ETV Bharat / bharat

ମହିଳାଙ୍କ ମଙ୍ଗଳସୂତ୍ର ଉପରେ କଂଗ୍ରେସ-ଇଣ୍ଡିଆ ମେଣ୍ଟର ଆଖି: ପ୍ରଧାନମନ୍ତ୍ରୀ ମୋଦି - PM Modi On Mangalsutra

author img

By ETV Bharat Odisha Team

Published : Apr 22, 2024, 6:41 PM IST

PM MODI ON MANGALSUTRA: ମହିଳାଙ୍କ ମଙ୍ଗଳସୂତ୍ର ଉପରେ ଇଣ୍ଡିଆ ମେଣ୍ଟର ଆଖି ବୋଲି କାହିଁକି କହିଲେ ମୋଦି ? ଆଲିଗଡ଼ରେ ଆଜି ଜନସଭାରେ ପ୍ରଧାନମନ୍ତ୍ରୀ ଏଭଳି କହିଛନ୍ତି । ଅଧିକ ପଢନ୍ତୁ

PM MODI ON MANGALSUTRA
PM MODI ON MANGALSUTRA

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଆଲିଗଡ଼ରେ ପୁଣି କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମହିଳାଙ୍କ ମଙ୍ଗଳସୂତ୍ର ଉପରେ କଂଗ୍ରେସ-ଇଣ୍ଡିଆ ମେଣ୍ଟର ଆଖି ବୋଲି କହିଛନ୍ତି ମୋଦି । କଂଗ୍ରେସ ଓ ଇଣ୍ଟିଆ ମେଣ୍ଟ ଏବେ ଜନସାଧାରଣଙ୍କ ସମ୍ପତ୍ତି ଓ ରୋଜଗାର ଉପରେ ନଜର ରଖିଛି । ଏହାସହିତ ମୋଦି 'ଶେହଜାଦା' ଶବ୍ଦ ବ୍ୟବହାର କରି ରାହୁଲ ଗାନ୍ଧୀ ଓ ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରିବା ସହ କଂଗ୍ରେସର ଇସ୍ତାହାର ପତ୍ରକୁ କଟାକ୍ଷ କରିଛନ୍ତି ।

ମୋଦି କହିଛନ୍ତି, "ଗତ ଥର ମୁଁ ଯେତେବେଳେ ଆଲିଗଡ଼ ଆସିଥିଲି, ସେତେବେଳେ ମୁଁ ଆଲିଗଡବାସୀଙ୍କୁ ଅନୁରୋଧ କରିଥିଲେ ଯେ କଂଗ୍ରେସ ଓ ସପାର ପରିବାରବାଦ, ଭ୍ରଷ୍ଟାଚାର ଓ ତୃଷ୍ଟିକରଣ ରାଜନୀତିରେ ତାଲା ଲଗାନ୍ତୁ । ଆପଣମାନେ ଏପରି ତାଲା ଲଗାଇଲେ ଯେ ଆଜି ପର୍ଯ୍ୟନ୍ତ ଦୁଇ ଜଣ ଶେହଜାଦା ( ରାହୁଲ ଗାନ୍ଧୀ ଓ ଅଖିଳେଶ ଯାଦବ) ଏହାର ଚାବି ପାଇପାରନ୍ତି ନାହିଁ । କଂଗ୍ରେସ ଓ ଇଣ୍ଡିଆ ମେଣ୍ଟର ନଜର ଆପଣଙ୍କ ରୋଜଗାର, ସମ୍ପତ୍ତି ଉପରେ ଅଛି । କଂଗ୍ରେସର ଶେହଜାଦାଙ୍କ କହିବାନୁସାରେ ସେମାନେ ସରକାରକୁ ଆସିଲେ କିଏ କେତେ ରୋଜଗାର କରୁଛି, କାହା ପାଖରେ କେତେ ସମ୍ପତ୍ତି ତାର ଯାଞ୍ଚ କରିବେ । ଏମାନେ ଜନସାଧାରଣଙ୍କ ସମ୍ପତ୍ତି ଉପରେ କବଜା କରି ସମସ୍ତଙ୍କ ମଧ୍ୟରେ ବାଣ୍ଟି ନେବେ । ଏହା ହେଉଛି କଂଗ୍ରେସର ଇସ୍ତାହାର । ଆଇନରେ ପରିବର୍ତ୍ତନ କରି ମାଆ ଭଉଣୀଙ୍କ ସମ୍ପତ୍ତି ଛଡ଼ାଇବା ଉପରେ ଏମାନଙ୍କ ନଜର ରହିଛି । ଏବେ ଏମାନଙ୍କ ନଜର ମଙ୍ଗଳସୂତ୍ର ଉପରେ ।"

