ETV Bharat / bharat

ଆସାମରେ ରବ୍ଦ ହେଲା ମୁସଲିମ ବିବାହ-ଛାଡପତ୍ର ଆଇନ

author img

By ETV Bharat Odisha Team

Published : Feb 25, 2024, 8:34 AM IST

Assam Repeals Muslim Marriages Act: ଆସାମରେ ରବ୍ଦ ହେଲା ମୁସଲିମ ବିବାହ ଓ ଛାଡପତ୍ର ପଞ୍ଜିକରଣ ଆଇନ । ୟୁସିସି ଲାଗୁ କରିବା ଦିଗରେ ହିମନ୍ତ ସରକାରଙ୍କ ଏହା ଏକ ବଡ଼ ପଦକ୍ଷେପ । ଅଧିକ ପଢନ୍ତୁ

ଆସାମରେ ରବ୍ଦ ହେଲା ମୁସଲିମ ବିବାହ-ଛାଡପତ୍ର ଆଇନ
ଆସାମରେ ରବ୍ଦ ହେଲା ମୁସଲିମ ବିବାହ-ଛାଡପତ୍ର ଆଇନ

ଗୌହାଟୀ: ଆସାମରେ ଏକକ ନାଗରିକ ସଂହିତା ବା ୟୁସିସିକୁ(UCC) ନେଇ ଆଉ ପାଦେ ଆଗେଇଛନ୍ତି ହିମନ୍ତ ସରକାର । ରାଜ୍ୟରେ ମୁସଲିମ ବିବାହ ଓ ଛାଡପତ୍ର ପଞ୍ଜିକରଣ ଆଇନ, ୧୯୩୫ ରବ୍ଦ ହୋଇଛି । ଶୁକ୍ରବାର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ବିବାହ ରବ୍ଦ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଆସାମରେ ୟୁନିଫର୍ମ ସିଭିଲ କୋଡ ଲାଗୁ କରିବା କ୍ଷେତ୍ରରେ ଏହାକୁ ଏକ ବଡ଼ ପଦକ୍ଷେପ କହିଛନ୍ତି ରାଜ୍ୟ କ୍ୟାବିନେଟ୍ ମନ୍ତ୍ରୀ ଜୟନ୍ତ ମାଲ୍ଲା ବରୁହା ।

କ୍ୟାବିନେଟ୍ ବୈଠକ ପରେ ମନ୍ତ୍ରୀ କହିଛନ୍ତି, ''ୟୁସିସି ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିସାରିଛନ୍ତି । ନୂଆ ନିୟମ ଅନୁସାରେ ଏବେଠୁ ମୁସଲିମ ବିବାହ ଓ ଛାଡପତ୍ର ପଞ୍ଜିକରଣ ପାଇଁ ଜିଲ୍ଲା କମିଶନର ଓ ଜିଲ୍ଲା ରେଜିଷ୍ଟ୍ରାରଙ୍କୁ ଦାୟିତ୍ବ ଦିଆଯିବ । ମୁସଲିମ ବିବାହ ଛାଡପତ୍ର ଆକ୍ଟର ଅଧୀନରେ କାମ କରୁଥିବା ରାଜ୍ୟର ୯୪ ମୁସଲିମ ରେଜିଷ୍ଟ୍ରାରଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି ।'' ସରକାରଙ୍କ ଏହି ପଦକ୍ଷେପ ରାଜ୍ୟରେ ବାଲ୍ୟ ବିବାହ ରୋକିବା ଦିଗରେ ଗୁରୁତ୍ବପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ମଧ୍ୟ ବରୁହା କହିଛନ୍ତି ।

ମୁସଲିମ ବିବାହ-ଛାଡପତ୍ର ଆଇନ ରବ୍ଦ ନିଷ୍ପତ୍ତିକୁ ନ୍ୟାୟ ସଂଗତ ଦର୍ଶାଇ ଆସାମ ସରକାର କହିଛନ୍ତି, ସ୍ବାଧୀନତା ପୂର୍ବରୁ ବ୍ରିଟିଶଙ୍କ ଦ୍ବାରା ଆସାମରେ ଏହି ପୁରୁଣା ଆଇନ ଅଣାଯାଇଥିଲା, ଯାହାକି ୨୧ ବର୍ଷରୁ କମ ପୁରୁଷ ଏବଂ ୧୮ରୁ କମ୍ ମହିଳାଙ୍କୁ ବିବାହ ପାଇଁ ଅନୁମତି ଦେଇଥାଏ ।

ଏହା ମଧ୍ୟ ପଢନ୍ତୁ: ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡରେ ପାରିତ ହେଲା ‘ଏକକ ନାଗରିକ ସଂହିତା ବିଲ 2024’


ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏକ୍ସରେ କହିଛନ୍ତି ଯେ, ବହୁ ପୁରୁଣା ମୁସଲିମ ବିବାହ ଓ ଛାଡପତ୍ର ପଞ୍ଜିକରଣ ଆଇନ ରବ୍ଦ କରିବାକୁ ଆସାମ କ୍ୟାବିନେଟ ନିଷ୍ପତ୍ତି ନେଇଛି । ମହିଳା ଓ ପୁରୁଷଙ୍କ ପାଇଁ ଆଇନ ସମ୍ମତ ବିବାହ ବୟସ ଯଥାକ୍ରମେ ୧୮ ଓ ୨୧ ଠାରୁ କମ୍ ବୟସରେ ବିବାହ ପାଇଁ ଏହି ପୁରାତନ ଆଇନ ଅନୁମତି ଦେଇଥାଏ । ରାଜ୍ୟରେ ବାଲ୍ୟ ବିବାହ ରୋକିବା କ୍ଷେତ୍ରରେ ମଧ୍ୟ ଏହି ପଦକ୍ଷେପ ଗୁରୁତ୍ବପୂର୍ଣ୍ଣ ।

ଉତ୍ତରଖଣ୍ଡ ବିଧାନସଭାରେ ୟୁସିସି ଗୃହୀତ ହେବାର କିଛି ସପ୍ତାହ ପରେ ଆସାମ ସରକାର ମଧ୍ୟ ନିଜ ରାଜ୍ୟରେ ଏହି ଆଇନ ଲାଗୁ କରିବାକୁ ଅଣ୍ଟା ଭିଡିଛନ୍ତି । ଗତ ଫେବୃଆରୀ ୧୨ରେ ସରକାର ୟୁସିସି ଲାଗୁ ପାଇଁ କିଛି ନିଷ୍ପତ୍ତି ନେଇପାରନ୍ତି ବୋଲି ସଙ୍କେତ ଦେଇଥିଲେ । ଏହାପରେ ରାଜ୍ୟ କ୍ୟାବିନେଟରେ ମୁସଲିମ ବିବାହ ଓ ଛାଡପତ୍ର ପଞ୍ଜିକରଣ ଆଇନ ରବ୍ଦ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.