ETV Bharat / bharat

ନିର୍ବାଚନ ସମୟରେ କେତେ ଟଙ୍କା ଓ ସୁନା ବାହାରକୁ ନେଇପାରିବେ ? ଜାଣନ୍ତି କି କଣ ରହିଛି ନିୟମ - GOLD AND CASH RULES IN ELECTION

author img

By ETV Bharat Odisha Team

Published : Apr 7, 2024, 10:08 AM IST

GOLD AND CASH RULES IN ELECTION: ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ପକ୍ଷରୁ ଲାଗୁ ହୋଇଥାଏ ଆଚରଣ ବିଧି । ଏହି ସମୟରେ କଡାକଡି ଯାଞ୍ଚ ହୋଇଥାଏ । ଓ ଯାଞ୍ଚ ବେଳେ ଅନେକ ପରିମାଣର ଟଙ୍କା ସୁନା ବି ଜବତ ହୋଇଥାଏ । ତେବେ ଜାଣନ୍ତୁ ଆବଶ୍ୟକ ପଡିଲେ ଆପଣ କିଭଳି ଲକ୍ଷାଧିକ ଟଙ୍କା ବାହାରକୁ ନେଇ ପାରିବେ । ଯାଞ୍ଚ ବେଳେ ଧରାପଡିଲେ ଆପଣ କେଉଁ ସବୁ ଡକ୍ୟୁମେଣ୍ଟ ଦେଖାଇ ଆପଣଙ୍କ ଟଙ୍କା ଫେରିପାରିବେ ।

GOLD AND CASH RULES IN ELECTION
GOLD AND CASH RULES IN ELECTION

ହାଇଦ୍ରାବାଦ: ଆଉ କିଛି ଦିନ ପରେ ସାଧାରଣ ନିର୍ବାଚନ । ଏନେଇ ସାରା ଦେଶରେ ଆଚରଣ ବିଧି ଲାଗୁ ହୋଇସାରିଛି । ମୁକ୍ତ, ଅବାଧ, ନିରପେକ୍ଷ ନିର୍ବାଚନ ନେଇ ଇଲେକସନ କମିଶନର ପକ୍ଷରୁ ପ୍ରୟାସ ଜାରି ରହିଛି । ଏନେଇ ପ୍ରଶାସନ ଓ ପୋଲିସ ପକ୍ଷରୁ ମଧ୍ୟ ତତ୍ପରତା ଦେଖିବାକୁ ମିଳିଛି । ଆଚରଣ ବିଧି ଲାଗୁ ହେବା ପରେ ଚେକିଂ ମଧ୍ୟ କଡାକଡି କରାଯାଉଛି । ଟଙ୍କା, ନିଶାଦ୍ରବ୍ୟ କାରବାର ଉପରେ କଡା ନଜର ରଖାଯାଇଛି । ତେବେ ଆସନ୍ତୁ ଜାଣିବା ନିର୍ବାଚନ ନେଇ ଆଚରଣ ବିଧି ଲାଗୁ ହେବା ପରେ କେତେ ଟଙ୍କା ଓ ସୁନା ଆମେ ନେଇ ବାହାରକୁ ଯାଇପାରିବା ।

ନିର୍ବାଚନ ସମୟରେ କେତେ ପରିମାଣର ସୁନା ଓ ଟଙ୍କା ନେଇପାରିବେ: ଆଚରଣ ବିଧି ଲାଗୁ ହେବା ପରେ ସାଧାରଣ ନାଗରିକ ବିନା ଦସ୍ତାବିଜରେ ନିଜ ସହ ଅତି ବେଶୀରେ 49 ହଜାର ଟଙ୍କା ଏକସାଥିରେ ନେଇ ପାରିବେ । କିନ୍ତୁ 49 ହଜାର ଟଙ୍କାରୁ ଅଧିକ କ୍ୟାସ୍ ନେବାକୁ ହେଲେ ଏନେଇ ହିସାବ ଦେବାକୁ ପଡିବ । ଯଦି ଆପଣ ଏହି ଟଙ୍କାର ହିସାବ ଦେଇପାରିବେ ନାହିଁ ତେବେ ଏହି ଟଙ୍କାକୁ ବେଆଇନ ଘୋଷଣା କରାଯାଇ ତାଙ୍କୁ ଜବତ କରାଯିବ । ସେହିଭଳି ବିନା ଦସ୍ତାବିଜରେ ସୁନା ଗହଣା ମଧ୍ୟ 50 ହଜାର ଟଙ୍କାର ନେଇପାରିବେ । ଆଉମଧ୍ୟ 10ହଜାର ଟଙ୍କା ମଧ୍ୟରେ ଯେକୌଣସି ଗିପ୍ଟ ମଧ୍ୟ ନେଇପାରିବେ ।

