଁ ଅଖିଳେଶଙ୍କ ଟିମ କିଛି ସମୟ ମାଗିଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ:-ଆସନ ବିବାଦର ଅନ୍ତ, ଉତ୍ତର ପ୍ରଦେଶରେ ଏକାଠି ଲଢିବେ କଂଗ୍ରେସ-ସପା

ପୂର୍ବରୁ ପଶ୍ଚିମବଙ୍ଗରେ କଂଗ୍ରେସ ଆସନ ବୁଝାମଣା ଡିଲ ଫାଇନାଲ କରିବାରେ ସଫଳ ହୋଇପାରିନି । ରାଜ୍ୟରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଏକାକୀ ମସସ୍ତ ଆସନରେ ଲଢିବ ଓ କଂଗ୍ରେସକୁ ଆସନ ଛାଡିବ ନାହିଁ ବୋଲି କହିସାରିଛି । ଏବେ ଉତ୍ତର ପ୍ରଦେଶରେ ମଧ୍ୟ ଅଖିଳେଶଙ୍କ ଦାବି ସହ କଂଗ୍ରେସକୁ ଝଟକା ଲାଗିବାର ବହୁମାତ୍ରାରେ ସମ୍ଭାବନା ଥିଲା । ହେଲେ ଶେଷ ମୂହୁର୍ତ୍ତରେ 17 ଆସନରେ ଦଳ ସହମତ ପ୍ରକାଶ କରିବା ପରେ ମେଣ୍ଟ ଭାଙ୍ଗିବାରୁ ବର୍ତ୍ତି ଯାଇଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.