ଏହା ବି ପଢନ୍ତୁ- ମୋଦିଙ୍କୁ ଘେରିଲେ ରାହୁଲ, କଂଗ୍ରେସ ଜାରି କଲା ଭିଡିଓ

ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି, "ଇଣ୍ଡିଆ ମେଣ୍ଟ ଏତେ ନିରାଶ ଅଛି ଯେ ଭବିଷ୍ୟକୁ ଦେଖିବା ଲାଗି ଏମାନଙ୍କ ନିକଟରେ ସାହାସ ନାହିଁ । ଏମାନେ କହୁଛନ୍ତି ମୋଦି ବିକଶିତ ଭାରତ କଥା କାହିଁକି କହୁଛି ? ଭାରତକୁ ବିଶ୍ବର ତୃତୀୟ ବୃହତ୍ତମ ଅର୍ଥନୀତି କରିବାକୁ କାହିଁକି ଚାହୁଁଛି ? କାରଣ ଏମାନେ ପରିବାର ଓ କ୍ଷମତା ଲୋଭରେ ଅନ୍ୟ କୌଣସି କାର୍ଯ୍ୟ କରନ୍ତି ନାହିଁ । ଏଥିଲାଗି ଜନତାଙ୍କଠାରୁ ଲୁଟନ୍ତି । ଆଜି ମୁଁ କହୁଛି ଗତ 10 ବର୍ଷ ମଧ୍ୟରେ ଯାହା ହୋଇଛି ତାହା ଟ୍ରେଲର, ଆମକୁ ଏବେ ବହୁତ କିଛି କାର୍ଯ୍ୟ କରିବା ବାକି ଅଛି । ଯେତେବେଳେ ମୁଁ ତମାମ ପ୍ରସଙ୍ଗରେ ଆଲୋଚନା କରେ, ସେତେବେଳେ କଂଗ୍ରେସ ଓ ସପା କିଛି ବୁଝିପାରନ୍ତି ନାହିଁ ।"

ଦେଶକୁ ପରିବାରବାଦ ରାଜନୀତିରୁ ମୁକ୍ତି କରିବା ଲାଗି ସମୟ ଆସିଯାଇଛି ବୋଲି ମୋଦି କହିଛନ୍ତି । " ସୁନ୍ଦର ଭାରତ, ବିକଶିତ ଭାରତର ଚାବି ଜନସାଧାରଣଙ୍କ ନିକଟରେ ରହିଛି । ଏବେ ଦେଶକୁ ପରିବାରବାଦ, ଭ୍ରଷ୍ଟାଚାର ଓ ଦୁର୍ନୀତିରୁ ମୁକ୍ତ କରିବା ଲାଗି ସମୟ ଆସିଯାଇଛି । ଏଥିଲାଗି ଆବଶ୍ୟକ ପୁଣି ଥରେ ମୋଦି ସରକାର । ପ୍ରଥମେ ଧାରା 370 ନାମରେ ଆମ ଯବାନଙ୍କ ଉପରେ ପଥର ପଡ଼ୁଥିଲା । ହେଲେ ଏବେ ଏହା ଉପରେ ଫୁଲ ଷ୍ଟପ ଲଗାଯାଇଛି । ଦେଶଠାରୁ ଊର୍ଦ୍ଧ୍ବରେ କେହି ନୁହଁ । ଏଣୁ ଦେଶରେ ନିର୍ବାଚନ ଜାରି ରହିଥିବାରୁ ସମସ୍ତେ ଗଣତନ୍ତ୍ରର ମହାପର୍ବରେ ସାମିଲ ହୁଅନ୍ତୁ ।" ସକାଳୁ ସକାଳୁ ଖରା ହେବା ପୂର୍ବରୁ ସମସ୍ତ ଭୋଟର ମତଦାନ କେନ୍ଦ୍ରକୁ ଆସି ଭୋଟ୍‌ ଦେବାକୁ ମୋଦି ଆଲିଗଡ଼ବାସୀଙ୍କୁ ଅପିଲ୍‌ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.