ନିର୍ବାଚନ ସମୟରେ ଟଙ୍କା କିମ୍ବା ସୁନାଗହଣା ନେବାକୁ ହେଲେ କେଉଁ କେଉଁ ଡକ୍ୟୁମେଣ୍ଟ ଆବଶ୍ୟକ :

ଯଦି ଆପଣ ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହେବା ପରେ 49 ହଜାର ଟଙ୍କାରୁ ଅଧିକ କ୍ୟାସ କିମ୍ବା ସୁନାଗହଣା ନେବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ କିଛି ଜରୁରୀ ଦସ୍ତାବିଜ (ଡକ୍ୟୁମେଣ୍ଟ) ନିଜ ପାଖରେ ରଖିବାକୁ ପଡିବ । ସେହି ଦସ୍ତାବିଜଗୁଡିକ ହେଲା, ଯେଉଁ ବ୍ୟାଙ୍କ କିମ୍ବା ଏଟିଏମରୁ ଟଙ୍କା ଉଠାଇଥିବା ତାହାର ବିଲ୍ କିମ୍ବା ରିସିପ୍ଟ, ଟଙ୍କା କେଉଁଠୁ ଆସିଛି ତାହାର ତଥ୍ୟ, ନିଜର ପରିଚୟ ପତ୍ର, ଟଙ୍କା କେଉଁ କାମରେ ଖର୍ଚ୍ଚ ହେବ ଆଦି ତଥ୍ୟ ଓ ଡକ୍ୟୁମେଣ୍ଟ ନିଜ ସାଥିରେ ରଖିବାକୁ ପଡିବ । ସେହିଭଳି 49 ହଜାର ଟଙ୍କାରୁ ଅଧିକ ମୂଲ୍ୟ ସୁନାଗହଣା ବାହାରକୁ ନେଉଥିଲେ ସେହି ସୁନା କେଉଁଠୁ କିଣିଛନ୍ତି ଅର୍ଥାତ୍ ରିସିପ୍ଟ ଆପଣଙ୍କୁ ଦେଖାଇବାକୁ ପଡିପାରେ । ଯଦି ଆପଣଙ୍କ ପାଖରେ ଆବଶ୍ୟକୀୟ ଦସ୍ତାବିଜ ନଥିବ ତେବେ ଚେକିଂ ବେଳେ ଧରାପଡିଲେ ଆପଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ଏହି ଟଙ୍କା କିମ୍ବା ସୁନା ପୋଲିସ ଜବତ କରିବା ସହ ଏନେଇ ଆପଣଙ୍କୁ ଆଇନର ସାହାଯ୍ୟ ନେବାକୁ ପଡିବ ।

ଏହାମଧ୍ୟ ପଢନ୍ତୁ.. ‘ଖବର ପରି ଲାଗୁଥିବା ବିଜ୍ଞାପନ ଧର୍ମୀ ପ୍ରକାଶନ ଦିଗରେ ଅଧିକ ସତର୍କ ରୁହ’ - ECI Urges Newspaper Editors

10 ଲକ୍ଷରୁ ଅଧିକ ଟଙ୍କା ନେବାପାଇଁ କଣ ରହିଛି ନିୟମ: ଆଚରଣ ବିଧି ଲାଗୁ ହୋଇଥିବା ସମୟରେ ଆପଣ 10 ଲକ୍ଷ ଟଙ୍କା ମଧ୍ୟ ନେଇପାରିବେ । ଏହି ଟଙ୍କା ଯଦି କୌଣସି ବିବାହ ପାଇଁ କିମ୍ବା ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ଅସୁସ୍ଥତା କାରଣରୁ ଖର୍ଚ୍ଚ କରିବାକୁ ନେଉଥିବେ ତେବେ ସାଥିରେ ବିବାହ କାର୍ଡ କିମ୍ବା ହସ୍ପିଟାଲ ବିଲ ପାଖରେ ରଖିବା ଆବଶ୍ୟକ । ଚେକିଂ ବେଳେ ସର୍ଭିଲାନ୍ସ ଟିମ୍ କିମ୍ବା ପୋଲିସକୁ ଆପଣ ଏହି ପ୍ରମାଣପତ୍ର ଦେଖାଇ 10 ଲକ୍ଷ ଟଙ୍କା ମଧ୍ୟ ନେଇପାରିବେ । କିନ୍ତୁ ଆପଣଙ୍କୁ ଏନେଇ ଇନକମ ଟ୍ୟାକ୍ସ ବିଭାଗରୁ ଅବଗତ କରାଇବା ଆବଶ୍ୟକ ରହିଛି ।

