ETV Bharat / bharat

ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ; ଆସାମ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆକ୍ସନ

author img

By ETV Bharat Odisha Team

Published : Jan 24, 2024, 8:21 AM IST

Updated : Jan 24, 2024, 9:09 AM IST

FIR Filed Against Rahul Gandhi: ଆସାମରେ ଭାରତ ଯୋଡ ନ୍ୟାୟ ଯାତ୍ରା ସାମୟରେ ଆଇନ ଉଲ୍ଲଘଂନ ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ । ଅଧିକ ପଢନ୍ତୁ

FIR Filed Against Rahul
ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ

ଗୌହାଟୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଏଫଆଇଆର ରୁଜୁ । ଏବେ ଆସାମରେ କଂଗ୍ରେସର ଭାରତ ଯୋଡ ନ୍ୟାୟ ଯାତ୍ରା ଚାଲିଥିବା ବେଳେ ସେଠାରେ ହିଂସା ସୃଷ୍ଟି କରିବା, ଭିଡକୁ ଉସକାଇବା ଏବଂ ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରିବା ଅଭିଯୋଗରେ ଏହି ମାମଲା ରୁଜୁ ହୋଇଛି । ରାହୁଲଙ୍କ ସମେତ କେସି ବେଣୁଗୋପାଳ, କହ୍ନୈୟା କୁମାର ଏବଂ ଅନ୍ୟ କଂଗ୍ରେସ ନେତାଙ୍କ ବିରୋଧରେ ମାମଲା ହୋଇଛି । ମଙ୍ଗଳବାର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ନିର୍ଦ୍ଦେଶ ପରେ ଆସାମ ପୋଲିସ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ସୂଚନା ଥାଉକି, ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ମଣିପୁରରୁ ଆରମ୍ଭ ହୋଇଥିବା କଂଗ୍ରେସର ଭାରତ ଯୋଡ ନ୍ୟାୟ ଯାତ୍ରା ଏବେ ଆସାମରେ ପ୍ରବେଶ କରିଛି । ତେବେ ଆସାମରେ ଯାତ୍ରା ଆରମ୍ଭ ପରଠୁ ସେଠାରେ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହୋଇଛି । ଏହାରି ମଧ୍ୟରେ ଗତକାଲି(ମଙ୍ଗଳବାର) ନ୍ୟାୟ ଯାତ୍ରା ସମୟରେ ଗୌହାଟୀରେ କଂଗ୍ରେସ କର୍ମୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । କଂଗ୍ରେସ ଗୌହାଟୀର ମୁଖ୍ୟ ମାର୍ଗ ଦେଇ ନ୍ୟାୟ ଯାତ୍ରା ପାଇଁ ଅନୁମତି ମାଗିଥିଲା । ହେଲେ ଆସାମ ସରକାର ଅନୁମତି ଦେଇନଥିଲେ । କଂଗ୍ରେସ ନେତାଙ୍କୁ ସହରର ମୁଖ୍ୟ ମାର୍ଗରେ ପ୍ରବେଶ କରିବାରୁ ରୋକିବାକୁ ହାଇୱେରେ ପୋଲିସ ବ୍ୟାରିକେଡ୍ ଲଗାଇଥିଲା । ଏଥିରେ ଉତ୍ୟକ୍ତ ହୋଇ କଂଗ୍ରେସ କର୍ମୀମାନେ ବ୍ୟାରିକେଡ୍ ଭାଙ୍ଗି ଦେଇଥିଲେ । ଫଳରେ ପୋଲିସ ସହ ମୁହାଁମୁହିଁ ହୋଇଥିଲା । ଏହି ସଂଘର୍ଷରେ ୪ ପୋଲିସ କର୍ମୀ ଆହତ ହୋଇଥିବା ଗୌହାଟୀ ପୋଲିସ କମିଶନର ଦିଗନ୍ତ ବୋରା ସୂଚନା ଦେଇଛନ୍ତି ।

ଏହା ପଢନ୍ତୁ: ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ରେ ସାମିଲ ନହେବାକୁ ଲୋକଙ୍କୁ ଧମକ ଦେଉଛି ଆସାମ ସରକାର: ରାହୁଲ

ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମା ଟ୍ବିଟ୍ କରିଥିଲେ,''କଂଗ୍ରେସ ନେତାଙ୍କ ଦ୍ବାରା ହିଂସା ସୃଷ୍ଟି, ଭିଡକୁ ଉସକାଇବା, ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରିବା ଏବଂ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରିବା ଭଳି ଅପରାଧିକ କାର୍ଯ୍ୟ ପାଇଁ ରାହୁଲ ଗାନ୍ଧୀ, କେସି ବେଣୁଗୋପାଳ, କହ୍ନେୟା କୁମାର ଏବଂ ଦଳର ଅନ୍ୟ ନେତାଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି ।'' ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ରାଜ୍ୟ ପୋଲିସ ଡିଜି ଜି.ପି. ସିଂହଙ୍କୁ ସହ କଥା ହୋଇ ରାହୁଲଙ୍କ ବିରୋଧରେ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ବେଆଇନ କାର୍ଯ୍ୟକଳାପରେ ଜଡି଼ତ ଲୋକଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଡିଜି ଜଣାଇଥିଲେ ।

ଏହାକୁ ନେଇ ରାହୁଲ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି, ''ତାଙ୍କ ବିରୋଧରେ ମାମଲା ରୁଜୁ ପାଇଁ ମୁଖ୍ୟମନ୍ତ୍ରୀ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ଦର୍ଶାଉଛି ଯେ, ସେମାନେ ଆମକୁ ଭୟ କରୁଛନ୍ତି । ସେମାନେ ଡରୁଛନ୍ତି କାରଣ, ଆସାମର ଲୋକେ ସେମାନଙ୍କ ବିରୋଧରେ ଝଡ଼ ତୋଫାନ ଭଳି ଛିଡ଼ା ହୋଇଛନ୍ତି ।''

Last Updated :Jan 24, 2024, 9:09 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.