ଆଚରଣ ବିଧି ଲାଗୁ ସମୟରେ ଜବତ ହୋଇଥିବା ଟଙ୍କା କିମ୍ବା ସୁନା କିପରି ଫେରିପାଇବେ: ନିର୍ବାଚନ ଆଚରଣ ବିଧି ଲାଗୁ ହେବା ସମୟରେ ଯଦି ଆପଣଙ୍କ ସୁନା କିମ୍ବା ଟଙ୍କା ଯାଞ୍ଚ ସମୟରେ ପ୍ରମାଣ ଅଭାବରୁ ଜବତ କରାଯାଇଛି ତେବେ ପରବର୍ତ୍ତୀ ସମୟରେ ଏହି ଟଙ୍କା ଓ ସୁନା ଆପଣ ଫେରିପାଇ ପାରିବେ । ନିର୍ବାଚନ ଶେଷ ହେବାପରେ ଜବତ ହୋଇଥିବା ଟଙ୍କା କିମ୍ବା ସୁନା ନିଜର ବୋଲି ଆପଣଙ୍କୁ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଦେଖାଇବାକୁ ପଡିବ । ଏହାପରେ ଆପଣ ଟଙ୍କା ଓ ସୁନା ଫେରିପାଇବେ । କିନ୍ତୁ ଯଦି 10 ଲକ୍ଷ ଟଙ୍କା କିମ୍ବା ଏହାଠାରୁ ଅଧିକ ଟଙ୍କା ଜବତ ହୋଇଥିବ ତେବେ ଆୟକର ବିଭାଗ ଏହି ଟଙ୍କା ଯାଞ୍ଚ କରିବ ଏହାପରେ ଆପଣଙ୍କୁ ଟଙ୍କା ଫେରାଇ ଦିଆଯିବ ।

ବିମାନରେ କେତେ ଟଙ୍କା ଓ ସୁନା ନେଇ ଯାଇପାରିବେ : ନିର୍ବାଚନ ଆୟୋଗଙ୍କ ନିୟମ ଅନୁଯାୟୀ, ଆଚରଣ ବିଧି ଲାଗୁ ହୋଇଥିବା ସମୟରେ ଆପଣ 10 ଲକ୍ଷ ଟଙ୍କା ସୁନା ଓ ଏକ କେଜି ସୁନା ରୂପା ନେଇ ଫ୍ଲାଇଟ, ଟ୍ରେନ କିମ୍ବା ବସରେ ଯାତ୍ରା କରିପାରିବେ । ବିମାନ ବନ୍ଦର କିମ୍ବା ରେଲଓ୍ୱେ ଷ୍ଟେସନରେ ଚେକିଂ ସମୟରେ 10 ଲକ୍ଷରୁ ଟଙ୍କା କିମ୍ବା 1 କେଜିରୁ ଅଧିକ ସୁନା ରୂପା ମିଳିଲେ ଏନେଇ ବିମାନ କର୍ତ୍ତୃପକ୍ଷ ତୁରନ୍ତ ଆୟକର ବିଭାଗକୁ ଜଣାଇବେ । ଆୟକର ବିଭାଗ ଏହି ଟଙ୍କା ଓ ସୁନା ନେଇ ଆପଣଙ୍କୁ ପଚରାଉଚରା କରିବେ । ସନ୍ତୋଷଜନକ ଉତ୍ତର ପାଇବା ପରେ ଆପଣଙ୍କୁ ଯିବାକୁ ଦିଆଯିବ ।

ଚେକିଂ ସମୟରେ ଟଙ୍କା କିମ୍ବା ସୁନା ଜବତ ହୋଇଥିଲେ କେଉଁଠି କରିବେ ଅଭିଯୋଗ: ଯଦି ଆପଣଙ୍କ ଟଙ୍କା କିମ୍ବା ସୁନା ଯାଞ୍ଚ ସମୟରେ ଜବତ ହୋଇଛି ତେବେ ଆପଣ ଏନେଇ ଜିଲ୍ଲା ସ୍ତରୀୟ ସମିତି ନିକଟରେ ଅଭିଯୋଗ କରିପାରିବେ । ଆଚରଣ ବିଧି ଲାଗୁ ସମୟରେ ଏଭଳି ଅଭିଯୋଗ ଶୁଣିବା ପରେ ପ୍ରତି ଜିଲ୍ଲାରେ ସମିତି ଗଠନ ହୋଇଥାଏ । ଏହି ଜିଲ୍ଲା ସମିତିରେ ଅଭିଯୋଗ କରି ଆପଣ ଆବଶ୍ୟକୀୟ ପ୍ରମାଣପତ୍ର ଦେଖାଇ ଟଙ୍କା କିମ୍ବା ସୁନା ନେଇପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.